ବିଜେପି କ୍ଷମତାକୁ ଆସିଲା ପରେ ଏକ ଦଳ ଓ ସଂଘ ପରିବାରର ଏକ ମୁଖ୍ୟ ପ୍ରସଙ୍ଗ ହେଲା ଭାରତ ଇତିହାସର ପୁନର୍ଲିଖନ ଓ ସଂସ୍କୃତିର ହିନ୍ଦୁତ୍ବୀକରଣ। ବିଜେପିର ପ୍ରଥମ ପାଳିରେ ଉଦାରବାଦୀ ଅଟଳ ବିହାରୀ ବାଜପେୟୀଙ୍କ ଏହା ପ୍ରତି ସମର୍ଥନ ଥିଲେ ମଧ୍ୟ ତାଙ୍କ ମହାଭାରତୀୟ ଦୃଷ୍ଟିକୋଣ ଯୋଗୁଁ ଏହା ଆଗେଇ ପାରିନଥିଲା। ୨୦୧୪‌େର ବିଜେପି ବିପୁଳ ବିଜୟ ଲାଭ କଲା ଓ ‌ନରେନ୍ଦ୍ର ମୋଦୀ ଯେ ନିଜକୁ ଜଣେ ହିନ୍ଦୁ ରାଷ୍ଟ୍ରବାଦୀ ରୂପେ ଅଭିହିତ କରିଥିଲେ। ପ୍ରଧାନମନ୍ତ୍ରୀ ହେଲେ, ତା’ପରେ ଇତିହାସର ପୁନର୍ଲିଖନ ଓ ଆମ ସଂସ୍କୃତି ଓ ଐତିହ୍ୟର ଗୈରିକୀକରଣ ଜାରି ରହିଛି। ବିଡ଼ମ୍ବନା ଯେ ସଂଘ ପରିବାରର ଏ ମିଶନରେ ଐତିହାସିକତା, ଐତିହାସିକ ତତ୍ତ୍ବର ବୌଦ୍ଧିକ ଉପସ୍ଥାପନା ବଦଳରେ ସଂକୀର୍ଣ୍ଣ ଧର୍ମାନ୍ଧତା ଓ ରାଜନୀତୀକରଣ ସ୍ଥାନ ନେଉଛି।

Advertisment

ଇତିହାସର ପୁନର୍ଲିଖନ ଉପରେ ଆଲୋଚନା କଲେ ଏହାର ଆବଶ୍ୟକତାକୁ ଏଡ଼ାଇ ଦେଇ ହେବ ନାହିଁ। କିନ୍ତୁ ଏହା ନିର୍ବିବାଦ ଓ ନିର୍ଭୀକ ଐତିହାସିକ ତତ୍ତ୍ବ ରୂପେ ଆଧାରିତ ହେବା ଉଚିତ। ରାଜନୀତିର କୌଣସି ପ୍ରଭାବ ରହିବା ଉଚିତ ନୁହେଁ, ଯାହା ବର୍ତ୍ତମାନ ମୁଖ୍ୟ ଆୟୁଧ ବନିଛି। ରାଜନୀତିକ ମୌଳବାଦ ଆଗରେ ଇତିହାସ ଲିଖନର ବୌଦ୍ଧିକ ‌େଚତନା ଲୁଚିଯାଉଛି। ପୃଥିବୀର ୪,୫ଟି ପୁରାତନ ସଭ୍ୟତାମାନଙ୍କ ଭିତରୁ ଭାରତ ଗୋଟିଏ। ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ୃହୀତ ପୃଥିବୀ ଇତିହାସରୁ ଜଣାଯାଏ ଇତିହାସ ଲିଖନ ଉପରେ ସଚେତନତା, ଆବଶ୍ୟକତା ଓ ତା’ର ଲିଖନ ଭାରତରେ ଅତି ନଗଣ୍ୟ ଥିଲା। ସର୍ବପ୍ରଥମ ଇତିହାସ ଗ୍ରୀସ୍‌ରେ ହିରୋଡୋଟସ୍‌ ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀରେ ଲେଖିଥିଲେ। ତା’ପରେ ରୋମ୍‌ରେ କାଟୋ ଖ୍ରୀ.