ଏବେ ଚାଲିଛି ବିବାହ ଋତୁ। ପୁଣି ଶୀତଋତୁ ଚାଲିଥିବାରୁ ନବବିବାହିତ ଦମ୍ପତିଙ୍କ ହନିମୁନ୍‌ ଟ୍ରିପ୍‌ ଲାଗି ପାଗଯୋଗ ଅନୁକୂଳ ରହିଛି। ସାଧାରଣ ଭାବେ ଅନେକେ ହନିମୁନ୍‌ ଟ୍ରିପ୍ ଲାଗି ରାଜ୍ୟ ବାହାର ଓ ଦେଶ ବାହାର ସ୍ଥାନକୁ ପସନ୍ଦ କରୁଥିବା ବେଳେ ଓଡ଼ିଶାରେ ଏଭଳି  ବହୁ ପର୍ଯ୍ୟଟନସ୍ଥଳୀ ରହିଛି ଯାହା ଆଦର୍ଶ ହନିମୁନ୍‌ ସ୍ପଟ୍‌ ଭାବେ ପରିଗଣିତ। ଏଥର ଆପଣ ହନିମୁନ୍‌ ପାଇଁ ଓଡ଼ିଶାର କିଛି ଜାଗାକୁ ବାଛନ୍ତୁ! ଆପଣଙ୍କ ସୂଚନା ପାଇଁ ଆମର ଏ ସ୍ବତନ୍ତ୍ର ଆଲେଖ୍ୟ...

Advertisment

ପ୍ରଜ୍ଞା ନିବେଦିତା ନାୟକ

ଦେଓମାଳି: କୋରାପୁଟର ଦେଓମାଳି ହନିମୁନ୍‌ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ। ପୂର୍ବଘାଟ ପର୍ବତମାଳାରେ ଅବସ୍ଥିତ ଦେଓମାଳି ପ୍ରାକୃତିକ ପରିବେଶରେ ଅବସ୍ଥିତ। ପ୍ରକୃତିକୁ ଭଲ ପାଉଥିବା, ବି‌େଶଷକରି ପର୍ବତ କୋଳରେ ସମୟ ଅତିବାହିତ କରିବାକୁ ଚାହୁଥିବା ଦମ୍ପତି ଦେଓମାଳି‌ରେ ଭରପୂର ମଜା ଉଠାଇପା‌ରିବେ। ଏଠାରେ ରହଣି ଲାଗି ପକେଟ୍‌କୁ ସୁହାଇଲା ଭଳି ବଜେଟ୍‌ରେ ହୋଟେଲ୍‌ ଓ ରିସର୍ଟ ଆଦି ରହିଛି। ଶାନ୍ତସୁନ୍ଦର ସବୁଜ ପରିବେଶରେ ରହିବା ସହ କଫିବଗିଚା, ଆଦିବାସୀଙ୍କ ଗାଁଗଣ୍ଡା ବୁଲିପାରିବେ। ପର୍ବତାରୋହଣ ମଜା ବି ନେଇପାରିବେ।  

ଦାରିଙ୍ଗିବାଡ଼ି: ଓଡ଼ିଶାର କଶ୍ମୀର ଦାରିଙ୍ଗିବାଡ଼ି! କନ୍ଧମାଳ ଜିଲ୍ଲାର ହିଲ୍‌ ଷ୍ଟେସନ୍ ଦାରିଙ୍ଗିବାଡ଼ିର ଅନନ୍ୟ ଆକର୍ଷଣ ହେଉଛି ସୁଦୀର୍ଘ ସବୁଜ ଉପତ୍ୟକା, କଫି ଓ ଗୋଲମରିଚ ବଗିଚା ଏବଂ  ଝାଉଁ, ପାଇନ୍‌ ଓ ଚନ୍ଦନ ବନ। ସେତିକି ନୁହେଁ, ସେଠାରେ ପର୍ବତାରୋହଣ ଓ ଜଙ୍ଗଲ ଭ୍ରମଣ ଆନନ୍ଦ ମଧ୍ୟ ନେଇହେବ। ଆଦିମ ଜନଜାତି କୁଟିଆ କନ୍ଧଙ୍କ ଗାଁ ଓ ଜୀବନଶୈଳୀକୁ ଅତି ପାଖରୁ ଦେଖିହେବ। ସେଠାରେ ଅନେକ ହୋଟେଲ୍‌, ରିସର୍ଟ ଆଦି ରହିଛି। ହନିମୁନ୍‌ ପାଇଁ ତାହା ଏକ ସୁନ୍ଦର ସ୍ଥାନ।  

ଶିମିଳିପାଳ: ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଜାତୀୟ ଉଦ୍ୟାନ ଶିମିଳିପାଳ ବି ହନିମୁନ୍‌ ପାଇଁ ଏକ ଉତ୍ତମ ସ୍ଥାନ। ଏଠାରେ ଜଙ୍ଗଲ ଭିତରେ ଆରାମଦାୟକ କଟେଜ୍‌ ରହିଛି। ଦମ୍ପତିଙ୍କୁ ନିରୋଳାରେ ସମୟ ବିତା‌ଇବା ପାଇଁ ଉପଯୁକ୍ତ ସ୍ଥାନ ବି ରହିଛି। ଲୁଲୁଂ ଅରଣ୍ୟ ନିବାସରେ ଆପଣ ଏସବୁ ସୁବିଧା ପାଇପାରିବେ। ଶିମିଳିପାଳର ଶାନ୍ତସବୁଜ ପରିବେଶରେ ନାନାଜାତିର ପକ୍ଷୀମାନଙ୍କ କିଚିରିମିଚିରି ଏକ ନିଆରା ଅନୁଭୂତି ଆଣିଦେବ। ପାହାଡ଼ଘେରା ପରିବେଶରେ ପାହାଡ଼ୀ ଝରଣା ଓ ଜଳପ୍ରପାତର ଭରପୂର ମଜା ନେଇପାରିବେ।
ଭିତରକନିକା: ହନିମୁନ୍‌ ପାଇଁ ଆପଣ ଭିତରକନିକାକୁ ମଧ୍ୟ ବାଛି ପାରିବେ। ସେଠାକାର ମନୋରମ ପରିବେଶ ସଙ୍ଗକୁ କୁମ୍ଭୀର ସଫାରି, ପକ୍ଷୀ ଅଭୟାରଣ୍ୟ, ହେନ୍ତାଳବନ ଆଦି ଉପଭୋଗ କରିପାରିବେ। ଯଦିଓ ଜଙ୍ଗଲ ଭିତରେ ରହିବାର ବ୍ୟବସ୍ଥା ନାହିଁ, କିନ୍ତୁ ଭିତରକନିକା ସୀମାରେ ଗେଷ୍ଟ୍‌ ହାଉସ୍‌ ଓ କଟେଜ୍‌ ସୁବିଧା ରହିଛି। ନବଦମ୍ପତିଙ୍କୁ ଏହା ନିଆରା ଅନୁଭୂତି ପ୍ରଦାନ କରିବ ନିଶ୍ଚୟ।

ଚିଲିକା: ହନିମୁନ୍‌ ଓ ଭ୍ରମଣ ପାଇଁ ଚିଲିକା ସର୍ବୋତ୍କୃଷ୍ଟ ସ୍ଥାନ କହିଲେ ଅତ୍ୟୁକ୍ତି ହେବନାହିଁ। ଚିଲିକା ହ୍ରଦ ପରିଦର୍ଶନ ସଙ୍ଗକୁ ବୋଟିଂ, ବିଦେଶାଗତ ପକ୍ଷୀଙ୍କ କଳରବ, ଡଲ୍‌ଫିନ୍‌ଙ୍କ ଜଳଡ଼ିଆଁ ଆଦିର ମଜା ନେଇପାରିବେ। ସେଠାରେ ରହିବା‌ ପାଇଁ ଅନେକ ରିସର୍ଟ, ହୋଟେଲ୍‌ ଓ ଲଜ୍‌ ଆଦି ଉପଲବ୍ଧ। ଏହାବାଦ୍‌ ସାତପଡ଼ା ଓ ଚିଲିକା ମଝିରେ ଥିବା ରାଜହଂସରେ ମଧ୍ୟ ରିସର୍ଟ ରହିଛି। ଏଠାରେ ଦମ୍ପତିଙ୍କୁ ନିରୋଳାରେ ସମୟ ବିତେଇବା ଓ ମନୋରଂଜନ ପାଇଁ ବ୍ୟବସ୍ଥା ଅଛି। ହନିମୁନ୍‌ ପାଇଁ ଚିଲିକା ଏକ ଭଲ ବିକଳ୍ପ।
ପୁରୀ ଓ କୋଣାର୍କ: ରାଜ୍ୟର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ପୁରୀ ଓ କୋଣାର୍କ ବି ଭଲ ହନିମୁନ୍‌ ସ୍ପଟ୍‌। ସମୁଦ୍ର ଓ ପ୍ରାଚୀନ କୀର୍ତ୍ତିରାଜିରେ ରୁଚି ରଖୁଥିବା ଦମ୍ପତିଙ୍କ ପାଇଁ ଏହା ପ୍ରକୃଷ୍ଟ ସ୍ଥାନ।  ଶ୍ରୀମନ୍ଦିର ଦର୍ଶନ ସଙ୍ଗକୁ ପୁରୀ ବେଳାଭୂମି ଏବଂ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ ସଙ୍ଗକୁ ଚନ୍ଦ୍ରଭାଗା ବେଳାଭୂମିରେ ସମୟ ବିତାଇବାର ଆନନ୍ଦ ନିଆରା। ପୁଣି ଝାଉଁବଣବେଷ୍ଟିତ ପୁରୀ-କୋଣାର୍କ ବେଳାମାର୍ଗରେ ଯାତ୍ରାର ଅନୁଭୂତି ସ୍ବତନ୍ତ୍ର। ଦମ୍ପତିଙ୍କ  ଲାଗି  ନିରୋଳା ପରିବେଶରେ କଟେଜ୍‌ ଓ ରିସର୍ଟ ଉଭୟ ପୁରୀ ଓ କୋଣାର୍କରେ ରହିଛି।

