ମାଦ୍ରାସାରେ ପଢ଼ନ୍ତି ହିନ୍ଦୁ ପିଲା; ପଢ଼ାଯାଏ ଇଂରାଜୀ, ଗଣିତ ଓ ବିଜ୍ଞାନ

ଆଗ୍ରା: ମାଦ୍ରାସାଗୁଡ଼ିକ ହେଉଛି ଇସ୍‌ଲାମୀୟ ଶିକ୍ଷା କେନ୍ଦ୍ର। ସେଠାରେ ମୁସଲମାନମାନଙ୍କୁ ଇସ୍‌ଲାମୀୟ ମୂଲ୍ରବୋଧ ଶିକ୍ଷା ଦିଆଯାଏ ବୋଲି ପ୍ରାୟ ସମସ୍ତଙ୍କର ଧାରଣା।

ଆଗ୍ରା ଠାରେ ଥିବା ‘ମୋଇନୁଲ୍‌ ଇସ୍‌ଲାମ୍‌ ମାଦ୍ରାସା ଦାରୌଥା’ ମାଦ୍ରାସା କିନ୍ତୁ, ଭିନ୍ନ। ଦଶ ବର୍ଷ ହେବ ଏ ମଦ୍ରାସା ସାମାଜିକ ଏବଂ ଧାର୍ମିକ ସହାବସ୍ଥାନର ଉଦାହରଣ ସାଜିଛି। ମୁସଲମାନ, ହିନ୍ଦୁ ଏବଂ ଅନ୍ୟାନ୍ୟ ଧର୍ମାବଲମ୍ବୀ ପିଲାମାନଙ୍କୁ ଏଠାରେ ସାମାଜିକ ମୂଲ୍ୟବୋଧ ଏବଂ ସାଧାରଣ ଶିକ୍ଷା ଦିଆ ଯାଉଛି।

‘ମୋଇନୁଲ୍‌ ଇସ୍‌ଲାମ୍‌ ମାଦ୍ରାସା ଦାରୌଥା’ ମାଦ୍ରାସାରେ ଉର୍ଦ୍ଦୁ, ଆରବୀୟ ଏବଂ ଫାର୍ସି ଭାଷା ଛଡ଼ା ଇଂରାଜୀ, ହନ୍ଦୀ, ଗଣିତ, ବିଜ୍ଞାନ ଏବଂ କମ୍ପ୍ୟୁଟର୍‌ ବିଜ୍ଞାନ ଆଦି ଶିକ୍ଷା ଦିଆ ଯାଉଛି। ଅନ୍ୟାନ୍ୟ ଧର୍ମର ପିଲାମାନଙ୍କୁ ସହଜ ହେବା ଭଳି ଏବଂ ସେମାନଙ୍କର ହିତ ପାଇଁ ସେଠାରେ ଏ ବ୍ୟବସ୍ଥା କରାଯାଇଛି।

ଦଶ ବର୍ଷ ତଳେ ସେ ମାଦ୍ରାସାରେ ପରିବର୍ତ୍ତନ କରାଯାଇଥିଲା। ସେଠାରେ ଗୋଟିଏ ସ୍ଥାନରେ ହିନ୍ଦୁ ଏବଂ ମୁସଲମାନ ପିଲାଏ ବସି ‘ଦୁନ୍ୟାଓ୍ଵି ତଲୀମ୍‌’ ଶିଖନ୍ତି। ଏନ୍‌ସିଇଆର୍‌ଟି ପାଠ୍ୟଖସଡ଼ା ଲାଗୁ ହେବା ପରେ ମାଦ୍ରାସାଗୁଡ଼ିକର ଶିକ୍ଷା ପ୍ରଣାଳୀ ଉପରେ ପ୍ରଶ୍ନ ଉଠିଥିଲା।

ଏହି ମାଦ୍ରାସା ୧୯୮୫ ମସିହାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ସେଠାରେ ୪୫୦ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ୧୦ ବର୍ଷ ତଳେ ଏ ମାଦ୍ରାସାରେ ଗୋଟିଏ ହେଲେ ହିନ୍ଦୁ ଛାତ୍ରଛାତ୍ରୀ ନ ଥିଲେ। ଏବେ ସେଠାରେ ୨୪୮ ଜଣ ମୁସଲମାନ ପିଲାଙ୍କ ସହ ପଢୁଛନ୍ତି ୨୦୨ ଜଣ ହିନ୍ଦୁ ପିଲା।

