ନୂଆଦିଲ୍ଲୀ: ଛତିଶଗଡ଼ର ଦୁର୍ଗ ଜିଲ୍ଲା ବୋରିଗରକା ଗ୍ରାମରେ ୧୯ବର୍ଷର ହିଶା ବଘେଲ ବସବାସ କରନ୍ତି। ସେ ଅଗ୍ନିବୀର ଭାବେ ଭାରତୀୟ ନୌସେନାରେ ଚାକିରି ପାଇ ୧୬ସପ୍ତାହର ପ୍ରଶିକ୍ଷଣ ଶେଷ କରି ଗାଁକୁ ଫେରିଛନ୍ତି। ଗାଁରେ ତାଙ୍କର ସ୍ବାଗତ ପାଇଁ ଖୁବ ପ୍ରସ୍ତୁତି ବି କରାଯାଇଥିଲା।
ଅଗ୍ନିବୀର ହିଶା ବଘେଲଙ୍କ ବାପା ସନ୍ତୋଷ ବଘେଲ ଅଟୋ ଚଲାଉଥିଲେ। କର୍କଟରେ ପୀଡିତ ହେବା ହେତୁ ୨୦୨୩ ମାର୍ଚ୍ଚ ୫ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ପରିବାର ଲୋକ ଝିଅ ହିଶାଙ୍କୁ ବାପାଙ୍କ ମୃତ୍ୟୁ ଖବର ଦେଇ ନଥିଲେ।
ଝିଅ ଅଗ୍ନିବୀର ହୋଇ ଘରକୁ ଫେରିବା ପରେ ଜାଣିଲେ ତାଙ୍କ ବାପା ଆଉ ଏଦୁନିଆରେ ନାହାନ୍ତି। ସେ ଭାଙ୍ଗି ପଡ଼ିଥିଲେ। କାରଣ ସେ ବାପାଙ୍କ ସ୍ବପ୍ନ ପୂରା କରିଥିବାରୁ ଏଖୁସି ସେ ତାଙ୍କ ସହ ବାଣ୍ଟିବେ ବୋଲି ବହୁତ ଆଶ ନେଇ ଘରକୁ ଆସିଥିଲେ। କିନ୍ତୁ ତାଙ୍କ ସବୁ ଇଚ୍ଛା ପାଣି ଫଟକା ଭଳି ମେଳାଇ ଯାଇଥିଲା। ପରେ ସେ ନିଜ ମନକୁ ସମ୍ଭାଳି ମା’ଙ୍କୁ ସାହାରା ଦେଇଥିଲେ। ଆଉ ଆଲିଙ୍ଗନ କରି କହିଥିଲେ,‘ ମା’ ମୁଁ ଅଛି ତୋ ପାଖରେ। ବାପା ତ ଆମ ସମସ୍ତଙ୍କୁ ପର କରି ଚାଲିଗଲେ। ଆଗାକୁ ତୁ ମୋତେ, ମୁଁ ତତେ ଦେଖି ଜୀବନ କାଟିଦେବା।’
ହିଶାଙ୍କ ମା’ କହନ୍ତି, ‘ମୋର ସ୍ବାମୀଙ୍କ ବହୁତ ଇଚ୍ଛା ଥିଲା ହିଶା ନୌସେନାରେ ଏକ ଭଲ ଚାକିରି ପାଉ। ଆଜି ତାଙ୍କର ସେ ସ୍ବପ୍ନ ପୂରା ହୋଇଛି। କିନ୍ତୁ ଖୁସି ହେବାକୁ ସେ ଆଜି ଆମ ଗହଣରେ ନାହାନ୍ତି। ସେ ଅଟୋ ଚଲାଉଥିବା ବେଳେ ପିଲାଙ୍କ ପାଠପଢ଼ାରେ କେବେ ବି ହେଳା କରି ନାହନ୍ତି। ଏମିତି କି ଜମିବାଡ଼ି ସହ ଅଟୋକୁ ବନ୍ଧା ରଖି ଝିଅକୁ ପାଠ ପଢ଼ାଇଥିଲେ। ସେ ଦୀର୍ଘ ୧୨ଧରି କର୍କଟରେ ଅକ୍ରାନ୍ତ ହେବାପରେ ଗତ ମାର୍ଚ୍ଚ ୫ ତାରିଖରେ ସବୁଦିନ ପାଇଁ ଆମକୁ ପର କରି ଆର ପାରିକୁ ଚାଲି ଯାଇଥିଲେ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/agniveer_hisha_4.jpg)