ଅଧର୍ମ ଉପରେ ଧର୍ମର ଜୟ! ହୋଲିରେ କାହିଁକି ପାଳନ ହୁଏ ‌ହୋଲିକା ଦହନ? ଜାଣନ୍ତୁ ପୂରା କାହାଣୀ

ରଂଗ ଓ ଉଲ୍ଲାସର ପର୍ବ ହୋଲି। ଫଗୁଣ ମାସର ପୂର୍ଣ୍ଣମୀ ତିଥିରେ ହୋଲିକା ଦହନ ମନାଯାଏ। ଶାସ୍ତ୍ରରେ ଫଗୁଣ ପୂର୍ଣ୍ଣିମାର ମହିମା ଅନେକ। ଚଳିତବର୍ଷ ହୋଲିକା ଦହନ ମାର୍ଚ ୧୭ ତାରିଖରେ ପଡୁଛି। ଏଥର ହୋଲିକା ଦହନ ମାର୍ଚ ୧୭ ତାରିଖରେ ପଡୁଥିବା ‌ବେଳେ ଏହାର ଶୁଭ ମୁହୂର୍ତ୍ତ ରାତି ୯.୧୬ରୁ ୧୦.୧୬ ପର୍ଯ୍ୟନ୍ତ ରହିଛି। ତାପରଦିନ, ଅର୍ଥାତ ୧୮ ତାରିଖରେ ଆପଣ ରଂଗ ଖେଳିପାରିବେ। ମାର୍ଚ ୧୭ ତାରିଖ ଅପରାହ୍ନ ୧.୨୯ଟାରୁ ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି। ପୂର୍ଣ୍ଣିମା ତିଥି ଶେଷ ହେଉଛି ମାର୍ଚ ୧୮ ତାରିଖ ମଧ୍ୟାହ୍ନ ୧୨.୪୭ରେ। କିଛି ଲୋକ ଦ୍ବନ୍ଦରେ ଅଛନ୍ତି ଯେ ହୋଲିକା ଦହନ ୧୭ ତାରିଖରେ କରିବା ଉଚିତ ନା ୧୮ ତାରିଖରେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ହୋଲିକା ଦହନର ପ୍ରସ୍ତୁତି ଆପଣ ୧୭ ତାରିଖରୁ ଆରମ୍ଭ କରିପାରନ୍ତି।

ତେବେ ଏହି ହୋଲିକା ଦହନକୁ ନେଇ ପୁରାଣରେ ଏକ କଥା ରହିଛି। ହିରଣ୍ୟକଶ୍ୟପଙ୍କ ପୁତ୍ର ପ୍ରହଲ୍ଲାଦ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ। ‌ଅସୁର ହୋଇଥିବାରୁ ହିରଣ୍ୟକଶ୍ୟପଙ୍କୁ ତାହା ପସନ୍ଦ ଆସୁନଥିଲା। ସେ ବାରମ୍ବାର କହିବା ପରେ ବି ପ୍ରହଲ୍ଲାଦ ବିଷ୍ଣୁଙ୍କୁ ଆରାଧନା କରୁଥିଲେ। ଯେଉଁ କାରଣରୁ ପ୍ରହଲ୍ଲାଦଙ୍କୁ ମାରିବାକୁ ହିରଣ୍ୟକଶ୍ୟକପ ବହୁ ଚେଷ୍ଟା କରୁଥିଲେ। ହିରଣ୍ୟକଶ୍ୟପଙ୍କର ହୋଲିକା ନାମରେ ଏକ ଭଉଣୀ ଥି‌ଲେ। ସେ ଶିବଙ୍କ ନିକଟରୁ ଏକ ଏପରି ଚାଦର ପାଇଥିଲେ, ଯାହାକୁ ଘୋଡ଼େଇ ହେଲେ ଅଗ୍ନି ବି ଜାଳିପରିବ ନାହିଁ। ଭାଇ ହିରଣ୍ୟକଶ୍ୟପ କହିବାରୁ ହୋଲିକା ନିଜେ ସେହି ଚାଦର ଘୋଡ଼େଇ ହୋଇ ପୁତୁରା ପ୍ରହଲ୍ଲାଦକୁ ଧରି ଅଗ୍ନିରେ ବସିଗଲେ। ହେଲେ ଭଗବାନ ବିଷ୍ଣୁଙ୍କ ଅପାର କୃପାରୁ ପବନରେ ଚଦର ଉଡ଼ିଯାଇ ପ୍ରହଲ୍ଲାଦଙ୍କ ଶରୀରକୁ ଢାଙ୍କି ଦେଲା ଓ ସେହି ଅଗ୍ନିରେ ନିଜେ ହୋଲିକା ଜଳିଗଲା। ଅଧର୍ମ ଉପରେ ପୁଣି ଥରେ ଧର୍ମର ଜୟ ହେଲା। ସେହି ଦିନକୁ ଲୋକେ ହୋଲିକା ଦହନ ଭାବେ ପାଳନ କରି ଅଧର୍ମ ଉପରେ ସଦା ଧର୍ମର ଜୟ କଥାଟିକୁ ସ୍ମରଣ କରନ୍ତି।

ସମ୍ବନ୍ଧିତ ଖବର