ନାଗାର୍ଜୁନ ବେଶର ଇତିହାସ : ପ୍ରାଚୀନତା ତଥାପି ସଂଶୟାଚ୍ଛନ୍ନ

ବେଶର ନାମ ନାଗାର୍ଜୁନ-୯/ ଅସିତ ମହାନ୍ତି

ନଭେମ୍ବର ୨୭ ତାରିଖ, କାର୍ତ୍ତିକ ପଞ୍ଚକର ମଳ ଦ୍ୱାଦଶୀ ତିଥିରେ, ଏ ବର୍ଷର ନାଗାର୍ଜୁନ ବେଶ ସୁଚାରୁରୂପେ ସଂପନ୍ନ ହୋଇଛି । ଏହି ଅବସରରେ, ଏହି ବେଶର ଇତିହାସକୁ ନେଇ ଅନେକ ଆଗ୍ରହ ପ୍ରକାଶ ପାଇଛି ।

ଏହି ବେଶର ପ୍ରାଚୀନତା ତଥାପି ସଂଶୟାଚ୍ଛନ୍ନ । ଏ ନେଇ ଗବେଷକ ଓ ଐତିହାସିକଙ୍କ ମତରେ ଅନେକ ଭିନ୍ନତା ରହିଛି । କେହି କେହି ଗବେଷକ ଜନୈକ ଗଙ୍ଗବଂଶୀ ରାଜାଙ୍କ ସହିତ ଏହି ବେଶର ଐତିହାସିକ ସୂତ୍ର ଯୋଡ଼ିଛନ୍ତି । ସେହି ମତ ଅନୁସାରେ, ବୌଦ୍ଧତନ୍ତ୍ରର ମହାନ ସାଧକ ନାଗାର୍ଜୁନଙ୍କ ଦ୍ୱାରା ଦୀକ୍ଷିତ ହେବା ପରେ, ଶ୍ରୀକ୍ଷେତ୍ରର  ଚକ୍ରକୋଟଠାରେ ସେହି ରାଜା  ମନ୍ତ୍ର-ସାଧନା କରି ପରାକ୍ରମୀ ହୋଇଥିଲେ । ତାହା ପରେ, ସହସ୍ରାର୍ଜୁନ କାର୍ତ୍ତବୀର୍ଯ୍ୟ ମନ୍ତ୍ର ପୁରଶ୍ଚରଣ କରି ସେ ଯୁଦ୍ଧାଭିଯାନ କରିବା ସହିତ ଦିଗ୍‌ବିଜୟୀ ହୋଇଥିଲେ । କାର୍ତ୍ତିକ ପଞ୍ଚକର ଏକ ମଳ ତିଥିରେ ସେହି ଦିଗ୍‌ବିଜୟ ଲାଭ କରିଥିବାରୁ, ତାହାଙ୍କର ଆଜ୍ଞାରେ ଚକ୍ରକୋଟର ଖୁଣ୍ଟିଆ ସେବକ ଏହି ନାଗାର୍ଜୁନ ବେଶ କରିଥିଲେ । କିନ୍ତୁ ଏ ବାବଦରେ କୌଣସି ଐତିହାସିକ ପ୍ରମାଣ ମିଳେ ନାହିଁ ।

ଶ୍ରୀମନ୍ଦିରର ଗବେଷକ ଭାବରେ ଏକଦା କାର୍ଯ୍ୟ କରିଥିଲେ ପଣ୍ଡିତ ସଦାଶିବ ରଥଶର୍ମା। ଏହି ବେଶ ବାବଦରେ ସେ ଦେଇଥିବା ଗୋଟିଏ ମତ ହେଉଛି- ହିମାଚଳ ପ୍ରଦେଶର ଜଣେ ପର୍ଶୁରାମ ଭକ୍ତ ସନାତନ ବ୍ରାହ୍ମଣ ସମାଜର ସହଯୋଗରେ ଏହି ବେଶର ପ୍ରବର୍ତ୍ତନ କରିଥିଲେ । କିନ୍ତୁ ଏ ସଂପର୍କରେ ମଧ୍ୟ କୌଣସି ପ୍ରମାଣ ଇତିହାସରେ ଉପଲବ୍‌ଧ ନୁହେଁ ।

