‘ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା’ ବନାମ ‘ସ୍ମାରକୀ ନିର୍ମାଣ’। ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ‘ପାଇକ ବିଦ୍ରୋହ’। ଏ ସମ୍ପର୍କରେ ଅକ୍ଷୟ ସ୍ବାଇଁଙ୍କ ସ୍ବତନ୍ତ୍ର ଉପସ୍ଥାପନା...

Advertisment

ଓଡ଼ିଆ ଜାତିର ଅସ୍ମିତା ଓ ଗର୍ବ‌େଗୗରବ କୁହାଯାଉଥିବା ‘ପାଇକ ବିଦ୍ରୋହ’କୁ ନେଇ ନିକଟରେ ରାଜନୈତିକ ସ୍ତରରେ ଜୋର୍‌ ଧରିଥିଲା ଚର୍ଚ୍ଚା। ଏହି ପ୍ରସଙ୍ଗରେ ଦୁଇ ପ୍ରମୁଖ ଦଳ ମଧ୍ୟରୁ ବିଜେଡି ‘ପାଇକ ବିଦ୍ରୋହ’କୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରିଥିବା ‌େବଳେ ‘ପାଇକ ବିଦ୍ରୋହ ସ୍ମାରକୀ’ କାର୍ଯ୍ୟକୁ ଦିଗହରା କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିବା ଅଭିଯୋଗ ଆଣିଥିଲା ବିଜେପି। ଫଳରେ, ବୀର ପାଇକଙ୍କ ବୀରତ୍ବର ଗାଥା ବହନ କରୁଥିବା ଏହି ଐତିହାସିକ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ନିୟମିତ ବ୍ୟବଧାନରେ ବି ଏହି ଚର୍ଚ୍ଚା ଲାଗିରହିଛି।

୧୮୧୭ ମସିହାରେ ‘ପାଇକ ବିଦ୍ରୋହ’ ହୋଇଥିଲା। ପାଠକେ ଜାଣିଥିବେ, ୧୮୦୩ ମସିହାରେ ଇଂରେଜମାନେ ମରହଟ୍ଟାମାନଙ୍କୁ ପରାସ୍ତ କରି ଓଡ଼ିଶାକୁ ତାଙ୍କ ଶାସନାଧୀନ କରିଥିଲେ। ଖୋର୍ଦ୍ଧା ରାଜାଙ୍କର ମନ୍ତ୍ରୀ ଜୟୀ ରାଜଗୁରୁଙ୍କ ନେତୃତ୍ବରେ ପାଇକମାନେ ୧୮୦୪ ମସିହାରେ ଚାରିଟି ପ୍ରଗଣାର ଅଧିକାରକୁ ନେଇ ଇଂରେଜମାନଙ୍କ ବିରୋଧରେ ଯୁଦ୍ଧକରି ଜୟଲାଭ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଆଧୁନିକ ଅସ୍ତ୍ରଶସ୍ତ୍ର ସଜ୍ଜିତ ଇଂରେଜମାନଙ୍କ ଆକ୍ରମଣ ଯୋଗୁଁ ରାଜା ପରାଜିତ ହୋଇଥିଲେ। ରାଜା ମୁକୁନ୍ଦଦେବ ଏବଂ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରାଯାଇଥିଲା। ଏହାପରେ ୧୮୦୬ ମସିହାରେ ଜୟୀ ରାଜଗୁରୁଙ୍କୁ ନିର୍ମମ ଭାବେ ଫାଶୀ ଦିଆଯାଇଥିଲା। ଇଂରେଜମାନେ ଭାବିଥିଲେ ବିପ୍ଳବ ଶାନ୍ତ ପଡ଼ିଗଲା। ତେଣୁ ରାଜାଙ୍କୁ ମୁକ୍ତକରି ଶ୍ରୀମନ୍ଦିରର ସମସ୍ତ ଦାୟିତ୍ବ ଦେଇଥିଲେ। ମ‌ାତ୍ର ପରାଜୟର ଗ୍ଳାନିରେ ଜଳୁଥିବା ପାଇକ ଜାତି ଭିତରେ ଇଂରେଜମାନଙ୍କ ପ୍ରତି ପ୍ରତିଶୋଧର ନିଆଁ ପୁଣିଥରେ ଜଳିଉଠିଥିଲା। ୧୮୧୭ ମସିହାରେ ଇଂରେଜ ସରକାର ବିରୋଧରେ ପାଇକ ବିଦ୍ରୋହ ତେଜି ଉଠିଥିଲା। ଏହାକୁ ପାଇକ ବିଦ୍ରୋହ କୁହାଯାଉଥିଲେ ହେଁ ପ୍ରକୃତରେ ଏହା ଥିଲା ଭାରତର ପ୍ରଥମ ସଶସ୍ତ୍ର ମୁକ୍ତି ସଂଗ୍ରାମ। ଏହାର ନେତୃତ୍ୱ ନେଇଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ। ସେ ଖୋର୍ଦ୍ଧା ରାଜାଙ୍କର ସେନାପତି ଥିଲେ। ପାଇକ ସର୍ଦ୍ଦାରମାନଙ୍କ ସମ୍ମିଳିତ ସହଯୋଗରେ ୧୮୧୭ ମସିହାରେ ସେ ପାଇକ ବିଦ୍ରୋହର ନେତୃତ୍ୱ।

