‘‘ଏଇ ଅନାନି... ଜ୍ୟୋତି ମାଷ୍ଟ୍ରାଣୀ। ମୁଁ ଭୂଗୋଳ ପଢ଼ିମି..। ତୋ ଦେହର ଭୂଗୋଳ। ଏଏଏଏ... ଅନାନି, ହାତ ମାରିଦେଲୁ, ଛୋଟରାୟ ଉପରେ ହାତ ମାରିଦେଲୁ। ଏ ଜାବୁଡ଼ାର ପ୍ରତିଧ୍ବନି, ଏ ଜଙ୍ଗଲ, ପାହାଡ଼ ସବୁଆଡ଼େ ପ୍ରତିଧ୍ବନିତ ହେବ। ସେତେବେଳେ ଜାଣି ପାରିବୁ, ଏ ଛୋଟରାୟ କ’ଣ କରିପାରେ। ଏ ଅନାନି...’’
ଏଭଳି ଦମ୍‌ଦାର୍‌ ସଂଳାପ କହି ଦର୍ଶକଙ୍କ ଛାତି ଥରେଇ ଦେଉଥିବା ସ୍ବର ସବୁ ଦିନ ପାଇଁ ନିରବି ଯାଇଛି। ଚଳଚ୍ଚିତ୍ର ହେଉ ବା ଯାତ୍ରା ଅବା ମଞ୍ଚ ଅଭିନୟ; ବିପକ୍ଷ କଳାକାର ଓ ଦର୍ଶକଙ୍କ ମନରେ ଛନକା ଭରୁଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଶ୍ରେଷ୍ଠ ଖଳନାୟକ ଶେଷରେ ଅସ୍ତ୍ର ତ୍ୟାଗ କରି ଜୀବନ ଯୁଦ୍ଧରେ ହାର୍‌ ମାନି ଯାଇଛନ୍ତି। ଆତ୍ମହତ୍ୟା ଭଳି ପାଇଁ ଚରମ ନିଷ୍ପତ୍ତି ନେଇ ସାଥୀ କଳାକାର, ପ୍ରଶଂସକ ଓ ଲକ୍ଷ ଲକ୍ଷ ଓଡ଼ିଆ ସିନେ‌ପ୍ରେମୀ ଓ ଦର୍ଶକଙ୍କୁ ଅବାକ୍‌ କରି ଦେଇଛନ୍ତି। କିନ୍ତୁ ଅଭିନୟ ଜଗତରେ ତାଙ୍କ ଅଲିଭା ପଦଚିହ୍ନ ସବୁଦିନ ପାଇଁ ଦର୍ଶକଙ୍କ ହୃଦୟରେ ଜୀବିତ ରଖିବ। ଆଜି ତାଙ୍କର ଶେଷଯାତ୍ରାରେ ‘ସମ୍ବାଦ’ର ଶ୍ରଦ୍ଧାଞ୍ଜଳି...

