ହାଓଡ଼ା: ଶୁକ୍ରବାର ସଞ୍ଜବେଳେ ହାଓଡ଼ାରେ ରିକ୍ସା ଚାଳକ ୨. ୯୮ ଲକ୍ଷ ଟଙ୍କାର ହୀରା ଓ ସୁନା ଗହଣା ଏବଂ ନଗଦ ୬୦ ହଜାର ଟଙ୍କା ଥିବା ଗୋଟିଏ ବ୍ୟାଗ୍କୁ ଭୁଲ୍କ୍ରମେ ଛାଡ଼ି ଯାଇଥିବା ଜଣେ ଯାତ୍ରୀଙ୍କୁ ଫେରାଇ ଦେଇଛନ୍ତି।
ସେ ମହିଳା ଯାତ୍ରୀଜଣକ ଲିଲୁହାସ୍ଥିତ ନିଜ ଘରେ ଓହ୍ଲାଇବା ସମୟରେ ଟଙ୍କା ଓ ଅଳଙ୍କାର ଥିବା ବ୍ୟାଗ୍ଟିକୁ ରିକ୍ସାରେ ଭୁଲି ଆସିଥିଲେ।
୫୪ ବର୍ଷିୟ ମଣ୍ଟୁ ସାହା ନାମକ ଉକ୍ତ ରିକ୍ସାବାଲାର ସାଧୁତାରେ ଅଭିଭୂତ ହୋଇ ଦୁବାଇବାସିନୀ ୫୮ ବର୍ଷୀୟ ରୁକ୍ମିଣୀ ଦେବୀ ନାମ୍ନୀ ସେ ମହିଳା ତାଙ୍କୁ ୧୦ ହଜାର ଟଙ୍କା ଇନାମ୍ ଦେଇଛନ୍ତି। ଗୋଟାଏ ଅଟୋ କିଂବା ଟୋଟୋ ଖରିଦ କରିଦେବାକୁ ମଣ୍ଟୁ କରିଥିବା ଅନୁରୋଧକୁ ରୁକ୍ମିଣୀ ଦୁବାଇ ଫେରିଲେ ଚେକ୍ ପଠାଇ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଶୁକ୍ରବାର ଅପରାହ୍ଣରେ ହାଓଡ଼ାର ବଜରଙ୍ଗବାଲୀ ବଜାର ନିକଟରେ ଥିବା ଜଣେ ଆତ୍ମୀୟଙ୍କୁ ଭେଟି ରୁକ୍ମିଣୀ ସେଠାକାର ଦୋକାନରୁ ଏ ସବୁ ଅଳଙ୍କାର କିଣାକିଣି କରିଥିଲେ। ତା’ପରେ ସେ ଲିଲୁହାସ୍ଥିତ ଘରକୁ ଫେରିବାକୁ ମଣ୍ଟୁର ରିକ୍ସାରେ ବସିଥିଲେ। ଫ୍ଲାଟ୍କୁ ପ୍ରବେଶ କରିବା ପରେ ହିଁ ସେ ଜାଣିଲେ ଯେ ରିକ୍ସାରେ ବ୍ୟାଗ୍ ଛାଡ଼ି ଆସିଛନ୍ତି। ତୁରନ୍ତ ସେ ବେଲୁର ଥାନାକୁ ଯାଇ ଗୋଟାଏ ମିସିଙ୍ଗ୍ ଡାଏରି ଦେଇଥିଲେ।
ଏଣେ ମଣ୍ଟୁ ବେଲୁର ସିମୁଲତାଲା ଘାଟ ନିକଟସ୍ଥ ଥିବା ବସ୍ତିରେ ନିଜ ଘରକୁ ଫେରି ଯାଇ ଦେଖିଲା ରିକ୍ସା ସିଟ୍ ଉପରେ ବ୍ୟାଗ୍। ସେ ନିଜ କୁଡ଼ିଆ ଭିତରକୁ ଯାଇ ବ୍ୟାଗ୍ରେ ଥିବା ଚିଜଗୁଡ଼ିକୁ ସ୍ତ୍ରୀ ଅନୁକୁ ଦେଖାଇଲା।
ମଣ୍ଟୁ ଓ ଅନୁଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅ ଅଛନ୍ତି। ଗୋଟିଏ ପୁଅ ଅସୁସ୍ଥ। ତା’ର ବ୍ଲଡ୍ ଟ୍ରାନ୍ସ୍ଫ୍ୟୁଜନ୍ ଆବଶ୍ୟକ, କିନ୍ତୁ ଅର୍ଥାଭାବ ଯୋଗୁଁ ତାହା ସମ୍ଭବ ହେଉନାହିଁ।
ତଥାପି କାଳବିଳମ୍ବ ନ କରି ଉଭୟେ ବେଲୁର ଥାନାକୁ ଯାଇ ବ୍ୟାଗ୍ଟିକୁ ଜିମା ଦେଇଦେଲେ। ବେଲୁର୍ ଥାନା ଅଧିକାରୀ ସ୍ୱପନ ସାହା ରୁକ୍ମିଣୀଙ୍କୁ ଡକାଇଲେ। ବ୍ୟାଗ୍ରେ ଅଳଙ୍କାର ଓ ଟଙ୍କା ଯେମିତିକୁ ସେମିତି ଥିବା ଦେଖି ମୁଗ୍ଧା ରୁକ୍ମିଣୀ ସାଧୁତା ପାଇଁ ମଣ୍ଟୁକୁ ତୁରନ୍ତ ୧୦ ହଜାର ଟଙ୍କା ଇନାମ୍ ଦେଇଥିଲେ।
ଥରକୁ ଥର ମଣ୍ଟୁକୁ ଧନ୍ୟ ଧନ୍ୟ କହି ତା’ ପାଇଁ ଆଉ କ’ଣ କରି ପାରିବେ ବୋଲି ରୁକ୍ମିଣୀ ପଚାରିଥିଲେ। ସେଇଠୁ ମଣ୍ଟୁ କହିଥିଲେ କି, ସେ ଅଟୋ କିଂବା ଇ-ରିକ୍ସା ଖଣ୍ଡେ ଚଳାଇଲେ ଆର୍ଥିକ କ୍ଷେତ୍ରରେ ଉନ୍ନତି କରି ପାରନ୍ତା।
ଶନିବାର ସକାଳେ ରୁକ୍ମିଣୀଙ୍କର ଦୁବାଇ ଫେରିବା ବିମାନ ଥିବାରୁ ସେ ଥାନା ଅଧିକାରୀଙ୍କ ଜରିଆରେ ତା’ ପାଖକୁ ଗାଡ଼ିଟିଏ କିଣିବା ମୂଲ୍ୟର ଚେକ୍ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ।