ସ୍ଥାୟୀ ମହାକାଶ ଯାତ୍ରା ପାଇଁ ଏକ ପ୍ରମୁଖ ପଦକ୍ଷେପ ଭାବରେ, ଗବେଷକମାନେ ଜୈବ ବିଘଟନଶୀଳ ବାୟୋପ୍ଲାଷ୍ଟିକ୍ ଭିତରେ (ମଙ୍ଗଳ ପରିବେଶର ଚରମ ପରିସ୍ଥିତି ସହ ସମାନ) ଏକ ଶୈବାଳକୁ ସଫଳତାର ସହିତ ବିକାଶ କରିବାରେ ସକ୍ଷମ ହୋଇଛନ୍ତି। ପୃଥିବୀର ଚାପ ତୁଳନାରେ ପ୍ରାୟ ଏକ ପ୍ରତିଶତ ପୃଷ୍ଠଚାପ ବିଶିଷ୍ଟ ମଙ୍ଗଳ ପରିବେଶରେ ପଲିଲାକ୍ଟିକ୍ ଏସିଡ୍‌ରେ ତିଆରି ସାମଗ୍ରୀ କେତେ ଭଲ ଭାବରେ ବାସଯୋଗ୍ୟ ହୋଇପାରିବ ତାହା ଦେଖିବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା। ମଙ୍ଗଳରେ ବସତି ସ୍ଥାପନ ପରେ ପୃଥିବୀରୁ ବାରମ୍ବାର ସମ୍ବଳ ପଠାଇବାର ବ୍ୟୟବହୁଳ ଯୋଗାଣ ପ୍ରକ୍ରିୟା ପରିବର୍ତ୍ତେ ଏକ ସ୍ବୟଂସଂପୂର୍ଣ୍ଣ ଜୈବିକ ପ୍ରଣାଳୀ ସମ୍ବଳିତ ଆତ୍ମନିର୍ଭରଶୀଳ ବାସସ୍ଥାନ ବିକାଶ ଦିଗରେ ଏହି ପରୀକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଆଣିଛି।

Advertisment

ମଙ୍ଗଳ ଗ୍ରହର ବାୟୁମଣ୍ଡଳ ସଦୃଶ ଚାମ୍ବର ଭିତରେ ‘ଡୁନାଲିଏଲା ଟେର୍ଟିଓଲେକ୍ଟା’ ଶୈବାଳ ଆଲୋକ ସଂଶ୍ଳେଷଣ କରିପାରୁଛି। ଏହି ଶୈବାଳ ବାୟୋପ୍ଲାଷ୍ଟିକ ମଧ୍ୟ ପ୍ରସ୍ତୁତ କରିପାରିବ।

‘ସାଇନ୍‌ସ୍ ଆଡଭାନ୍‌ସେସ୍’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ରବିନ୍ ୱାର୍ଡସୱର୍ଥଙ୍କ ନେତୃତ୍ୱରେ ଏକ ଗବେଷକ ଦଳ ପ୍ରଦର୍ଶନ କରିଛନ୍ତି ଯେ ମଙ୍ଗଳ ଗ୍ରହର ପତଳା ଅଙ୍ଗାରକାମ୍ଳ ସମୃଦ୍ଧ ବାୟୁମଣ୍ଡଳ ସଦୃଶ ଚାମ୍ବର ଭିତରେ ସବୁଜ ଶୈବାଳ ‘ଡୁନାଲିଏଲା ଟେର୍ଟିଓଲେକ୍ଟା’ ବଞ୍ଚି ରହିପାରିବା ସହ ଆଲୋକ ସଂଶ୍ଳେଷଣ ମଧ୍ୟ କରିପାରୁଛି। ଉକ୍ତ ବାୟୋପ୍ଲାଷ୍ଟିକ୍ ଚାମ୍ବର ଜୈବିକ କାର୍ଯ୍ୟକଳାପ ପାଇଁ ଯଥେଷ୍ଟ ଆଲୋକ ପ୍ରବେଶର ଅନୁମତି ଦେବା ସହିତ ଶୈବାଳକୁ ଅତିବାଇଗଣୀ ରଶ୍ମି ବିକିରଣରୁ ରକ୍ଷା କରିଥିଲା। ଗବେଷକମାନଙ୍କ କହିବାନୁଯାୟୀ, ମହାକାଶରେ ପୁନଃଚକ୍ରଣ କିମ୍ବା ପରିବହନ କରିବା କଷ୍ଟକର ହେଉଥିବା ପାରମ୍ପରିକ ଶିଳ୍ପ ସାମଗ୍ରୀ ତୁଳନାରେ ବାୟୋପ୍ଲାଷ୍ଟିକ୍ ଅଧିକ ସୁବିଧା ପ୍ରଦାନ କରେ।

ପ୍ରାକୃତିକ ଉତ୍ସରୁ ପଲିଲାକ୍ଟିକ୍ ଏସିଡ୍ ମିଳୁଥିବାରୁ ତାହାକୁ ସମ୍ଭାବ୍ୟ ସ୍ଥାନରେ ଶୈବାଳ ବ୍ୟବହାର ପୂର୍ବକ ଉତ୍ପାଦନ କିମ୍ବା ପୁନଃସୃଷ୍ଟ କରାଯାଇପାରିବ। ବାୟୋପ୍ଲାଷ୍ଟିକ୍‌ରେ ଗଠିତ ଏକ ବାସସ୍ଥାନ ଭିତରେ ଶୈବାଳ ବୃଦ୍ଧି ହେଉଥିଲେ ସେହି ଶୈବାଳ ଅଧିକ ଜୈବପ୍ଲାଷ୍ଟିକ୍ ଉତ୍ପାଦନ କରିପାରିବ ବୋଲି ୱାର୍ଡସୱର୍ଥ ଉଲ୍ଲେଖ କରିଛନ୍ତି। ତାପଜ ଓ ବାୟୁମଣ୍ଡଳୀୟ ନିୟନ୍ତ୍ରଣ ପାଇଁ ଏରୋଜେଲ୍ ସହିତ ଶୈବାଳ-ଆଧାରିତ ବାୟୋପ୍ଲାଷ୍ଟିକ୍ ପ୍ରଣାଳୀଗୁଡ଼ିକୁ ମିଶ୍ରଣ କରି ଗବେଷକମାନେ ଅନ୍ୟ ଗ୍ରହରେ ବାସସ୍ଥାନ ସୃଷ୍ଟି ପାଇଁ ଏକ ସମ୍ଭାବ୍ୟ ଉପାୟ ଦେଖିପାରିଛନ୍ତି। ଏହି ସଫଳତା ପୃଥିବୀ ବାହାରେ ଜୀବନ ନିର୍ବାହ ପାଇଁ ଜୈବିକ ପ୍ରକ୍ରିୟାରୁ ପ୍ରାପ୍ତ ସାମଗ୍ରୀ ବ୍ୟବହାରର ସମ୍ଭାବନାକୁ ଦୃଢ଼ କରିଛି।