ଏକ ଅତ୍ୟନ୍ତ ବିରଳ ଘଟଣାକ୍ରମରେ ଉତ୍ତର ଫ୍ରାନ୍‌ସର ସ୍କ୍ରିମେକ୍‌ ଠାରେ ଜଣେ ମହିଳା ଛାତ ଉପରେ ବସି କଫି ପିଉଥିବା ବେଳେ ତାଙ୍କ ଦେହରେ ଏକ ଗ୍ରହାଣୁ ପଥରଖଣ୍ଡ ମାଡ଼ ହୋଇଛି। ଗ୍ରହାଣୁ ଖଣ୍ଡ ବା ଗ୍ରହାଣୁ ଧୂଳି ହେଉଛି ମହାକାଶରେ ଘୂରି ବୁଲୁଥିବା କ୍ଷୁଦ୍ର କ୍ଷୁଦ୍ର ଉଲ୍‌କା ଖଣ୍ଡ ବା ଗ୍ରହାଣୁପୁଞ୍ଜର ଅଂଶବିଶେଷ। ସେଗୁଡ଼ିକ ଅନିର୍ଦ୍ଦିଷ୍ଟ ଭାବେ ଗତି କଲା ବେଳେ କୌଣସିମତେ ପୃଥିବୀର ମାଧ୍ୟାକର୍ଷଣ ପରିସରକୁ ଚାଲି ଆସିଲେ ପୃଥିବୀ ପୃଷ୍ଠ ଆଡ଼କୁ ଆକର୍ଷିତ ହୋଇ ଖସିଥାନ୍ତି। ତେବେ ପୃଥିବୀର ବାୟୁମଣ୍ଡଳ ଅତିକ୍ରମ କଲାବେଳେ ମାତ୍ରାଧିକ ବେଗ ହେତୁ ବାୟୁ ସହ ଘର୍ଷଣ ହୋଇ ଅଧିକାଂଶ ଗ୍ରହାଣୁ ଜଳି ସଂପୂର୍ଣ୍ଣ ଧ୍ବଂସ ହୋଇ ପାଉଁଶ ପାଲଟିଯାଇଥାଏ। ତେଣୁ ଦୈନିକ ଭୂପୃଷ୍ଠରେ ୫୦ ଟନ୍‌ ଓଜନର ଗ୍ରହାଣୁ ପାଉଁଶ ଅବସ୍ଥାରେ ଖସିଥାଏ। ଖୁବ୍‌ କମ୍ ଗ୍ରହାଣୁ ଖଣ୍ଡ ଭୂପୃଷ୍ଠ ପହଞ୍ଚିପାରିଥାଏ। ଅଧିକାଂଶ ଗ୍ରହାଣୁ ସମୁଦ୍ରରେ ପଡ଼ିଥାଏ, କାରଣ ପୃଥିବୀପୃଷ୍ଠର ୭୦% ହେଉଛି ଜଳ। ତେଣୁ ମଣିଷ ଉପରେ ଗ୍ରହାଣୁ ପଡ଼ିବାର ସମ୍ଭାବନା ଖୁବ୍ କମ୍, ଶହ ଶହ କୋଟିରେ ଗୋଟିଏ।

Advertisment

ଉକ୍ତ ଫରାସୀ ମହିଳାଙ୍କ କହିବା ଅନୁଯାୟୀ, ସେ ତାଙ୍କ ବନ୍ଧୁଙ୍କ ସହ ଘର ଛାତ ଉପରେ କଫି ପିଉଥିବା ବେଳେ ଏକ ଛୋଟ ପଥର ଖଣ୍ଡ ଆସି ତାଙ୍କ ଛାତିରେ ମାଡ଼ ହୋଇଥିଲା। ପ୍ରଥମେ ତାହା ଏକ ବାଦୁଡ଼ି ବୋଲି ସେ ଭାବିଥିଲେ, ତେବେ ପରେ ତାହାକୁ ଛାତରୁ ଖସିଥିବା ସିମେଣ୍ଟ ଖଣ୍ଡ ବୋଲି ଧରିନେଇଥିଲେ। ମାତ୍ର ପରେ ପରୀକ୍ଷା ନିରୀକ୍ଷା ପରେ ତାହା ଏକ ଗ୍ରହାଣୁ ଖଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ସୌଭାଗ୍ୟକୁ ଗ୍ରହାଣୁ ମାଡ଼ ଦ୍ବାରା ତାଙ୍କର ବିଶେଷ କ୍ଷତି ଘଟି ନାହିଁ। ଏଥିପାଇଁ ଉକ୍ତ ମହିଳା ନିଜକୁ ସୌଭାଗ୍ୟବତୀ ମନେ କରି ଗ୍ରହାଣୁ ଖଣ୍ଡଟିକୁ ନିଜ ପାଖରେ ରଖିବାର ନିଷ୍ପତ୍ତି ନେଇଛନ୍ତି। ପ୍ରାୟ ୭୦ ବର୍ଷ ତଳେ ଆମେରିକାର ଆଲବାମା ଅନ୍ତର୍ଗତ ସିଲାକୋଗା ଠାରେ ଜଣଙ୍କ ଉପରେ ଏକ ବଡ଼ ଆକାରର ଗ୍ରହାଣୁ ମାଡ଼ ହେବାରୁ ସେ ଗୁରୁତର ଆହତ ହୋଇଥିଲେ।