ଭାରତର ତିନିଟି ସେନାବାହିନୀର ୧୦ ଜଣ ମହିଳା ସେନାଧିକାରୀ ଆଉ ସ୍ବଦେଶରେ ନିର୍ମିତ ଗୋଟିଏ ଜାହାଜ- ଏମାନଙ୍କୁ ନେଇ ଗତ ୧୧ ତାରିଖରେ ଆରମ୍ଭ ହୋଇଯାଇଛି ଏକ ଅଭୂତପୂର୍ବ ସାହସିକ ନୌଯାତ୍ରା। ଏହି ମହତ୍ତ୍ବାକାଂକ୍ଷୀ ଯାତ୍ରାରେ ସେମାନେ ନଅ ମାସରେ ୨୬,୦୦୦ ନଟିକାଲ୍ ମାଇଲ୍ରୁ ଅଧିକ ଦୂରତା ଭ୍ରମଣ କରିବେ। ‘ତ୍ରିବେଣୀ’ ନାମକ ଉକ୍ତ ୫୦ ଫୁଟ୍ ଲମ୍ବା ସାମରିକ ଜାହାଜକୁ ପୁଡୁଚେରିରେ ନିର୍ମାଣ କରାଯାଇଛି। ଏଥିରେ ବସି ମୁମ୍ବାଇ ଉପକୂଳରୁ ଯାତ୍ରା ଆରମ୍ଭ କରିଛନ୍ତି ସ୍ଥଳସେନା, ନୌସେନା ଓ ବାୟୁସେନାର ଦଶଜଣିଆ ମହିଳା ଦଳ। ଯୋଜନା ଅନୁଯାୟୀ ସେମାନେ ଦୁଇଥର ବିଷୁବରେଖାକୁ ପ୍ରଦକ୍ଷିଣ କରିବେ ଏବଂ ପୃଥିବୀର ସମସ୍ତ ପ୍ରମୁଖ ମହାସାଗର ଦେଇ ଯାତ୍ରା କରିବେ। ଯାତ୍ରା ସମୟରେ ସେମାନଙ୍କୁ ଅସ୍ଥିର ସମୁଦ୍ର, ଅତ୍ୟନ୍ତ ଥଣ୍ଡା ପବନ ଓ ଅପ୍ରତ୍ୟାଶିତ ବାତ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହି ନୌଯାତ୍ରା ନାରୀ ଶକ୍ତି, ଆତ୍ମନିର୍ଭର ଭାରତ, ସୈନ୍ୟ କୂଟନୀତି, ବିଶ୍ବ ଦର୍ଶନ ସମେତ ତିନିଟି ସେନାବାହିନୀର ମିଳିତ ଶକ୍ତି, ଏକତା ଓ ସମନ୍ବୟର ଜ୍ବଳନ୍ତ ପ୍ରତୀକ। ଯାତ୍ରା କାଳରେ ଆମ ସେନା ଅଧିକାରୀମାନେ ଅନେକ ଆହ୍ବାନର ସମ୍ମୁଖୀନ ହେବେ କିନ୍ତୁ ସେମାନଙ୍କ ପ୍ରତିବଦ୍ଧତାର ଶିଖା ଅନ୍ଧକାରକୁ ଚିରି ଆଗକୁ ବଢ଼ିବ। ସେମାନେ ସ୍ବଦେଶକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରି ପୃଥିବୀକୁ ଦେଖାଇଦେବେ ଯେ ଭାରତୀୟ ମହିଳାଙ୍କ ବୀରତ୍ବର କୌଣସି ସୀମା ନାହିଁ।
ଏହି ଦୁଃସାହସିକ ଯାତ୍ରାର ନେତୃତ୍ବ ନେଉଛନ୍ତି ଲେଫ୍ଟନାଣ୍ଟ କର୍ନେଲ ଅନୁଜା ବରୁଡ଼କର। ତାଙ୍କ ସହିତ ଡେପୁଟି ଏକ୍ସପେଡିସନ୍ ଲିଡର ସ୍କ୍ବାଡ୍ରନ ଲିଡର୍ ଶ୍ରଦ୍ଧା ପି. ରାଜୁ, ମେଜର କରମଜୀତ କୌର, ମେଜର ଓମିତା ଦଲବୀ, କ୍ୟାପ୍ଟେନ୍ ପ୍ରାଜକ୍ତା ପି. ନିକମ, କ୍ୟାପ୍ଟେନ୍ ଦୌଲୀ ବୁଟୋଲା, କମାଣ୍ଡର ପ୍ରିୟଙ୍କା ଗୁସାଇଁ, ଵିଙ୍ଗ କମାଣ୍ଡର ବିଭା ସିଂହ, ସ୍କ୍ବାଡ୍ରନ ଲିଡର ଅରୁବା ଜୟଦେବ ଓ ସ୍କ୍ବାଡ୍ରନ ଲିଡର ବୈଶାଲୀ ଭଣ୍ଡାରୀ ଏହି ଯାତ୍ରାରେ ସାମିଲ ଅଛନ୍ତି। ଅଭିଯାତ୍ରୀମାନେ ଏଥିପାଇଁ ତିନି ବର୍ଷର ପ୍ରଶିକ୍ଷଣ ନେଇଛନ୍ତି। ଯାତ୍ରା କାଳରେ ସେମାନେ ବୈଜ୍ଞାନିକ ଗବେଷଣା ଓ ସାମୁଦ୍ରିକ ଜୀବଙ୍କ ତଥ୍ୟ ସଂଗ୍ରହ କରିବା ସହିତ ସମୁଦ୍ର ସ୍ବାସ୍ଥ୍ୟ ନେଇ ସଚେତନତା ପ୍ରସାର ମଧ୍ୟ କରିବେ।