ରାଜେଶ ଅଗ୍ରୱାଲ୍‌

Advertisment

ସାରା ଭାରତରେ ବରପାଲି ପାଇଖାନା ନାମରେ ଯେଉଁ ସିମେଣ୍ଟ୍‌ ନିର୍ମିତ ପାଇଖାନା ସୁଖ୍ୟାତି ଅର୍ଜନ କରିଥିଲା ତାହାକୁ କିନ୍ତୁ ସ୍ଥାନୀୟ ଲୋକେ ‘ଆମେରିକାନ୍‌ ପାଇଖାନା’ କହୁଥିଲେ। କମ୍ ଖର୍ଚ୍ଚରେ ବସାଯାଇ ପାରୁଥିବା ଏହି ସିମେଣ୍ଟ୍‌ ତିଆରି ପାଇଖାନାର ଉଦ୍ଭାବକ ଥିଲେ ଆମେରିକାର ସ୍ବନାମଧନ୍ୟ ଚିକିତ୍ସକ ତଥା ବୈଜ୍ଞାନିକ ରାଲ୍‌ଫ୍‌ ଭିକ୍ଟର୍‌। ତାଙ୍କର  ସ୍ବେଚ୍ଛାସେବୀ ସଂସ୍ଥା ‘ଆମେରିକାନ୍‌ ଫ୍ରେଣ୍ଡ୍‌ସ୍ ସୋସାଇଟି’ ସ୍ବାଧୀନତା ପରେ ପରେ ଯେହେତୁ ବରଗଡ଼ ଜିଲ୍ଲା ବରପାଲିରେ ଏହାର ନିର୍ମାଣ ଆରମ୍ଭ କରିଥିଲା, ତେଣୁ ଏହା ବରପାଲି ପାଇଖାନା ନାମରେ ପରିଚିତ ହୋଇଥିଲା। ଭାରତ ସ୍ବାଧୀନ ହେବା ପରେ ଏହି ସଂସ୍ଥାର କେତେକ ପ୍ରତିନିଧି ଓଡ଼ିଶାରେ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ଓ ଗ୍ରାମ୍ୟ କାରିଗରଙ୍କୁ ବୈଷୟିକ ତାଲିମ ଦେବା ସକାଶେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କୁ ସାକ୍ଷାତ କରିଥିଲେ। ମହତାବଙ୍କ ପରାମର୍ଶକ୍ରମେ ଏସବୁ କ୍ଷେତ୍ରରେ ଅନୁନ୍ନତ ଥିବା ବରପାଲି ଅଞ୍ଚଳରେ ଏହି ସଂସ୍ଥା କାର୍ଯ୍ୟ ଆରମ୍ଭକଲା। ୧୯୫୨ ମସିହାରେ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡ଼ିଶା ସରକାର ଏହି ସଂସ୍ଥାକୁ ମାଗଣାରେ ବରପାଲିରେ ଜମି ଯୋଗାଇଦେଲେ।