ପୂ. ଦ୍ବିତୀୟ ଶତାବ୍ଦୀରେ ରୋମ୍‌ର ଇତିହାସ ଲେଖିଲେ। ତା’ପରେ ଇଜିପ୍ଟରେ ଇତିହାସ ଲିଖନ ହେଲା ଓ ଚୀନ୍‌ରେ ସୀମା ଟାନ ଓ ଲିମା ଟାନ ଇତିହାସ ଲେଖିଲେ। ଜାପାନ ଓ କୋରିଆରେ ମଧ୍ୟ ଇତିହାସ ଲେଖାର ପରମ୍ପରା ଆରମ୍ଭ ହେଲା। ଭାରତରେ ଇତିହାସ ରଚନାର ପ୍ରଥମ ଆଭାସ ମିଳେ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଅଶୋକଙ୍କ ଶିଳାଲେଖ ଠାରୁ। କୌଟିଲ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ଇତିହାସ ଉପରେ ଆଲୋକପାତ କରିଛନ୍ତି। ‌ଅଶୋକଙ୍କ ପରେ ଯାହା କିଛି ଇତିହାସ ଦୃଷ୍ଟିକୁ ଆସିଛି ତାହା ଶିଳାଲେଖ ଓ ତାମ୍ର ଲିପି ଉପରେ ଆଧାରିତ। ସପ୍ତମ ଶତାବ୍ଦୀରେ ବାଣଭଟ୍ଟଙ୍କ ହର୍ଷ ଚରିତକୁ ଇତିହାସ ଆଖ୍ୟା ଦିଆଯାଇପାରେ। ଐତିହାସିକମାନଙ୍କ ମତରେ ଭାରତରେ ପ୍ରଥମ ରଚିତ ଇତିହାସ ହେଲା ଏକାଦଶ ଶତାବ୍ଦୀରେ କାଶ୍ମୀରର ରାଜକବି କଲହଣ ଦ୍ବାରା ରଚିତ ରାଜତରଙ୍ଗଣୀ ଯାହା କାଶ୍ମୀରର ୨ ହଜାର ବର୍ଷର ଇତିହାସରେ ପରିପୁଷ୍ଟ।

ଭାରତ ଇତିହାସକୁ ବିଭିନ୍ନ କାଳଖଣ୍ଡରେ ବିଭକ୍ତ କଲେ ମୁଖ୍ୟତଃ ୬ଟି କାଳ ଆସିଥାଏ। ପ୍ରଥମେ ବୈଦିକ ଯୁଗ ଓ ତା’ ପରବର୍ତ୍ତୀ ‌େପୗରାଣିକ ସମୟ। ଏ କାଳ ଅତି ଦୀର୍ଘ ଓ ଏହାର କୌଣସି ପ୍ରାମାଣିକ ଐତିହାସିକ ତତ୍ତ୍ବ ଥିଲା ବୋଲି ଜଣାପଡ଼େ ନାହିଁ। ଦ୍ବିତୀୟ ଖଣ୍ଡ ହେଲା ହିନ୍ଦୁ ରାଜବଂଶ। ଏ ସମୟରେ ବିଭିନ୍ନ ରାଜବଂଶର ଯେଉଁ ଐତିହାସିକ ତଥ୍ୟ ମିଳେ ତାହା ଶିଳା ଲେଖ ଓ ତାମ୍ର ଲିପିମାନଙ୍କରେ ଆବଦ୍ଧ। ଏ କାଳରେ ସମାଜର ବିଭିନ୍ନ କ୍ଷେତ୍ରରେ ଯଥା ସାହିତ୍ୟ, ବିଜ୍ଞାନ, ଚିକିତ୍ସା, ପ୍ରସିଦ୍ଧି ଲେଖକ ଓ କବିମାନଙ୍କ ଅବଦାନ। ତୃତୀୟ କାଳରେ ଆସିବ ମୁସଲିମ୍‌ମାନଙ୍କ ରାଜତ୍ବ। ଏମାନଙ୍କ ସମୟରେ ବିଶେଷତଃ ମୋଗଲ ଶାସକଙ୍କ ରାଜତ୍ବ କାଳରେ ଇତିହାସ ଲିଖନ ଦୃଷ୍ଟିକୁ ଆସେ। ବାବରନାମା, ଆକବରନାମା କିଛି ଉଦାହରଣ। ଚତୁର୍ଥରେ ୟୁରୋପୀୟମାନଙ୍କ ଆଗମନ। ଏ ସମୟରେ ଲିଖିତ ଇତିହାସ ଆରମ୍ଭ ହେଲା। ତା’ପରେ ଆସିବ ଭାରତରେ ଜାତୀୟତାର ଜନ୍ମ ଓ ସ୍ବାଧୀନତା ସଂଗ୍ରାମ। ଏ ସମୟରେ ସମାନ୍ତରାଳ ଭାବେ ମୁଣ୍ଡ ଟେକିଲେ ମାର୍କସବାଦୀ ଇତିହାସ ଯାହା ସମଗ୍ର ପୃଥିବୀରେ ଆଲୋଡ଼ନ ସୃଷ୍ଟି କଲା। ଏ ପରିପ୍ରେକ୍ଷୀରେ ଲିଖିତ ଇତିହାସର ଇତିହାସ ଉପରେ ଦୃଷ୍ଟିପାତ କଲେ ୟୁରୋପୀୟ ରାଷ୍ଟ୍ରମାନଙ୍କ ଛଡ଼ା ମଧ୍ୟ ପ୍ରାଚ୍ୟ ଓ ପୂର୍ବ ଏସିଆରେ ଏହାର ବଳିଷ୍ଠ ପରମ୍ପରା ଗଢ଼ି ଉଠିଥିଲା। ଚୀନ୍‌ରେ ଇତିହାସ ଲିଖନ ସରକାରୀ ସ୍ତରରେ ଏକ ଅଗ୍ରଣୀ ଦାୟିତ୍ବ ଥିଲା। ୟୁରୋପରେ ଏଜ୍‌ ଅଫ୍‌ ଏନ୍‌ଲାଇଟନମେଣ୍ଟ (age of enlightment)ରେ ଭୋଲଟାୟାର, ଡେଭିଡ ହ୍ୟୁମ୍‌, ଗିବନ, କାରଲାଇଲ, ମାକଲେ ଓ ଫ୍ରାନ୍‌ସର ଆନାଲ ମାନେ ଇତିହାସ ଲିଖନ ପାଇଁ ଦିଗ୍‌ଦର୍ଶନ ଦେଲେ। ଊନବିଂଶ ଶତାବ୍ଦୀରେ ମାର୍କସ ଓ ଏ‌ଞ୍ଜେଲସ ଇତିହାସର ଦୃଷ୍ଟିକୋଣକୁ ବଦଳାଇ ଦେଲେ ଯେତେବେଳେ କୁହାଗଲା ନା ରାଜ୍ୟ ନା ପ୍ରଜା, ସମସ୍ତେ ସମାନ। ଇତିହାସର ଅାଉ ଏକ ମୂଳ ହେଲା ବିଦେଶୀ ପର୍ଯ୍ୟଟକମାନଙ୍କ ଭ୍ରମଣ ବୃତ୍ତାନ୍ତ। ସେମାନେ ଦୁର୍ଲଭ ତଥ୍ୟ ଛାଡ଼ି ଦେଇଛନ୍ତି। ଖ୍ରୀ.ପୂ. ୩୦୦‌େର ଗ୍ରୀକ୍‌ ପରିବ୍ରାଜକ ମେଘାସ୍ଥିନିସ, ତା’ପରେ ଇଜିପଟର ଟୋଲେମି, ଚୀନର ଫା ହ୍ୟାନ ଓ ହୁଏନସାଂ, ମଧ୍ୟପ୍ରାଚ୍ୟର ଆଲବେରୁନି ଭାରତ ପରିଭ୍ରମଣରେ ଆସି ସେମାନଙ୍କ ଭ୍ରମଣର ବିବରଣୀ ଛାଡ଼ି ଯାଇଛନ୍ତି। ଏ ସବୁ ତଥ୍ୟ ଆଧାରରେ ବିଶ୍ବ ଇତିହାସ ଦରବାରରେ ବିଭିନ୍ନ ମତମାନଙ୍କ ମଧ୍ୟରୁ ଏକ ମତ ହେଲା ଭାରତ ଏକ ଗୌରବମୟ ସଭ୍ୟତାର ଅଧିକାରୀ ଥିବା ସତ୍ତ୍ବେ ଭାରତୀୟମାନଙ୍କ ଇତିହାସ ପ୍ରତି ଅନାକର୍ଷଣ ଯୋଗୁଁ ଲିଖିତ ଇତିହାସର ପରମ୍ପରା ଗଢ଼ି ଉଠିନଥିଲା। ଇଂରେଜୀରେ ଯାହା କୁହାଯାଏ sense of history ବ‌ା ଇତିହାସ ପ୍ରତି ଏକ ବୌଦ୍ଧିକ ଅନୁଭବ ଓ ଅନୁରକ୍ତି ନ ଥିଲା।

