ବୀର ସୁରେନ୍ଦ୍ର ସାଏ ମାତ୍ର ୧୮ ବର୍ଷ ବୟସରେ ମା’ ମାଟିର ମୁକ୍ତି ପାଇଁ ବ୍ରିଟିସ୍ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ । ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଉଥିବା ୧୮୫୭ ସିପାହୀ ବିଦ୍ରୋହର ବହୁପୂର୍ବରୁ ସୁରେନ୍ଦ୍ର ସଂଗ୍ରାମ ‘ଉଲ୍ଗୁଲାନ୍’ କରିଥିଲେ। ପ୍ରଥମ ପର୍ଯ୍ୟାୟ ୧୮୨୭ ରୁ ୧୮୪୦ ଓ ଦ୍ବିତୀୟ ପର୍ଯ୍ୟାୟ ୧୮୫୭ ରୁ ୧୮୬୪ ପର୍ଯ୍ୟନ୍ତ ଦୀର୍ଘ କୋଡ଼ିଏ ବର୍ଷ ଧରି ତାଙ୍କର ସଶସ୍ତ୍ର ସ˚ଗ୍ରାମ ବ୍ରିଟିସ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା।୧୮୪୦ ରୁ ୧୮୫୭ ପର୍ଯ୍ୟନ୍ତ ହଜାରିବାଗ୍ ଜେଲ୍ରେ ୧୭ ବର୍ଷ ଓ ଦ୍ବିତୀୟ ଥର ୧୮୬୪ ରୁ ୧୮୮୪ ଫେବ୍ରୁଆରି ୨୮ ମୃତ୍ୟୁ ପର୍ଯ୍ୟନ୍ତ ଅସିରଗଡ଼ ଜେଲରେ ୨୦ ବର୍ଷ ଏହିପରି ମୋଟ ୩୭ ବର୍ଷ ବନ୍ଦୀ ରହି ସୁରେନ୍ଦ୍ର ସାଏ ଅକଥନୀୟ ଯନ୍ତ୍ରଣା ଭୋଗିଥିଲେ। ତାଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ନେତୃତ୍ବରେ ସମ୍ବଲପୁରରେ ବ୍ରିଟିସ ବିରୋଧୀ ଲଢେ଼ଇ ଭାରତୀୟ ସଶସ୍ତ୍ର ସ˚ଗ୍ରାମର ଦେଶ ମାତୃକାର ଏକ ଅନନ୍ୟ ଜ୍ବଳନ୍ତ ଉଦାହରଣ। ତାଙ୍କ ସଂପର୍କରେ ଐତିହାସିକ ଡ. ନବୀନ କୁମାର ସାହୁ କହନ୍ତି, ‘ମୁକ୍ତି ସଂଗ୍ରାମରୁ ପ୍ରସ୍ତୁତ ହୋଥିବା ଯୋଗୁ ନୁହେଁ, ବରଂ ମୁକ୍ତି ସଂଗ୍ରାମର ପ୍ରବାହକୁ ତ୍ବରାନ୍ବିତ କରିଥିବାରୁ ସୁରେନ୍ଦ୍ର ସାଏ ମହାନ୍’।
ମରହଟ୍ଟାମାନଙ୍କ ହାତରେ ବନ୍ଦୀ ହୋଇଥିବା ସମ୍ବଲପୁର ରାଜା ଓ ତାଙ୍କୁ ପୁତ୍ର ମହାରାଜ ସାଏଙ୍କୁ ମୁକ୍ତ କରିବା ପାଇଁ ରାଣୀରତନ କୁମାରୀ ଇ˚ରେଜମାନଙ୍କ ସହାୟତା ଲୋଡ଼ିଥିଲେ। ୧୮୦୪ ମସିହାରେ ଲେଫ୍ଟନେଣ୍ଟ ବ୍ରାଉଟନ୍ ମରହଟ୍ଟାମାନଙ୍କ କବଳରୁ ରାଜା ଓ ତାଙ୍କ ପିତାଙ୍କୁ ମୁକ୍ତ କରିଥିଲେ। ଇଂରେଜମାନେ ଏହାର ସୁଯୋଗ ନେଇ କେହି ଉତ୍ତରାଧିକାରୀ ନଥିବାରୁ ମହାରାଜ ସାଏଙ୍କ ବିୟୋଗ ପରେ ବିଧବା ରାଣୀ ମୋହନ କୁମାରୀଙ୍କୁ ଶାସନ ସି˚ହାସନରେ ବସାଇଥିଲେ ଏବଂ ପରୋକ୍ଷରେ ଶାସନ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲେ। ରାଜବ˚ଶର ଦାୟାଦ ଭାବରେ ସୁରେନ୍ଦ୍ର ସମ୍ବଲପୁରର ରାଜସିଂହାସନ ପାଇଁ ଦାବି କରି ଇଂରେଜ ବିରୋଧରେ ସଂଗ୍ରାମ ଆରମ୍ଭ କଲେ। ବିଭିନ୍ନ ଅଞ୍ଚଳର ଜମିଦାରମାନେ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ।
୧୮୪୦ରେ ବ୍ରିଟସ ସେନା ସୁରେନ୍ଦ୍ରଙ୍କୁ ବନ୍ଦୀ କରିନେଇଥିଲେ। ସେତେବେଳେ ତାଙ୍କୁ ପାଞ୍ଚ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ସତର ବର୍ଷ ବନ୍ଦୀ କରି ରଖିଲେ। ସୁରେନ୍ଦ୍ରଙ୍କ ଦ୍ବିତୀୟ ପର୍ଯ୍ୟାୟର ଲଢେ଼ଇ ଥିଲା ଅତ୍ୟନ୍ତ ସୁସ˚ଗଠିତ ଯାହାକି ମହାସ˚ଗ୍ରାମର ରୂପ ନେଇଥିଲା। ୧୮୫୭ ଜୁଲାଇ ୩୦ ତାରିଖ ବିଦ୍ରୋହୀମାନେ ହଜାରୀବାଗ ଜେଲ ଭାଙ୍ଗି ଦେବାର ସୁଯୋଗ ନେଇ ଅନ୍ୟ ବନ୍ଦୀଙ୍କ ସହ ବୀର ସୁରେନ୍ଦ୍ର ସାଏ ପଳାୟନ କରି ଅକ୍ଟୋବର ୭ ତାରିଖ ସମ୍ବଲପୁରରେ ପହଞ୍ଚିଲେ। ବିଦ୍ରୋହ ମହାସ˚ଗ୍ରାମରେ ପରିଣତ ହେବା ପାଇଁ ସତେ ଯେମିତି ସୁରେନ୍ଦ୍ରଙ୍କୁ ଅପେକ୍ଷା କରିଥିଲା ସମୟ। ବ୍ରିଟିସ ସରକାର ତାଙ୍କୁ ବିଦ୍ରୋହୀ ବୋଲି ଘୋଷଣା କଲେ। ବ୍ରଟିସମାନଙ୍କ ଅଭିପ୍ରାୟ ବୁଝିପାରି ଅକ୍ଟୋବର ୩୧ ତାରିଖ ସୁରେନ୍ଦ୍ର ଖିଣ୍ତା ଅଭିମୁଖେ ଯାଉଥିଲେ। ବାଟରେ ଝରଘାଟି ଠାରେ ରକ୍ତାକ୍ତ ଯୁଦ୍ଧ ହେଲା। ବ୍ରିଟିସ ସୈନ୍ୟଙ୍କ ସ˚ଖ୍ୟାରେ ଅଧିକ ତଥା ଆଧୁନିକ ଅସ୍ତ୍ର ଶସ୍ତ୍ରକୁ ସାମ୍ନା କରିବା ଅସମ୍ଭବ ଜାଣିପାରି ଲୁଚିଛପି ଗରିଲା ଯୁଦ୍ଧ ଆରମ୍ଭ କଲେ। ଏଥର ମଧ୍ୟ ସୁରେନ୍ଦ୍ରଙ୍କ ମୁକ୍ତିର ଅବଧି ସରିବା ପରେ ମଧୢ ତାଙ୍କୁ ମୁକ୍ତ କରାଗଲା ନାହିଁ। ଦ୍ବିତୀୟ ପର୍ଯ୍ୟାୟରେ ଅସିରଗଡ଼ ଜେଲରେ ତାଙ୍କୁ ବନ୍ଦୀ କରି ରଖାଗଲା। ସେଠାରେ ତାଙ୍କୁ ଦୀର୍ଘ ୨୦ ବର୍ଷ କାଳ ଶେଷ ନିଶ୍ବାସ ପର୍ଯ୍ୟନ୍ତ ବନ୍ଦୀ ରଖାଯାଇଥିଲା।
