ଦିଲ୍ଲୀ ହିଂସା: ୬ ଜଣ ମୁସଲିମ୍ ପଡ଼ୋଶୀଙ୍କ ଜୀବନ ବଞ୍ଚାଇ ଏବେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ହିନ୍ଦୁ ଯୁବକ

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଥିବା ହିଂସା ଏବେ ଥମିବ‌ାରେ ଲାଗିଛି। ପ୍ରଥମେ ଏହି ଲଢ଼େଇ ନାଗରିକତା ସଂଶୋଧନ ଆଇନର ବିରୋଧୀ ଏବଂ ସପକ୍ଷବାଦୀଙ୍କ ମଧ୍ୟରେ ଥିବା ବେଳେ ଏବେ ଏହା ସାମ୍ପ୍ରଦାୟିକ ମୋଡ଼ ନେଇଥିଲା ।  ଗତ ୪ଦିନ ମଧ୍ୟରେ ୩୪ଜଣଙ୍କର ଜୀବନ ଚାଲିଯାଇଥିବା ବେ‌ଳେ ଜଣେ ହିନ୍ଦୁ ଯୁବକଙ୍କ କାମ ଏବେ ସମସ୍ତଙ୍କୁ ହିଂସା ପୂର୍ବରୁ ଥରେ ଭାବିବା ପାଇଁ ବାଧ୍ୟ କରିଛି।

ଦୁଇ ଧର୍ମର ଲୋକ ପରସ୍ପର ବିରୋଧରେ ଲଢ଼େଇ କରୁଥିବା ବେଳେ ୬ଜଣ ମୁସଲିମ୍ ପଡ଼ୋଶୀଙ୍କୁ ବଞ୍ଚାଇବା ଲାଗି ଜଣେ ହିନ୍ଦୁ ଯୁବକ ନିଜ ଜୀବନକୁ ବାଜି ଲଗେଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୃତ୍ୟୁ ସହ ଲଢ଼େଇ କରୁଥିବା ହିନ୍ଦୁ ଯୁବକଙ୍କ ନାଁ ପ୍ରେମକାନ୍ତ ଭାଘେଲ । କିଛି ଆନ୍ଦୋଳନକାରୀ ଆସି ପ୍ରେମକାନ୍ତଙ୍କ ପଡ଼ୋଶୀ ଘରେ ରହୁଥିବା ମୁସଲିମ୍ ପରିବାର ଉପରେ ଆକ୍ରମଣ କରିଥିଲେ। ପେଟ୍ରୋଲ ବୋମା ପକାଇ ନିଆଁ ଲଗାଇଦେବା ପରେ ପ୍ରେମକାନ୍ତ ତୁରନ୍ତ ଯାଇ ଘର ଭିତରେ ଥିବା ୬ଜଣ ସଦସ୍ୟଙ୍କୁ ସୁରକ୍ଷିତ ବାହାରକୁ ଆଣିଥିଲେ। ୬ଜଣଙ୍କୁ ବଞ୍ଚାଇବା ସମୟରେ ନିଆଁରେ ପୋଡ଼ି ହୋଇ ସେ ଏବେ ଗମ୍ଭୀର ଭାବେ ଆହତ ହୋଇଛନ୍ତି।

Delhi Violence
indiatimes.com

୬ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରେମକାନ୍ତ ସାହାଯ୍ୟର ହାତ ବଢ଼ାଇଥିଲେ ମଧ୍ୟ କେହି ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆଗକୁ ଆସି ନଥିବା ଜଣା ପଡ଼ିଛି। ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲେ ମଧ୍ୟ ହିଂସା କାରଣରୁ ଆମ୍ବୁଲାନ୍ସ ମଧ୍ୟ ଠିକ୍ ସମୟରେ ପହଞ୍ଚିପାରି ନ ଥିଲା। ଶରୀର ୭୦ପ୍ରତିଶତ ପୋଡ଼ି ଯାଇଥିଲେ ମଧ୍ୟ ସାରା ରାତି ତାଙ୍କୁ ଚିକିତ୍ସା ବିନା ରହିବାକୁ ପଡ଼ିଥିଲା।  କିନ୍ତୁ ପରଦିନ ସକାଳେ ତାଙ୍କୁ ଜିଟିବି ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଏବେ ତାଙ୍କର ଚିକିତ୍ସା ଚାଲୁ ରହିଛି। ଏବେ ସେ ଜୀବନ-ମରଣ ସହ ଲଢ଼େଇ କରୁଥିଲେ ମଧ୍ୟ ୬ଜଣଙ୍କ ଜୀବନ ବଞ୍ଚାଇ ସେ ଖୁସି ଅଛନ୍ତି ବୋଲି କହିଛନ୍ତି ପ୍ରେମକାନ୍ତଙ୍କ ପରିବାର ଲୋକେ।

ସମ୍ବନ୍ଧିତ ଖବର