ସରସ୍ୱତୀ, ବୈତରଣୀ, ମନ୍ଦାକିନୀ, ଗଙ୍ଗା, କୌଶିକୀ, ଦୃଷଦ୍ବତୀ ଆଦି ପୁଣ୍ୟତୋୟାମାନଙ୍କ ସଦୃଶ, ଆର୍ଯ୍ୟାବର୍ତ୍ତ ମଧ୍ୟରେ ଅନ୍ୟ ଏକ ପୁଣ୍ୟପ୍ରଦ ନଦୀ ଥିଲା। ତାହାର ନାମ ହିରଣ୍ୟବତୀ। ‘ମହାଭାରତ’ରେ ମଧ୍ୟ ଏହି ନଦୀର ସୁନ୍ଦର ବର୍ଣ୍ଣନା ଦେଖିବାକୁ ମିଳେ। ‘ମହାଭାରତ’ର ‘ଉଦ୍ୟୋଗପର୍ବ’ରେ ବର୍ଣ୍ଣିତ ଅଛି- କୁରୁକ୍ଷେତ୍ର ନିକଟରେ ହିରଣ୍ୟବତୀ ନାମରେ ଏକ ସ୍ୱଚ୍ଛସଲିଳା ନଦୀ ପ୍ରବାହିତ ହେଉଥିଲା। ଏହି ନଦୀରେ ପଙ୍କ କାଦୁଅ କି ପଥରଖଣ୍ଡ ନଥିଲା। ଏହାର ଜଳ ଅତ୍ୟନ୍ତ ଶୁଦ୍ଧ ଥିଲା। ଫଳରେ ପାଣ୍ଡବମାନେ ଯେତେବେଳେ କୁରୁକ୍ଷେତ୍ରକୁ ଯୁଦ୍ଧ କରିବାକୁ ଆସିଲେ, ସେମାନେ ଏହି ନଦୀ ତୀରରେ ନିଜର ଶିବିର ସ୍ଥାପନ କଲେ।
ବୁଦ୍ଧଦେବ ଏହି ନଦୀର ଜଳ ପାନ କରି ତାଙ୍କର ଶିଷ୍ୟମାନଙ୍କୁ ଅନ୍ତିମ ଉପଦେଶ ପ୍ରଦାନ କରିଥିଲେ ଏବଂ ଏହି ନଦୀ ତୀରରେ
ସେ ପରିନିର୍ବାଣ ମଧ୍ୟ ପ୍ରାପ୍ତ ହୋଇଥିଲେ।
‘ମହାଭାରତ’ ଓ ‘ବିଷ୍ଣୁପୁରାଣ’ ବ୍ୟତୀତ, ‘ବୁଦ୍ଧ ଚରିତ’ ନାମକ ବୌଦ୍ଧଗ୍ରନ୍ଥରେ ମଧ୍ୟ ହିରଣ୍ୟବତୀର ବିସ୍ତୃତ ବର୍ଣ୍ଣନା ମିଳେ। ବୌଦ୍ଧ ଶାସ୍ତ୍ର ଅନୁସାରେ, ବୁଦ୍ଧଦେବ ଏହି ନଦୀର ଜଳ ପାନ କରି ତାଙ୍କର ଶିଷ୍ୟମାନଙ୍କୁ ଅନ୍ତିମ ଉପଦେଶ ପ୍ରଦାନ କରିଥିଲେ ଏବଂ ଏହି ନଦୀ ତୀରରେ ସେ ପରିନିର୍ବାଣ ମଧ୍ୟ ପ୍ରାପ୍ତ ହୋଇଥିଲେ। ମଲ୍ଲ ରାଜଚକ୍ରବର୍ତ୍ତୀ ସମ୍ରାଟଙ୍କ ପରି ତାଙ୍କର ଅନ୍ତିମ ସଂସ୍କାର, ହିରଣ୍ୟବତୀ ନଦୀ ତୀରର ରାମଭାରଠାରେ ହୋଇଥିଲା। ସେ ସମୟରେ ହିରଣ୍ୟବତୀ ନଦୀବକ୍ଷ ବିଶାଳ ଥିଲା। ଫଳରେ ମହାକାଶପ ଯେତେବେଳେ ବୁଦ୍ଧଙ୍କର ଅନ୍ତିମ ସଂସ୍କାର ନିମିତ୍ତ ଆସିଥିଲେ, ସଂଧ୍ୟା ହେବାରୁ ସେ ନଦୀ ପାର ହୋଇ ନପାରି ତା’ ପର ଦିନ ଆସି ପହଞ୍ଚିଲେ ଏବଂ ବୁଦ୍ଧଙ୍କର ଅନ୍ତିମ ସଂସ୍କାର ହେଲା। ଏଣୁ ଏହି ନଦୀର ଜଳ ବୌଦ୍ଧମାନଙ୍କ ନିମିତ୍ତ ଅତ୍ୟନ୍ତ ପବିତ୍ର। ସେମାନେ ଏହି ନଦୀ ଜଳକୁ ନେଇ ପୂଜା ଘରେ ରଖିଥାଆନ୍ତି। ଏହି ନଦୀ ମଲ୍ଲ ଗଣରାଜ୍ୟକୁ ଅତ୍ୟନ୍ତ ସମୃଦ୍ଧ ଓ ସଂପନ୍ନ କରିଥିଲା। ମଲ୍ଲ ଗଣରାଜ୍ୟର ରାଜଧାନୀ ଥିଲା କୁଶୀନାରା। କପିଳବାସ୍ତୁ, ବୋଧଗୟା ଓ ସାରନାଥ ସଦୃଶ, କୁଶୀନାରା ବୌଦ୍ଧମାନଙ୍କର ପବିତ୍ର ସ୍ଥାନ। କୁଶୀନାରା ମଧ୍ୟ ହିରଣ୍ୟବତୀ ନଦୀ ତୀରରେ ଅବସ୍ଥିତ।
ହିରଣ୍ୟବତୀ ନଦୀ ହିମାଳୟରୁ ବାହାରି ତରାଇର ଘନ ଅରଣ୍ୟ ମଧ୍ୟ ଦେଇ ପ୍ରବାହିତ। ପ୍ରାଚୀନ ଜନଜାତିମାନେ କଠିନ ପରିଶ୍ରମ କରି ଏହି ନଈବାଲିରୁ ସୁନା କଣିକା ସଂଗ୍ରହ କରି ଶ୍ରେଷ୍ଠୀମାନଙ୍କୁ ବିକ୍ରୟ କରୁଥିଲେ। ସେଥିପାଇଁ ଏହାର ନାମ ହିରଣ୍ୟବତୀ ହୋଇଛି। ଏହି ନଦୀତଟରେ ବୁଦ୍ଧଘାଟ ନାମରେ ଏକ ଘାଟ ରହିଛି ଏବଂ ତାହାର ନିକଟରେ ରହିଛି ରାମଭାର ସ୍ତୂପ। ହିରଣ୍ୟବତୀ ନଦୀ ତଟରେ ରାମଚନ୍ଦ୍ରଙ୍କର ପୁତ୍ର କୁଶ କୁଶୀନଗର ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀକାଳରେ ଏହା କୁଶାବତୀ ଓ କୁଶୀନାରା ହୋଇଥିଲା। ଏହା ସରଯୂର ଏକ ଶାଖାନଦୀ।
-ଡକ୍ଟର ତୁଳସୀ ଓଝା