– ଲକ୍ଷ୍ମୀନାରାୟଣ ହୋତା
ଘାଇଲା ହୋଇଥିଲେ ଇଂରେଜ
ସମ୍ୱଲପୁରକୁ ଇଂରେଜମାନେ ପଶିବା ପଛରେ ମରହଟ୍ଟା ଆକ୍ରମଣ ଏକ ପ୍ରମୁଖ ଘଟଣା ବୋଲି ବିବେଚନା କରାଯାଏ।
ମରହଟ୍ଟା ସାମ୍ରାଜ୍ୟର ପତନ ପରେ ସମ୍ୱଲପୁର ଏକପ୍ରକାର ଇଂରେଜମାନଙ୍କ ନିୟନ୍ତ୍ରଣକୁ ଚାଲି ଆସିଥିଲା। କେହି ଉତ୍ତରାଧିକାରୀ ନଥିବାରୁ ରାଜା ମହାରାଜ ସାଏଙ୍କ ନିଧନ ପରେ ଇଂରେଜମାନେ କାଠପୁତୁଳି ଭଳି ବିଧବା ରାଣୀ ମୋହନ କୁମାରୀଙ୍କୁ ଶାସନ ଗାଦିରେ ବସାଇଥିଲେ। ରାଣୀ ମୋହନ କୁମାରୀଙ୍କ ରାଜସ୍ବ ନୀତିକୁ ନେଇ ସ୍ଥାନୀୟ ଜମିଦାରମାନଙ୍କ ଅସନ୍ତୁଷ୍ଟ ଜମାଟ ବାନ୍ଧିଥିଲା। ତାଙ୍କର ପ୍ରଜାବିରୋଧୀ ନୀତି ଯୋଗୁ ସେ ଲୋକପ୍ରିୟତା ହରାଇ ବସିଥିଲେ। ଧରମ ସିଂହ ଓ ରେବତୀ ଦେବୀଙ୍କ ସୁପୁତ୍ର ସୁରେନ୍ଦ୍ର ସାଏ ରାଜ ସିଂହାସନର ପ୍ରବଳ ଦାବିଦାର ଥିଲେ। ପିତା ଧର୍ମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହ ତତ୍ତ୍ୱାବଧାନରେ ଘୋଡ଼ାଚଢ଼ା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ। ୨୩ ଜାନୁଆରି ୧୮୦୯ରେ ଧରାପୃଷ୍ଠରେ ଅବତରଣ କରିଥିବା ସୁରେନ୍ଦ୍ର ସାଏ ମାତ୍ର ୧୮ ବର୍ଷ ବୟସରେ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ତେବେ, ୧୮୪୦ରେ ସମ୍ୱଲପୁର ଦେହୁରୀପାଲିରେ ସୁରେନ୍ଦ୍ର ସାଏ, ତାଙ୍କ ଭାଇ ଉଦନ୍ତ ସାଏଙ୍କ ସହିତ ଅନ୍ୟ ସହଯୋଗୀମାନଙ୍କୁ ଇଂରେଜମାନେ କୌଶଳକ୍ରମେ ଧରିବାକୁ ସକ୍ଷମ ହୋଇଥିଲେ। ସୁରେନ୍ଦ୍ରଙ୍କୁ ୫ ବର୍ଷ ଓ ଅନ୍ୟମାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ହଜାରିବାଗ ଜେଲ୍ରେ ବନ୍ଦୀ କରି ରଖିଥିଲେ। ଇଂରେଜମାନେ ସୁରେନ୍ଦ୍ର ସାଏଙ୍କୁ ଏତେ ଭୟ କରୁଥିଲେ ଯେ ଏହି କାରାଦଣ୍ଡ ଅବଧି ସରିବା ପରେ ବି ତାଙ୍କୁ କାରାମୁକ୍ତ କରିନଥିଲେ। ୧୮୫୭ ମସିହାର ସିପାହୀ ବିଦ୍ରୋହ ସୁରେନ୍ଦ୍ର ସାଏଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଥିଲା। ‘ଛୋଟା ବର୍ଦ୍ଧମାନ କା ପଲଟନ୍’ ସହ ମିଶି ବିଦ୍ରୋହୀମାନେ ହଜାରିବାଗ ଜେଲ୍ ଭାଙ୍ଗି ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତ ସାଏ।