ନେଇଥିଲେ। ଇଂରେଜମାନଙ୍କର କଠୋର ଦମନ ନୀତି ସତ୍ତ୍ୱେ ବକ୍ସିଙ୍କ ବୀରତ୍ୱ ଓ ପାଇକମାନଙ୍କର ମିଳିତ ସଂଘର୍ଷ ଯୋଗୁଁ ବିଦ୍ରୋହ ଦମନ କରିବା ସହଜ ହୋଇ ନ ଥିଲା। ଦୀର୍ଘଦିନ ଧରି ସଂଗ୍ରାମ ଚାଲୁ ରଖିବା ପରେ ଅନେକ ପାଇକ ସର୍ଦ୍ଦାର ଧରାପଡ଼ି ଦ୍ୱୀପାନ୍ତର ଦଣ୍ଡ ଭୋଗିଥିଲେ। ବହୁଦିନ ଜଙ୍ଗଲରେ ଲୁଚି ସଂଘର୍ଷ କରିବା ପରେ ବକ୍ସି ନିଜେ ଆତ୍ମସମର୍ପଣ କରିଥିଲେ। ୧୮୫୭ ମସିହା ସିପାହୀ ବିଦ୍ରୋହର ପ୍ରାୟ ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ଓଡ଼ିଶାରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିଲା। ବୀର ଓଡ଼ିଆ ପାଇକମାନେ ସେମାନଙ୍କର ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରି ଓଡ଼ିଶା ମାଟିରୁ ଫିରିଙ୍ଗି ଶାସକମାନଙ୍କୁ ହଟାଇବା ନିମନ୍ତେ ତରବାରୀ ଧରିବା ପାଇଁ ପଶ୍ଚାତ୍‌ପଦ ହୋଇ ନ ଥିଲେ। ଯାହାଫଳରେ ଫରିିଙ୍ଗି ଶାସନର ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ତେବେ ଇଂରେଜମାନଙ୍କ ଆଧୁନିକ ଅସ୍ତ୍ରଶସ୍ତ୍ର ପାଖରେ ଓଡ଼ିଆ ପାଇକମାନଙ୍କର ହାତହତିଆର ତିଷ୍ଠି ପାରିଲା ନାହିଁ। ବିଦ୍ରୋହ ବିଫଳ ହେଲା। ବକ୍ସି ଧରାପଡ଼ିଗଲେ। ୧୮୨୫ରୁ ୧୮୨୯ ଯାଏ ନ‌ଜରବନ୍ଦୀ ଭାବରେ ରହି ଶେଷନିଃଶ୍ୱାସ ତ୍ୟାଗ କଲେ।

ଏହି ‘ପାଇକ ବିଦ୍ରୋହ’ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ। ଏହି ବିଦ୍ରୋହକୁ ସ୍ବାଧୀନତାର ପ୍ରଥମ ସଂଗ୍ରାମର ମାନ୍ୟତା ଦେବା ପାଇଁ ବିଜେଡି ଦାବି କରି ଆସୁଛି। ଏଥିପାଇଁ ୨୦୧୭ ମସିହା ଜୁଲାଇ ୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ସଂକଳ୍ପ ପାରିତ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଏକ ପତ୍ର ଲେଖିଥିଲେ। ସେହିବର୍ଷ ଜୁଲାଇ ୨୦ରେ ନୂଆଦିଲ୍ଲୀଠାରେ ପାଇକ ବିଦ୍ରୋହ ଶତାବ୍ଦୀ ସମାରୋହକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ସେବେଠାରୁ ‘ପାଇକ ବିଦ୍ରୋହ’କୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଏବଂ ବିଦ୍ରୋହର ଅନ୍ୟତମ କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ସ୍ମୃତିରେ ‘ବକ୍ସି ଏକ୍ସପ୍ରେସ୍‌’ ଚଳାଚଳ ପାଇଁ ଦାବି କରିଆସୁଛି। ତେବେ, ‘ପାଇକ ବିଦ୍ରୋହ’କୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାର ମନା କରି ଦେଇଛନ୍ତି। ୨୦୨୧ ମସିହା ଡିସେମ୍ବରରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ ସ୍ପଷ୍ଟ ଭାବେ କହିଥିଲେ ଯେ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ (ଆଇସିଏଚ୍‌ଆର୍‌) ପକ୍ଷରୁ ଏହି ପ୍ରସଙ୍ଗରେ ମିଳିଥିବା ରିପୋର୍ଟ ଅନୁସାରେ ପାଇକ ବିଦ୍ରୋହକୁ ସ୍ବାଧୀନତାର ପ୍ରଥମ ସଂଗ୍ରାମ କୁହାଯାଇପାରିବ ନାହିଁ। ଐତିହାସିକ ଦୃଷ୍ଟିକୋଣରୁ ୧୮୧୭ ମସିହାରୁ ୧୮୨୫ ମସିହା ପର୍ଯ୍ୟନ୍ତ ଚାଲିଥିବା ପାଇକ ବିଦ୍ରୋହ ଭବିଷ୍ୟତର ଆନ୍ଦୋଳନ ପାଇଁ ମାର୍ଗ ଦେଖାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଅଷ୍ଟମ ଶ୍ରେଣୀ ଇତିହାସ ପାଠ୍ୟ ପୁସ୍ତକରେ ଏହାକୁ ‘କେସ୍‌ ଷ୍ଟଡି’ ସ୍ଥାନ ଦିଆଯାଇଛି। ଏହା ସତ୍ତ୍ବେ ବିଜେଡି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛି।

ଅପରପକ୍ଷେ, ‘ପାଇକ ବିଦ୍ରୋହ ସ୍ମାରକୀ’ ପ୍ରସଙ୍ଗ ଉଠାଇଛି ବିଜେପି। ୨୦୧୯ ମସିହା ଡିସେମ୍ବର ୮ ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏହି ସ୍ମାରକୀ ନିର୍ମାଣ ପାଇଁ ୫୦ ଏକର ଜମିର ଆବଶ୍ୟକତା ଥିବା ବେଳେ ରାଜ୍ୟ ସରକାର ଦେଇଛନ୍ତି ମାତ୍ର ୯.୫ ଏକର। ଫଳରେ, ଇତିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କାମ ଆଗେଇପାରିନି। କିଛିିଦିନ ତଳେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ବିଜେପି ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଥିଲା ଯେ ୨୦୧୭ ମସିହାରୁ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ କ୍ରମାଗତ ଭାବେ ଚିଠି ଲେଖି ଆସୁଛି। ଏହା ସତ୍ତ୍ବେ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଉନାହାନ୍ତି।

‘ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା’ ଏବଂ ‘ପାଇକ ବିଦ୍ରୋହ ସ୍ମାରକୀ’ ନିର୍ମାଣ- ଏହି ଦୁଇଟି ପ୍ରସଙ୍ଗର ଗୁରୁତ୍ବ ଥିବାବେଳେ ଆଗାମୀ ଦିନରେ ଏହା କେତେଦୂର ବାସ୍ତବତାର ସ୍ପର୍ଶ ପାଉଛି, ତାହା ଦେଖିବାକୁ ବାକି ରହିଲା।

