ଭୁବନେଶ୍ବର: ପ୍ରେମ ବିବାହ ବା ସମ୍ପର୍କ ଅନେକ ସମୟରେ ଭୟଙ୍କର ପରିଣାମ ଆଣିଥାଏ। ସାଧାରଣତଃ ଲୁଚାଇ ବା ପରିବାରକୁ ନ ଜଣାଇ ଏହା କରାଯାଉଥିବାରୁ ଏଭଳି ସମ୍ପର୍କକୁ ପରିବାର ସମ୍ମତି ଦେଇ ନ ଥାଏ। ପରିବାରର ସମ୍ମାନରେ ଆଞ୍ଚ ଆଣିବା କାରଣରୁ ଉଭୟ ପ୍ରେମିକ-ପ୍ରେମିକା ବା ଅତିକମ୍‌ରେ ଜଣେ ଆକ୍ରମଣର ଶିକାର ହେବାର ସମ୍ଭାବନା ଥାଏ। ପଞ୍ଜାବ, ହରିୟାଣା, ରାଜସ୍ଥାନ ପ୍ରଭୃତି ରାଜ୍ୟରେ ଏହାକୁ ନେଇ ଅନେକ ଅନର କିଲିଂ ଘଟଣା ଘଟୁଥିବା ଆମେ ଖବରକାଗଜରେ ପଢ଼ୁଛୁ। ତେବେ ପ୍ରେମ ବିବାହ କିଛି ନୂଆକଥା ନୁହେଁ, ଗାନ୍ଧର୍ବ ବିବାହ କହି ଏହାକୁ ସାମାଜିକ ସ୍ବୀକୃତି ବି ମିଳିଛି, ଯଦିଚ ଏହାକୁ ନିକୃଷ୍ଟ ବିବାହ ଭାବେ ଗଣାଯାଏ। ଏଭଳି ସ୍ବୀକୃତି ସତ୍ତ୍ବେ ଅନର କିଲିଂ ପରି ଘଟଣା ବା ସେଥିପାଇଁ ଉଦ୍ୟମ ରାମାୟଣ ଓ ମହାଭାରତ ଯୁଗରୁ ଚାଲି ଆସୁଛି। ଏପରି ଗୋଟିଏ ଦୁଇଟି ଘଟଣା ଉପରେ ଆଲୋକପାତ କରିବା।

Advertisment

ରାବଣର ଭଉଣୀ ମୀନାକ୍ଷୀ, ଯିଏ ସୂର୍ପଣଖା ନାମରେ ବିଶେଷ ଭାବରେ ଜଣାଶୁଣା, ତା’ର ହାବଭାବ ଦେଖି ମନ୍ଦୋଦରୀଙ୍କୁ ଭଲ ଲାଗିଲା ନାହିଁ। ସେ ରାବଣକୁ କହିଲେ, ତୁମ ଭଉଣୀ ଅବାଟରେ ଯାଉଛି। ତାକୁ ଟିକେ ସମ୍ଭାଳ। ରାବଣ ଏହା ଜାଣିବା ପରେ ତୁରନ୍ତ ଭଉଣୀର ବାହାଘର ଠିକ୍ କଲେ, ତାଙ୍କର ଜଣେ ସେନାପତିଙ୍କ ସହ। କିନ୍ତୁ ସେତେବେଳକୁ ସୂର୍ପଣଖା ପ୍ରେମରେ ବହୁତ ଆଗେଇ ଯାଇଥିଲା। ସେ କାଳକେୟ ବଂଶର ବିଦ୍ୟୁତ୍‌ଜିହ୍ବକୁ ଭଲ ପାଉଥିଲା। ରାବଣ ଏଣେ ଧୂମ୍‌ଧାମ୍‌ରେ ବାହାଘର ଠିକ୍ କଲା ବେଳକୁ ସୂର୍ପଣଖା ବିଦ୍ୟୁତ୍‌ଜିହ୍ବ ସହ ଫେରାର ହୋଇଗଲା। ରାବଣକୁ ବହୁତ ବାଧିଲା। ତିନିପୁରର ବିଜେତା ଲଙ୍କାପତି ରାବଣର ଭଉଣୀକୁ କିଏ ଭଗେଇ ନେଇଯିବ, ଇଏ କ’ଣ ତାଙ୍କର ସହ୍ୟ ହୁଅନ୍ତା। ସେ ଠିକ୍ କଲେ ତାଙ୍କର ଭଉଣୀକୁ ଅପହରଣ କରି ତାଙ୍କ ସମ୍ମାନକୁ ମାଟିରେ ମିଶାଇଥିବା ବିଦ୍ୟୁତ୍‌ଜିହ୍ବକୁ ହତ୍ୟା କରିବେ। ସେନା ପ୍ରସ୍ତୁତ କରି କାଳକେୟଙ୍କ ରାଜଧାନୀ ଉପରେ ଆକ୍ରମଣ କଲେ। ବିଦ୍ୟୁତ୍‌ଜିହ୍ବ ବି କମ୍ ବଡ଼ ଯୋଦ୍ଧା ନ ଥିଲା। ଅନେକ ଦିନ ଧରି ଯୁଦ୍ଧ ଚାଲିଲା। ଶେଷରେ ରାବଣ ବିଦ୍ୟୁତ୍‌ଜିହ୍ବକୁ ବଧ କରିଦେଲା। 