ଏ ପୃଷ୍ଠଭୂମିରେ ଯେଉଁମାନେ ନୂତନ ଭାରତର ନୂତନ ଇତିହାସ ଲେଖୁଛନ୍ତି, ସେମାନେ ନିଶ୍ଚୟ ଜାଣିଥିବେ ଇତିହାସ ହେଲା ଅତୀତର ବିଭିନ୍ନ ଘଟଣାବଳୀର ଧାରାବାହିକ ଓ ସଠିକ ବିବରଣୀ। ଏଥିରେ କାଳ୍ପନିକ ଘଟଣାବଳୀ, ଲୋକକଥା ବା ଲୋକଗୀତିର ସ୍ଥାନ ନାହିଁ। ଏହା ନିରପେକ୍ଷ ଓ ଦ୍ବନ୍ଦ୍ବାତ୍ମକ ପରିଭା‌ଷାର ଉପରେ ରହିବା ଉଚିତ। ଏ ଶତାବ୍ଦୀର ଆରମ୍ଭରେ ବିଜେପି ନେତା ମୁରଲି ମନୋହର ଯୋଷୀଙ୍କ ପୃଷ୍ଠପୋଷକତାରେ ଲିଖିତ ଭାରତବର୍ଷର ଇତିହାସ ସବୁ ମାନଦଣ୍ଡରେ ବିଫଳ ହୋଇଥିଲା। ତା’ଛଡ଼ା ଓଡ଼ିଶା ଉପରେ ବିବରଣୀ କିଛି ନ ଥିଲା କହିଲେ ଚଳେ। ଗୋଟିଏ ଦିଗରୁ ଇତିହାସର ଏକ ସମାଲୋଚନା ଯଥାର୍ଥ ଅଟେ। ଏହା ହେଲା ଭାରତରେ ଇତିହାସ ଲେଖା ଆରମ୍ଭରୁ ଆଧୁନିକ ଇତିହାସ ପର୍ଯ୍ୟନ୍ତ ବିଭିନ୍ନ ରାଜବଂଶମାନଙ୍କ ପ୍ରଶଂସାରେ ମୁଖରିତ, ମୋଗଲ ଓ ଇଂରେଜୀ ଶାସନରେ ମଧ୍ୟ ଏହା ଶାସକମାନଙ୍କ ଦୃଷ୍ଟିକୋଣକୁ ଅଗ୍ରାଧିକାର ଦେଇଛି। ସ୍ବାଧୀନତା ପ୍ରାପ୍ତି ପରେ ବହୁବର୍ଷ କ୍ଷମତାରେ ଥିବା କଂଗ୍ରେସ ଦଳକୁ ପ୍ରାଧାନ୍ୟ ଦେଇଛି। ଏ ଅଭିଯୋଗ ଛଡ଼ା ଇତିହାସର ପୁନର୍ଲିଖନର ଅନ୍ୟାନ୍ୟ ଯୁକ୍ତି ଜାଣିବା ପାଇଁ ଭାରତ ଇତିହାସର କାଳଖଣ୍ଡକୁ ଯିବାକୁ ହେବ। ନିମ୍ନରେ ପ୍ରବକ୍ତାମାନଙ୍କ ଯୁକ୍ତିର ସାରାଂଶ ଦିଆଗଲା।

ପ୍ରଥମେ ହେଲା ବୈଦିକ ଓ ପୌରାଣିକ ଯୁଗର ଇତିହାସ ଲିଖନ ଆବଶ୍ୟକ। ଏହାର ଭିତ୍ତି କାଳ୍ପନିକ ଛଡ଼ା ଆଉ କିଛି ହୋଇନପାରେ। ଏ ଯୁଗର କେତେକ ଦେବଦେବୀ ଯଥା ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ଐତିହାସିକ ଚରିତ୍ର ରୂପେ ସଂଘ ପରିବାର ଗ୍ରହଣ କରନ୍ତି। ତାହା ହେଲେ ଅନ୍ୟ ଦେବଦେବୀଙ୍କ ଇତିହାସ କ’ଣ? ଆଉ ଶ୍ରୀରାମ ଯଦି ତ୍ରେତୟା ଯୁଗରେ ଜନ୍ମିଥିଲେ, ସଂଘ ପରିବାର ତାଙ୍କୁ ୪ ହଜାର ବର୍ଷକୁ କାହିଁକି ଆଣୁଛନ୍ତି। ଏ ଯୁକ୍ତିର ଅନ୍ୟ ଏକ ଦିଗ ହେଲା ଭାରତ ହେଲା ମୂଳରୁ ଆର୍ଯ୍ୟ ଭୂମି। ଏ ଭୂଖଣ୍ଡରୁ ଅଧିବାସୀମାନେ ଅନ୍ୟ ଦେଶକୁ ଯାଇଥିଲେ। ଏହା ଏପର୍ଯ୍ୟନ୍ତ ଗ୍ରହଣୀୟ ନୁହେଁ। ଡି.