ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ମହାକାଶ ବିଜ୍ଞାନ ସହିତ ସଂଗୀତର ଏକ ଅପୂର୍ବ ସଂଗମର ନିଦର୍ଶନ ସ୍ବରୂପ ଜଣେ ମହିଳା ସଂଗୀତଜ୍ଞଙ୍କ ହିପ୍-ହପ୍ ଗୀତକୁ ପୃଥିବୀଠାରୁ ୧୫.୮ କୋଟି ମାଇଲ୍ ଦୂରରେ ଅବସ୍ଥିତ ଶୁକ୍ର ଗ୍ରହକୁ ପ୍ରସାରଣ କରିଛି। ଶୁକ୍ର ଗ୍ରହକୁ ପ୍ରେରଣ କରାଯାଇଥିବା ଗୀତଟି ହେଉଛି ଆମେରିକୀୟ ସଂଗୀତଜ୍ଞ ମିସି ଇଲିଅଟ୍ଙ୍କ ପ୍ରସିଦ୍ଧ ଗୀତ ‘ଦି ରେନ୍ (ସୁପା ଡୁପା ଫ୍ଲାଏ)’। କାଲିଫର୍ନିଆ ସ୍ଥିତ ‘ନାସା’ର ‘ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରି’ ଏହି କାର୍ଯ୍ୟ ଲାଗି ‘ଡିପ୍ ସ୍ପେସ୍ ନେଟ୍ଵର୍କ (ଡିଏନ୍ଏସ୍)’କୁ ବ୍ୟବହାର କରାଯାଇଥିଲା। ୧୧୨ ଫୁଟ୍ ଓସାର ବିଶିଷ୍ଟ ‘ଡିଏସ୍ଏସ୍ -୧୩’ ରେଡିଓ ଡିସ୍ ଆଣ୍ଟେନା ଦ୍ବାରା ପ୍ରେରିତ ରେଡିଓ ତରଙ୍ଗ ମାଧ୍ୟମରେ ଆଲୋକ ବେଗରେ ଯାତ୍ରା କରି ଏହି ଗୀତଟି ସେଠାରେ ପହଞ୍ଚିବାକୁ ପାଖାପାଖି ୧୪ ମିନିଟ୍ ଲାଗିଥିଲା। ‘ଦି ବିଟଲ୍ସ’ ବ୍ୟାଣ୍ଡ୍ର ‘ଏକ୍ରସ୍ ଦି ୟୁନିଭର୍ସ’ ପରେ ଏହା ହେଉଛି ଦ୍ବିତୀୟ ଗୀତ ଯାହାକୁ ମହାକାଶକୁ ପ୍ରେରଣ କରାଯାଇଛି।
ଏହି ଅଭିନବ ପରୀକ୍ଷାର ଉଦ୍ଦେଶ୍ୟ ହେଲା ୨୦୨୯ ଓ ୨୦୩୧ରେ ଶୁକ୍ର ଗ୍ରହକୁ ପଠାଯିବାକୁ ଥିବା ଦୁଇଟି ମିସନ୍ ଲାଗି ଯୋଗାଯୋଗ ବ୍ୟବସ୍ଥାକୁ ପ୍ରସ୍ତୁତ କରିବା
ଉଲ୍ଲେଖଯୋଗ୍ୟ ଯେ ଏକାଧିକ ‘ଗ୍ରାମି’ ପୁରସ୍କାରର ଅଧିକାରିଣୀ ମିସି ଇଲିଅଟ୍ଙ୍କ ପ୍ରିୟ ଗ୍ରହ ହେଉଛି ଶୁକ୍ର। ତାଙ୍କ ମତରେ ଶୁକ୍ର ଗ୍ରହ ଶକ୍ତି, ସୌନ୍ଦର୍ଯ୍ୟ ଓ ସଶକ୍ତୀକରଣର ପ୍ରତିନିଧିତ୍ବ କରେ। ତାଙ୍କ ଗୀତଗୁଡ଼ିକ ମହାକାଶ ଥିମ୍ର ଉପାଦାନରେ ପରିପୂର୍ଣ୍ଣ। ସେହି କାରଣରୁ ତାଙ୍କ ଗୀତକୁ ‘ନାସା’ ମହାକାଶକୁ ପଠାଇବାକୁ ଚୟନ କରିଥିଲା। ଏହି ଅଭିନବ ପରୀକ୍ଷାର ଉଦ୍ଦେଶ୍ୟ ହେଲା ଯଥାକ୍ରମେ ୨୦୨୯ ଓ ୨୦୩୧ରେ ଶୁକ୍ର ଗ୍ରହକୁ ପଠାଯିବାକୁ ଥିବା ଦୁଇଟି ମିସନ୍ ଲାଗି ଯୋଗାଯୋଗ ବ୍ୟବସ୍ଥାକୁ ପ୍ରସ୍ତୁତ କରିବା। ଡିଏନ୍ଏସ୍ ଆଣ୍ଟେନା ଜରିଆରେ ସେହି ମହାକାଶଯାନଦ୍ବୟ ପୃଥିବୀ ସହ ଯୋଗାଯୋଗ ରଖିବା ସହିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରେରଣ କରିବେ। ଡିଏନ୍ଏସ୍ ହେଉଛି ପୃଥିବୀର ସବୁଠାରୁ ବିଶାଳ ତଥା ସମ୍ବେଦନଶୀଳ ବୈଜ୍ଞାନିକ ଟେଲି- ଯୋଗାଯୋଗ ବ୍ୟବସ୍ଥା, ଯାହା ଦ୍ବାରା ହଜାରେ କୋଟି ମାଇଲ୍ ଦୂରରେ ଯାତ୍ରା କରୁଥିବା ମହାକାଶଯାନକୁ ମଧ୍ୟ ଟ୍ରାକ୍ କରାଯାଇପାରିବ।