କାନାଡୀୟ ଡାକ୍ତର ଭିଭିନ୍ ଏବଟ୍, ତାଙ୍କ ପତ୍ନୀ ଡାକ୍ତର ଇଡ୍ ଓ ଭାରତୀୟ ନର୍ସ ବେଳା ବେନେର୍ଜୀଙ୍କୁ  ନେଇ ପ୍ରଥମେ ଏକ ଦାତବ୍ୟ ଚିକିତ୍ସାଳୟ ଖୋଲିଲା। ପରିମଳ ବ୍ୟବସ୍ଥାରେ ଉନ୍ନତି ଲାଗି କେତେକ କେରଳୀ ରାଜମିସ୍ତ୍ରିଙ୍କୁ ଅଣାଯାଇ ବରପାଲିରେ ସିମେଣ୍ଟ୍‌ ପାଇଖାନା ନିର୍ମାଣ ଆରମ୍ଭ ହେଲା। ସ୍ଥାନୀୟ ମହିଳାଙ୍କୁ ‘ଧାଈ’ ପ୍ରଶିକ୍ଷଣ ଦେବା ପାଇଁ କେନ୍ଦ୍ର ସ୍ଥାପିତ ହେଲା। ବନ୍ଧ୍ୟା ଦୂରୀକରଣ, ସୁଖ ପ୍ରସବ ଓ ଯୌନରୋଗ ଚିକିତ୍ସା ପାଇଁ ସଂସ୍ଥା କାମ କରିବାକୁ ଲାଗିଲା। ଓଡ଼ିଶାର ସ୍ବନାମଧନ୍ୟ ଡାକ୍ତର ଧୀରେନ୍ଦ୍ରନାଥ ମୁଣ୍ଡ ମଧ୍ୟ ଏହି ଅଭିଯାନରେ ଯୋଗଦେଲେ। ପରବର୍ତ୍ତୀ ସମୟରେ ଭତ୍ତାଭୋଗୀ ‘ଗ୍ରାମସାଥୀ’ ପଦ ସୃଷ୍ଟି କରାଯାଇ ସଚେତନତା କାର୍ଯ୍ୟ କରାଗଲା। ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପରାମର୍ଶକ୍ରମେ ସ୍ବାଧୀନତା ସଂଗ୍ରାମୀ ପ୍ରଭାକର ମହାପାତ୍ର ଓ ତାଙ୍କ ସ୍ତ୍ରୀ ଏହି କାର୍ଯ୍ୟରେ ଯୋଗଦେଲେ। ପରେ ସ୍ବାଧୀନତା ସଂଗ୍ରାମୀ ବହ୍ନିକନ୍ୟା ପାର୍ବତୀ ଗିରି, ତୁଳସୀରାମ ଗିରି, ହୃଷୀକେଶ ନାୟକ, ଡମ୍ବରୁ ପରଡ଼ିହା, ନବୀନ ଗଡ଼ତିଆ, ଅନନ୍ତରାମ ବାବୁଙ୍କ ସମେତ ଅନେକ ଗ୍ରାମସାଥୀ ଭାବରେ ଯୋଗଦେଲେ। ବିଶିଷ୍ଟ ରାଜନେତା ଗଣନାଥ ପ୍ରଧାନ (ପରେ ବିଧାୟକ ଓ ଲୋକସଭା ସଦସ୍ୟ)ଓ ନିରଞ୍ଜନ ସାହୁ ପ୍ରମୁଖ ମଧ୍ୟ ମିଶିଲେ।

ଝଡ଼ାଫୁଙ୍କାରେ ବିଫଳ ଜଣେ ସାପକାମୁଡ଼ା ମୁମୂର୍ଷୁ ରୋଗୀ ଚିକିତ୍ସା ପାଇ ସୁସ୍ଥ ହେବା ପରେ ଡାକ୍ତରଖାନାର ସୁଖ୍ୟାତି ବଢ଼ିଗଲା ଓ ପ୍ରତିଦିନ ଦୂର ଦୂରାନ୍ତରରୁ ରୋଗୀ ଆସିବାକୁ ଲାଗିଲେ। ମା’ ଓ ଶିଶୁଙ୍କ ପାଇଁ ବିଦେଶରୁ ଆସୁଥିବା ପୁଷ୍ଟିକର ଖାଦ୍ୟ ଓ ଗୁଣ୍ଡଦୁଧ ବଣ୍ଟାହେଲା। କମ୍ ଖର୍ଚ୍ଚରେ ପାଇଖାନା ସ୍ଥାପନ ଯୋଗୁଁ ତା’ର ପ୍ରଚାରପ୍ରସାର ପାଇଁ ଓଡ଼ିଶା ସରକାର ମଧ୍ୟ ଉଦ୍ୟମ କଲେ। ବହୁ ଯୁବକଯୁବତୀ କାରିଗର ତାଲିମ ପାଇଲେ। ଏହା ବାଦ୍‌ ସଂସ୍ଥା ଦ୍ବାରା ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇଁ ୩୦ ଫୁଟ୍‌ ଗଭୀର ନଳକୂପ ବସାଗଲା। ୧୯୬୨ରେ ପ୍ରଥମଥର ପଞ୍ଚାୟତ ସମିତି ନିର୍ବାଚନ ହୋଇ ବରପାଲିରୁ ରାଜୀବଲୋଚନ ହୋତା ଚେୟାର୍‌ମ୍ୟାନ୍‌ ହେଲେ। ପଞ୍ଚାୟତ ଶିଳ୍ପ ନାମରେ ବରପାଲିର ଆଲୁମିନିୟମ୍‌ ବାସନ କାରଖାନା, ଛୋଟ ଚିନିକଳ, ବାଲ୍‌ଟି କାରଖାନା, କବ୍‌ଜା କାରଖାନା, ଶୀତଳ ଭଣ୍ଡାର, କାଠ ଓ ଲୁହା କବାଟ କାରଖାନା, ପାଇପ୍‌ କାରଖାନା, ଚାଉଳ କଳ ପ୍ରତିଷ୍ଠା ହେଲା। ଏସବୁ ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲେ ହେଁ ଲୋକେ କହୁଥିଲେ ଆମେରିକାନ୍‌ ସଂସ୍ଥା କରୁଛି।

