ଗୋଟେ ଲିଟର କ୍ଷୀର ନେଇ ଗୋଟିଏ ଚଉଡ଼ା ମୁହଁବା‌ଲା ପାତ୍ରରେ ଗରମ କରନ୍ତୁ। କ୍ଷୀର ଫୁଟିଲେ ଆଞ୍ଚ କମ୍‌ କରି ଆଠ/ଦଶ ମିନିଟ୍‌ ଯାଏ ମଝିରେ ମଝିରେ ଘାଣ୍ଟି ତଳି ଲାଗିବାକୁ ଦିଅନ୍ତୁ ନାହିଁ। ଏପଟେ ପାଖାପାଖି ପଚାଶ ଗ୍ରାମ୍‌ ସଜ ଦହି ନିଅନ୍ତୁ। ସେଥିରୁ ଦୁଇ ଚାମଚ ଦହି ନେଇ ଯେଉଁ ମାଟି/ କାଚ/ ଷ୍ଟିଲ୍‌ ପାତ୍ରରେ ଦହି ବସେଇବେ ତା’ ଚାରିପଟେ ଭଲରେ ଚାମଚ ବ‌ା ହାତ ସାହାଯ୍ୟରେ ଲଗେଇ ଦିଅନ୍ତୁ (ଯେମିତି କେକ୍‌ କଲାବେଳେ ପାତ୍ରରେ ଘିଅ ଲଗାନ୍ତି)। ଏବେ ଗୋଟିଏ ଗିନାରେ ଦୁଇ ଚାମଚ କର୍ଣ୍ଣଫ୍ଲୋର୍‌ ନେଇ ଗରମ କ୍ଷୀର ଡଙ୍କିଏ ପକେଇ ଫେଣ୍ଟନ୍ତୁ ଯେମିତି ଗୋଟାଳି ରହିବ ନାହିଁ। ଏବେ ସେହି ମିଶ୍ରଣକୁ ‌ସିମ୍‌ରେ ବସିଥିବା କ୍ଷୀରରେ ମିଶାଇ ଦିଅନ୍ତୁ। ଏବେ ଚାରି ଚାମଚ ଚିନି ନେଇ ଗୋଟିଏ ଡଙ୍କି ବା ପ୍ୟାନ୍‌ରେ କ୍ୟାରାମଲ୍‌ କରନ୍ତୁ ବା ଚିନି ତରଳି ବାଦାମୀ ରଙ୍ଗ ହେବା ଯାଏ ଅପେକ୍ଷା କରନ୍ତୁ। ବେଶି ଡାର୍କ କରିବେନି, ପିତା ଲାଗିବ। ଏବେ ସେହି କ୍ୟାରାମଲ୍‌ ଚିନିକୁ ନେଇ ଧିରେ ଧିରେ କ୍ଷୀରରେ ମିଶାନ୍ତୁ। କ୍ଷୀରର ରଙ୍ଗ ବଦଳି ଈଷତ୍‌ ଲାଲ୍‌ ରଙ୍ଗ ହୋଇଯିବ। ଏବେ ସେଥିରେ ଆପଣଙ୍କ ସ୍ବାଦ ମୁତାବକ ବା ପାଖାପାଖି ୧୦୦ ଗ୍ରାମ୍‌ ଚିନି ମିଶାନ୍ତୁ। ଚିନି ମିଶିଗଲେ ଗ୍ୟାସ୍‌ ବନ୍ଦ କରନ୍ତୁ। କ୍ଷୀର ଉଷୁମ ଥିବାବେଳେ ଦହି ବସେଇବା ପାତ୍ରରେ ଢାଳି ଦିଅନ୍ତୁ। ସିଲ୍‌ଭର୍‌ ଫଏଲ୍‌ରେ ପାତ୍ରକୁ ସିଲ୍‌ କରନ୍ତୁ। ଏଥର ଗୋଟେ ମୋଟା ଟର୍କିସ୍‌ ତଉଲିଆ ଉପରେ ଦହି ବସେଇବା ପାତ୍ରଗୁଡ଼ିକ ରଖି ଭଲ ଭାବରେ ଘୋଡ଼େଇ ଅତି କମ୍‌ରେ ଛଅ/ସାତ ଘଣ୍ଟା ଛାଡ଼ି ଦିଅନ୍ତୁ। ସୁଆଦିଆ ମିଠା ଦହି ପ୍ରସ୍ତୁତ ହୋଇଯାଇଥିବା ‌େବଳେ ଖାଇବାକୁ ଦେବା ପୂର୍ବରୁ ଏହାକୁ ଫ୍ରିଜ୍‌ରେ ଦୁଇ ତିନି ଘଣ୍ଟା ରଖିଦିଅନ୍ତୁ ସ୍ବାଦ ବଢ଼ିଯିବ। ଚିନି ବା ମିଠା ନ ଖାଇବାକୁ ଚାହିଁଲେ ଦେବେନାହିଁ। ଖାଲି ବସାଦହି ବି ବେଶ୍‌ ସୁଆଦିଆ।