ବେଳେ ବେଳେ କାଶି କାଶି ଆମେ ନୟାନ୍ତ ହୋଇପଡ଼ିଥାଉ। ଏପରିକି ଡାକ୍ତରୀ ଔଷଧ ସେବନ ପରେ ମଧ୍ୟ ମାସାଧିକ କାଳ ଯାଏ କାଶ ଲାଗି ରହିଥାଏ। ଏହି ପୁରୁଣା କାଶର ଶିକାର ହୋଇ ଆମେ ସ୍ଥାନକାଳ ନିର୍ବିଶେଷରେ ଲହର କାଶକୁ ଅଟକାଇ ନପାରି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥା’ନ୍ତି। ଏପରି ଲହର କାଶ ଦୀର୍ଘକାଳ ଧରି ଥଣ୍ଡା ବା ସର୍ଦ୍ଦିରେ ପୀଡ଼ିତ ହେବା ଯୋଗୁଁ ବା ଋତୁକାଳୀନ ଅବିଗୁଣ ବା ଆଲର୍ଜି ପାଇଁ କିମ୍ବା ଶ୍ବାସକ୍ରିୟାରେ ଧୂଳିକଣାର ଅନୁପ୍ରବେଶ ଯୋଗୁଁ ହୋଇଥାଏ। ତେବେ କାଶିବା ହେଉଛି ଆମ ଗଳା ତଥା ଶ୍ବାସନଳୀକୁ ସଫା କରିବାର ଏକ ପ୍ରାକୃତିକ ପ୍ରକ୍ରିୟା। ମାତ୍ର ଏହି ପ୍ରକ୍ରିୟା ଦୀର୍ଘକାଳ ପାଇଁ ଜାରି ରହିବା ଘଟଣା ଜଣକୁ ଅପ୍ରସ୍ତୁତ କରିଦେଇଥାଏ। ଏଥିରୁ ବର୍ତ୍ତିବା ପାଇଁ ଯଦିଓ ବଜାରରେ ବହୁବିଧ ଔଷଧ ଉପଲବ୍ଧ, ତେବେ ଏହାର ଘରୋଇ ଉପଚାର ହିଁ ଅନେକ ଦୃଷ୍ଟିରୁ ଉପାଦେୟ। କାରଣ ତାହା ହେଉଛି ହାତପାଆନ୍ତାରେ ମିଳିପାରୁଥିବା ଶସ୍ତା, ପ୍ରାକୃତିକ ଏବଂ ପାର୍ଶ୍ବ ପ୍ରତିକ୍ରିୟାମୁକ୍ତ ବିକଳ୍ପ। ଆଜି ସେଭଳି କିଛି ପରମ୍ପରାଗତ ତଥା ବିଜ୍ଞାନସମ୍ମତ ଘରୋଇ ଉପଚାର ବାବଦରେ ଜାଣିବା, ଯାହା ଗଳାକୁ ଶାନ୍ତ କରିବା ସହ ପ୍ରଦାହକୁ ହ୍ରାସ କରିଥାଏ ଏବଂ ଶୀଘ୍ର ଆରୋଗ୍ୟକୁ ପ୍ରୋତ୍ସାହିତ କରିଥାଏ।

Advertisment

ମହୁ: କାଶ ଓ ଗଳା ସମସ୍ୟା ପାଇଁ ଏହା ଏକ ସମୟୋପଯୋଗୀ ମହୌଷଧି। ଏହା ତଣ୍ଟିରେ ଜଳାପୋଡ଼ାରୁ ଉପଶମ ଆଣିବା ସହ ସଂକ୍ରମଣର ମୁକାବିଲା କରିଥାଏ। ଏକ ଚାମଚ ମହୁକୁ ଉଷୁମ ପାଣିରେ କିମ୍ବା ହର୍ବାଲ୍ ଚା’ରେ ମିଶାଇ ଦିନକୁ ଦୁଇଥର ମିଶାଇ ପିଇଲେ ସୁଫଳ ମିଳିଥାଏ। ରାତିରେ କାଶରୁ ଆରାମ ପାଇବା ପାଇଁ ଶୋଇବା ପୂର୍ବରୁ ଏକ ଚାମଚ ମହୁ ସିଧାସଳଖ ସେବନ କଲେ ଭଲ।