Advertisment

publive-image

‘ସାଗର’ରୁ କ୍ୟାରିୟର୍‌ ଆରମ୍ଭ...
୧୯୬୩ ମସିହା ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲା ଉଦୟପୁରରେ ଜନ୍ମ ନେଇଥିଲେ ରାଇମୋହନ। ବାପା ତ୍ରୈଲୋକନାଥ ଓ ମା’ ତିଳୋତ୍ତମାଙ୍କ ୪ ଝିଅରେ ସେ ଥିଲେ ଜଣେ ପୁଅ। ଏଣୁ ଅତି ଗେହ୍ଲା ଓ ଅଲିଅଳରେ ପିଲାଦିନ କଟିଥିଲା। ପିଲାଟି ବେଳୁ ତାଙ୍କର ଅଭିନୟ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା। ମଞ୍ଚ ନାଟକରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ଅଷ୍ଟମ ଶ୍ରେଣୀ ପଢ଼ିବା ସମୟରେ ସେ ଗାଁ ନାଟକରେ ଅଭିନୟ କରିଥିଲେ। କେନ୍ଦୁଝରର କରଞ୍ଜିଆ ମହାବିଦ୍ୟାଳୟରୁ ସ୍ନାତକ ଶେଷ କରି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ୧୯୮୯ ମସିହା ଫେବ୍ରୁଆରି ୧୦ ତାରିଖରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ସାଗର’ ପରଦାକୁ ଆସିଥିଲା। ତା’ ପରଠାରୁ ସେ ଆଉ ପଛକୁ ଚାହିଁ ନଥିଲେ‘ସତମିଛ’, ‘ରାମଲକ୍ଷ୍ମଣ’, ‘ଆସିବୁ କେବେ ସାଜି ମୋ ରାଣୀ’, ‘ନାଗପଞ୍ଚମୀ’, ‘ଉଦଣ୍ଡିସୀତା’, ତୁ ଥିଲେ ମୋ ଡର କାହାକୁ, ରଣଭୂମି, ମେଣ୍ଟାଲ ଟୋକା, ସିଂହବାହିନୀ, କୁଳନନ୍ଦନ, କଣ୍ଢେଇ ଆଖିରେ ଲୁହ, କୋଟିଏ ମଣିଷ ଗୋଟିଏ ଜଗା ଭଳି ସେ ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ। ଗତ ଜୁନ୍‌ ୧୦ ତାରିଖରେ ମୁକ୍ତିଲାଭ କରିଥିବା‘ବିଶ୍ବନାଥ’ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା। ଏହାବ୍ୟତୀତ ସେ ୨୦ରୁ ଅଧିକ ବଙ୍ଗଳା ଚଳଚ୍ଚିତ୍ର ଓ ମଞ୍ଚରେ ୪୦ଟି ଓଡ଼ିଆ ନାଟକରେ ନିଜ ଅଭିନୟର ପରାକାଷ୍ଠା ପ୍ରମାଣିତ କରିଥିଲେ। ୨୦୦୨ ମସିହାରେ ସେ ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ।

publive-image

ପରିଚୟ ଦେଇଥିଲା ୧୯୯୩
୧୯୯୧‌‌ରେ ମୁକ୍ତିଲାଭ କରିଥିବା ‘କୋଟିଏ ମଣିଷ ଗୋଟିଏ ଜଗା’ ବ୍ୟତୀତ କ୍ୟାରିୟର୍‌ ପ୍ରଥମ ୪ ବର୍ଷରେ ତାଙ୍କୁ ସେମିତି ବିଶେଷ କିଛି ସଫଳତା ମିଳି ନଥିଲା। କିନ୍ତୁ ୧୯୯୩ ମସିହାରେ ହଠାତ୍‌ ତାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା। ସେହି ବର୍ଷ ପଛକୁ ପଛ ତାଙ୍କର ୪ରୁ ଅଧିକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏହା ତାଙ୍କୁ ସେ ସମୟରେ ଦୁର୍ଦ୍ଦାନ୍ତ ଖଳନାୟକର ପରିଚୟ ଆଣି ଦେଇଥିଲା। ଚଳଚ୍ଚିତ୍ର ଭୀଷ୍ମ ପ୍ରତିଜ୍ଞା, ପଥର ଖସୁଛି ବଡ଼ ଦେଉଳୁ, ଉଦଣ୍ଡି ସୀତା ଓ ନାଗପଞ୍ଜମୀ ଆଦି ଚଳଚ୍ଚିତ୍ର ତାଙ୍କୁ ବର୍ଷକରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇ ଦେଇଥିଲା। ପରେ ୧୯୯୫/୧୯୯୬ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର ଜଗତରେ ପ୍ରବେଶ କରି ଅଭିନୟର ପରାକାଷ୍ଠା ଦେଖାଇଥିଲେ। ପାଖାପାଖି ୨୦ଟି ବଙ୍ଗଳା ଚଳଚ୍ଚିତ୍ର କରି ସେ ପଶ୍ଚିମବଙ୍ଗର ବି ଜଣେ ସଫଳ ଅଭିନେତା ହୋଇପାରିଥିଲେ।

‘ଉଦୟ-ପୂର’ର ‌ମୋହ
କେନ୍ଦୁଝର ଜିଲ୍ଲା ଉଦୟପୁରରେ ଜନ୍ମିତ ଏହି ଉଜ୍ଜ୍ବଳ ତାରକା ନିଜ ଗାଁକୁ ବହୁତ ଭଲ ପାଉଥିଲେ। ଗାଁରେ ରହିବାର ମୋହ ତାଙ୍କର ଏତେ ଥିଲା ଯେ ସେ ଭୁବନେଶ୍ବରର ପ୍ରାଚୀବିହାରରେ ନିଜ ପାଇଁ ଏକ ବାସଭବନ ଗଢ଼ିବା ସହ ତାହାର ନାମ ‘ଉଦୟ-ପୂର’ ରଖିଥିଲେ।

