ନୂଆଦିଲ୍ଲୀ: ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଆଉ କୌଣସି ପ୍ରକାରର ପରିବେଶ ଜନିତ କ୍ଷତିକୁ ଏଡ଼ାଇବା ପାଇଁ ହିମାଳୟ ଅଞ୍ଚଳରେ ପ୍ରସ୍ତାବିତ କିମ୍ବା ଚାଲୁଥିବା ସମସ୍ତ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯିବା ଉଚିତ ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି। ନଚେତ ହିମାଚଳ ପ୍ରଦେଶ ଉତ୍ତରାଖଣ୍ଡର ଯୋଶୀମଠ ଭଳି ସ୍ଥିତିର ସମ୍ମୁଖୀନ ହୋଇପାରେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ହିମାଳୟ ଅଞ୍ଚଳରେ ରହିଥିବା ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଅତ୍ୟନ୍ତ ପରିବେଶ ସମ୍ବେଦନଶୀଳ ଅଞ୍ଚଳ। ତେବେ, ଆଜିର ପରିବର୍ତ୍ତିତ ପରିସ୍ଥିତିରେ ଏହି ଅଞ୍ଚଳ ଏବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ପ୍ରତିବର୍ଷ ଭୂସ୍ଖଳନ ଯୋଗୁଁ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି ଏବଂ କୋଟି କୋଟି ଟଙ୍କାର କ୍ଷୟକ୍ଷତି ଘଟୁଛି। ଏ ପରିସ୍ଥିତିରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପରିବେଶ ସମ୍ବେଦନଶୀଳ ରାଜ୍ୟଗୁଡ଼ିକର ବିକାଶର ମଡେଲକୁ ପୁନଃ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି ପରିବେଶ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ହିମଧରାର ପ୍ରତିଷ୍ଠାତା ମାନସୀ ଆଶର କହିଛନ୍ତି।
ସଂପ୍ରତି ହିମାଳୟ ଅଞ୍ଚଳରେ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସଂଖ୍ୟା ଅନେକ ଗୁଣ ବୃଦ୍ଧି ପାଇଛି; କାରଣ ବିକାଶ କାର୍ଯ୍ୟ ନାଁରେ ବ୍ୟାପକ ପରିବେଶ ନଷ୍ଟ ହେଉଛି। ହିମାଚଳ ପ୍ରଦେଶ ହାଇରିସ୍କ ସିସ୍ମିକ୍ ଜୋନ୍ (ଭୂକମ୍ପ ପ୍ରବଣ ଅଞ୍ଚଳ) ୪ ଓ ୫ରେ ରହିଛି; ଯାହାକି ଅଧିକ କ୍ଷୟକ୍ଷତି ବିପଦପୂର୍ଣ୍ଣ ଅଞ୍ଚଳ। ଚମ୍ବା, କାଙ୍ଗରା, ହମିରପୁର, କୁଲୁ ଓ ମଣ୍ଡି ଆଦି ପାଞ୍ଚଟି ଜନବହୁଳ ଜିଲ୍ଲା ମଧ୍ୟ ଏହି ଜୋନ୍ ଅଧୀନରେ ରହିଛି। ହିମାଚଳ ପ୍ରଦେଶର ମୋଟ ୫୫,୬୭୩ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ୩୮,୨୪୯ ବର୍ଗ କିଲୋମିଟର ଅଞ୍ଚଳ ଅଧିକ ବିପଦରେ ଥିବା ବେଳେ ୪,୪୬୧ ବର୍ଗ କିଲୋମିଟର ଅଞ୍ଚଳ ଭୂସ୍ଖଳନ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଅଧୀନରେ ରହିଛି।
/sambad/media/post_attachments/wp-content/uploads/2023/02/istock-e1676291795376.jpg)
ରାଜ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ, ପାଓ୍ଵାର ପ୍ଲାଣ୍ଟ ଓ ହୋଟେଲ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଛି ଏବଂ ଅହେତୁକ ନିର୍ମାଣ କାର୍ଯ୍ୟ ପରିବେଶ ଉପରେ ଅତ୍ୟନ୍ତ କୁ-ପ୍ରଭାବ ପକାଇଛି। ଚଣ୍ଡିଗଡ଼- ସିମଲା ଏକ୍ସପ୍ରେସେଓ୍ଵ, କିରତପୁର- ମନାଲି ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜାତୀୟ ରାଜପଥ ନିର୍ମାଣ ପରେ ଏହି ଅଞ୍ଚଳରେ ଭୂସ୍ଖଳନ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ଡଜନାଧିକ ଲୋକ ପ୍ରାଣ ହରାଇଛନ୍ତି। ହିମାଚଳରେ ରାଜପଥ ନିର୍ମାଣ ପାଇଁ ୮୦ ହଜାରରୁ ଅଧିକ ଗଛ କଟାଯାଇଛି ବୋଲି ପରିବେଶବିତ୍ ଅଶର କହିଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ନିର୍ମାଣ ବୃଦ୍ଧି ପାଉଥିବାରୁ ଏହି ଅଞ୍ଚଳର ପରିବହନ କ୍ଷମତା ହ୍ରାସ ପାଉଛି।
ଜମ୍ମୁ- କଶ୍ମୀରରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ହିମାଳୟ ଅଞ୍ଚଳରେ ୧,୧୫,୦୦୦ ମେଗାଓ୍ଵାଟ୍ ବିୁଦ୍ୟତ୍ ଉତ୍ପାଦନ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରାଯାଇଛି। ତେବେ, ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯଦି ସମସ୍ତ ପ୍ରସ୍ତାବିତ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରା ନଯାଏ ତେବେ ସମଗ୍ର ଦେଶକୁ ଭୟାବହ ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିବାକୁ ପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Mining_Punashcha-Pruthibi_Thumbnail.jpg)