ଏନ୍‌.ଏ ପରୀକ୍ଷାରୁ ଜଣାପଡ଼େ ଆର୍ଯ୍ୟ ଡି.ଏନ୍‌.ଏ ମଧ୍ୟ ପ୍ରାଚ୍ୟରୁ ଏକ ଶାଖା ବିହାର ପର୍ଯ୍ୟନ୍ତ ଆସିଛି। ତା’ପରେ ପ୍ରଶ୍ନ ଉଠେ ଆର୍ଯ୍ୟାବର୍ତ୍ତ ସଙ୍ଗେ ଦକ୍ଷିଣାବର୍ତ୍ତର। ଏ ଭୂଖଣ୍ଡର ଅଧିବାସୀ କିଏ? ଶ୍ରୀରାମଙ୍କ ଲଙ୍କା ଅଭିଯାନରେ ଦକ୍ଷିଣ ଦେଶର ବାନର ସେନା କିଏ? ତା’ପରେ କୁହାଯାଉଛି ବର୍ତ୍ତମାନ ଯୁଗରେ ବିଜ୍ଞାନର ଅଦ୍ଭୁତ ପୂର୍ବ ସାଫଲ୍ୟ ତ ଭାରତରେ ଥିଲା। ବିମାନ ଥିଲା, ଅଙ୍ଗ ପ୍ରତିରୋପଣ ଓ କୃତ୍ରିମ ପ୍ରଜନନର ଜ୍ଞାନ ଓ ପ୍ରଚଳନ ଥିଲା। ଗଣେଶ ଓ କର୍ଣ୍ଣ ଜ୍ବଳନ୍ତ ଉଦାହରଣ। ଏସବୁ ଦାବିର ପ୍ରାମାଣିକ ତଥ୍ୟ କାହିଁ? ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେଲା ପରେ ତାଙ୍କ ପ୍ରଥମ ଭାରତୀୟ ବିଜ୍ଞାନ କଂଗ୍ରେସରେ ଏସବୁ ସାଫଲ୍ୟର ପ୍ରାମାଣିକ ତଥ୍ୟ ବିଷୟରେ କହିଲେ, ୮ ବର୍ଷ ବିତିଗଲା। କୌଣସି ଖବର ନାହିଁ, ଚିକିତ୍ସା କ୍ଷେତ୍ରରେ ଆୟୁଷ ମନ୍ତ୍ରାଳୟ ‌ଖୋଲାଗଲା ପ୍ରାଚୀନ ଭାରତର ଉନ୍ନତ ଚିକିତ୍ସା ପ୍ରଣାଳୀର ତଥ୍ୟ ଦାନ ପାଇଁ। କାହିଁ ସେ ତଥ୍ୟ?

ଦ୍ବିତୀୟ କାଳଖଣ୍ଡରେ ଆସୁଛି ବିଭିନ୍ନ ରାଜବଂଶମାନଙ୍କ ଦ୍ବାରା ଭାରତ ଯାହାର ଇତିହାସ ଶିଳାଲିପି ଓ ତାମ୍ରଲିପିମାନଙ୍କରେ ଆବଦ୍ଧ। ତୃତୀୟ ଓ ଚତୁର୍ଥ କାଳଖଣ୍ଡରେ ମୁସଲିମ୍‌ ତଥା ମୋଗଲ ଓ ୟୁରୋପୀୟ ତଥା ଇଂରେଜୀମାନଙ୍କ ରାଜତ୍ବ। ୟୁରୋପୀୟମାନଙ୍କ ରାଜତ୍ବ ସମୟରେ ଇତିହାସ ଲିଖନର ବଳିଷ୍ଠ ପରଂପରା ଆରମ୍ଭ ହୋଇଯାଇଥିଲା। ଶେଷକାଳ ଖଣ୍ଡରେ ଭାରତରେ ଜାତୀୟତାର ଉଦ୍ରେକ, ସ୍ବାଧୀନତା ସଂଗ୍ରାମ ଓ ମାର୍କସବାଦୀ ଇତିହାସର ପ୍ରଭାବ, ଏ କାଳଖଣ୍ଡରେ ଲିଖିତ ଇତିହାସର ତ୍ରୁଟିବିଚ୍ୟୁତି ଆଲୋଚନାଯୋଗ୍ୟ ଯାହା ସଂଘ ପରିବାରର ସଂକୀର୍ଣ୍ଣ ଦୃଷ୍ଟିକୋଣ ଓ ଉଦ୍ଦେଶ୍ୟମୂଳକ ଉତ୍‌ଥାପନ ଯୋଗୁଁ ସତ୍ୟ ଓ ନିରପେକ୍ଷତାକୁ କାଳିମାରେ ଆଚ୍ଛାଦିତ କରୁଛି। ଏହା ମାନିବାକୁ ହେବ ଯେ ଆମ ଇତିହାସରେ ଆଞ୍ଚଳିକ ଇତିହାସ ଉପଯୁକ୍ତ ଭାବେ ସ୍ଥାନ ପାଇ ନାହିଁ,‌ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରସିଦ୍ଧ ରାଜବଂଶମାନେ ତାଙ୍କ ପଦଚିହ୍ନ ଛାଡ଼ିଯାଇଛନ୍ତି। ଦାକ୍ଷିଣାତ୍ୟରେ ଚୋଳ, ପାଣ୍ଡ୍ୟା, ଗୁଜରାଟରେ ଚାଲୁକ୍ୟ, କାଶ୍ମୀର, ପଞ୍ଜାବ ଓ ରାଜସ୍ଥାନରେ ବିଭିନ୍ନ ରାଜବଂଶ, ଆମାସରେ ଅହୋମ, ବଙ୍ଗଳାରେ ପାଳ ଓ ଓଡ଼ିଶାରେ ଖାରବେଳ କିଛି ଉଦାହରଣ। ତା’ପରେ ଆସିବା‌ ଭାରତର ସ୍ବାଧୀନତା ସଂଗ୍ରାମ ଓ ମାର୍କସବାଦୀମାନଙ୍କ ପ୍ରଭାବ। ଏ ସମୟର ଇତିହାସ ସଂଘ ପାଇଁ ଅଗ୍ରହଣୀୟ, ଐତିହାସିକତା ଭିତ୍ତିରେ ନୁହେଁ। ସମଗ୍ର ବିଂଶ ଶତାବ୍ଦୀରେ ସେମାନେ ଅପ୍ରାସଙ୍ଗିକ ହୋଇଗଲେ। ହିନ୍ଦୁତ୍ବର ଆଦ୍ୟଗୁରୁ ସଭରକାର ବ୍ରିଟିସ ସରକାରଙ୍କ ଠାରୁ ରାଜକ୍ଷମା ପାଇ ଜେଲରୁ ମୁକୁଳି ସ୍ବାଧୀନତା ସଂଗ୍ରାମର ଜଣେ ମୁଖ୍ୟ ବିରୋଧୀ ହେଲେ।

ଏ ଶତାବ୍ଦୀରେ ସଂଘ ପରିବାର ବିପୁଳ ବିଜୟ ଲାଭ କରି ଇତିହାସ ପୁନର୍ଲିଖନରେ ଗାନ୍ଧୀଙ୍କ ସ୍ଥାନରେ ସଭରକାରଙ୍କୁ ସ୍ଥା‌ନିତ କରୁଛନ୍ତି। ଯେଉଁ ଯୁକ୍ତି‌େର ଇତିହାସର ପୁନର୍ଲିଖନ ଆରମ୍ଭ ହୋଇଛି ଯେ ଶାସକ ନିଜକୁ ସୁହାଇଲା ଭଳି ଇତିହାସ ଲେଖେ। ସେ ଯୁକ୍ତିକୁ ପ୍ରବକ୍ତାମାନେ କୁଠାରାଘାତ କରୁଛନ୍ତି ଓ ଭାରତ ଇତିହାସ ଲେଖୁଛନ୍ତି ଯାହା ତାଙ୍କ ଦ୍ବାରା ପରିକଳ୍ପିତ ଭାରତର ଏକ ପ୍ରତିଛବି। ଏହାର ଆରମ୍ଭ ହେବ ଏକ କାଳ୍ପନିକ ସମୟରୁ ଓ ଶେଷ ହେବ‌ ଏକ ଅର୍ଦ୍ଧ ସତ୍ୟ ଦସ୍ତାବିଜ ରୂପେ। ମୋଗର ଶାସକ ଆକବରଙ୍କୁ କୁହାଯାଉଥିଲା ଆକବର ଦି ‌େଗ୍ରଟ୍‌। ଏହା ଗ୍ରହଣୀୟ ହେବ କି? ଏବେଠୁ ଗୋଦି ମିଡ଼ିଆରେ ଆକବର କିପରି ଅତ୍ୟାଚାରୀ ଶାସକ ଥିଲେ ପ୍ରଚାର ହେଲାଣି। ୧୯୨୧ରୁ ୧୯୪୭ ଯାଏ ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ ନେଇ ମହାତ୍ମା ଗାନ୍ଧୀ ସମଗ୍ର ବିଶ୍ବରେ ନୂତନ ପୁଲକ ଜାତ କରିଥିଲେ। ବର୍ତ୍ତମାନ ଗଣମାଧ୍ୟମରେ ଆଲୋଚନା ହେଉଛି ଭାରତ ସ୍ବାଧୀନତା ପାଇଲା ସୁଭାଷ ବୋଷଙ୍କ ଆଇ.