publive-image

କଲେ‌ଜରେ ପ୍ରେମ... ପରେ ବିବାହ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ରାଇମୋହନ ଓ ରଞ୍ଜିତା ଏକାଠି ପାଠ ପଢ଼ୁଥିଲେ। କ୍ଲାସ୍‌ ରୁମ୍‌ର ଟେବୁଲ ଉପରେ ରଞ୍ଜିତା ଥରେ ବସିଥିବା ସମୟରେ ରାଇ କହିଥିଲେ, ହାଲୋ ମ୍ୟାଡାମ୍‌... ଟେବୁଲଟା ପଢ଼ିବା ପାଇଁ ହୋଇଛି, ବସିବା ପାଇଁ ନୁହେଁ। ରଞ୍ଜିତା କହିଥିଲେ, ତୁମର କ’ଣ ଗଲା? ଏହା ରାଇଙ୍କୁ ଖୁବ୍‌ ବାଧିଥିଲା। ସେ ଚିତ୍କାର କରି ରଞ୍ଜିତାଙ୍କୁ ସମସ୍ତଙ୍କ ଆଗରେ ଗାଳି ଦେଇଥିଲେ। ଏହା ପରେ ରଞ୍ଜିତା ଆଉ କଲେଜ ଆସି ନଥିଲେ। ରାଇ ଖୋଜି ଖୋଜି ରଞ୍ଜିତାଙ୍କ ଘରକୁ ଯାଇଥିଲେ ଓ ଭୁଲ୍‌ ମାଗିଥିଲେ। ପରେ ଦୁହିଁଙ୍କ ଭିତରେ କଥାବାର୍ତ୍ତା, ମିଳାମିଶା ପ୍ରେମର ରୂପ ନେଇଥିଲା। ପରେ ଉଭୟ ୧୯୯୨ରେ ବିବାହ କରିଥିଲେ।

‘କେବେ ହେବ ସତ ରାବଣ ପୋଡ଼ି’
୧୯୯୬ରେ ଗୌରୀ ଗଣନାଟ୍ୟର ଯାତ୍ରା ‘କେବେ ହେବ ସତ ରାବଣ ପୋଡ଼ି’ର ସେ ନିର୍ଦ୍ଦେଶନା ଦେଇଥିଲେ। ପରେ ୨୦୦୨ରେ ବାଣେଶ୍ବ‌ରୀ ଗଣନାଟ୍ୟର ବିଭିନ୍ନ ଯାତ୍ରାରେ ସେ ଅଭିନୟ କରିଥିଲେ। ଏହାବ୍ୟତୀତ ସେ ଇଷ୍ଟର୍ଣ୍ଣ ଅପେରା ଓ ଇଷ୍ଟର୍ଣ୍ଣ ବ୍ଲୁରେ ଯୋଗଦେଇ ଦର୍ଶକଙ୍କ ହୃଦୟ ଜିତିଥିଲେ। ‘ଉଷଶୀ ମିଶ୍ର ଟାର୍ଗେଟ୍‌ରେ ରାଇମୋହନ’ ଥିଲା ତାଙ୍କର ବହୁଚର୍ଚ୍ଚିତ ନାଟକ। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଯାତ୍ରା ତାରିଣୀ ଗଣନାଟ୍ୟର ଭଙ୍ଗା ଆଇନା, ଓଡ଼ିଶା ଅପେରାର ‘ଝିଅ ଦେଖିଲି ତିନୋଟି’ ଓ କଳିଙ୍ଗ ଗଣନାଟ୍ୟର ‘ଘର ଭାଙ୍ଗିଦେଲା ଘରଣୀ ଚୋର’ ଆଦିକୁ ବି ବାଦ୍‌ ଦିଆଯାଇନପାରେ। ଚଳଚ୍ଚିତ୍ର ଅପେକ୍ଷା ଯାତ୍ରା ରାଇମୋହନଙ୍କୁ ଅଧିକ ଲୋକପ୍ରିୟ କରିବା ସହ ଆର୍ଥିକ ଭାବେ ସବଳ କରିଥିଲା। ୨୦ବର୍ଷ ତଳେ ସେ ଗୋଟିଏ ଗଣନାଟ୍ୟରେ କାମ କରିବାକୁ ବର୍ଷକୁ ୧୦ଲକ୍ଷ ଟଙ୍କା ପାରିଶ୍ରମିକ ନେଉଥିଲେ।