ଗ୍ରେଟର ନୋଏଡା ଠାରେ ମନ୍ଦିରଙ୍କୁ ପୂଜା କରିବାକୁ ଆସିଥିବା ମହିଳାଙ୍କୁ ମନ୍ଦିରର ପୂଜାରୀ ଅସଦାଚରଣ କରିବା ମାମଲା ସାମ୍ନାକୁ ଆସିଛି। ଯେତେବେଳେ ପୂଜାରୀଙ୍କ ଏପରି ବ୍ୟବହାର ସୀମା ଟପିଗଲା ସେତେବେଳେ ଗାଁର ମହିଳା ଏବଂ ପୁରୁଷମାନେ ମିଶି ସମ୍ପୃକ୍ତ ପୂଜାରୀଙ୍କୁ ଖୁବ ପିଟିଥିଲେ। ଏହି ଘଟଣା ବିଷୟରେ ସମ୍ପୃକ୍ତ ଅଞ୍ଚଳର କିନ୍ନରମାନେ ଜାଣିବା ପରେ ପୂଜାରୀଙ୍କୁ ମଧ୍ୟ ବାଡେଇଥିଲେ। ପୂଜାରୀଙ୍କୁ ମାଡ ହେଉଥିବାର ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଆଗରେ ପୋଲିସ ମଧ୍ୟ ହାର ମାନିଥିଲା। ପୋଲିସ ଆଗରେ ଗ୍ରାମବାସୀମାନେ ସମ୍ପୃକ୍ତ ପୂଜାରୀଙ୍କୁ ବାଡେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାଟି ଗ୍ରେଟର ନୋଏଡାର ବାଦଲପୁର ଥାନା ଅନ୍ତର୍ଗତ ଧୁମମାନିକପୁର ଗାଁର ଅଟେ। ବାବା କହ୍ନେୟା ଗିରି ନାମକ ଏହି ପୂଜାରୀଙ୍କ ନାମରେ ମହିଳାଙ୍କୁ ଅସଦାଚରଣ, କେତେକ ହତ୍ୟା କରିବା ଏବଂ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଭଳି ବିଭିନ୍ନ ଅପରାଧର ଆରୋପ ଲଗାଇଛନ୍ତି ଗ୍ରାମବାସୀ।
ଅନେକ ଦିନରୁ ସମ୍ପୃକ୍ତ ପୂଜାରୀଙ୍କ ବିରୋଧରେ ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ। କିନ୍ତୁ ଅଭିଯୋଗର ପ୍ରଭାବ ପୋଲିସ ଉପରେ ପଡୁନଥିଲା। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଗ୍ରାମବାସୀଙ୍କ କହିବା କଥା ପୋଲିସ ମଧ୍ୟ ସମ୍ପୃକ୍ତ ପୂଜାରୀଙ୍କ ସହ ହାତ ମିଶାଇଛି। କାରଣ ପୂର୍ବରୁ ଯେବେବି ମଧ୍ୟ ପୋଲିସ ନିକଟରେ ଗ୍ରାମବାସୀମାନେ ପୂଜାରୀ ବିରୋଧରେ ଅଭିଯୋଗ କରିଛନ୍ତି, ଘଟଣାସ୍ଥଳରୁ ଫେରାର ହୋଇଯିବାରେ ପୋଲିସ ପୂଜାରୀର ସାହାଯ୍ୟ କରିଛି।
ସୂଚନା ଅନୁଯାୟୀ, ଗ୍ରାମରେ ବହୁ ବର୍ଷ ପୁରୁଣା ଏକ ଶିବ ମନ୍ଦିର ଅଛି । ଗତ ୧୫ ବର୍ଷ ଧରି ସମ୍ପୃକ୍ତ ପୂଜାରୀ କହ୍ନେୟା ଗିରି ମନ୍ଦିରର ଦେଖାରେଖା ଏବଂ ପୂଜାର୍ଚ୍ଚନା କରିଆସୁଥିଲା। ପ୍ରଥମରୁ କିଛି ବର୍ଷ ଠିକ ଠାକ ଚାଲିଆସୁଥିଲା। କିନ୍ତୁ ଧିରେ ଧିରେ ପୂଜାରୀର ଅସଲରୂପ ସାମ୍ନାକୁ ଆସିଲା।
ଗତ କିଛି ବର୍ଷ ପୂର୍ବେ ପୂଜାରୀ ଗାଁର ଜଣେ ବିଧବା ମହିଳାଙ୍କ ଘରକୁ ବାରମ୍ବାର ଯିବାଆସିବା କରୁଥିଲା। ଯେତେବେଳେ ବିଧବା ମହିଳାଙ୍କ ଭାଉଜ ପୂଜାରୀର ଘରକୁ ଆସିବା ଘଟଣାକୁ ବିରୋଧ କରିଥିଲେ, ସେତେବେଳେ କହ୍ନେୟା ଗିରି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ପାଖାପାଖି ୪ବର୍ଷ ପୂର୍ବେ କେହି ଜଣେ ଦୂର୍ବୁତ୍ତ ହତ୍ୟା କରିଥିଲା। ଗ୍ରାମବାସୀମାନେ ଏହି ହତ୍ୟା ପଛରେ କହ୍ନେୟା ଗିରିର ହାତ ଥିବା ସନ୍ଦେହ କରୁଛନ୍ତି । ଶେଷରେ କହ୍ନେୟାଗିରି ଉପରେ ବିରକ୍ତ ହୋଇ ମହିଳାଜଣଙ୍କ ତା ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।
ଏପରିକି ଅସଦାଚରଣକୁ ବିରୋଧ କରିବାରୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସମ୍ପୃକ୍ତ ପୂଜାରୀ ବିରୋଧରେ ଅଭିଯୋଗ କରିଥିଲେ ମହିଳା। କିନ୍ତୁ ମହିଳାଙ୍କ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଶେଷରେ ଯେତେବେଳେ କହ୍ନେୟା ଗିରିର ଅଭଳି ହରକତ ସୀମା ପାରେଇ ଯାଇଥିଲା ସେତେବେଳେ ଗ୍ରାମର ମହିଳାମାନେ ଏକାଠି ହୋଇ ମନ୍ଦିର ପହଞ୍ଚିଥିଲେ ଏବଂ କହ୍ନେୟା ଗିରି ସହ ମନ୍ଦିରରେ ଥିବା ସବୁ ବାବାମାନଙ୍କୁ ଗୋଡେଇ ବାଡେଇଥିଲେ। ଏପରିକି ମନ୍ଦିରରେ ଥିବା ବାବାଙ୍କ କାରକୁ ମଧ୍ୟ ଭାଙ୍ଗି ଦେଇଥିଲେ।
ଗାଁ ର ମହିଳାମାନେ କହିଛନ୍ତି ଯେ, ପୋଲିସ କେବେ ବି ତାଙ୍କ ଅଭିଯୋଗ ଶୁଣୁନଥିଲା। ତା ପରେ ଯାଇ ସେମାନେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।