ୟୁରୋପ୍‌ରେ ଆରମ୍ଭ ହୋଇ ୧୯୧୪ରୁ ୧୯୧୮ ଭିତରେ ସାରା ବିଶ୍ବକୁ ବ୍ୟାପି ଯାଇଥିବା ପ୍ରଥମ ବିଶ୍ବଯୁଦ୍ଧରେ ପ୍ରାୟ ୧ କୋଟି ସୈନ୍ୟ ନିହତ ହୋଇଥିବା ବେଳେ ୨ କୋଟିରୁ ଅଧିକ ଆହତ ହୋଇଥିଲେ। ଏହା ବାହାରେ ଯୁଦ୍ଧ ଓ ଯୁଦ୍ଧଜନିତ ଗଣହତ୍ୟାରେ ଆହୁରି ୧ କୋଟି ସାଧାରଣ ବେସାମରିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମ ବିଶ୍ବଯୁଦ୍ଧରେ ୟୁରୋପ୍‌ର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଗୋଟିଏ ପିଢ଼ିର ୟୁରୋପୀୟ ଯୁବଗୋଷ୍ଠୀ ଏହି ଯୁଦ୍ଧରେ ନଷ୍ଟ ହୋଇଯାଇଥିଲା କହିଲେ ଭୁଲ୍ ହେବନି। କେବଳ ସେତିକି ନୁହେଁ, ୟୁରୋପ୍‌ଠୁ ହଜାର ହଜାର ମାଇଲ୍‌ ଦୂରରେ ଥିବା ଅନେକ ଦେଶ ମଧ୍ୟ ପ୍ରଭାବିତ ହୋଇଥିଲେ- େଯଉଁମାନଙ୍କର ସେ ଯୁଦ୍ଧର କାରଣ ସହିତ ସାମାନ୍ୟତମ ସଂପର୍କ ନଥିଲା। ତା’ଭିତରୁ ଗୋଟିଏ ହେଉଛି ଭାରତ।

Advertisment

ୟୁରୋପରେ ନଥାଇ ମଧ୍ୟ ଏ ଯୁଦ୍ଧ ଭିତରକୁ ବିଭିନ୍ନ କାରଣରୁ ଟଣା ହୋଇଥିବା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌, କାନାଡା ଓ ଦକ୍ଷିଣ ଆଫ୍ରିକା ଭଳି ଦେଶଗୁଡ଼ିକର ଭୂମିକା ଏବଂ ସେ ଦେଶର ସୈନ୍ୟମାନଙ୍କର ବଳିଦାନ କାହାଣୀ ଅନେକ ଉପନ୍ୟାସ ଓ ସିନେମାରେ ବର୍ଣ୍ଣନା କରାଯାଇଛି। କିନ୍ତୁ ସେ ଯୁଦ୍ଧରେ ଭାଗନେଇ ବିଦେଶର ଅଜଣା ଅଚିହ୍ନା ଭୂଇଁରେ  ଲଢ଼ିଥିବା ଭାରତୀୟ ସୈନ୍ୟଙ୍କ ବୀରତ୍ବ ବାବଦରେ ଯୁଦ୍ଧର ଇତିହାସକାରମାନେ ପ୍ରାୟତଃ ନିରବ ରହିଛନ୍ତି। ଅତିବେଶୀରେ ସେମାନଙ୍କୁ ‘ଇତ୍ୟାଦି’ ତାଲିକା ଭିତରେ ରଖି ଦେଇଛନ୍ତି। ଇଂରେଜ ଶାସନ ଅଧୀନରେ ଥିବାରୁ ଇଂଲଣ୍ଡ୍‌ ସରକାରଙ୍କର ନିଷ୍ପତ୍ତିକ୍ରମେ ଭାରତ ପ୍ରଥମ ବିଶ୍ବଯୁଦ୍ଧରେ ଯୋଗଦେଇଥିଲା। ଏଥିରେ ପ୍ରାୟ ୧୫ ଲକ୍ଷ ଭାରତୀୟ ସୈନ୍ୟ ଅଂଶଗ୍ରହଣ କରିଥିଲେ। ଯୁଦ୍ଧ କରୁ କରୁ ସେମାନଙ୍କ ଭିତରୁ ପ୍ରାୟ ୭୫ ହଜାର ସୈନ୍ୟଙ୍କର ପୃଥିବୀର ବିଭିନ୍ନ ପ୍ରାନ୍ତରେ ମୃତ୍ୟୁ ଘଟିଥିଲା, ପ୍ରାୟ ସେତିକି ସଂଖ୍ୟକ ସୈନ୍ୟ ଆହତ ମଧ୍ୟ ‌ହୋଇଥିଲେ। ୟୁରୋପ୍‌ର ବିଭିନ୍ନ ଦେଶଠୁ ଆରମ୍ଭକରି ମଧ୍ୟପ୍ରାଚ୍ୟ, ମେସୋପଟାମିଆଁ, ଉତ୍ତର ଆଫ୍ରିକା ଓ ପୂର୍ବ ଆଫ୍ରିକାର ଅନେକ ସ୍ଥାନକୁ ଭାରତୀୟ ସୈନ୍ୟ ଯାଇ ଲଢ଼ିଥିଲେ। ଯୁଦ୍ଧର ପ୍ରଥମ ବର୍ଷ ଭିତରେ ହିଁ ଜର୍ମାନୀର ଭୟଙ୍କର ଆକ୍ରମଣରେ ହଜାର ହଜାର ଭାରତୀୟ ସୈନ୍ୟ ପ୍ରାଣବଳି ଦେଇଥିଲେ। ୧୯୧୪ ମସିହା ଯୁଦ୍ଧ ଆରମ୍ଭରେ, ଯେତେବେଳେ ଇଂରେଜ ସରକାର ନିଜ ସେନାର ପ୍ରଶିକ୍ଷଣ ହିଁ ଆରମ୍ଭ କରୁଥିଲେ, ଭାରତୀୟ ଯବାନମାନେ ବେଲ୍‌ଜିୟମ୍‌ରେ ଜର୍ମାନ୍‌ମାନଙ୍କ ଅଗ୍ରଗତି ଅଟକାଇଥିଲେ। ଇଂରେଜ ସରକାରଙ୍କ ଅବହେଳା ପାଇଁ ସେମାନଙ୍କ ଭିତରୁ ଶହ ଶହ ଶତ୍ରୁ କମାଣ ଆଗରେ ମୃତ୍ୟୁବରଣ କରିଥିଲେ। ମେସୋପଟାମିଆଁରେ ଜର୍ମାନୀର ମିତ୍ର ଅଟୋମାନ୍‌ ସାମ୍ରାଜ୍ୟ ବିରୋଧରେ ଲଢ଼ିଥିଲେ ପ୍ରାୟ ୭ ଲକ୍ଷ ଭାରତୀୟ ସିପାହୀ। ସେମାନଙ୍କ ଭିତରୁ ଅଧିକାଂଶ ଥିଲେ ଭାରତୀୟ ମୁସଲ୍‌ମାନ, ଯେଉଁମାନେ କର୍ତ୍ତବ୍ୟର ଆହ୍ବାନରେ ନିଜ ଧର୍ମର ସୈନ୍ୟଙ୍କ ବିରୋଧରେ ଅସ୍ତ୍ର ଉଠାଇବାଲାଗି ପଛେଇ ନଥିଲେ।

ସେହି ଭାରତୀୟ ସୈନ୍ୟମାନଙ୍କର ଜୀବନ ବିଚିତ୍ର ଥିଲା। ପଛରେ ଛାଡ଼ି ଆସିଥିବା ନିଜ ଦେଶରେ ତାଙ୍କ ଭାଇ ବନ୍ଧୁଙ୍କୁ ଯେଉଁ ଇଂରେଜମାନେ ଶୋଷଣ କରୁଥିଲେ, ସେମାନେ  ସେହି ଇଂରେଜମାନଙ୍କ ପାଇଁ ହିଁ ଲଢ଼େଇ କରୁଥିଲେ। ଏମିତିକି ଯେଉଁ ଶତ୍ରୁ ବିରୋଧରେ ସେମାନେ ଲଢୁଥିଲେ, ସେ ଶତ୍ରୁ ସହିତ ତାଙ୍କ ନିଜର କୌଣସି ଶତ୍ରୁତା ନଥିଲା। ସେ ଶତ୍ରୁକୁ ବି ସେମାନେ ନିଜେ ଚିହ୍ନି ନଥିଲେ କି, ପୂର୍ବରୁ କେବେ ଦେଖି ନଥିଲେ। ୟୁରୋପର ଭୀଷଣ ଥଣ୍ଡା, ତୁଷାରପାତ, ଖାଦ୍ୟାଭ୍ୟାସ ଓ ଯୁଦ୍ଧରୀତି ସଂପର୍କରେ ସେମାନଙ୍କର କୌଣସି ଅଭିଜ୍ଞତା ନଥିଲା। କିନ୍ତୁ ସେ ଭୀଷଣ ସ୍ଥିତି ଭିତରେ ମଧ୍ୟ ସେମାନେ ଯୁଦ୍ଧ କରିଥିଲେ।
ପ୍ରଥମ ବିଶ୍ବଯୁଦ୍ଧରେ ଇଂଲଣ୍ଡ ଓ ତା’ର ମିତ୍ରଦେଶମାନେ ବିଜୟୀ ହୋଇଥିଲେ। ବିଜୟଲାଭ ପରେ ଭାରତୀୟମାନଙ୍କୁ ସ୍ବାୟତ୍ତ ଶାସନ ଅଧିକାର ପ୍ରଦାନ କରିବାଲାଗି ଇଂରେଜମାନେ ଦେଇଥିବା ପ୍ରତିଶ୍ରୁତି ପାଳନ ନକରି କିଭଳି ପ୍ରତାରିତ କରିଥିଲେ, ତାହା ଏକ ବିରାଟ ପ୍ରସଙ୍ଗ। ତେବେ ସେ ଯୁଦ୍ଧରେ ଭାରତୀୟ ସୈନ୍ୟମାନଙ୍କର ପ୍ରାଣବଳିକୁ ଇଂରେଜ ସରକାରଙ୍କ ସମେତ ଇଂରେଜ ଜାତି ମଧ୍ୟ ବିଶେଷ ଗୁରୁତ୍ବ ଦେଇନଥିଲା, ତାହା ସତ। ସେଥିପାଇଁ ଇଂରେଜଙ୍କ ସମେତ ୟୁରୋପୀୟ ତଥା ସମଗ୍ରଭାବେ ପଶ୍ଚିମର ଯୁଦ୍ଧ ଐତିହାସିକ, ଲେଖକ ବା ସିନେମା ନିର୍ମାତାମାନେ ଏହାର କାହାଣୀ କେବେ କହିବାକୁ ଚାହିନାହାନ୍ତି। ଏପରିକି ପ୍ରଥମ ବିଶ୍ବଯୁଦ୍ଧ ବିଜୟର ବର୍ଷପୂର୍ତ୍ତିକୁ ନେଇ ବିଭିନ୍ନ ସମୟରେ ସେଠାରେ ଆୟୋଜିତ ହେଉଥିବା ସମାରୋହ ବା ଆଲୋଚନାରେ ଭାରତୀୟ ସୈନ୍ୟଙ୍କ କଥା କ୍ବଚିତ୍‌ ଆସିଛି।
ସେ ଯୁଦ୍ଧରେ ନିଜ ବିଜୟର ପ୍ରତୀକ ଭାବେ ଇଂରେଜ ସରକାର ବିଭିନ୍ନ ଦେଶରେ ତିଆରିଥିବା ସ୍ମୃତିସୌଧ ଭିତରୁ ଅବଶ୍ୟ ଭାରତରେ ଗୋଟିଏ ଅଛି- ଦିଲ୍ଲୀର ‘ଇଣ୍ଡିଆ ଗେଟ୍‌’। ୧୯୩୧‌େର ତିଆରି ହୋଇଥିବା ଏ ସୌଧଟି ପ୍ରଥମ ବିଶ୍ବଯୁଦ୍ଧରେ ପ୍ରାଣବଳି ଦେଇଥିବା ଭାରତୀୟ ସୈନ୍ୟଙ୍କ ସ୍ମୃତିରେ ନିର୍ମିତ ହୋଇଥିଲା। ତେବେ ତାହା ‌ଉକ୍ତ ବୀରମାନଙ୍କୁ ସମ୍ମାନ ଦେବା ଅପେକ୍ଷା ନିଜ ବଡ଼ିମା ପ୍ରଚାର ତଥା ଆଉ ଗୋଟିଏ ବିଶ୍ବଯୁଦ୍ଧ (ଦ୍ବିତୀୟ ବିଶ୍ବଯୁଦ୍ଧ) ଆଡ଼କୁ ପୃଥିବୀ ମୁହାଁଉଥିବା ବେଳେ  ଭାରତୀୟମାନଙ୍କଠାରୁ ସମାନ ସହଯୋଗର ଆଶାରେ ତିଆରି କରାଯାଇଥିଲା ବୋଲି କହିଲେ ହୁଏତ ଭୁଲ୍‌ ହେବନି।