ନାଗା ଭିତ୍ତିଚିତ୍ର, ଜାଗାଘର, ପୁରୀ,୧୯୮୦; ଫଟୋ ସୌଜନ୍ୟ: ଜେ. ପି. ଦାସ

କିନ୍ତୁ ପୁରୀର ସ୍ଥାନୀୟ ଇତିହାସରୁ ସୂଚନା ମିଳେ ଯେ ପୁରୀରେ ସାହିଯାତର ପ୍ରବର୍ତ୍ତନ ପରେ ଏହି ପରଶୁରାମାତ୍ମକ ବେଶର ଅୟମାରମ୍ଭ ହୋଇଛି । ଗଜପତି ରାଜାଙ୍କ ପ୍ରତ୍ୟକ୍ଷ ଆର୍ଥିକ ସହାୟତାରେ ପୁରୀରେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଜାଗା / ଆଖଡ଼ାଗୁଡ଼ିକର ପ୍ରବର୍ତ୍ତନ ହୋଇଥିଲା । ତାହାରି ବୀରତ୍ୱ ବ୍ୟଞ୍ଜକ, ସାଂସ୍କୃତିକ ପ୍ରଦର୍ଶନ ସାହିଯାତର ବିଭିନ୍ନ ବେଶ । ପରେ ଗଜପତିଙ୍କ ବକ୍ସି ବା ବିଭିନ୍ନ ସାଧୁ, ସନ୍ଥଙ୍କ ଦ୍ୱାରା ମଧ୍ୟ ଅନେକ ଜାଗା / ଆଖଡ଼ା ପ୍ରତିଷ୍ଠା ହୋଇ, ଏହି ପରମ୍ପରାକୁ ସମୃଦ୍ଧ କରିଥିଲା । ତାହା ହୋଇଥିଲା ସମରକଳା ଓ ଗାନ୍ଧର୍ବକଳାର ପାରମ୍ପରିକ କ୍ଷେତ୍ର । ସେହି ସାହିଯାତର ବିଭିନ୍ନ ଚରିତ୍ର ଓ ବେଶଭୂଷା ମଧ୍ୟରେ ପରଶୁରାମ ଓ ନାଗା ଥିଲା ପ୍ରମୁଖ । ନାଗା ସଂପ୍ରଦାୟ ଥିଲା ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରବର୍ତ୍ତିତ ଦଶନାମୀ ସଂପ୍ରଦାୟର ଏକ ଅଙ୍ଗ । ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ସହିତ ତାହାର ସଂପର୍କ ରହିଛି ବୋଲି ଅନେକଙ୍କର ମତ । କିନ୍ତୁ ସେ ସଂପର୍କରେ ମଧ୍ୟ କୌଣସି ପ୍ରାମାଣିକ ନଥିପତ୍ର ଉପଲବ୍‌ଧ ନୁହେଁ ।

ଏପରିକି, ୧୮୬୮ ମସିହାରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଭାବରେ ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲେ ମଧ୍ୟ, ସେଥିରେ ଏ ସଂପର୍କରେ କୌଣସି ସମ୍ବାଦ ମିଳେ ନାହିଁ । ତେଣୁ ଅନେକେ ଏହାକୁ ବହୁ ପରବର୍ତ୍ତୀ କାଳରେ ବେଶ ବୋଲି କହନ୍ତି। ରାଜ୍ୟ ସରକାର ଶ୍ରୀମନ୍ଦିରର ପ୍ରଶାସନ ହାତକୁ ନେବା ପୂର୍ବର କୌଣସି ନଥିପତ୍ର ମଧ୍ୟ ଏବେ ଉପଲବ୍‌ଧ ନୁହେଁ ।

ସମ୍ବନ୍ଧିତ ଖବର