ସିନ୍ଧୁ ସଭ୍ୟତାର ଧ୍ବଂସାବଶେଷ ହଜାର ହଜାର ବର୍ଷ ଧରି ଅନାବିଷ୍କୃତ ହୋଇ ରହିଥିଲା। ୧୮୨୬ରେ ଚାର୍ଲସ୍ ମାସନ୍ ନାମରେ ଜଣେ ବ୍ରିଟିସ୍ ପରିବ୍ରାଜକ ସେ ଅଞ୍ଚଳରେ କେତୋଟି ରହସ୍ୟମୟ ଇଟା କୁଦ ଦେଖିଥିଲେ। ଏଗୁଡ଼ିକ ପ୍ରାଚୀନ ଦୁର୍ଗ ହୋଇଥାଇ ପାରେ ବୋଲି ସେ ଅନୁମାନ କଲେ। ଏହାର ୩୦ ବର୍ଷ ପରେ ୧୮୫୬ରେ ରେଳପଥ ନିର୍ମାଣ କରୁଥିବା ବ୍ରିଟିସ୍ ଇଞ୍ଜିନିୟର୍ମାନେ ସେଠାରେ ଆହୁରି କିଛି ଇଟାସ୍ତୁପ ଦେଖିଲେ। ତାହା ହିଁ ଥିଲା ସିନ୍ଧୁ ଉପତ୍ୟକାର ସମୃଦ୍ଧ ନଗରୀ ହରପ୍ପାର ଧ୍ବଂସାବଶେଷ। ୧୯୨୦ରେ ପ୍ରତ୍ନତତ୍ତ୍ବବିତ୍ମାନେ ହରପ୍ପା ଓ ମହେଞ୍ଜୋଦାରୋ ଅଞ୍ଚଳରେ ଉତ୍ଖନନ ଆରମ୍ଭ କଲେ। ଐତିହାସିକମାନେ ମନେକରନ୍ତି, ଖ୍ରୀଷ୍ଟପୂର୍ବ ୧୯୦୦ ବେଳକୁ ସିନ୍ଧୁ ଉପତ୍ୟକାର ସଭ୍ୟତା ଅବକ୍ଷୟମୁଖୀ ହୋଇଥିଲା। ଖ୍ରୀଷ୍ଟପୂର୍ବ ୧୭୦୦ ବେଳକୁ ଅନେକ ସିନ୍ଧୁ ନଗରୀ ପରିତ୍ୟକ୍ତ ହୋଇସାରିଥିଲା। ମାତ୍ର ସିନ୍ଧୁ ସଭ୍ୟତାର ନଗରୀଗୁଡ଼ିକ କେମିତି ଓ କାହିଁକି ବିଲୁପ୍ତ ହେଲା ସେକଥା ଏଯାବତ୍ ଅସମାହିତ ହୋଇରହିଛି।ଏକ ସୁସଙ୍ଗଠିତ ସଭ୍ୟତା ମାତ୍ର ୨୦୦ ବର୍ଷରେ ଭୁଶୁଡ଼ିପଡ଼ିଲା କେମିତି? ମହେଞ୍ଜୋଦାରୋ ଓ ହରପ୍ପା ସମ୍ଭବତଃ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଘଟଣାବଳୀ ହେତୁ କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି।
ଜଳବାୟୁ ପରିବର୍ତ୍ତନରୁ ପ୍ରାକୃତିକ ବିପର୍ଯ୍ୟୟ
ଜଳବାୟୁ ପରିବର୍ତ୍ତନ ହେତୁ ସିନ୍ଧୁ ସଭ୍ୟତା ବିଲୁପ୍ତ ହୋଇଯାଇଛି ବୋଲି ବହୁ ଐତିହାସିକ କହନ୍ତି। ବିଶେଷକରି, ହରପ୍ପା ଏହି କାରଣରୁ ଛାରଖାର ହୋଇଯାଇଛି ବୋଲି ସେମାନେ ମତଦିଅନ୍ତି। ଖ୍ରୀଷ୍ଟପୂର୍ବ ୧୯୦୦ ବେଳକୁ ସରସ୍ବତୀ ନଦୀ ଶୁଖି ଯାଇଥିଲା ଏବଂ ଉତ୍କଟ ଜଳସଂକଟ ସୃଷ୍ଟି ହୋଇଥିଲା। କେତେକ ବିଶେଷଜ୍ଞଙ୍କ ମତରେ, ହୁଏତ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂତ୍ବକ୍ ଚଳନ କାରଣରୁ ଭୂମି ଉପରକୁ ଉଠି ବନ୍ୟା ଆସିବାରୁ ସିନ୍ଧୁନଦୀ ଗତିପଥ ପରିବର୍ତ୍ତନ କରିଛି। ନଦୀର ଗତିପଥ ବଦଳିଯିବାରୁ ନଗରୀଗୁଡ଼ିକ ହୁଏତ ଜଳାଭାବର ସମ୍ମୁଖୀନ ହୋଇଥାଇ ପାରନ୍ତି। ଫଳରେ ଏହାର ଅଧିବାସୀ ଅନ୍ୟତ୍ର ପଳାଇଯାଇ ପାରିଥାଆନ୍ତି। ଅନ୍ୟ ପକ୍ଷରେ ଥରକୁ ଥର ବନ୍ୟା ଆସିବା କାରଣରୁ ମାଟିରେ ଲୁଣା ଚରିଯାଇ ଫସଲ ଉଧାଇ ନ ଥିବା ଆଶଙ୍କାକୁ ବି ଏଡ଼ାଇ ହେବନାହିଁ। ଭିନ୍ନ ଏକ ମତାନୁସାରେ, ସିନ୍ଧୁ ଉପତ୍ୟକାର ପ୍ରମୁଖ ନଦୀ ଘାଗ୍ଗର ହକ୍ରା ଶୁଖିଯିବାରୁ ସେ ଅଞ୍ଚଳର ଲୋକେ ନଗରୀ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଅନାହାର ଯୋଗୁଁ ରୋଗଗ୍ରସ୍ତ ହୋଇଥିଲେ। ପରିଶେଷରେ ନଗରୀଗୁଡ଼ିକ ପରିତ୍ୟକ୍ତ ହୋଇଯାଇଥିବ। ସେ ଯାହାହେଉ, ନଦୀ ଗତିପଥ ପରିବର୍ତ୍ତନ ଯୋଗୁଁ ଅରଣ୍ୟନଷ୍ଟ, ବନ୍ୟା ଅଥବା ମରୁଡ଼ି ପରିସ୍ଥିତି ହରପ୍ପାରେ ଫସଲହାନି, କ୍ଷୁଧା ଓ ରୋଗ ଆଦି ଦୁର୍ବିପାକ ଆଣିଥିବ।
ମୌସୁମୀର ଦିଗ ପରିବର୍ତ୍ତନ ଘାତକ ହେଲା
ମୌସୁମୀ ବାୟୁ ପୂର୍ବମୁଖା ହେବା କାରଣରୁ ହେଉ ବା ମୌସୁମୀର ଦିଗ ପରିବର୍ତ୍ତନ ହେତୁ ଭୀଷଣ ବୃଷ୍ଟି ହରପ୍ପା ଜଳବାୟୁରେ ଆକସ୍ମିକ ଭୟାବହ ପରିବର୍ତ୍ତନ ଆଣିଥାଇ ପାରେ ବୋଲି କିଛି ବିଶେଷଜ୍ଞ ମତପୋଷଣ କରନ୍ତି। ସିନ୍ଧୁ ସଭ୍ୟତା ଅଞ୍ଚଳରେ ଅନୁକୂଳ ମୌସୁମୀ ଯୋଗୁଁ ଫସଲ ଭଲ ହେବା ସହିତ କୃଷିଜାତ ଦ୍ରବ୍ୟ ବଳକା ରହୁଥିଲା। ଏହା ହରପ୍ପା ଭଳି ନଗରୀକୁ ବିକଶିତ କରିବାରେ ସହାୟକ ହେଉଥିଲା। ତେଣୁ, ସେଠାକାର ବାସିନ୍ଦା ଋତୁକାଳୀନ ମୌସୁମୀ ଉପରେ ନିର୍ଭରଶୀଳ ଥିଲେ। ମାତ୍ର ମୌସୁମୀ ଦିଗ ପରିବର୍ତ୍ତନ କରି ପୂର୍ବଆଡ଼କୁ ପ୍ରବାହିତ ହେବା ହେତୁ ସିନ୍ଧୁ ଉପତ୍ୟକା ଜଳସଂକଟର ଶିକାର ହୋଇଥିବ, ଯାହା ଜନଜୀବନକୁ ସଂକଟରେ ପକାଇଥିବ।