ଆମ ସୌରମଣ୍ଡଳର କେନ୍ଦ୍ରରେ ରହିଛି ସୂର୍ଯ୍ୟ ପରି ଏକ ମଧ୍ୟମ ଆକାରର ନକ୍ଷତ୍ର ଏବଂ ‘ଆକାଶଗଙ୍ଗା’ ହେଉଛି କୋଟି କୋଟି ନକ୍ଷତ୍ରକୁ ଧାରଣ କରୁଥିବା ମଧ୍ୟମ ଧରଣର ଛାୟାପଥ। ଆଉ ଆମ ବ୍ରହ୍ମାଣ୍ଡରେ ଏମିତି କୋଟି କୋଟି ବିଶାଳ ଛାୟାପଥ ରହିଛି, ସୁତରାଂ ଅନ୍ତରୀକ୍ଷରେ ଅସଂଖ୍ୟ ନକ୍ଷତ୍ର ସାଙ୍ଗକୁ ଅଗଣିତ ସୌରମଣ୍ଡଳ ବିଦ୍ୟମାନ। ଅତଏବ ପୃଥିବୀ ବାହାରେ ମଧ୍ୟ ପୃଥିବୀ ଅନୁରୂପ ଗ୍ରହ ରହିଥିବା ସମ୍ଭବ, ଯହିଁରେ ଜୀବଜଗତ ତିଷ୍ଠି ରହିଥିବ। ଏପରି ଏକ ସମ୍ଭାବନାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ପୃଥିବୀ ବାହାରେ ଜୀବସତ୍ତା ଖୋଜିବାରେ ଲାଗିଛନ୍ତି। ଏହି କ୍ରମରେ ୟୁନିଭର୍ସିଟି ଡି ମଣ୍ଟ୍ରିଆଲ୍ ଅଧୀନ ଟ୍ରୋଟିଅର୍ ଇନଷ୍ଟିଚ୍ୟୁଟ୍ ଫର୍ ରିସର୍ଚ୍ଚ ଅନ୍ ଏକ୍ସୋପ୍ଲାନେଟ୍ସ(ଆଇଆର୍ଇଏକ୍ସ)ର ଦଳେ ଜ୍ୟୋତିର୍ବିଜ୍ଞାନୀ ‘ଏଲ୍ ୯୮-୫୯’ ନକ୍ଷତ୍ର ଚାରିପଟେ ବୁଲୁଥିବା ଏପରି ଏକ ଗ୍ରହ ଠାବ କରିଛନ୍ତି, ଯାହାର ପରିବେଶରେ ତରଳ ଜଳର ଉପସ୍ଥିତି ସମ୍ଭବ ବୋଲି ଅନୁମାନ କରାଯାଉଛି। ଜଳ ଥିଲେ ହିଁ ଜୀବନ ସମ୍ଭବ ହୋଇଥିବାରୁ ପୃଥିବୀ ବାହାରେ ଜୀବନ ଥିବା ଆଶା ଅଧିକ ଦୃଢ଼ୀଭୂତ ହୋଇଛି।
ଯଦି ଏହି ଗ୍ରହର ବାୟୁମଣ୍ଡଳ ଥିବ, ତେବେ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ତହିଁରେ ଜଳୀୟ ବାଷ୍ପ, ଅଙ୍ଗାରକାମ୍ଳ ବା ଜୀବସତ୍ତା ଠଉରେଇପାରିବ ବୋଲି ଗବେଷକମାନେ ଆଶା ବାନ୍ଧିଛନ୍ତି।
ଉଲ୍ଲେଖଯୋଗ୍ୟ, ‘ଏଲ୍ ୯୮-୫୯’ ହେଉଛି ପୃଥିବୀଠାରୁ ୩୫ ଆଲୋକ ବର୍ଷ ଦୂରରେ ଅବସ୍ଥିତ ଏକ ଛୋଟ ଲାଲ ବାମନ ନକ୍ଷତ୍ର। ୨୦୧୯ରେ ‘ନାସା’ର ଟେସ୍ ସ୍ପେସ୍ ଟେଲିସ୍କୋପ୍ ତଥ୍ୟରୁ ‘ଏଲ୍ ୯୮-୫୯’କୁ ତିନିଟି ଛୋଟ ଗ୍ରହ ପରିକ୍ରମଣ କରୁଥିବା ଜଣାପଡ଼ିଥିଲା। ପରେ ୟୁରୋପିଆନ୍ ସାଉଦର୍ନ ଅବଜରଭେଟୋରିର ‘ଏସ୍ପ୍ରେସ ସ୍ପେକ୍ଟ୍ରୋଗ୍ରାଫ୍’ ତାହାର ଚତୁର୍ଥ ଗ୍ରହ ଆବିଷ୍କାର କରିଥିଲା। ତେବେ ନିକଟରେ ୟୁନିଭର୍ସିଟି ଡି ମଣ୍ଟ୍ରିଆଲ୍ର ଗବେଷକମାନେ ସେହି ଗ୍ରହପ୍ରଣାଳୀର ପଞ୍ଚମ ଗ୍ରହକୁ ଠାବ କରିଛନ୍ତି। ‘ଏଲ୍ ୯୮-୫୯ ଏଫ୍’ ନାମକ ଏହି ନୂତନ ଗ୍ରହର ବସ୍ତୁତ୍ୱ ପୃଥିବୀ ବସ୍ତୁତ୍ବର ୨.୮ଗୁଣରୁ ଅଧିକ। ଏହାକୁ ଏକ ‘ସୁପର-ଆର୍ଥ’ ଭାବରେ ବର୍ଗୀକୃତ କରାଯାଇଛି। ଏହା ନିଜର ନକ୍ଷତ୍ର ଚାରିପାଖରେ ପ୍ରାୟ ସମ୍ପୂର୍ଣ୍ଣ ବୃତ୍ତାକାର କକ୍ଷପଥ ଅନୁସରଣ କରୁଛି। ନକ୍ଷତ୍ରର ସହନଶୀଳ ବାସଯୋଗ୍ୟ ଇଲାକାରେ ଏହାର ଅବସ୍ଥିତି ସୂଚାଉଛି ଯେ ଉପଯୁକ୍ତ ବାୟୁମଣ୍ଡଳୀୟ ପରିସ୍ଥିତିରେ ଏହାର ପୃଷ୍ଠରେ ତରଳ ଜଳ ରହିପାରିବ। ସୁତରାଂ ଏହା ଜୀବସତ୍ତା ଧାରଣ କରିବାର ସମ୍ଭାବନା ରହିଛି।
Follow Us