ସୂର୍ପଣଖା ପ୍ରଥମେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। ତାକୁ ସେଥିରୁ ନିବୃତ୍ତ କରାଗଲା। କିନ୍ତୁ ସେ ନିଶ୍ଚିତ କଲା, ଭାଇ ରାବଣ ଉପରେ ଏହାର ପ୍ରତିଶୋଧ ନେବ। ସେ ଯେତେବେଳେ ଜାଣିଲା, ଦୁଇଜଣ ବନବାସୀ ଖର-ଦୂଷଣ ପରି ତା’ର ମହାପରାକ୍ରମଶାଳୀ ଦୁଇଭାଇଙ୍କୁ ସେନା ସହିତ ପରାସ୍ତ କରି ବଧ କରିଦେଇଛନ୍ତି, ସେ ସେମାନଙ୍କ ପାଖକୁ ଗଲା। ରାମଙ୍କୁ ଓ ପରେ ଲକ୍ଷ୍ମଣଙ୍କୁ ପ୍ରେମ ନିବେଦନ କଲା। ସେଥିରେ ବିଫଳ ହେବାରୁ ସୀତାଙ୍କୁ ଏହାର କାରଣ ବୋଲି ଅନୁଭବ କରି ଆକ୍ରମଣ କରିବାକୁ ଚେଷ୍ଟା କରନ୍ତେ, ରାମ ଇଶାରାରେ ଲକ୍ଷ୍ମଣଙ୍କୁ ତା’ର ନାକକାନ କାଟିଦେବାକୁ କହିଲେ। ବୈଦେହୀଶ ବିଳାସରେ ଭଞ୍ଜ ଲେଖିଛନ୍ତି- ବାବୁ ନାକ ଶିରୀ ଦାନ ଯୋଗ୍ୟ ଯୋଷାକୁ, ବିହର କାନନ କର ଆଲିଙ୍ଗନକୁ। ଶ୍ଳେଷରେ ଏହାର ଦୁଇ ପ୍ରକାର ଅର୍ଥ- ୧. ବାବୁ (ଲକ୍ଷ୍ମଣ), ଯୋଗ୍ୟ ଯୋଷା (ସୁନ୍ଦରୀ ରମଣୀ)କୁ ନାକ (ସ୍ବର୍ଗ) ଶିରୀ (ସୁଖ) ଦାନ କର, କାନନ (ଜଙ୍ଗଲ)ରେ ବିହର (ବିହାର କର) ଓ ଆଲିଙ୍ଗନ କର। ୨. ବାବୁ (ଲକ୍ଷ୍ମଣ) ଯୋଗ୍ୟ ଯୋଷା (ଅନାଦର ଅର୍ଥରେ ଅଯୋଗ୍ୟା ରାକ୍ଷସୀ)ର ନାକ ଶିରୀ (ନାକର ସୌନ୍ଦର୍ଯ୍ୟ) ଦାନ କର (କାଟିଦିଅ), ବିହର କାନ (କାନ କାଟିଦିଅ), ନ କର ଆଲିଙ୍ଗନକୁ (ଆଲିଙ୍ଗନ କର ନାହିଁ)। ସୂର୍ପଣଖା ପ୍ରଥମ ଅର୍ଥଟି ବୁଝି ଖୁସି ହେଲା ବେଳକୁ ଲକ୍ଷ୍ମଣ ଦ୍ବିତୀୟ ଅର୍ଥଟି ବୁଝି ତା’ର ନାକ-କାନ କାଟିଦେଲେ। ତା’ପରେ ସୂର୍ପଣଖା ଯାଇ ରାବଣ ଆଗରେ ଯାଇ ସୀତାଙ୍କର ରୂପଗୁଣ ଏପରି ବର୍ଣ୍ଣନା କରି କହିଲା ଯେ, ରାବଣ ସୀତାଙ୍କୁ ହରଣ କରି ନିଜ ମରଣର ରାସ୍ତା ପରିଷ୍କାର କ‌ରିଦେଲା। 

