ଏକଦା ପୁରୁଷ-ପ୍ରଧାନ ଇଞ୍ଜିନିୟରିଙ୍ଗ୍ କ୍ଷେତ୍ର ମହିଳାମାନଙ୍କ ପାଇଁ ଥିଲା ନିଷିଦ୍ଧାଞ୍ଚଳ। କିନ୍ତୁ, ଜୀବନର ନିଃସଙ୍ଗତା ଓ ଅସରନ୍ତି ଦୁଃଖରୁ ମୁକ୍ତି ପାଇବାକୁ ଜଣେ ସ୍ବଳ୍ପ ବୟସ୍କା ବିଧବା ପ୍ରଥମେ ସେ ନିଷିଦ୍ଧ କ୍ଷେତ୍ରରେ ପ୍ରବେଶ କଲେ। ତାଙ୍କ ଯୋଗୁଁ ଆଉ ଦୁଇଜଣ ମହିଳା ବି ସେ କ୍ଷେତ୍ରରେ ପ୍ରବେଶ କଲେ। ତିନି ଜଣ ଇଞ୍ଜିନିୟରିଙ୍ଗ୍ରେ ସ୍ନାତକ କରି ଉଚ୍ଚ ପଦପଦବିରେ ରହି ଦେଶର ନାରୀମାନଙ୍କ ପାଇଁ ସାଜିଲେ ଉତ୍କୃଷ୍ଟ ଉଦାହରଣ। କ୍ରମେ ଉତ୍ତର ପିଢ଼ିର ମହିଳାଙ୍କ ଲାଗି ସେ କ୍ଷେତ୍ର ଆଉ ନିଷିଦ୍ଧ କ୍ଷେତ୍ର ହୋଇ ରହିଲା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାକ୍ ସ୍ବାଧୀନତା ସମୟ। ସେ ସମୟରେ ବାଲ୍ୟବିବାହ ପ୍ରଥା ଚାଲୁଥିଲା। ତତ୍କାଳୀନ ମାଡ୍ରାସ୍ ପ୍ରେସିଡେନ୍ସିର ଗିଣ୍ଡୀସ୍ଥିତ ଇଂଜିନୟରିଂ କଲେଜରେ ଅଧ୍ୟାପନା କରୁଥିବା ପ୍ରଫେସର ପପ୍ପୁ ସୁବା ରାଓ ପ୍ରଥାନୁଯାୟୀ ମାତ୍ର ୧୫ ବର୍ଷ ବୟସରେ କନ୍ୟା ଲଳିତା ଅୟଲାସୋମାୟାଜୁଲାଙ୍କୁ ବାହା କରାଇଥିଲେ। ଦୁର୍ଯୋଗକୁ ବାହାଘରର ୩ ବର୍ଷ ପରେ ୧୯୩୭ ମସିହାରେ ଲଳିତା ବିଧବା ହୋଇଗଲେ। ଶାଶୂଘରୁ ବାପଘରକୁ ଫେରିଆସିଲେ ସେ। ମାତ୍ର ୧୮ ବର୍ଷ ବୟସରେ ବିଧବା ହୋଇଥିବା ଲଳିତାଙ୍କ ଜୀବନ ନିଃସଙ୍ଗ ଓ ବେଦନାଭରା ହୋଇପଡ଼ିଲା। ପୁଣି ମୁଣ୍ଡରେ ୪ ମାସର ଝିଅକୁ ଲାଳନପାଳନ କରିବାର ବୋଝ। ତେଣେ ଲଣ୍ଡିତା ହୋଇ ସମାଜରୁ ଏକ ପ୍ରକାର ନିର୍ବାସିତା ହେବା ଭଳି କଟକଣା କମ୍ ଦୁଃଖଦାୟକ ନ ଥିଲା। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ଲଳିତାଙ୍କ ମନ ଏଭଳି ଜୀବନକୁ ବରଦାସ୍ତ କରିପାରୁ ନ ଥିଲା। ଚେନ୍ନାଇରେ ଅବସ୍ଥାପିତ ଏକ ମଧ୍ୟବିତ୍ତ ତେଲୁଗୁ ପରିବାରରେ ୧୯୧୯ରେ ଜନ୍ମିତା ଲଳିତା ଥିଲେ ଘରର ୭ ସନ୍ତାନଙ୍କ ମଧ୍ୟରେ ୫ମ। ତାଙ୍କର ଭାଇମାନେ ଉଚ୍ଚଶିକ୍ଷିତ ହୋଇଥିବା େବଳେ ଭଉଣୀମାନଙ୍କ ପାଠପଢ଼ା ମୌଳିକ ଶିକ୍ଷାରେ ସୀମିତ ଥିଲା। ପାଠପଢ଼ି ବାପା ଓ ଭାଇମାନେ ଇଂଜିନିୟର ହୋଇଥିଲେ। ତେଣୁ ସେ ମଧ୍ୟ ଇଞ୍ଜିନିୟରିଙ୍ଗ୍ ପଢ଼ିବାକୁ ସ୍ଥିରକଲେ। ଏଥିପାଇଁ ତାଙ୍କୁ ବାପାଙ୍କ ସମର୍ଥନ ବି ମିଳିଲା। ପ୍ରଥମେ ସେ ଡାକ୍ତରୀ ପଢ଼ିବାକୁ ଚାହୁଁଥିଲେ। କିନ୍ତୁ ଦିନରାତି ୨୪ ଘଣ୍ଟା ରୋଗୀ ସେବା କରିବାକୁ ଡାକ୍ତରମାନଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ପଡୁଥିବାରୁ ଲଳିତା ସେ ଚିନ୍ତାରୁ ଓହରିଗଲେ। ସେତେବେଳେ ଝିଅମାନେ ଇଞ୍ଜିନିୟରିଙ୍ଗ୍ ପଢୁ ନ ଥିଲେ। ଝିଅର କଥା ରଖିବା ଲାଗି ମାଡ୍ରାସ ବିଶ୍ବବିଦ୍ୟାଳୟ ଅଧୀନସ୍ଥ କଲେଜ୍ ଅଫ୍ ଇଞ୍ଜିନିୟରିଙ୍ଗ୍, ଗିଣ୍ଡି (ସିଇଜି)ରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଙ୍ଗ୍ ବିଭାଗର ପ୍ରଫେସର୍ ଥିବା ସୁବ୍ବା ରାଓ କଲେଜର ଅଧ୍ୟକ୍ଷ କେ ସି ଚାକୋ ଏବଂ ପବ୍ଲିକ୍ ଇନ୍ଷ୍ଟ୍ରକ୍ସନ୍ର ନିର୍ଦ୍ଦେଶକ ଆର୍ ଏମ୍ ଷ୍ଟାଟ୍ହାମ୍ଙ୍କ ସହ ଏ ବିଷୟ ଆଲୋଚନା କଲେ। ‘ସିଇଜି’ରେ ଲେଖାଗଲା ନୂଆ ଇତିହାସ। ପ୍ରଥମ କରି ଜଣେ ମହିଳାଙ୍କୁ ନାମ ଲେଖାଇବା ଲାଗି ଦୁଇ ଶୀର୍ଷ ଅଧିକାରୀ ସମ୍ମତି ଦେଲେ।
ରାଜ୍ୟର ପ୍ରଥମ ମହିଳା ଇଂଜିନିୟର ସୁଧୀରା
ତତ୍କାଳୀନ ସାମାଜିକ ପ୍ରଥାକୁ ପ୍ରତିହତ କରି ମହିଳାଙ୍କ ନିମନ୍ତେ ନିଷିଦ୍ଧ ଥିବା କ୍ଷେତ୍ର ଇଞ୍ଜିନିୟରିଙ୍ଗ୍ରେ ପ୍ରବେଶ କରିଥିବା ପ୍ରଥମ ଓଡ଼ିଆ ମହିଳା ହେଉଛନ୍ତି ସୁଧୀରା ଦାସ। ଶୈଶବକାଳରୁ ଗଣିତ ପ୍ରତି ଥିବା ଝୁଙ୍କ୍ ହିଁ ତାଙ୍କୁ ଇଞ୍ଜିନିୟରିଙ୍ଗ୍ କ୍ଷେତ୍ରକୁ ବାଟ କଢ଼ାଇ ନେଇଥିଲା। ୧୯୩୨ରେ କଟକରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମିତା ସୁଧୀରା ୧୯୫୧ରେ ରେଭେନ୍ସା କଲେଜରୁ ବିଜ୍ଞାନରେ ସ୍ନାତକ ଶେଷ କରି ସେ କୋଲ୍କାତାସ୍ଥିତ ୟୁନିଭର୍ସିଟି ଅଫ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜିରେ ଇଞ୍ଜିନିୟରିଙ୍ଗ୍ ପଢ଼ିଲେ। ୧୯୫୬ରେ ରେଡିଓଫିଜିକ୍ସରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ ସୁଧୀରା ୧୯୫୭ରେ ଓଡ଼ିଶା ସରକାରଙ୍କ ପରିଚାଳିତ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲରେ (ଉମାଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ୍) ଅଧ୍ୟାପିକା ଭାବେ ଯୋଗଦେଲେ। ଏହାପରେ ସେ ରାଉରକେଲା ଓମେନ୍ସ୍ ପଲିଟେକ୍ନିକ୍ ଓ ଅନ୍ୟ ଇଞ୍ଜିନିୟରିଙ୍ଗ୍ କଲେଜରେ ଅଧ୍ୟାପନା କରିବା ସହିତ ମହିଳାମାନଙ୍କ ଲାଗି ଭୁବନେଶ୍ବରରେ ‘ଓମ୍ୟାନ୍ସ୍ ପଲିଟେକ୍ନିକ୍’ର ସ୍ଥାପନା କରିଥିଲେ। ୨୦୧୫ ଅକ୍ଟୋବର ୩୦ ତାରିଖରେ କଟକରେ ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା।
୧୯୪୦ ମସିହାରେ କଲେଜରେ ନାଁ ଲେଖାଇଲେ ଲଳିତା। କିଛି ମାସ ହଷ୍ଟେଲ୍ରେ ରହି ପଢ଼ାପଢ଼ି କରିବା ପରେ ଲଳିତା ନିଃସଙ୍ଗବୋଧ କଲେ ଏବଂ ଏ କଥା ବାପାଙ୍କୁ ଜଣାଇଲେ। କଲେଜରେ ଆହୁରି ଝିଅ ନାଁ ଲେଖାଇବା ଆବଶ୍ୟକ ବୋଲି ମନେ କରି ପ୍ରକାଶ୍ୟରେ ନାମଲେଖା ଘୋଷଣା କଲେ ସୁବ୍ବା ରାଓ। ଫଳରେ ଲୀଳାମ୍ମା ଜର୍ଜ ଓ ପି କେ ଥ୍ରେସିଆ ନାମ୍ନୀ ଦୁଇଟି ଝିଅ ଆସି ସିଭିଲ୍ ଇଞ୍ଜିନିୟରିଙ୍ଗ୍ ପାଠ୍ୟକ୍ରମରେ ନାଁ ଲେଖାଇଲେ।
୧୯୪୪ରେ ଇଞ୍ଜିନିୟରିଙ୍ଗ୍ ପଢ଼ା ଶେଷ କରି ଲଳିତା ହେଲେ ଭାରତର ପ୍ରଥମ ମହିଳା ଇଞ୍ଜିନିୟର୍। ୨୦ ବର୍ଷର ଚାକିରି ଜୀବନରେ ସେ ସେଣ୍ଟ୍ରାଲ୍ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍, ଆସୋସିଏଟେଡ୍ ଇଲେକ୍ଟ୍ରିକାଲ୍ ଇଣ୍ଡଷ୍ଟ୍ରିଜ୍ ଓ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଇନ୍ଷ୍ଟିଟ୍ୟୁସନ୍ରେ କାମ କରିଥିଲେ। ଏଥିସହ, ଜାତିସଂଘର ପରାମର୍ଶଦାତା ଏବଂ ଶ୍ରୀଲଙ୍କା, ନେପାଳ ଓ ବାଂଲାଦେଶର କେତେକ ଇଞ୍ଜିନିୟରିଙ୍ଗ୍ ପ୍ରକଳ୍ପରେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ୧୯୬୪ରେ ନ୍ୟୁୟର୍କ ୱାଲର୍ଡସ୍ ଫେୟାର୍ରେ ଆୟୋଜିତ ‘ଫାଷ୍ଟ୍ ଇଣ୍ଟର୍ନ୍ୟାସ୍ନାଲ୍ କନ୍ଫରେନ୍ସ୍ ଅଫ୍ ଓମେନ୍ ଇଞ୍ଜିନିୟର୍ସ ଏଣ୍ଡ୍ ସାଇଣ୍ଟିଷ୍ଟ୍ସ୍’କୁ ଆମନ୍ତ୍ରିତ ହୋଇ ସେ ଭାରତର ପ୍ରତିନିଧିତ୍ବ କରିଥିଲେ।
ସେପଟେ ତାଙ୍କର ସହପାଠୀ ଲୀଳାମ୍ମା ଜର୍ଜ କୋଶି ୧୯୪୪ରେ ସିଇଜିରୁ ୧୯ ବର୍ଷ ବୟସରେ ସିଭିଲ୍ ଇଞ୍ଜିନିୟରିଙ୍ଗ୍ରେ ଡିଗ୍ରି ହାସଲ କରିଥିଲେ। ଏହାପରେ ପବ୍ଲିକ୍ ୱାର୍କସ୍ ଡିପାର୍ଟମେଣ୍ଟ୍ରେ ଯୋଗ ଦେଇ ସେ କେରଳର ପ୍ରଥମ ମହିଳା ଇଞ୍ଜିନିୟର୍ ହେବାର ଗୌରବ ଅର୍ଜନ କରିଥିଲେ। ପରେ ତ୍ରାଭାଙ୍କୋର୍ ମହାରାଣୀଙ୍କ ଆର୍ଥିକ ସହାୟତାରେ ଇଂଲଣ୍ଡ୍ ଯାଇ ସେ ଟାଉନ୍ ପ୍ଲାନିଙ୍ଗ୍ ପଢ଼ିଥିଲେ। ସେହିପରି ୧୯୪୪ରେ ସିଇଜିରୁ ସିଭିଲ୍ ଇଞ୍ଜିନିୟରିଙ୍ଗ୍ରେ ସ୍ନାତକ ଶେଷକରି ପବ୍ଲିକ୍ ୱାର୍କସ୍ ଡିପାର୍ଟମେଣ୍ଟ୍ରେ ଚିଫ୍ ଇଞ୍ଜିନିୟର୍ ହୋଇଥିବା ପି କେ ଥ୍ରେସିଆ ଥିଲେ ଏସିଆ ମହାଦେଶର ପ୍ରଥମ ମହିଳା। ଇଞ୍ଜିନିୟରିଙ୍ଗ୍ କ୍ଷେତ୍ରରେ ଅବଦାନ ଥିବା ସମଗ୍ର ବିଶ୍ବର ମହିଳା ଇଞ୍ଜିନିୟର୍ମାନଙ୍କର ଉଲ୍ଲେଖନୀୟ କୃତିତ୍ବ ଓ ଅବଦାନର ସ୍ମୃତିଚାରଣ କରିବାକୁ ପ୍ରତିବର୍ଷ ଜୁନ୍ ୨୩ ତାରିଖରେ ପାଳିତ ହୁଏ ଆନ୍ତର୍ଜାତିକ ମହିଳା ଇଞ୍ଜିନିୟରିଙ୍ଗ୍ ଦିବସ। ତତ୍କାଳୀନ ସମାଜର ପ୍ରତିବନ୍ଧକ ଓ ଅନ୍ୟାନ୍ୟ ଅସୁବିଧାକୁ ଅତିକ୍ରମ କରି ଇଞ୍ଜିନିୟରିଙ୍ଗ୍ କ୍ଷେତ୍ରରେ ପ୍ରବେଶ କରିଥିବା ଲଳିତାଙ୍କ ଭଳି ମହିଳାମାନେ ନୂତନ ପିଢ଼ିଙ୍କୁ ପ୍ରେରିତ କରନ୍ତି।