ଏହା ସତ ଯେ ଇତିହାସ କେବେ ପାଠ୍ୟପୁସ୍ତକ ବିଷୟରେ ସ୍ଥାନ ପାଇଥାଏ କିମ୍ବା ଆଲୋଚନା, ପର୍ଯ୍ୟାଲୋଚନା ଅଭାବରୁ କରାଳ ଗର୍ଭରେ ଲୀନ ହୋଇଯାଏ। ହେଲେ, ସେହି ଇତିହାସକୁ କଷଟି ପଥର ଭଳି ଯେତେ ମାଜିଲେ ଯେ ଚିକ୍‌ଚିକ୍‌ କ‌ରିଥାଏ, ତାହାର ଜ୍ବଳନ୍ତ ଉଦାହରଣ ହେଉଛି ‘ପାଇକ ବିଦ୍ରୋହ’। ଏହା ଏବେ ଆଲୋଚନାର କେନ୍ଦ୍ରସ୍ଥଳୀ, ବିବଦମାନ ପରିସ୍ଥିତି ଭିତରେ ରହୁ ପଛକେ।

‘ଭାରତର ପ୍ରଥମ ଜାତୀୟ ସଂଗ୍ରାମ’

ଭାରତ ଇତିହାସରେ ଏପର୍ଯ୍ୟନ୍ତ ଯଥୋଚିତ ସ୍ଥାନ ପାଇନି ପାଇକ ବିଦ୍ରୋହ। ପାଇକ ବିଦ୍ରୋହର ଠିକ୍‌ ୪୦ ବର୍ଷ ପରେ ସିପାହୀ ବିଦ୍ରୋହ ରଚିତ ହୋଇଥିଲା। ବିନାୟକ ଦାମୋଦର ସାବରକର ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ସାବ୍ୟସ୍ତ କରି ଏକ ପୁସ୍ତକ ରଚନା କରିଥିଲେ। ତାଙ୍କୁ ସମର୍ଥନ କରିଥିଲେ ଲବ୍ଧପ୍ରତିଷ୍ଠ ଐତିହାସିକ ଅଶୋକ ମେହେଟ୍ଟା ଓ ଏସ୍‌.ଏନ୍‌. ସେନ୍‌। ଯଦି ପାଇକ ବିଦ୍ରୋହ ଓ ସିପାହୀ ବିଦ୍ରୋହର ଏକ ତୁଳନାତ୍ମକ ବିଚାର କରାଯାଏ, ତେବେ ୧୮୧୭ ପାଇକ ବିଦ୍ରୋହ ଥିଲା ୧୮୫୭ ମସିହାରେ ସଂଘଟିତ ସିପାହୀ ବିଦ୍ରୋହଠାରୁ ଅଧିକ ବ୍ୟାପକ ଓ ଅଧିକ ଗୁରୁତ୍ବପୂର୍ଣ୍ଣ। ସିପାହୀ ବିଦ୍ରୋହର ଅବସାନରେ ମଙ୍ଗଳ ପାଣ୍ଡେଙ୍କୁ ଫାଶୀ, ତାନ୍ତିଆ ଟୋପେଙ୍କୁ ମୃତ୍ୟୁଦଣ୍ଡ ଦେବାସହ ବାହାଦୁର ଶାହା ଜାଫରଙ୍କୁ ନିର୍ବାସନ ଦଣ୍ଡ ଦିଆଗଲା। ଅନ୍ୟପକ୍ଷରେ ପାଇକ ବିଦ୍ରୋହ ଅବସାନର ପ୍ରାରମ୍ଭରେ ସଚ୍ଚିଦାନନ୍ଦ ପଟ୍ଟନାୟକ ଓ ପର୍ଶୁରାମ ରାଉତରାୟଙ୍କୁ ମୃତ୍ୟୁଦଣ୍ଡ, ୯ ଜଣ ବିଦ୍ରୋହୀ ନେତାଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୨୩ ଜଣଙ୍କୁ ଦ୍ବୀପାନ୍ତର ଦଣ୍ଡ ଦିଆଯାଇଥିଲା। କେବଳ ସେତିକି ନୁହେଁ, ପାଇକମାନଙ୍କ ବିଦ୍ରୋହ ଯେ ବକ୍ସି ଜଗବନ୍ଧୁଙ୍କ ଗିରଫ ପରେ ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିଲା, ତାହା ନୁହେଁ। ବରଗଡ଼ (ଭୁବନେଶ୍ବର)ର ସହିଦ ପଦ୍ମନାଭ ଛୋଟରାୟ, ଦାରୁଠେଙ୍ଗ (ଭୁବନେଶ୍ବର)ର ସହିଦ ପିଣ୍ଡିକୀ ବାହୁବଳେନ୍ଦ୍ର, ତାପଙ୍ଗର ମାଧବଚନ୍ଦ୍ର ରାଉତରାୟ ଓ ବାଣପୁରର କୃତ୍ତିବାସ ପାଟ୍ଟଶାଣୀଙ୍କ ନେତୃତ୍ବରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଏହି ଇଂରେଜ ବିରୋଧୀ ସଂଗ୍ରାମ ନିରବଚ୍ଛିନ୍ନ ଭାବେ ଚାଲିଥିଲା।

publive-image
ପାଇକ ବିଦ୍ରୋହ ଥିଲା ଏକ ସୁସଂଗଠିତ ଜାତୀୟ ଜନଜାଗରଣ। ସିପାହୀ ବିଦ୍ରୋହଠାରୁ ଏହା ଥିଲା ଅଧିକ ବ୍ୟାପକ। ଧର୍ମ, ଜାତି, ବର୍ଣ୍ଣ ନିର୍ବିଶେଷରେ ରାଜା, ରାଣୀ, ଜମିଦାର, ସେନାପତି, ଦଳବେହେରା, ଦଳେଇ, ପାଇକ, ସାଧାରଣ ଲୋକ ସମସ୍ତେ ଏହି ସଂଗ୍ରାମରେ ଯୋଗ ଦେଇଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା ଯେ ସିପାହୀ ବିଦ୍ରୋହ ପରେ ପାଇକ ବିଦ୍ରୋହ କୌଣସି ସମ୍ଭ୍ରାନ୍ତଙ୍କ ରକ୍ତରେ ଆରମ୍ଭ ହୋଇ ନ ଥିଲା। ଏହା ଆରମ୍ଭ ହୋଇଥିଲା ନିଜ ନିଜ ରାଜା ବା ଜମିଦାରଙ୍କୁ ଗାଦିରେ ବସାଇବା ପାଇଁ। କିନ୍ତୁ, ପାଇକ ବିଦ୍ରୋହ ଥିଲା ଏକ ସ୍ବତଃପ୍ରବୃତ୍ତ ଜନଆନ୍ଦୋଳନ, ଯାହା ସମଗ୍ର ଦେଶ ପାଇଁ ଥିଲା ନୂତନ ଓ ପ୍ରଥମ। ବାସ୍ତବିକ ଭାରତବର୍ଷରେ ବ୍ରିଟିଶ୍‌ ଶକ୍ତି ବିରୋଧରେ ପାଇକ ବିଦ୍ରୋହ ଥିଲା ପ୍ରଥମ ଜାତୀୟ ସ୍ବାଧୀନତା ସଂଗ୍ରାମ।

୧୯୦୯ ମସିହାରେ ଯେତେବେଳେ ବିନାୟକ ଦାମୋଦର ସାବରକର ତାଙ୍କ ପୁସ୍ତକରେ ସିପାହୀ ବି‌େଦ୍ରାହକୁ ପ୍ରଥମ ଜାତୀୟ ସଂଗ୍ରାମ ଭାବେ ଅଭିହିତ କରିଥିଲେ, ସେତେବେଳେ ଓଡ଼ିଶା ମାଟିରେ ପାଇକ ବିଦ୍ରୋହ ପରି ଏକ ମହାନ୍‌ ଇଂରେଜ ବିରୋଧୀ ଜାତୀୟ ସଂଗ୍ରାମ ୧୮୧୭ ମସିହାରେ ଯେ ସଂଘଟିତ ହୋଇଥିଲା, ସେ ବିଷୟରେ ସମ୍ଭବତଃ ସେ ଅବଗତ ନ ଥିଲେ। ସେତେବେଳେ ପାଇକମାନଙ୍କ ସଂଗ୍ରାମ ଉପରେ ଏତେ ଗବେଷଣାଲବ୍ଧ ତଥ୍ୟ ସର୍ବଭାରତୀୟ ସ୍ତରରେ ଉପସ୍ଥାପନ କରାଯାଇ ନ ଥିଲା। ତେଣୁ ପରବର୍ତ୍ତୀ ସମୟରେ ଜାତୀୟ ସ୍ତରର ‌ଐତିହାସିକମାନେ ସ୍ବାଧୀନତା ସଂଗ୍ରାମର ଇତିହାସ ଲେଖିଲା ବେଳେ ପାଇକ ବିଦ୍ରୋହକୁ ଗୁରୁତ୍ବ ଦେଇ ନ ଥିଲେ। କିନ୍ତୁ ଏବେ ସ୍ଥିତି ସମ୍ପୂର୍ଣ୍ଣ ଅଲଗା। ପାଇକମାନଙ୍କ ଇଂରେଜୀ ବିରୋଧୀ ସଂଗ୍ରାମ ଉପରେ ଅନେକ ଗବେଷଣା ହୋଇଗଲାଣି। ଏହାକୁ ଇଂରେଜ ବିରୋଧୀ ପ୍ରଥମ ଜାତୀୟ ସଂଗ୍ରାମ ଭାବେ ପ୍ରତିପାଦିତ କରାଯାଇ ସମସ୍ତ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରାଗଲାଣି। ବର୍ତ୍ତମାନ ସମୟ ଆସିଛି, ଇତିହାସରେ ଯେଉଁଟା ସତ୍ୟ ତାହା ଗ୍ରହଣ କରିନେବା ଉଚିତ। ୧୮୫୭ ସିପାହୀ ବିଦ୍ରୋହରେ ୪୦ ବର୍ଷ ପୂର୍ବରୁ ସଂଘଟିତ ପାଇକ ବିଦ୍ରୋହ ହିଁ ଭାରତର ପ୍ରଥମ ଜାତୀୟ ସଂଗ୍ରାମ, ଏଥିରେ ଦ୍ବନ୍ଦ୍ବ ରଖିବାର ଆବଶ୍ୟକତା ହଁି ନାହିଁ। ଇତିହାସର ପୁନଃଲିଖନ ପ୍ରକ୍ରିୟାରେ ଇତିହାସ ପାଠ୍ୟ ପୁସ୍ତକରେ ମଧ୍ୟ ଏ ସଂକ୍ରାନ୍ତରେ ପରିବର୍ତ୍ତନର ଆବଶ୍ୟକତା ରହିଛି।

- ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ
ଐତିହାସିକ ଓ ଶିକ୍ଷାବିତ୍‌

publive-image

‘ପ୍ରଥମ ମନେକରିବାର କୌଣସି କାରଣ ନାହିଁ’

ଖୋର୍ଦ୍ଧା ପାଇକ ବିଦ୍ରୋହ ହେଉଛି ଇଂରେଜକାଳୀନ ଓଡ଼ିଶା ଇତିହାସର ଏକ ଯୁଗାନ୍ତକ‌ାରୀ ଘଟଣା। ୧୮୫୭ରେ ସଂଘଟିତ ମହାସଂଗ୍ରାମର ଦୀର୍ଘ ଚାରି ଦଶନ୍ଧି ପୂର୍ବରୁ ୧୮୧୭ ମସିହାରେ ଏହା ଘଟିତ ହୋଇଥିଲା। ବିଦ୍ରୋହର ପ୍ରମୁଖ ନାୟକ ଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର। ସାଧାରଣ ପାଇକ ସୈନ୍ୟ ଏବଂ ଆଦିବାସୀ କନ୍ଧମାନେ ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସ୍ଥାନୀୟ ଚାଷୀ ମୂଲିଆ ଏବଂ ଅନ୍ୟମାନଙ୍କର ମଧ୍ୟ ବିଦ୍ରୋହରେ ପ୍ରଭୂତ ସମର୍ଥନ ରହିଥିଲା। ୧୮୧୭ ମସିହା ମାର୍ଚ୍ଚ ଶେଷ ସପ୍ତାହରେ ଆରମ୍ଭ ହୋଇଥିବା ଏହି ବିଦ୍ରୋହ ଯୋଗଁୁ ଖୋର୍ଦ୍ଧା, ପିପିଲି, ବାଣପୁର ଏବଂ ପୁରୀ ଆଦି ଅଞ୍ଚଳରେ ଇଂରେଜ ପ୍ରଶାସନ ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ବ କାଳ ଧରି ଅକାମୀ ହୋଇ ପଡ଼ିଥିଲା। ପ୍ରାକ୍‌ ୧୮୫୭ କାଳୀନ ଅଗଣିତ ଆଦ୍ୟ ଉପନିବେଶବାଦ ବିରୋଧୀ ବିଦ୍ରୋହ ମଧ୍ୟରେ ଖୋର୍ଦ୍ଧା ପାଇକ ବିଦ୍ରୋହ ହେବା ଏକ ଅନ୍ୟତମ ପ୍ରମୁଖ ଗଣସଂଗ୍ରାମ।