ସୂର୍ପଣଖା ହେଉଛି, ଆଜିକାର ସ୍ବୈରିଣୀ ନାରୀମାନଙ୍କର ପ୍ରତୀକ, ଯିଏ ନିଜର ବାପାଭାଇ ଓ ପରିବାରର ସମ୍ମାନ କଥା ଚିନ୍ତା କରେ ନାହିଁ। ମିଳିଥିବା ସ୍ବାଧୀନତାର ଦୁରୁପଯୋଗ କରେ। ଲଜ୍ଜା ତ୍ୟାଗ କରି ରାସ୍ତାଘାଟରେ ଯାହାକୁ ତାକୁ ପ୍ରେମ ନିବେଦନ କରେ। ପ୍ରଥମେ ନିଜ ପରିବାରଠାରୁ କଥାକୁ ଲୁଚାଇ ରଖେ। ପରେ ନିଜର ତଥା ନିଜ ପ୍ରେମିକର ଓ ଉଭୟ ପରିବାର ସର୍ବନାଶ କରେ। ସୁନ୍ଦର ଆଖି ହେତୁ ମୀନାକ୍ଷୀ ପରି ସୁନ୍ଦର ନାମ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ସୂର୍ପଣଖା ନାମଟି ହେଉଛି ତା’ର ବେଶପୋଷାକର ସୂଚକ। ସୂର୍ପ ବା କୁଲା ପରି ନଖ ଯାହାର ସେ ସୂର୍ପଣଖା। କୁଲା ପରି ଏତେବଡ଼ ନଖ ତ କାହାର ନ ଥାଏ, ମାତ୍ର ନିଶ୍ଚୟ ସେ ବଡ଼ ବଡ଼ ନଖ ରଖିଥିବାରୁ ତାକୁ ସୂର୍ପଣଖା ନାମ ଦିଆଯାଇଛି। ବଡ଼ ନଖ ରଖିବାର ସଉକ ବି ଆଜିକାଲି ବହୁତ ଦେଖିବାକୁ ମିଳୁଛି। ସୂର୍ପଣଖା ବିଧବା ହୋଇଥିଲେ ମଧ୍ୟ ରାମଙ୍କ ପାଖରେ ପ୍ରେମ ନିବେଦନ କଲା ବେଳେ ନିଜକୁ ଅବିବାହିତା ଓ କୁମାରୀ ବୋଲି ମିଥ୍ୟା ପରିଚୟ ଦେଇଥିଲା। ଆଜିକାଲି ଅନେକ ବିବାହିତ ପୁରୁଷ ଓ ବିବାହିତା ନାରୀ ଏପରି ମିଥ୍ୟା ପରିଚୟ ଦେଇ ଫେସ୍‌ବୁକ୍‌ରେ ସମ୍ପର୍କ ଯୋଡ଼ୁଛନ୍ତି। ପରେ ପରିବାରକୁ ନ ଜଣାଇ ଲିଭ୍‌ଇନ୍‌ରେ ରହୁଛନ୍ତି ଏବଂ ଶେଷରେ ପ୍ରତାରଣାର ଶିକାର ହେଉଛନ୍ତି। 

ଆଉ ଗୋଟିଏ ଅନର କିଲିଂ ଉଦ୍ୟମର ଘଟଣା କହୁଛି। ଭଗବାନ୍ ଶ୍ରୀକୃଷ୍ଣଙ୍କ ନାତି ଓ ପ୍ରଦ୍ୟୁମ୍ନଙ୍କ ପୁଅ ଅନିରୁଦ୍ଧ ବାଣାସୁରର ଝିଅ ଉଷାକୁ ଭଲ ପାଇ ବସିଲେ। ଏହାକୁ ନେଇ ରୋଚକ କାହାଣୀ ରହିଛି। ସ୍ବପ୍ନଦେଖାରୁ କୁଆଡ଼େ ଏ ପ୍ରେମସମ୍ପର୍କ ସୃଷ୍ଟି ହୋଇଥିଲା। ଅନିରୁଦ୍ଧ ଓ ଉଷା ବାଣାସୁରର ରାଜଧାନୀ ଶୋଣିତପୁରରେ ଉଷାର ଅନ୍ତଃପୁରରେ ଥିବା ନେଇ ବାଣାସୁର ପାଖରେ ଯେତେବେଳେ ଖବର ପହଞ୍ଚିଲା, ସେ ଅତ୍ୟନ୍ତ କ୍ରୋଧିତ ହୋଇଉଠିଲା। ଅନିରୁଦ୍ଧକୁ ହତ୍ୟା କରିବା ପାଇଁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲା। କିନ୍ତୁ ଅନିରୁଦ୍ଧ ଭଗବାନଙ୍କ ଅଂଶରେ ଜନ୍ମ ଓ ପ୍ରକାଣ୍ଡ ଯୋଦ୍ଧା। ତାଙ୍କୁ ମାରିବା ଏତେ ସହଜ ନୁହେଁ। ସେ ଅଚିରେ ସମସ୍ତ ସୈନ୍ୟଙ୍କୁ ଧରାଶାୟୀ କରିଦେଲେ। ବାଣାସୁର ନିଜେ ବି ଯୁଦ୍ଧ ଲଢ଼ି ଅନିରୁଦ୍ଧଙ୍କୁ ପାରିଲା ନାହିଁ। ଶେଷରେ ସେ ମାୟାଯୁଦ୍ଧ କରି ନାଗପାଶରେ ଅନିରୁଦ୍ଧଙ୍କୁ ବନ୍ଦୀ କଲା। ଏଣେ ନାରଦଙ୍କଠାରୁ ଖବର ପାଇ ଶ୍ରୀକୃଷ୍ଣ ଓ ବଳରାମ ଯାଦବ ସେନା ନେଇ ଅନିରୁଦ୍ଧକୁ ବଞ୍ଚାଇବାକୁ ଗଲେ। ଘମାଘୋଟ ଯୁଦ୍ଧ ଲାଗିଲା। ବାଣାସୁର ଶିବଭକ୍ତ ହୋଇଥିବାରୁ ଶିବ ବି ବାଣାସୁର ପଟରେ ଯୁଦ୍ଧ କଲେ କିନ୍ତୁ ହାରିଗଲେ। କୁହାଯାଏ ବାଣାସୁରର ୧୦୦୦ ହାତ ଥିଲା। ଶ୍ରୀକୃଷ୍ଣ ୨ଟି ହାତ ଛାଡ଼ି ବାକି ସବୁ କାଟିଦେଲେ। ଶିବ ଶ୍ରୀକୃ‌ଷ୍ଣଙ୍କୁ ହାତ ଯୋଡ଼ି ବାଣାସୁରକୁ ନ ମାରିବାକୁ ନିବେଦନ କଲେ। ଶ୍ରୀକୃଷ୍ଣ କହିଲେ- ମୁଁ ତ ତାକୁ ଏମିତିରେ ବି ମାରି ନ ଥାନ୍ତି। କାରଣ ସେ ମୋର ଭକ୍ତ ପ୍ରହ୍ଲାଦ ଓ ବଳିର ବଂଶଧର। ମୁଁ ତାଙ୍କ ବଂଶର କାହାରିକୁ ମାରିବି ନାହିଁ ବୋଲି ପୂର୍ବ ଅବତାରରେ କଥା ଦେଇଛି। ତେଣୁ ବାଣାସୁରର କେବଳ ବଳକା ହାତ (ବିଭିନ୍ନ ପ୍ରକାର ସାମରିକ ଶକ୍ତି)କୁ କାଟି ତା’ର ଅହଂକାରକୁ ନଷ୍ଟ କରିଦେଇଛି। ଏହାପରେ ଅନିରୁଦ୍ଧ ଓ ଉଷା ମଧ୍ୟରେ ବିବାହ ସମ୍ପନ୍ନ ହେଲା। ସେଇ ଶ୍ରୀକୃଷ୍ଣଙ୍କ ବଂଶରେ ଆଉ ଗୋଟିଏ ଅନୁରୂପ ଘଟଣା ଘଟିଥିଲା। ଶ୍ରୀକୃ‌ଷ୍ଣ ଓ ଜାମ୍ବବତୀଙ୍କ ପୁଅ ଶାମ୍ବ ଦୁର୍ଯୋଧନର ଝିଅ ଲକ୍ଷ୍ମଣାଙ୍କୁ ଅପହରଣ କରିନେଲେ। ଏହା ଠିକ୍ ଲକ୍ଷ୍ମଣାଙ୍କ ସ୍ବୟମ୍ବର ସମୟରେ ଘଟିଥିଲା। ତେଣୁ କୌରବ ସେନା ପକ୍ଷରୁ ଶାମ୍ବଙ୍କୁ ବନ୍ଦୀ କରାଗଲା। ବଳରାମ ଆସି ଶାମ୍ବଙ୍କୁ ଉଦ୍ଧାର କରିଥିଲେ। 

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ-୭୦୦୮୯୬୦୫୦୨