ପୁରୁଣା ହିନ୍ଦୀ ଫିଲ୍ମରେ ଦେଖିବାକୁ ମିଳେ ଯେ, କୁମ୍ଭ ମେଳାରେ ପିଲାମାନେ ନିଜ ମାଆ-ବାପାଙ୍କ ଠାରୁ ଅଲଗା ହୋଇଯାଆନ୍ତି କିମ୍ବା ଭାଇ-ଭାଇ ଠାରୁ ଅଲଗା ହୋଇଯାଆନ୍ତି । ମିଶୁ ମିଶୁ ୧୫ରୁ ୨୦ ବର୍ଷ ଲାଗିଯାଏ । ସବୁଠାରୁ ରୋଚକ ଘଟଣା ସେଇଟା ଥିଲା, ଯେତେବେଳେ ଅନେକ ବର୍ଷ ପରେ ବେକରେ ଥିବା ଏକ ଲକେଟ୍ ଦ୍ୱାରା ପରସ୍ପରଙ୍କୁ ଚିହ୍ନୁଥିଲେ । କିମ୍ବା ଗୋଟିଏ ଭାଇ ଗଳାରେ ଲାଗିଥିବା ତାବିଜ୍ ଦ୍ୱାରା ଅନ୍ୟ ଭାଇକୁ ଚିହ୍ନୁଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ହିନ୍ଦୀ ସିନେମା କଥା ପୁରୁଣା ହୋଇଗଲାଣି । ପ୍ରୟାଗରାଜ କୁମ୍ଭ ମେଳାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଥିଲେ ସୁଦ୍ଧା ଏଥର ଆପଣ ନିଜ ସଂପର୍କୀୟଙ୍କ ଠାରୁ ଅଲଗା ହେବେନି । କାହିଁକିନା ଏଥର କୁମ୍ଭ ମେଳାରେ ଆପଣଙ୍କ ଛୋଟ ପିଲାଙ୍କୁ ଏମିତି ତାବିଜ୍ ଦିଆଯାଉଛି । ଯେଉଁଥିରେ ନିଖୋଜ ପିଲାଙ୍କୁ ଖୋଜିବାରେ ସହଜ ହେବ । ଏହା ୨୦୧୯ର ଆଧୁନିକ ତାବିଜ୍ ଯାହା କୁମ୍ଭରେ ହଜିଯାଇଥିବା ବ୍ୟକ୍ତିଙ୍କୁ ନିଜ ଲୋକଙ୍କ ସହ ମିଶାଇବ ।
ଏଥର ପ୍ରୟାଗରାଜରେ ଚାଲୁଥିବା ଅର୍ଦ୍ଧକୁମ୍ଭ ମହାପର୍ବରେ ଆଧୁନିକ ପ୍ରସ୍ତୁତି ଭିତରେ ସବୁଥର ଭଳି ଖୋଜିବା ପାଇବା କେନ୍ଦ୍ର ନିର୍ମାଣ କରାଯାଇଛି । କିନ୍ତୁ ପ୍ରଥମ ଥର ଏହି ଖୋଜିବା ପାଇବା କେନ୍ଦ୍ର ବହୁତ ଆଧୁନିକ ଦେଖାଯାଉଛି । ଯୋଗୀ ସରକାରଙ୍କ ପକ୍ଷରୁ କେବଳ ସଙ୍ଗମ ସ୍ଥଳରେ ୩ଟି ଖୋଜିବା ପାଇବା କେନ୍ଦ୍ର ତିଆରି କରାଯାଇଛି । ଯେଉଁଠି ଆସୁଥିବା ଶ୍ରଦ୍ଧାଳୁ ନିଖୋଜ ସଂପର୍କୀୟଙ୍କ ବିଷୟରେ ସୂଚନା ଦେଇପାରିବେ ଏବଂ ସେଠାରୁ ଘୋଷଣା କରାଯିବ । ଯଦ୍ୱାରା ନିଜ ଲୋକଙ୍କୁ ଖୋଜିବାରେ ସହାୟକ ହେବ । କିନ୍ତୁ ଏହା ଠାରୁ ମଧ୍ୟ ଦମଦାର ବ୍ୟବସ୍ଥା ସେହି ଆଧୁନିକ ତାବିଜର, ଯାହା ଛୋଟ ପିଲାଙ୍କ ଗଳାରେ ପିନ୍ଧାଯାଉଛି ।
ପିଲାଙ୍କ ଗଳାରେ ଲଗାଇଦିଆଯାଏ କାର୍ଡ :
ଆଧୁନିକ ତାବିଜ୍ ଆରଏଫଆଇଡି ଟେକନିକ୍ ଦ୍ୱାରା ପୂର୍ଣ୍ଣ, ଯାହା ଜରିଆରେ ଛୋଟ ପିଲାଙ୍କୁ କୁମ୍ଭ ମେଳାକୁ ଆସିବା କ୍ଷଣି ରେଜିଷ୍ଟ୍ରେସନ କରାଯାଏ । ଏବଂ ତାଙ୍କ ଗଳାରେ ଏକ ସ୍ୱାଇପ୍ କାର୍ଡ ଭଳି ଲଗାଇଦିଆଯାଏ । ରେଜିଷ୍ଟ୍ରେସନ ସମୟରେ ପିଲାଙ୍କ ସହିତ ଆସିଥିବା ପିତା-ମାତାଙ୍କ ଫୋନ ନମ୍ବର ଓ ତାଙ୍କର ପୁରା ଠିକଣା ରେକର୍ଡ କରାଯାଏ । ଏହି ସାରା ଡାଟା ସେହି କାର୍ଡରେ ଲେଖିଦିଆଯାଏ, ଯାହାକୁ ପିଲାଙ୍କ ଗଳାରେ ଏକ ବିଶେଷ ପ୍ରକାରର କାଗଜରେ ଗୁଡାଇ ପ୍ଲାଷ୍ଟିକ୍ କଭରରେ ପକାଇ ପିନ୍ଧାଯାଏ ।
ଏହି କାର୍ଡରେ ଲେଖା ହୋଇଛି ଦୟାକରି ମୋର ସାହାଯ୍ୟ କରନ୍ତୁ, ଅର୍ଥାତ୍ ଯଦି ଆପଣଙ୍କ ପିଲା ଆପଣଙ୍କ ଠାରୁ ହଜିଯାଇଛି, ତେବେ କୁମ୍ଭ ମେଳାରେ ବୁଲୁଥିବା କୌଣସି ବି ବ୍ୟକ୍ତି ସେହି ପିଲାର ଗଳାରେ ଲାଗିିଥିବା କାର୍ଡ ଦେଖି ନିକଟସ୍ଥ ଖୋଜିବା ପାଇବା କେନ୍ଦ୍ର ପର୍ଯ୍ୟନ୍ତ ପହଂଚାଇଦେବେ । ସେହି କେନ୍ଦ୍ରରେ ପିଲାଙ୍କ ଗଳାରେ ଥିବା କାର୍ଡକୁ ମେସିନ୍ ଉପରେ ରଖାଯିବ ଓ ପିଲାର ମାତା-ପିତାଙ୍କ ରେଜିଷ୍ଟର ନମ୍ବରରେ ତୁରନ୍ତ ଜରୁରୀକାଳୀନ ମେସେଜ୍ ପଠାଯିବ ।