ହିନ୍ଦୀ ସହ ଅଣ ମୁସଲମାନ ପିଲାମାନେ ଉର୍ଦ୍ଦୁ ଏବଂ ଆରବୀୟ ଭାଷାରେ ମଧ୍ୟ ଜ୍ଞାନାରୋହଣ କରୁଛନ୍ତି।

ସାଧାରଣ ବିଷୟ ପଢ଼ାଇବା ପାଇଁ ସେଠାରେ ନିଯୁକ୍ତି ପାଇଛନ୍ତି ୧୪ ଜଣ ମୌଲାନା। ଅନ୍ୟାନ୍ୟ ବିଷୟ ପଢ଼ାଇବା ପାଇଁ ଅଛନ୍ତି ୪ ଜଣ ଶିକ୍ଷକ। ଏଠାରେ ୧ମରୁ ୧୦ମ ଯାଏଁ ଶ୍ରେଣୀ ରହିଛି।

ପ୍ରିୟଙ୍କା ନାମ୍ନୀ ଜଣେ ୪ର୍ଥ ଶ୍ରେଣୀର ଛାତ୍ରୀ ନିଜ ଅଙ୍ଗେନିଭା କଥା କହନ୍ତି: ମୋର ଗୁଡ଼ାଏ ମୁସଲମାନ ସାଙ୍ଗ ଅଛନ୍ତି। ଦିନେ ମୁଁ ଭାବିଲି, ହିନ୍ଦୀ, ଇଂରାଜୀ ଏବଂ କମ୍ପ୍ୟୁଟର୍‌ ବିଜ୍ଞାନ ଛଡ଼ା ମୁଁ ଉର୍ଦ୍ଦୁ ଏବଂ ଆରବୀୟ ଭାଷା ଶିଖିବି।

କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟ ପଢ଼ିବାକୁ ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟ କରାଯାଏ ନାହିଁ ବୋଲି ସେଠାକାର ମୌଲାନାମାନେ କହନ୍ତି।

ଦୀପ୍ତି ନାମ୍ନୀ ଅନ୍ୟ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀ କହନ୍ତି, ମାଦ୍ରାସା ତାଙ୍କ ଘର ପାଖରେ। ତା’ଛଡ଼ା ମୋର ଅନେକ ସାଙ୍ଗ ସେଠାରେ ପଢୁ ଥିବାରୁ ମୁଁ ବାପାଙ୍କୁ କହି ସେଠାରେ ନାଁ ଲେଖାଇଲି।

ଦୀପ୍ତିଙ୍କର ବାପା ମହେନ୍ଦ୍ର ସିଂହ କହନ୍ତି: ଦୀପ୍ତିର ମନ ରଖି ମୁଁ ମାଦ୍ରାସାରେ ତା’ ନାଁ ଲେଖାଇ ଦେଇଛି। ସେଠାରେ ସେ ଖୁସିରେ ପଢୁଛି। ଗତ ଦୁଇ ବର୍ଷ ହେବ ସେ ସାଧାରଣ ବିଷୟ ସହ ଉର୍ଦ୍ଦୁ ଏବଂ ଆରବୀୟ ଭାଷା ପଢୁଛି।

ପ୍ରିନ୍‌ସିପାଲ୍‌ ମୌଲାନା ଉଜୈର୍‌ ଆଲାମ୍‌ କହନ୍ତି: ଜାତି ଓ ଧର୍ମ ଆଧାରରେ କୌଣସି ଧର୍ମ ବିଭେଦତା ଶିକ୍ଷା ଦିଏ ନାହିଁ। ଗୋଟିଏ ସ୍ଥାନରେ ପୃଥକ୍‌ ଧର୍ମାବଲମ୍ବୀ ପିଲାଏ ପଢୁଥିବାର ଦେଖିଲେ ଆନନ୍ଦ ଲାଗୁଛି। ଏହା ଏକତା ଓ ସମୃଦ୍ଧିର ବାର୍ତ୍ତା ଦେଉଛି। ପ୍ରକାରାନ୍ତରେ, ଭାରତର ସବୁ ଶିକ୍ଷାନୁଷ୍ଠାନକୁ ଗୋଟିଏ ବାର୍ତ୍ତା ଦେବା ଲାଗି ଏଇଟା ଆମର ଛୋଟକାଟିଆ ପ୍ରୟାସ।

ସମ୍ବନ୍ଧିତ ଖବର