ଅଦା: ଏକ ପ୍ରାକୃତିକ ଆଣ୍ଟିଇନ୍‌ଫ୍ଲାମେଟୋରି ଭାବେ ପରିଚିତ ଅଦା ହେଉଛି କାଶ ପାଇଁ ଏକ ଶକ୍ତିଶାଳୀ ଉପଚାର। ଏହା ଶ୍ବାସନଳୀର ମାଂସପେଶୀକୁ ଆରାମ ଦେବା ସହ ସଫା ରଖିଥାଏ ଏବଂ ଗଳାର ପ୍ରଦାହକୁ ଦୂର କରିଥାଏ। କିଛି ଅଦାଖଣ୍ଡକୁ ପାଣିରେ ଫୁଟାଇ ଚା’ ପରି ଦିନକୁ ଦୁଇରୁ ତିନି ଥର ପାନ କଲେ ଉପଶମ ମିଳିଥାଏ। ଅଧିକ ଫଳପ୍ରଦତା ପାଇଁ ସେଥିରେ ମହୁ ଓ ଲେମ୍ବୁ ରସ ମିଶାଇ ସେବନ କରାଯାଇପାରେ। 

କ୍ଷୀର-ହଳଦୀ: ଏକ ଗ୍ଲାସ୍‌ ଗରମ କ୍ଷୀରରେ ଏକ ଚାମଚ ହଳଦୀଗୁଣ୍ଡ ମିଶାଇ ସେବନ କଲେ କାଶ ଉପଶମ ପାଇଁ ଶ୍ରେଷ୍ଠ ଫଳାଫଳ ମିଳିପାରିବ। ହଳଦୀରେ ଥିବା କ୍ୟୁର୍କୁମିନ୍ ନାମକ ରସାୟନର ବୀଜାଣୁ, ଭୂତାଣୁ ଓ ପ୍ରଦାହନିରୋଧୀ ଗୁଣ ଗଳାର ଉତ୍ତେଜନା ହ୍ରାସ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। 

ପିଆଜ ରସ: କାଶ କମାଇବାରେ ପିଆଜ ରସର ମଧ୍ୟ ଅନୁରୂପ ଗୁଣ ରହିଛି। ପିଆଜକୁ ବାଟି ସେଥିରୁ ରସ ବାହାର କରି ତହିଁରେ ସମପରିମାଣର ମହୁ ମିଶାଇ କିଛି ଘଣ୍ଟା ଅନ୍ତରରେ ସେବନ କଲେ କାଶ ଲକ୍ଷଣ ଦୂର ହୋଇଥାଏ। ଏହାର ଅଣୁଜୀବନିରୋଧୀ ଗୁଣ ହିଁ ଗଳାକୁ ଶାନ୍ତ ରଖିଥାଏ। 

ପୁଦିନା ପତ୍ର: ସେହିପରି ପୁଦିନା ପତ୍ର ରସ ମଧ୍ୟ କାଶ କମାଇବାର ଏକ  ତତ୍କାଳ ଉପଚାର। ଏଥିରେ ଥିବା ମେନ୍ଥଲ୍ ନାମକ ରାସାୟନିକ ଶ୍ବାସନଳୀକୁ ସଫା ରଖିବା ସହ ଗଳାକୁ ଶାନ୍ତ କରାଇଥାଏ। କିଛି ପୁଦିନା ପତ୍ରକୁ ଚା’ରେ ଫୁଟାଇ ପାନ କଲେ ଉତ୍ତମ ଫଳ ମିଳିଥାଏ। ଏହାର ବାମ୍ଫକୁ ମଧ୍ୟ ପ୍ରଶ୍ବାସରେ ନେଲେ ଅଧିକ ଲାଭକାରୀ ହୋଇଥାଏ। 

ଲୁଣପାଣି ଗଳଗଳ ଓ ବାମ୍ଫ: ତଣ୍ଟିର ଉତ୍ତେଜନା ହ୍ରାସ କରିବା ପାଇଁ ତଣ୍ଟି ପାଖରେ ସମ୍ଭାଳିହେବା ପରି ଉଷୁମ ଲୁଣ ପାଣିକୁ ୧୫ରୁ ୩୦ ସେକେଣ୍ଡ୍ ଯାଏ ଦିନକୁ ୩ରୁ ୪ ଥର ଗଳଗଳ କରିବା ଦ୍ବାରା କାଶର ପ୍ରଭାବ କମିଥାଏ। ସେହିପରି ସାଦା ପାଣିକୁ ଫୁଟାଇ ତାହାର ବାମ୍ଫକୁ ମଧ୍ୟ ଶୋଷାରିବା  ଦ୍ବାରା ଅନୁରୂପ ଫଳ ମିଳିଥାଏ। ଏ ସବୁ ଘରୋଇ ଉପଚାର ସତ୍ତ୍ବେ ଯଦି ଦୁଇ ସପ୍ତାହରୁ ଅଧିକ ଦିନ ଧରି କାଶ ଲାଗି ରୁହେ, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ଜରୁରି।