ତେବେ, ୧୮୧୭ର ଏହି ଖୋର୍ଦ୍ଧା ବିଦ୍ରୋହକୁ ଭାରତର ପ୍ରଥମ ଇଂରେଜ ବିରୋଧୀ ସଂଗ୍ରାମ କୁହାଯାଇ ପାରିବ ନାହିଁି। ଖୋଦ୍‌ ଖୋର୍ଦ୍ଧାରେ ଏହାର ଦୀର୍ଘ ୧୩ ବର୍ଷ ପୂର୍ବରୁ ଜୟୀ ରାଜଗୁରୁଙ୍କ ନେତୃତ୍ବରେ ଏକ ବିଦ୍ରୋହ ସଂଘଟିତ ହୋଇସାରିଥିଲା ଏବଂ ତହିଁରେ ମଧ୍ୟ ପାଇକମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଥିଲା। କେବଳ ସେତିକି ନୁହେଁ, ୧୭୬୭-୬୮ରେ ଦକ୍ଷିଣ ଓଡ଼ିଶାର ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରାୟଣ ଦେବ ରାଜ୍ୟରୁ ଇଂରେଜମାନଙ୍କୁ ହଟାଇବା ସକାଶେ ବି‌େଦ୍ରାହ କରି କର୍ଣ୍ଣେଲ ପିଚ୍‌ଙ୍କ ହାତରେ ଜେଲମୁରଠାରେ ପରାସ୍ତ ହୋଇ କାରାରୁଦ୍ଧ ହୋଇଥିଲେ। ଓଡ଼ିଶା ବାହାରେ ବଙ୍ଗରେ ୧୭୬୧ରେ ସନ୍ୟାସୀ ବିଦ୍ରୋହ, ମେଦିନପୁର ବାଙ୍କୁଡ଼ାରେ ଚୁଆର ବିଦ୍ରୋହ (୧୭୯୮) ଏବଂ ତାମିଲନାଡୁର ତିର୍ଣ୍ଣୁଭେଲିଠାରେ ସଂଘଟିତ ପୋଲିଗାର ବିଦ୍ରୋହ (୧୭୯୯) ମଧ୍ୟ ସମାନ ରୂପରେ ଇଂରେଜ ବିରୋଧୀ ଥିଲା।

୧୭୫୭ରେ ପଲାସୀ ଯୁଦ୍ଧରେ ଇଂରେଜ ଇଷ୍ଟ୍‌ ଇଣ୍ଡିଆ କମ୍ପାନି ସିରାଜଉଦ୍ଦୌଲାଙ୍କୁ ପରାଜିତ କଲାପରେ ପ୍ରଥମ କରି ବଙ୍ଗରେ ପ୍ରଶାସନିକ ଅଧିକାର ଲାଭ କଲା। ଏହାପରେ ଦେଶର ବିଭିନ୍ନ ଅଞ୍ଚଳକୁ, ଗୋଟାକ ପରେ ଗୋଟାଏ ରାଜ୍ୟକୁ ଅଧିକାର କରିବାକୁ ଲାଗିଲା। ଯେଉଁ ରାଜ୍ୟ ଇଂରେଜର କରଗତ ହେଲା, ସେଠାରେ କିଛି ଅବଧି ପରେ କମ୍ପାନି ବିରୋଧରେ ବିଦ୍ରୋହ ସଂଘଟିତ ହେଲା। ଅର୍ଥାତ୍‌ ଯେଉଁ ରାଜ୍ୟ ପ୍ରଥମ ଇଂରେଜ ଶାସନାଧୀନ ହେଲା, ସେଠାରେ ଆଗ ବିଦ୍ରୋହ ଆରମ୍ଭ ହେଲା। ଓଡ଼ିଶା ଯେହେତୁ ୧୭୫୭ର ଦୀର୍ଘ ୪୬ ବର୍ଷ ଉତ୍ତାରୁ ୧୮୦୩ରେ ଅଧିକାରଭୁକ୍ତ ହେଲା, ଏଠାରେ ୧୮୦୪ରେ ଜୟୀ ରାଜଗୁରୁଙ୍କ ବିଦ୍ରୋହ ଦେଖିବାକୁ ମିଳିଥିଲା। ୧୮୧୭ର ଖୋର୍ଦ୍ଧା ବିଦ୍ରୋହ ବେଳକୁ ଦେଶର ଅଧିକାଂଶ କ୍ଷେତ୍ରରେ କମ୍ପାନି ଶାସନ ଆରମ୍ଭ ହୋଇସାରିଥିଲା ଏବଂ ସ୍ଥାନୀୟ ଇଂରେଜ ଶାସନର ଦୁଷ୍ପରିଣାମକୁ ଲୋକ ଅନୁଭବ କରିସାରିଥିଲେ। ତା’ ସତ୍ତ୍ବେ ଓଡ଼ିଶାର ପାଇକମାନଙ୍କ ପୂର୍ବରୁ ସମଗ୍ର ଦେଶରେ କେହି ବିଦ୍ରୋହ କରି ନ ଥିଲେ ବୋଲି ଦାବି କରିବା କ’ଣ ସତ୍ୟର ଅପଳାପ ହେବନାହିଁ? ପାରଳାଖେମୁଣ୍ଡି ସେତେବେଳେ ମାଡ୍ରାସ ପ୍ରେସିଡେନ୍ସିରେ ଥିଲା ଏବଂ ୧୭୬୭ ବେଳକୁ ତାହା ଇଂରେଜ ଅମଳକୁ ଆସିଥିଲା। ଫଳରେ ୧୭୬୭-୬୮ରେ ସେଠାକାର ବିଦ୍ରୋହ ଆଦୌ ଅସ୍ବାଭାବିକ ପ୍ରତୀତ ହୁଏ ନାହିଁ।
୧୮୫୭ ମହାସଂଗ୍ରାମ, ଯାହା ଲୌକିକ ସ୍ତରରେ ସିପାହୀ ବିଦ୍ରୋହ ନାମରେ ପରିଚିତ, ତାହା ବି ଭାରତର ପ୍ରଥମ ବିଦ୍ରାହ ନ ଥିଲା। ତେଣୁ, ତା’ର ୪୦ ବର୍ଷ ପୂର୍ବରୁ ସଂଘଟିତ ଥିବା କାରଣରୁ ଖୋର୍ଦ୍ଧା ବିଦ୍ରୋହକୁ ମଧ୍ୟ ପ୍ରଥମ ମନେ କରିବାର କୌଣସି କାରଣ ନାହିଁ। ପ୍ରକୃତରେ ଦେଖିଲେ ଇଂରେଜ ଶାସନର ଆରମ୍ଭ (୧୭୫୭) ଅବଧିରୁ ଶେଷ ପର୍ଯ୍ୟନ୍ତ (୧୯୪୭) ଭାରତରେ ଲୋକ ଉପନିବେଶବାଦ ବିରୋଧରେ ନିରନ୍ତର ସଂଗ୍ରାମ କରିଥିଲେ। ଏଥିରେ କିଏ ଆଗ କିଏ ପଛ - ତାହା ଅଧିକ ମହତ୍ତ୍ବ ରଖେ ନାହିଁ।

- ପ୍ରୀତୀଶ ଆଚାର୍ଯ୍ୟ
ଶିକ୍ଷାବିତ୍‌, ସ୍ତମ୍ଭକାର