ଭୁବନେଶ୍ୱର: ଭଲ ଚାକିରି ସାଙ୍ଗକୁ ଉଚ୍ଚ ଦରମା | କିଛି ଏଭଳି ଆଶା ନେଇ ଶିକ୍ଷକତା ପରେ ବ୍ୟାଙ୍କିଙ୍ଗ ସେକ୍ଟରରେ ଚାକିରି ଖଣ୍ଡେ ପାଇବା ପାଇଁ ଏବେ ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ କରୁଛନ୍ତି | ଯୁକ୍ତ ତିନି ପରେ ବ୍ୟାଙ୍କିଙ୍ଗ ପରୀକ୍ଷାରେ ସଫଳତା ପାଇବା ପାଇଁ କୋଚିଂ ମଧ୍ୟ ନେଉଛନ୍ତି, କିନ୍ତୁ ଦିନକୁ ଦିନ କମ ପଦବୀ ସାଙ୍ଗକୁ ଅଧିକ ସଂଖ୍ୟାରେ ଆଶାୟୀ ଥିବା ଯୋଗୁଁ ସବୁ ପିଲା ସଫଳତା ପାଇବା ସମ୍ଭବ ହେଉନାହିଁ | କିନ୍ତୁ ବ୍ୟାଙ୍କିଙ୍ଗ ପରୀକ୍ଷାରେ ଏମିତି କିଛି ଦିଗ ରହିଛି ଯାହା ପ୍ରତି ଅଧିକାଂଶ ଛାତ୍ରଛାତ୍ରୀ ନଜର ମଧ୍ୟ ଦେଇ ନଥାନ୍ତି | ଅଧିକାଂଶ ବ୍ୟାଙ୍କ ଏହି ସବୁ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ଦେଉଥିଲେ ବି ଓଡ଼ିଶାର ଛାତ୍ରଛାତ୍ରୀ ସେ ସବୁଥିରେ ଆବେଦନ ମଧ୍ୟ କରୁନାହାନ୍ତି | ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଛାତ୍ରଙ୍କ ବାବଦରେ କହିବୁ ଯିଏ ନିଜର ମାତୃଭାଷା ଓ ଚିରାଚରିତ ପାଠକୁ ଛାଡି ଏକ ଭିନ୍ନ ଭାଷାରେ ପରୀକ୍ଷା ଦେଇ ସଫଳତା ପାଇଛନ୍ତି | ସର୍ବଭାରତୀୟ ସ୍ତରରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେ ପଞ୍ଚମ ସ୍ଥାନ ହାସଲ କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି |

Advertisment

ଭାରତର ରାଷ୍ଟ୍ରଭାଷା ହିନ୍ଦୀକୁ ପ୍ରୋତ୍ସାହନ ଦେବା ପାଇଁ ଅଧିକାଂଶ ରାଷ୍ଟ୍ରାୟତ ବ୍ୟାଙ୍କ ଏବେ ରାଜଭାଷା ଅଧିକାରୀ  ନିଯୁକ୍ତି ଦେଉଛନ୍ତି | ଏଥିରେ ହିନ୍ଦୀ ଭାଷାରେ ଦକ୍ଷତାକୁ ପ୍ରମୁଖ ଭାବେ ବିଚାରକୁ ନିଆଯାଇଥାଏ | ଠିକ ସେମିତି ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ପକ୍ଷରୁ ମଧ୍ୟ ରାଜଭାଷା ଅଧିକାରୀ ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା | ଏଥିପାଇଁ ଯୋଗ୍ୟତା ଭାବରେ ହିନ୍ଦୀରେ ସ୍ନାତକୋତ୍ତର ଡିଗ୍ରି ମଗାଯାଇଥିଲା | ଏହି ସର୍ବଭାରତୀୟ ପରୀକ୍ଷାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ସଫଳତା ପାଇଛନ୍ତି ଓଡ଼ିଆ ଛାତ୍ର ମିଲନ ମହାପାତ୍ର | ହିନ୍ଦୀ ଭାଷାରେ ପରୀକ୍ଷା ଦେଇ ଏହି ଓଡ଼ିଆ ଛାତ୍ର ଜଣକ ଟପ-୫ରେ ସ୍ଥାନ ପାଇପାରିଛନ୍ତି |

publive-image

ସେ ବୌଦ୍ଧରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି (କଳା)ରେ ପାଠ ପଢ଼ିଥିବାବେଳେ ଦୂରନିରନ୍ତର ପାଠ୍ୟକ୍ରମ(ଡିଷ୍ଟାନ୍ସ ଏଜୁକେସନ) ମାଧ୍ୟମରେ ହିନ୍ଦୀରେ ଏମ.ଏ(ସ୍ନାତୋକତ୍ତର) କରିଥିଲେ | ଏହା ପରେ ବ୍ୟାଙ୍କିଙ୍ଗ କୋଚିଂ ନେଇଥିଲେ | ହିନ୍ଦୀ ପଢିଲେ ବି ବ୍ୟାଙ୍କରେ ନିଯୁକ୍ତିର ସୁଯୋଗ ଅଛି ବୋଲି ମିଲନ ଜାଣିପାରିଥିଲେ | ଏହା ପରେ ରାଜଭାଷା ଅଧିକାରୀ ପଦ ପାଇଁ ଆବେଦନ କରି ମିଲନଙ୍କୁ ଏହି ସଫଳତା ମିଳିଛି | ମିଲନଙ୍କ କହିବା ମୁତାବକ ବ୍ୟାଙ୍କିଙ୍ଗ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ବାରମ୍ବାର ପରୀକ୍ଷା ଦେବା ପରେ ନିରାଶ ହୋଇ ଆଉ ନିଜକୁ ପ୍ରସ୍ତୁତ କରୁନାହାନ୍ତି |

publive-image

କିନ୍ତୁ ଏଭଳି ନ କରି ନିଜ ଉପରେ ଆତ୍ମବିଶ୍ୱାସ ଓ ଧୈର୍ଯ୍ୟ ରଖିବା ସହ ପରାଜୟରୁ କିଛି ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି | ମିଲନ କହିଛନ୍ତି ଯେ ଯେତେବେଳେ ସେ ବ୍ୟାଙ୍କିଙ୍ଗ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ସେତେବେଳେ ମାନସିକ ଚାପରେ ରହୁଥିଲେ | କିନ୍ତୁ ଆରମ୍ଭ ଏକାଡେମୀର ନିର୍ଦ୍ଦେଶକ ଅଭିଷେକ ତ୍ରିପାଠୀ ତାଙ୍କୁ ସାହସ ଦେଇଥିଲେ | କିଭଳି ହିନ୍ଦୀକୁ ଆଧାର କରି ସଫଳତା ପାଇହେବ ସେ ନେଇ ଉତ୍ସାହ ଦେଇଥିଲେ |