ନୂଆଦିଲ୍ଲୀ: ଲଣ୍ଡନସ୍ଥିତ ହୁରୁନ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଚଳିତ ବର୍ଷର ସର୍ବାଧିକ ଆୟକାରୀ ଶିଳ୍ପୀଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ବ୍ରିଟିସ-ଭାରତୀୟ ଭାସ୍କର୍ଯ୍ୟ ଶିଳ୍ପୀ ଅନୀଶ କପୁର ଦେଶର ସଫଳତମ ଶିଳ୍ପୀର ସ୍ଥାନ ଅଧିକାର କରିଛନ୍ତି। ଅନୀଶ ଲଗାତାର ପଞ୍ଚମ ବର୍ଷ ପାଇଁ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କର ଏ ବର୍ଷର ଆୟ ୯୧ କୋଟି ଟଙ୍କା। ଅନ୍ୟ ବର୍ଷମାନଙ୍କ ପରି ଚଳିତବର୍ଷ ମଧ୍ୟ ଭାରତୀୟ ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ଚିତ୍ରକଳାଗୁଡ଼ିକ ଉଲ୍ଲେଖନୀୟ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇଛନ୍ତି। ତାଲିକାରେ ଅନୀଶଙ୍କ ପଛକୁ ରହିଛନ୍ତି ଅର୍ପିତା ସିଂହ, ଯାହାଙ୍କର ବାର୍ଷିକ ଆୟ ହେଉଛି ୨୪.୭୧ କୋଟି ଟଙ୍କା। ତେବେ ମଜାର କଥା, ଅର୍ପିତା ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ତାଙ୍କର ସବୁଠୁ ଦାମୀ ଚିତ୍ରକଳାର ମୂଲ୍ୟ ହେଉଛି ୧୧.୩୨ କୋଟି ଟଙ୍କା ଯାହା ଅନୀଶଙ୍କର ସବୁଠୁ ଦାମୀ କୃତି (୯.୨୭ କୋଟି)କୁ ଟପିଯାଇଛି।
ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଯୋଗେନ୍ ଚୌଧୁରୀ, ଯାହାଙ୍କର ଆୟ ୧୯.୭୬ କୋଟି ଟଙ୍କା। ତାଙ୍କର ସବୁଠୁ ଦାମୀ ଚିତ୍ରକଳାର ଦାମ୍ ୪.୪୦ କୋଟି ରହିଛି। ଚତୁର୍ଥରେ ଥିବା ରଙ୍ଗଶିଳ୍ପୀ, କବି ତଥା ସମୀକ୍ଷକ ଗୁଲାମ ମହମ୍ମଦଙ୍କର ବାର୍ଷିକ ଆୟ ୧୭.୮୮ କୋଟି ହୋଇଥିବା ବେଳେ ତାଙ୍କର ସବୁଠୁ ସଫଳ ଚିତ୍ରକଳାର ମୂଲ୍ୟ ହେଉଛି ଅବିଶ୍ବସନୀୟ ଭାବେ ୧୬.୮୯ କୋଟି ଟଙ୍କା, ଯାହା ତାଲିକାରେ ଥିବା ପ୍ରଥମ ୧୦ ଜଣ ଚିତ୍ରଶିଳ୍ପୀଙ୍କର ଯେ କୌଣସି କୃତିଠାରୁ ଦାମୀ ବୋଲି ସ୍ପଷ୍ଟ ହୋଇଛି। ସେମାନଙ୍କ ମଧ୍ୟରେ ସବୁଠୁ କନିଷ୍ଠ ୨୬ ବର୍ଷୀୟ ରାଘବ ବବ୍ବର ଚଳିତବର୍ଷ ପ୍ରଥମ ଥର ପାଇଁ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ସପ୍ତମରେ ରହିଛନ୍ତି। ତାଙ୍କର ବାର୍ଷିକ ଆୟ ୧୧.୭୭ କୋଟି। ମୋଟାମୋଟି ଭାବେ ଭାରତୀୟ ଚିତ୍ରକଳା ବଜାରରେ ଉନ୍ନତି ଜାରି ରହିଥିବା ବେଳେ ଦେଶର ଚିତ୍ରଶିଳ୍ପୀମାନେ ଉଭୟ ଜାତୀୟ ଓ ବିଶ୍ବସ୍ତରରେ ଉଲ୍ଲେଖନୀୟ ଲୋକପ୍ରିୟତା ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି।