ରାଜେଶ ଅଗ୍ରୱାଲ୍
ପ୍ରାକ୍ ସ୍ବାଧୀନତା କାଳରେ ଇଂଲଣ୍ଡ୍ର ବାୟୁସେନା ରୟାଲ୍ ଏୟାର୍ ଫୋର୍ସରେ ପାଇଲଟ୍ ଭାବେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଅବସର ପରେ ଜନ୍ମମାଟିକୁ ଫେରି ନିର୍ବାଚନ ଜିଣି ବିଧାୟକ ହୋଇଥିଲେ। ସେଠାରେ ତାଙ୍କର ଠିକଣା ଥିଲା- ୫୦, ବିସପ୍ସ୍ ଆଭେନ୍ୟୁ, ବ୍ରେମ୍ଲି କେଣ୍ଟ୍, ଲଣ୍ଡନ୍। କର୍ମମୟ ଜୀବନର ଅଧିକାଂଶ ସମୟ ସେ ତାଙ୍କ ଇଂରେଜ ପତ୍ନୀ ଓ ଶିଶୁକନ୍ୟାଙ୍କ ସହ ବିଦେଶରେ ବିତାଇଥିଲେ। ଦେଶ ସ୍ବାଧୀନ ହେବା ପୂର୍ବରୁ ସେ ନିଜ ପରିବାର ସହ ଓଡ଼ିଶା ଫେରି ଆସିଥିଲେ। ୧୯୪୬ରେ ହୋଇଥିବା ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେ ପଦମପୁରରେ ଭୋଟର୍ ତାଲିକାରେ ନିଜ ନାମକୁ ସାମିଲ କରି ପାରିଥିଲେ। ସେ ସମୟରେ ବ୍ରିଟିସ୍ ଶାସନାଧୀନ ଓଡ଼ିଶାରେ କେବଳ ଧନୀ, ସାଧାରଣ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତି ବା ଚୌକିଦାରୀ ଟିକସ ଦେଉଥିବା ବ୍ୟକ୍ତିଙ୍କ ନାମ ହିଁ ଭୋଟର୍ ତାଲିକାରେ ରହୁଥିଲା। କେବଳ ସେତିକି ନୁହେଁ, ସେ ୧୯୪୬ ମସିହା ନିର୍ବାଚନରେ ପଶ୍ଚିମ ବରଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପଦରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ଓଡ଼ିଶାର ପ୍ରଥମ ଆଦିବାସୀ ମନ୍ତ୍ରୀ ଭାବରେ ହରେକୃଷ୍ଣ ମହତାବଙ୍କ ମନ୍ତ୍ରିମଣ୍ଡଳରେ ଯୋଗଦେଇଥିଲେ। ସେ ହେଉଛନ୍ତି ତତ୍କାଳୀନ ବୋଡ଼ାସମ୍ବର ରାଜ୍ୟର ରାଜା ରାୟ ସାହେବ ରାଜେନ୍ଦ୍ର ସିଂ ବରିହାଙ୍କ ପୁତ୍ର ଲାଲ୍ ରଞ୍ଜିତ ସିଂ ବରିହା।
ଲଣ୍ଡନ୍ରେ ଥିବା ବେଳେ ପାଇଲଟ୍ ବରିହା ୧୯୪୫ ଡିସେମ୍ବର ୩୧ରେ ଏକ ପତ୍ର ଲେଖି ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କୁ ନିର୍ବାଚନ ଲଢ଼ିବାର ଇଚ୍ଛା ପ୍ରକଟ କରିଥିଲେ। ସେ ଲେଖିଥିଲେ,‘‘ମୁଁ ବୋଡ଼ାସମ୍ବର ରାଜାଙ୍କର ପୁତ୍ର। ଆଇନ ପଢ଼ିବାକୁ ୧୯୩୭ରେ ଲଣ୍ଡନ୍ ଆସିଥିଲି। ମହାଯୁଦ୍ଧ ଲାଗିଯିବାରୁ ପଢ଼ାରେ ବ୍ୟାଘାତ ଘଟିଲା। ଆମ୍ବୁଲାନ୍ସ୍ ଡ୍ରାଇଭର୍ ଭାବେ କାର୍ଯ୍ୟ କଲି। ତା’ପରେ ୧୯୪୦ରେ ରୟାଲ୍ ଏୟାର୍ ଫୋର୍ସରେ ଯୋଗଦେଲି। ସାଢ଼େ ୫ ବର୍ଷ କାମ କରିବାପରେ ଯୁଦ୍ଧ ଶେଷରେ ମୁକ୍ତହେଲି। ବୋଡ଼ାସମ୍ବର (ପଦମପୁର)ରୁ ବିଧାୟକ ପଦ ପାଇଁ କଂଗ୍ରେସ ପ୍ରାର୍ଥୀ ହେବାକୁ ମୁଁ ଆଗ୍ରହୀ।’’ ସର୍ଦ୍ଦାର ପଟେଲ୍ ତାଙ୍କୁ ପ୍ରାର୍ଥୀ କରିବାକୁ ସ୍ଥିର କରିଥିବା ପ୍ରଚାରିତ ପରେ ସମ୍ବଲପୁରର କଂଗ୍ରେସ ନେତା ଶ୍ରଦ୍ଧାକର ସୂପକାର ଏହାର ବିରୋଧ କରିଥିଲେ। ୧୯୪୬ ଜାନୁଅାରି ୧୮ରେ ସେ ସର୍ଦ୍ଦାର ପଟେଲ୍ଙ୍କୁ ଜଣାଇଥିଲେ ଯେ ବରିହାଙ୍କ ପ୍ରାର୍ଥୀତ୍ବ ନିଷ୍ପତ୍ତି ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟି କରିଛି। ବିମାନବାହିନୀରେ କାର୍ଯ୍ୟକରି ଇଂରେଜ ସାମ୍ରାଜ୍ୟବାଦ ରକ୍ଷା ନିମିତ୍ତ ଯୁଦ୍ଧରେ ସାହାଯ୍ୟ କରିଥିବା ଜଣେ ବ୍ୟକ୍ତି କଂଗ୍ରେସ ଦଳର ପ୍ରିୟପାତ୍ର ହେବା ବିସ୍ମୟ ସୃଷ୍ଟି କରୁଛି। ସର୍ଦ୍ଦାର ପଟେଲ୍ ଫେବ୍ରୁଆରି ୧୮ରେ ଏହାର ଉତ୍ତର ଦେଇଥିଲେ- ‘‘କଂଗ୍ରେସ କାର୍ଯ୍ୟକାରୀ କମିଟିର ମତ ହେଲା ଦେଶରକ୍ଷା ବିଭାଗର କର୍ମଚାରୀ ଦେଶର ଶତ୍ରୁ ବା ବହିରାଗତ ବିବେଚିତ ହେବେନାହିଁ। ସୈନ୍ୟବାହିନୀର ଶୃଙ୍ଖଳାଗତ ଜ୍ଞାନ ଅଛି, ସେମାନଙ୍କୁ ସୁଯୋଗ ଦିଆଯିବ।’’
ରଣଜିତ ପ୍ରାର୍ଥୀ ହେଉଥିବା ଜାଣି ସ୍ଥାନୀୟ କଂଗ୍ରେସ ଲୋକେ ବୈଠକକରି ପଦମପୁର ଅଞ୍ଚଳର ଗୌରାଙ୍ଗ ମେହେରଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବକରି ଜିଲ୍ଲା କଂଗ୍ରେସକୁ ସୁପାରିସ କଲେ। ଶ୍ରୀ ମେହେର ଥିଲେ ସ୍ବାଧୀନତା ସଂଗ୍ରାମର ବଡ଼ ନେତା। ୧୯୨୧ରେ ପଣ୍ଡିତ ନୀଳକଣ୍ଠ ଦାସ ସମ୍ବଲପୁରରେ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ବେଳେ ସେ ଚରଖା ଚାଳନା ଓ ବୟନ ଶିକ୍ଷା ଦେବାକୁ ଅବୈତନିକ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ଜିଲ୍ଲା କଂଗ୍ରେସ ପ୍ରସ୍ତାବ ଅନୁମୋଦନ ପାଇଁ କେନ୍ଦ୍ରକୁ ପଠାଇଲା ମାତ୍ର ଫଳାଫଳ ଅନୁକୂଳ ନ ହେବାରୁ ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି କବିରାଜ ଘନଶ୍ୟାମ ପାଣିଗ୍ରାହୀ (ମାନପୁର ଭେଡେନ) ପଦରୁ ଇସ୍ତଫା ଦେଲେ ଓ ବହୁ କଂଗ୍ରେସ କର୍ମୀ ପଦ ତ୍ୟାଗକଲେ, ସେ ମଧ୍ୟରୁ କେତେକ କମ୍ୟୁନିଷ୍ଟ୍ ହୋଇଗଲେ।
ରୟାଲ୍ ଏୟାର ଫୋର୍ସରେ ପାଇଲଟ୍ ବରିହାଙ୍କ ଶେଷ କାର୍ଯ୍ୟଦିବସ ଥିଲା ୧୯୪୬ ଜାନୁଆରି ୩୧। ତାଙ୍କ ପ୍ରାର୍ଥୀତ୍ବ ନେଇ ସର୍ଦ୍ଦାର ପଟେଲଙ୍କ ଟେଲିଗ୍ରାମ୍ ଫଳରେ ବ୍ରିଟିସ୍ ସରକାର ବରିହାଙ୍କ ଭାରତ ଫେରିବା ବ୍ୟବସ୍ଥା କଲେ। ସେ ଓଡ଼ିଶା ଆସି ବିଧାନସଭା ଲାଗି ପ୍ରାର୍ଥୀ ହୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ।