‘‘ଓଡ଼ିଶାରେ ବହୁତ ଭଲ ଭଲ ହନିମୁନ୍‌ ଡେଷ୍ଟିନେସନ୍‌ ଅଛି। ହେଲେ ଏହା ଲୋକଲୋଚନକୁ ଆସିପାରୁନାହିଁ। ଆମ ଓଡ଼ିଆ ଲୋକ ମଧ୍ୟ ଏସବୁ ସ୍ଥାନ ବାବଦରେ କମ୍ ଜାଣିଛନ୍ତି। ମୋ ମତରେ କୋରାପୁଟର ଦେଓମାଳି, ବାରିପଦାର ବେଲ୍‌ଗାଡ଼ିଆ ପ୍ୟାଲେସ୍‌ ଓ ଲୁଲୁଙ୍ଗ୍‌ରେ ଦମ୍ପତିଙ୍କ ଲାଗି ସବୁ ସୁବିଧା ଅଛି। ଏବେ ଇକୋ ଟୁରିଜିମ୍‌ ପ୍ରକଳ୍ପ ଓ ନେଚର୍‌ କ୍ୟାମ୍ପ୍‌ ହେବା ପରେ ଓଡ଼ିଶାର ବହୁ ସ୍ଥାନକୁ ହନିମୁନ୍‌ ଓ ଭ୍ରମଣ ପାଇଁ ଲୋକେ ଯାଉଛନ୍ତି। ତେବେ ଓଡ଼ିଶାର ମନୋରମ ସ୍ଥାନଗୁଡ଼ିକରେ ମିଳୁଥିବା ସୁବିଧା ଯଦି ଲୋକଲୋଚନକୁ ଆସିପାରନ୍ତା ତା’ହେଲେ ଆମ ରାଜ୍ୟର ପର୍ଯ୍ୟଟନ ଅର୍ଥନୀତି ଆଗକୁ ବଢ଼ିପାରନ୍ତା’’ ବୋଲି କହନ୍ତି ଆମେଷ୍ଟ୍ରୋ ଇଭେଣ୍ଟ୍‌ର ସ୍ବତ୍ବାଧିକାରୀ ନିରୋଜ କୁମାର ସାହୁ।

ଅନ୍ୟପକ୍ଷରେ ଓମ୍‌ ଲିଜର୍‌ ରିସର୍ଟସ୍‌ର ମ୍ୟାନେଜିଂ ଡାଇରେକ୍ଟର୍‌ ଦେବବ୍ରତ ଦାଶ କହନ୍ତି, ‘‘ଓଡ଼ିଶାରେ ହନିମୁନ୍‌ ପାଇଁ ଅନେକ ଜାଗା ଅଛି। ହେଲେ ସୁବିଧା ଅଭାବରୁ ସେସବୁ ଲୋକଲୋଚନ ଆଢୁଆଳରେ ରହିଯାଉଛି। ଓଡ଼ିଆମାନେ ବାହାରକୁ ବୁଲିଯିବାକୁ ଓ ଛୁଟିକାଟିବାକୁ ବେଶି ପସନ୍ଦ କରୁଛନ୍ତି। ଆମ ରାଜ୍ୟରେ ଏସବୁ ସ୍ଥାନଗୁଡ଼ିକର ଯଦି ପ୍ରଚାର ପ୍ରସାର ହୁଅନ୍ତା ତେବେ ଦେଶବିଦେଶର ଲୋକ ଏଠାକୁ ଆସନ୍ତେ ଏବଂ ଆମ ଅର୍ଥନୀତିରେ ବିକାଶ ହୁଅନ୍ତା। ଆମ ସଂସ୍ଥା ଓଡ଼ିଶାର ଅନେକ ସ୍ଥାନରେ ରିସର୍ଟ ସ୍ଥାପନ କରି ଲୋକମାନଙ୍କୁ ସୁବିଧା ସୁଯୋଗ ଯୋଗାଉଛି। ’’