ଏନ.ଏର ବିଜୟ ଯାତ୍ରା ପାଇଁ ନୁ‌ହଁ, ଭାରତୀୟ ନୌସେନାରେ ବିଦ୍ରୋହ ଯୋଗୁଁ। ଆଉ ଗାନ୍ଧୀ, ସେ ମହାତ୍ମା ହେବାର ଯୋଗ୍ୟ ନୁହନ୍ତି ତାଙ୍କ ଚାରିତ୍ରିକ ଓ ପାରିବାରିକ ଜୀବନ ପାଇଁ, ସଂକୀର୍ଣ୍ଣତାର ଏହା ସେ ରୂପ। ସକ୍ରେଟିସଙ୍କ ପରେ ଗାନ୍ଧୀ ଥିଲେ ଜଣେ ବ୍ୟକ୍ତିତ୍ବ ‌େଯ ତାଙ୍କର ଦର୍ଶନକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ। ତା’ପରେ ଆସିବେ ନେହରୁ, ଭାରତର ସବୁ ସମସ୍ୟା ପାଇଁ ଦାୟୀ, କାଶ୍ମୀର ସମସ୍ୟା, ଭାରତ ବିଭାଜନ ଆଦି, ପ୍ରବକ୍ତାମାନେ ଜାଣି ମଧ୍ୟ କହିବେ ନାହିଁ। ସର୍ଦ୍ଦାର ପଟେଲ କାଶ୍ମୀର ମହାରାଜା ହରିସିଂଙ୍କ ପାକିସ୍ତାନରେ ମିଶିବା ପଦକ୍ଷେପକୁ ପ୍ରଥ‌େମ ସମର୍ଥନ ଜଣାଇଥିଲେ, ଭାରତ ବିଭାଜନ ବେଳେ ପଟେଲ ଏବଂ ନେହରୁ ଥିଲେ ଏକ। ଏପରିକି ନେହରୁଙ୍କ କିଛି ଜିଦ୍‌ର ସମାଧାନ ପାଇଁ ଲର୍ଡ ମାଉଣ୍ଟବାଟେନ ପଟେଲଙ୍କୁ ନିୟୋଜିତ କରିଥିଲେ। ସୁଭାଷ ନେହରୁଙ୍କ ସାମ୍ୟବାଦର ପୂରା ସମର୍ଥକ ଥିଲେ।

ଭାରତୀୟ ସଂସ୍କୃତିର ମହାନ୍‌ ଐତିହ୍ୟ ଅଛି, ଏହା ସତ୍ୟ ଉପରେ ପରିବେଷିତ। ଏଥିରେ ଅଛି ବିଶ୍ବଜନୀନତା, ସହନଶୀଳତା, ଅପାର ବୌଦ୍ଧିକତା ଯାହା ଆମ ସମ୍ବିଧାନରେ ପ୍ରତିଫଳିତ। ହିନ୍ଦୁତ୍ବର ପ୍ରବକ୍ତା ସଭରକାରଙ୍କ ମତରେ ଭାରତ ହେଲା ହିନ୍ଦୁମାନଙ୍କ ଦେଶ। ମୁସଲମାନ ଓ ଖ୍ରୀଷ୍ଟ ସଂପ୍ରଦାୟ ରହି ପାରିବେ କିନ୍ତୁ ସମାନ ହୋଇପାରିବେ ନାହିଁ। ଏହା ତ ସମ୍ବିଧାନ ମୁଖବନ୍ଧର ବିରୋଧୀ। ବର୍ତ୍ତମାନ ହିନ୍ଦୁ ଐତିହ୍ୟ ଓ ମୁସଲିମ ଐତିହ୍ୟ ପ୍ରସଙ୍ଗ ଉଠୁଛି। ପ୍ରବକ୍ତାମାନେ ଭୁଲି ଯାଉଛନ୍ତି ଯେ ଏ ବିଭାଜିତ ମନୋଭାବର ପଛ ଆଡ଼େ ଏକ ଐକ୍ୟର ସ୍ରୋତ ବହି ଚାଲିଛି। ବିଶ୍ବ ଐତିହ୍ୟ ମାନ୍ୟତା ପାଇଥିବା କଲିକତା ଦୁର୍ଗାପୂଜାର ପ୍ରଚ୍ଛଦପଟ୍ଟରେ ଅଛନ୍ତି ଅଗଣିତ ମୁସଲମାନ।

ମୋଦୀଙ୍କ ରାଜ୍ୟ ଗୁଜରାଟର ରାଜଧାନୀ ଅହମଦାବାଦ ଇସ୍‌ଲାମିକ କୀର୍ତ୍ତି ପାଇଁ ବିଶ୍ବ ଐତିହ୍ୟ ମାନ୍ୟତା ପାଇଛି। ଏହାକୁ କ’ଣ ନିଭାଇ ହେବ? ବହୁତ ବର୍ଷ ତଳେ ମୁଁ ସପରିବାର ମଦୁରାଇର ମୀନାକ୍ଷୀ ମନ୍ଦିର ଦର୍ଶନ ପାଇଁ ଗଲାବେଳେ ସ୍ଥାନୀୟ ପୁଲିସ ଅଧିକାରୀ ମୋ ସଙ୍ଗେ ଜଣେ ଅଫିସରଙ୍କୁ ଦେଲେ ମନ୍ଦିର ବୁଲାଇବାକୁ। ଦର୍ଶନ ପରେ ଯେତେବେଳେ ବାହାରକୁ ଆସି ମୁଁ ତାଙ୍କ ନାମ ପଚାରିଲି, ସେ ଥିଲେ ମୁସଲିମ ସମ୍ପ୍ରଦାୟର, ମୁଁ ତାଜୁବ। ୧୦୦ ବର୍ଷ ତଳେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା, ତାହା କେବଳ ସ୍ବାଧୀନତା ସଂଗ୍ରାମ ନ ଥିଲା, ଏକ ସାମାଜିକ ବିପ୍ଳବ ଥିଲା। ଜାତିଭେଦ ହେଉ, ସବର୍ଣ୍ଣ ଅସବର୍ଣ୍ଣ ବିବାଦ ହେଉ, ପୁରୁଷ ଓ ନାରୀଙ୍କ ଭିତରେ ଥିବା ଅସମାନତା ଓ ଚରଖା ମାଧ୍ୟମରେ ଆତ୍ମନିର୍ଭରଶୀଳତା, ସ୍ବାଧୀନତା ସଂଗ୍ରାମର ଅବିଚ୍ଛେଦ୍ୟ ଅଙ୍ଗ ଥିଲା। ରବୀନ୍ଦ୍ରନାଥ ଠାକୁର, ମହାତ୍ମା ଗାନ୍ଧୀ, ନେହରୁ, ପଟେଲ, ଆଜାଦ ଆଦି ମନୀଷୀମାନେ ସେହି ବୈପ୍ଳବିକ ମାନସିକତା ସୃଷ୍ଟି କରିପାରିଥିଲେ। ଅନ୍ୟପକ୍ଷରେ ସଭରକାର, ଗୋଲୱାଲକର, ଦୀନଦୟାଲ ମଧ୍ୟ ଦେଶଭକ୍ତ ଓ ଜ୍ଞାନୀ ଥିଲେ। କିନ୍ତୁ ତାଙ୍କ ମାନସିକତାରେ ରହିଲା ଭାରତ ହିନ୍ଦୁ ରାଷ୍ଟ୍ର, ସେ ସୁବିଧା ନେଇ ଜିନ୍ନା ମୁସଲିମ୍‌ ସମ୍ପ୍ରଦାୟ ପାଇଁ ଗଢ଼ିଲେ ପାକିସ୍ତାନ। ଏ ଦୁଇ ଗୋଷ୍ଠୀଙ୍କ ପାଥେୟ ଥିଲା ସଂକୀର୍ଣ୍ଣ ଧର୍ମାନ୍ଧତା। ପାକିସ୍ତାନର ଅବସ୍ଥା ଦେଖୁଛେ, ତା’ର ବିପରୀତ ଗୋଷ୍ଠୀ ୨୦୧୪ରୁ ଭାରତରେ କ୍ଷମତାସୀନ ରହି ନୂତନ ଭାରତ, ୨୦୧୮ରେ ସୁବର୍ଣ୍ଣଯୁଗ ଓ ୨୦୨୧ରୁ ଅମୃତକାଳରେ ଆମକୁ ଆଣିଛି। ଏସବୁ ଯେପରି ପ୍ରହେଳିକା, ନୂତନ ଇତିହାସ ଲେଖା ସେପରି ପ୍ରହେଳିକାର ପ୍ରତିଫଳନ ହେବ।

୯୮ଏ, ସୂର୍ଯ୍ୟନଗର
[email protected]