ରୟାଲ୍ ଏୟାର୍ ଫୋର୍ସରେ ପାଇଲଟ୍ ବରିହାଙ୍କ ଶେଷ କାର୍ଯ୍ୟଦିବସ ଥିଲା ୧୯୪୬ ଜାନୁଆରି ୩୧। ତାଙ୍କ ପ୍ରାର୍ଥୀତ୍ବ ନେଇ ସର୍ଦ୍ଦାର ପଟେଲ୍ଙ୍କ ଟେଲିଗ୍ରାମ୍ ଫଳରେ ବ୍ରିଟିସ୍ ସରକାର ବରିହାଙ୍କ ଭାରତ ଫେରିବା ବ୍ୟବସ୍ଥା କଲେ। ସେ ଓଡ଼ିଶା ଆସି ବିଧାନସଭା ଲାଗି ପ୍ରାର୍ଥୀ ହୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ। କିଛିଦିନ ବିଧାୟକ ରହିବା ପରେ ସେ ହରେକୃଷ୍ଣ ମହତାବଙ୍କ ପରିବର୍ଦ୍ଧିତ ମନ୍ତ୍ରିମଣ୍ଡଳରେ ୨୨ ଅଗଷ୍ଟ ୧୯୪୭ରେ ନିର୍ମାଣ ବିଭାଗ ଉପମନ୍ତ୍ରୀ ହୋଇଥିଲେ। ମାତ୍ର ମହତାବ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗ ଦେବା ଲାଗି ଦିଲ୍ଲୀ ଚାଲିଯିବାରୁ ନବକୃଷ୍ଣ ଚୌଧୁରୀ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେଲେ। ଚୌଧୁରୀ ମନ୍ତ୍ରିମଣ୍ଡଳରେ ସେ ପୁଣି ୧୨ ମେ ୧୯୫୦ରେ ଉପମନ୍ତ୍ରୀ ପଦ ପାଇ ନୂଆ ରାଜଧାନୀ ନିର୍ମାଣ ଓ ଭୁବନେଶ୍ବରରେ ବିଧାନସଭା ଗୃହ (ପୁରୁଣା) ନିର୍ମାଣରେ ବିଶେଷ ଭୂମିକା ନେଇଥିଲେ। କଂଗ୍ରେସ ୧୯୫୦ ଆରମ୍ଭରୁ ଆଦିବାସୀ ଅଞ୍ଚଳରେ ଝାଡ଼ଖଣ୍ଡ ପ୍ରଭାବକୁ ପ୍ରତିହିତ କରିବା ସକାଶେ ‘ନିଖିଳ ଉତ୍କଳ ଆଦିବାସୀ କଂଗ୍ରେସ’ ଆରମ୍ଭ କଲା। ସୋନାରାମ ସୋରେନଙ୍କ ଆଦିବାସୀ ମହାସଭା ଏହା ସହ ମିଶିଲା। ଶ୍ରୀ ବରିହା ଏହାର ସଭାପତି ରହିଲେ ଓ ଉପ-ସଭାପତି ହେଲେ ଟି. ସାଙ୍ଗନା। ଏହି ସଂଗଠନ କଂଗ୍ରେସ ଦଳ ସହ ମିଶି ୧୯୫୧-୫୨ (ସ୍ବାଧୀନତା ପର ପ୍ରଥମ ବିଧାନସଭା) ନିର୍ବାଚନ ଲଢ଼ିଲା। ପୂର୍ବେ ସମ୍ବଲପୁରରେ ଖଣି ବିଭାଗର ନିର୍ଦ୍ଦେଶକ କାର୍ଯ୍ୟାଳୟ ଥିବାରୁ ଖଣି ବିଭାଗର କାର୍ଯ୍ୟ ସମ୍ବଲପୁରରେ ହେଉଥିଲା। ମାତ୍ର ଏହା ଭୁବନେଶ୍ବରକୁ ଉଠିଯିବାରୁ ସେ ମନ୍ତ୍ରିମଣ୍ଡଳରରେ ଥାଇ ବି ଏହାର ତୀବ୍ର ବିରୋଧ କରିଥିଲେ। ୧୯୫୧-୫୨ ନିର୍ବାଚନ (ପ୍ରଥମ ସା-ବାଳାକ ପ୍ରଥା ନିର୍ବାଚନ)ରେ ଶ୍ରୀ ବରିହା ଜଣେ ଆଦିବାସୀ ପ୍ରାର୍ଥୀ ଭାବରେ ପଦମପୁର (ଯୁଗ୍ମ) ଆସନରୁ ନିର୍ବାଚନ ଲଢ଼ିଥିଲେ। ତାଙ୍କ ସହ ସାଧାରଣ ବର୍ଗର ପ୍ରାର୍ଥୀ ବୋଡ଼ାସମ୍ବରର ପୂର୍ବତନ ଦେୱାନ ଅନିରୁଦ୍ଧ ମିଶ୍ର (ସ୍ବାଧୀନ) ମଧ୍ୟ ନିର୍ବାଚନ ଜିଣିଲେ। ତେବେ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ୧୬ରୁ ଊର୍ଦ୍ଧ୍ବ ବର୍ଷ ଜେଲ୍ରେ କଟାଇଥିବା ସମ୍ବଲପୁରର ବିଶିଷ୍ଟ ସ୍ବାଧୀନତା ବାଗ୍ମୀ ଲକ୍ଷ୍ମୀନାରାୟଣ ମିଶ୍ର ପରାଜିତ ହୋଇଥିଲେ। ଏହି ନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରିଥିବା ଲାଲ୍ ରଞ୍ଜିତ ସିଂ ବରିହା (କଂଗ୍ରେସ) ୧୭,୬୩୬ ଖଣ୍ଡ, ଅନିରୁଦ୍ଧ ମିଶ୍ର (ସ୍ବାଧୀନ) ୭,୯୭୯ ଖଣ୍ଡ, ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର (କଂଗ୍ରେସ) ୭,୧୨୬ ଖଣ୍ଡ, ଲାଲ୍ ନିତ୍ୟାନନ୍ଦ ସିଂ ବରିହା (ଗଣତନ୍ତ୍ର ପରିଷଦ) ୩,୬୯୬ ଖଣ୍ଡ, ପ୍ରଫୁଲ୍ଲ କୁମାର ବହିଦାର (ଗଣତନ୍ତ୍ର ପରିଷଦ) ୧,୪୩୧ ଖଣ୍ଡ ଓ ଅନ୍ୟ ସ୍ବାଧୀନ ପ୍ରାର୍ଥୀ ହରିହର ଦୋରା ୩,୧୪୭ ଖଣ୍ଡ, ବିଦ୍ୟାଧର ବେହେରା ୩,୦୩୭ ଖଣ୍ଡ, ଗୋକୁଳାନନ୍ଦ ନାୟକ ୨,୩୨୯ ଖଣ୍ଡ, ମାନଭଞ୍ଜନ ପଧାନ ୨,୬୬୬ ଖଣ୍ଡ ଓ ଭୁବବାନନ୍ଦ ସାହୁ ୨,୧୧୮ ଖଣ୍ଡ ଭୋଟ୍ ପାଇଥିଲେ। ନିର୍ବାଚିତ ହେବା ପରେ ଅନିରୁଦ୍ଧ ମିଶ୍ର କଂଗ୍ରେସରେ ଯୋଗ ଦେଇଥିଲେ।
ତେବେ ରଣଜିତ ସିଂ ବରିହା ନିର୍ବାଚିତ ହେବା ପରେ ଆଉ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେନାହିଁ। ୧୯୫୩ ବେଳକୁ ସେ ମାନସିକ ବ୍ୟାଧିରେ ଆକ୍ରାନ୍ତ ହେଲେ ଏବଂ ରାଞ୍ଚି ମାନସିକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ୧୯୫୪ରେ ସେ ପ୍ରାଣତ୍ୟାଗ କଲେ। ରଞ୍ଜିତ ସିଂଙ୍କ ପରଲୋକ ପରେ ସେ ସ୍ଥାନ ପୂରଣ ପାଇଁ ପଦମପୁରରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିେର କଂଗ୍ରେସ ପ୍ରାର୍ଥୀ ବୀରବିକ୍ରମାଦିତ୍ୟ ସିଂ ବରିହା ୧୭,୨୪୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଗଣତନ୍ତ୍ର ପରିଷଦର ଲାଲ୍ ମିତ୍ରୋଦୟ ସିଂ ୧୦,୩୨୨ ଖଣ୍ଡ ଭୋଟ୍ ପାଇ ପରାସ୍ତ ହୋଇଥିଲେ। ବରିହାଙ୍କ ପରଲୋକ ପରେ ତାଙ୍କ ଇଂରେଜ ପତ୍ନୀ ଝିଅ ଅନିତାଙ୍କୁ ନେଇ ସବୁଦିନ ଲାଗି ଲଣ୍ଡନ୍ ଫେରି ଯାଇଥିଲେ।
ଅତାବିରା, ବରଗଡ଼
ମୋ: ୯୪୩୮୨୧୪୮୭୮
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/21/new-project-9-2025-09-21-13-48-51.jpg)