ଏହା ସ୍ଥାନୀୟ ନେତାଙ୍କର ଅସହ୍ୟ ହେଲା। ହଠାତ୍‌ ପ୍ରଚାର ହେଲା ଯେ ପିଇବା ପାଣି ପାଇଁ ଯେଉଁ ନଳକୂପ ବସାଯାଇଛି, ସେଥିରେ ଥିବା ‘ୱାସର୍‌’ ଗୋରୁଚମଡ଼ାରେ ତିଆରି। ନଳକୂପ ପାଣି ପିଇଲେ ହିନ୍ଦୁ ଅଧର୍ମୀ ହେବେ। ପ୍ରସୂତିଙ୍କୁ ଅଣ୍ଡା ଦିଆଯାଉଛି। ବନ୍ଧ୍ୟାଦୋଷ ଚିକିତ୍ସିତ ମହିଳାଙ୍କୁ ଆମେରିକାନ୍‌ ବିହନ (ଶୁକ୍ରାଣୁ) ଦିଆଯାଉଛି। ଯଦ୍ଦ୍ବାରା ରଙ୍ଗହୀନତା (ଧଳା ବାଳ, ଗୋରା ରଙ୍ଗ) ୨ଟି ପିଲା ଏକ ପଡ଼ାରେ ଜନ୍ମ ନେଇଛନ୍ତି। ଏହା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିକଟକୁ ଅଭିଯୋଗ ଗଲା କି ସରକାରଙ୍କ ସଫଳତାର ଶ୍ରେୟ ସଂସ୍ଥା ନେଇଯାଉଛି। ସଂସ୍ଥାକୁ ତୁରନ୍ତ ବନ୍ଦ କରାଯାଉ। ଶେଷରେ ୧୯୬୩ ମସିହାରେ ‘ଆମେରିକାନ୍‌ ଫ୍ରେଣ୍ଡ୍‌ସ୍ ସୋସାଇଟି’ କାର୍ଯ୍ୟାଳୟ ବନ୍ଦ ହୋଇ ସେଠାରେ ବରପାଲି ବ୍ଲକ୍ ଅଫିସ୍‌ ଖୋଲିଲା। ସଂସ୍ଥା ଅନ୍ୟ ସ୍ଥାନରେ ଅଫିସ୍‌ ଖୋଲିବାକୁ ଉଦ୍ୟମ କରି ଲୋକଙ୍କ ବିରୋଧର ସମ୍ମୁଖୀନ ହେଲା ଏବଂ ଶେଷରେ ଓଡ଼ିଶା ଛାଡ଼ି ଫେରିଗଲା। ପରେ ଏହି ସଂସ୍ଥା ପାଇଥିବା ସରକାରୀ ଜମି ଉପରେ ବରପାଲି କଲେଜ ପ୍ରତିଷ୍ଠିତ ହେଲା।
ଅତାବିରା, ବରଗଡ଼