ସେତେବେଳକୁ ସେ ଦୀର୍ଘ ୧୭ ବର୍ଷ ଜେଲ୍ ଭୋଗି ସାରିଥିଲେ। ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ଚାଲିଚାଲି ବର୍ଷାମାସ ଶେଷରେ ଦୁଇ ଭାଇ ନିଜ ମାତୃଭୂମିରେ ପହଂଚି ଥିଲେ। ସୁରେନ୍ଦ୍ର ସାଏଙ୍କ ଆଗମନରେ ଇଂରେଜମାନେ ବିଚଳିତ ହୋଇ ଉଠିଥିଲେ। ତାଙ୍କୁ ଧରିବା ପାଇଁ ୨୫୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ସୁରେନ୍ଦ୍ର ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ ଶହ ଲୋକଙ୍କ ସହ ସମ୍ୱଲପୁର ସହରକୁ ପ୍ରବେଶ କରିଥିଲେ। ସୁରେନ୍ଦ୍ର ଓ ତାଙ୍କ ସହଯୋଗୀଙ୍କ ସଂପର୍କରେ ଖବର ସଂଗ୍ରହ ନିମନ୍ତେ ଇଂରେଜମାନେ ଗୁପ୍ତଚର ନିୟୋଜିତ କରିବା ଜାଣିବା ପରେ ସେ ସୁରେନ୍ଦ୍ର ଘଞ୍ଚ ବନାନୀ, ଗିରିଶୃଙ୍ଗକୁ ନିଜ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଥିଲେ। ସୁରେନ୍ଦ୍ର ଇଂରେଜମାନଙ୍କ ସହିତ ମୁକାବିଲା ପାଇଁ ନିଜ ରଣନୀତି ବଦଳାଇ ଦେଇଥିଲେ। ଏଥର ସେ ସମ୍ମୁଖ ଯୁଦ୍ଧ ପରିବର୍ତ୍ତେ ‘ଗରିଲା’ ରଣନୀତି ଆପଣେଇ ଥିଲେ। ପାହାଡ଼ ଉପରୁ ପଥର ଖସାଇ ଇଂରେଜମାନଙ୍କ ଉପରେ ଅତର୍କିତ ଆକ୍ରମଣ କରୁଥିଲେ। ପୁଣି ଘଞ୍ଚ ବନାନୀ ମଧ୍ୟରେ ଲୁଚି ଯାଉଥିଲେ। ତାଲିମପ୍ରାପ୍ତ ଇଂରେଜ ସୈନ୍ୟମାନଙ୍କ କୌଣସି ଯୁଦ୍ଧ କୌଶଳ କାମ ଦେଇନଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଇଂରେଜ ସରକାର ସୁରେନ୍ଦ୍ର ସାଏଙ୍କ ସହିତ ଶାନ୍ତି ବୁଝମଣା କରିବାକୁ ବାଧ୍ୟ ହୋଇଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ସେ ପୁଣି ଇଂରେଜମାନଙ୍କ ଷଡ୍ଯନ୍ତ୍ରର ଶିକାର ହୋଇଥିଲେ। ତାଙ୍କ ଜନ୍ମଦିନ ୨୩ ଜାନୁଆରି(୧୮୬୪ ମସିହା) ତଥା ଅଂଚଳର ପ୍ରମୁଖ ପର୍ବ ପୌଷପୂର୍ଣ୍ଣିମା ତିଥିରେ ହିଁ ତାଙ୍କୁ ଦ୍ୱିତୀୟଥର ପାଇଁ ଗିରଫ କରି ରାୟପୁର ନିଆଯାଇଥିଲା। ସେଠାରୁ ପୁଣି କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ନାଗପୁର ଜେଲ୍କୁ ନିଆଯାଇଥିଲା। ହେଲେ, ଜୁନ୍ ୧୮୬୫ରୁ ଜୀବନର ଶେଷ ପର୍ଯ୍ୟନ୍ତ ଅସିରଗଡ଼ ଦୁର୍ଗରେ କଟିଥିଲା ତାଙ୍କ ବନ୍ଦୀ ଜୀବନ। ୩ ମାର୍ଚ୍ଚ ୧୮୮୩ରେ ଅସୁସ୍ଥ ହୋଇପଡ଼ିଥିଲେ ସୁରେନ୍ଦ୍ର। ଲମ୍ବା ଯନ୍ତ୍ରଣାଦାୟକ ରୁଗ୍ଣ ଜୀବନ ପରେ ୨୮ ଫେବ୍ରୁଆରି ୧୮୮୪ରେ ଏହି ମହାନ ବୀରଙ୍କ ଜୀବନ ଦୀପ ଲିଭି ଯାଇଥିଲା। ବୀର ସୁରେନ୍ଦ୍ର ସାଏ ଯୌବନର ଦୀର୍ଘ ୧୭ ବର୍ଷ ଏବଂ ଶେଷ ପର୍ଯ୍ୟାୟରେ ୨୦ବର୍ଷ ବନ୍ଦୀ ଜୀବନ ବିତାଇଥିଲେ। ଦୀର୍ଘ ୩୭ ବର୍ଷ ବନ୍ଦୀ ଜୀବନ ବିତାଇବା ଇତିହାସ ପୃଷ୍ଠାରେ ବିରଳ ଘଟଣା। ଜନ୍ମଭୂମି ପାଇଁ ଜୀବନ ଦେଇଥିବା ଏହି ମହାନାୟକଙ୍କ ପ୍ରତି ଉଚିତ ସମ୍ମାନ ମିଳିପାରି ନାହିଁ। ଏବେ ବି ତାଙ୍କ ଜନ୍ମପୀଠ ଅବହେଳିତ।
- ରତ୍ନାକର ଭୋଇ
ମୁକ୍ତି ସ˚ଗ୍ରାମର ସାଥୀମାନେ...
ସୁରେନ୍ଦ୍ରଙ୍କୁ ସମର୍ଥନ ଜଣାଇ ଏହି ମହାସ˚ଗ୍ରାମରେ ସାମିଲ ହେଲେ ଘେଁସର ମାଧୋ ସି˚ହ ଓ ତାଙ୍କ ପୂରା ପରିବାର, ଭେଡେ଼ନର ମନୋହର ସି˚ହ, ଖରସଲର ଦିଆଲ ସର୍ଦ୍ଦାର, ପାହାଡ଼ଶ୍ରୀଗିଡ଼ାର ଜନାର୍ଦ୍ଦନ ସି˚ହ, ଲଖନପୁରର ବଳଭଦ୍ର ଦାଓ, କୋଲାବିରାର କରୁଣା ଗଡ଼ତିଆ, ପାଟକୁଲୁଣ୍ତାର ପୀତାମ୍ବର ସି˚ହ, ସୋହେଲାର ମୋହନ ସି˚ହ, ମଲିଦା, ଲୋଇସି˚ହା, ଖରମୁଣ୍ତା, କୋଡ଼ାବଗା, ଲିମଧରର ଜମିଦାର ଓ ମୁଖଆମାନେ। ତେବେ, ଏହି ଜମିଦାର/ମୁଖିଆମାନେ ଆଦିବାସୀ (ଗଣ୍ତ, ବ˚ଝାଲ, କନ୍ଧ ଓ ଚୌହାନ) ଥିବାରୁ ସାଧାରଣ ନିରକ୍ଷର ପ୍ରଜା ମଧୢ ଏହି ଯୁଦ୍ଧରେ ଝାସ ଦେଲେ। ରାୟପୁର-ବରଗଡ଼ ରାସ୍ତାର ସି˚ଘୋଡ଼ା ଘାଟିରେ ବ୍ରିଟିସ ଯୋଗାଯୋଗ ବ୍ୟାହତ କରିବା ପାଇଁ ଏହି ଘାଟିର ଦାୟିତ୍ବରେ ରହିଲେ ଜମିଦାର ମାଧୋ ସି˚ହ। ଏହି ସ˚ଗ୍ରାମରେ ମାଧୋ ସି˚ଙ୍କ ହଟ୍ଟେ ସି˚ହ, କୁ˚ଜଲ ସି˚ହ, ବୈରୀ ସି˚ହ, ଐରୀ ସି˚ହଙ୍କ ସହ ଜ୍ବାଇଁ ନାରାୟଣ ସି˚ହ, ନାତୁଣୀ ଜ୍ବାଇଁ ଗୋବିନ୍ଦ ସି˚ହ ସାମିଲ ହୋଇ ବଳିଦାନ କରିଥିଲେ। ନାଗପୁରର କେପଟେନ୍ ବ୍ରିଜ ସମ୍ବଲପୁର ଆସିବା ବେଳେ ସି˚ଘୋଡ଼ା ଘାଟିରେ ଯୁଦ୍ଧ ହୋଇଥିଲା। କେପଟେନ ସେକ୍ସପିଅର ରାୟପୁରରୁ ଅଶ୍ବାରୋହୀ ସୈନ୍ୟ ସହ ଆସିବା ସମୟରେ ତୁମୁଳ ଯୁଦ୍ଧ ହୋଇଥିଲା। ୧୧ ଜଣ ସ˚ଗ୍ରାମୀ ସହିଦ ହୋଇଥିଲେ। ୧୮୫୮ ଫେବ୍ରୁଆରି ୧୨ ତାରିଖରେ ପାହାଡ଼ଶ୍ରୀଗିଡ଼ାରେ ବ୍ରିଟିସ ସେନାଧୢକ୍ଷ ଉଡବ୍ରିଜ ହତ୍ୟା କରାଯାଇ ତାଙ୍କର ମୁଣ୍ତ ବିହୀନ ଶରୀରକୁ ଗଛ ଡାଳରେ ଝୁଲାଇ ଦିଆଗଲା।
ଏହାପରେ ବ୍ରିଟିସ୍ ମାନେ ସ˚ଗ୍ରାମରେ ସାମିଲ ହୋଇଥିବା ଖରସଲ ଜମିଦାର ଦିଆଲ ସର୍ଦ୍ଦାର ଓ ପାହାଡ଼ଶ୍ରୀଗିଡ଼ା ଜମିଦାର ଜନାର୍ଦ୍ଦନ ସି˚ହଙ୍କୁ ଫାଶୀ ଦେଇଥିଲେ। ମାଧୋ ସି˚ହଙ୍କୁ ଡିସେମ୍ବର ୩୦ ତାରିଖ ଫାଶୀ ଦିଆଯାଇଥିଲା। କୁ˚ଜଲ ସି˚ହ ଓ ତାଙ୍କ ସହଯୋଗୀଙ୍କୁ ସମ୍ବଲପୁର ଠାରେ ଫାଶୀ ଦିଆଗଲା। ବୈରୀ ସି˚ହ ଆଜୀବନ କାରାଦଣ୍ତ ଭୋଗିଲା ବେଳେ ବସନ୍ତରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ। ଐରୀ ସି˚ହ ଏକ ଗୁ˚ଫାରେ ଆଶ୍ରୟ ନେଇଥିବାବେଳେ ସେଠାରେ ଅଗ୍ନି ସ˚ଯୋଗ କରି ଦିଆଯାଇଥିଲା। ହଟ୍ଟେ ସି˚ହଙ୍କୁ କଳାପାଣି ଜେଲଦଣ୍ତ ହୋଇଥିଲା। ବସେଇକେଲାରେ ବ୍ରିଟିସ ସୈନ୍ୟ ସହିତ ଘମାଘୋଟ ଲଢେ଼ଇରେ ଭେଡେ଼ନ ଜମିଦାର ମନୋହର ସି˚ହ ସହିଦ ହୋଇଥିଲେ। ଲଖନପୁର ଜମିଦାର ବଳଭଦ୍ର ଦାଓ ଡେବ୍ରିଗଡ଼ ଯୁଦ୍ଧରେ ପ୍ରାଣବଳି ଦେଇଥିଲେ। ତାଙ୍କ ପୁତ୍ର କମଳ ସି˚ହ, ଖଗେଶ୍ବର ସି˚ହ ଅସୁରଗଡ଼ ଜେଲରେ ଅନ୍ତିମ ଜୀବନ କଟାଇଲେ। ସୁରେନ୍ଦ୍ର ଓ ତାଙ୍କ ସହଯୋଗୀମାନେ ଦେଶମାତୃକାର ମୁକ୍ତି ପାଇଁ ହସି ହସି ଜୀବନ ଦେଇଥିଲେ।