ଶ୍ରୀମନ୍ଦିରର ରତ୍ନବେଦିରେ ପୂଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କର ରଙ୍ଗ କଳା, ଧଳା, ଲାଲ୍ ଓ ହଳଦିଆ। ଶ୍ରୀଜଗନ୍ନାଥଙ୍କର ରଙ୍ଗ କଳା, ଶ୍ରୀବଳଭଦ୍ରଙ୍କର ଧଳା, ଦେବୀ ସୁଭଦ୍ରାଙ୍କର ହଳଦିଆ ଓ ଶ୍ରୀସୁଦର୍ଶନଙ୍କର ଲାଲ୍। କିନ୍ତୁ ଦେବୀ ସୁଭଦ୍ରାଙ୍କର ବର୍ଣ୍ଣ ହଳଦିଆ ବୋଲି କୁହାଗଲେ ମଧ୍ୟ ପ୍ରକୃତରେ ଏହା କୁଙ୍କୁମବର୍ଣ୍ଣ ବା ରକ୍ତାଭ ହଳଦିଆ। ପରମ୍ପରା ଅନୁସାରେ ‘ବନକଲାଗି ନୀତି’ ମାଧ୍ୟମରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଙ୍ଗ କରାଯାଏ। ‘ବର୍ଣ୍ଣକ’ରୁ ଏହି ‘ବନକ’ ଶବ୍ଦର ସୃଷ୍ଟି ହୋଇଛି। ଏହାର ଅର୍ଥ ଚିତ୍ରାୟନ ବା ବର୍ଣ୍ଣାୟନ। ପୁରୀରେ ପାରମ୍ପରିକ ଭାବରେ ଦୁଇ ପ୍ରକାରର ଚିତ୍ରକର ଏହି ବର୍ଣ୍ଣାୟନ ବା ରଙ୍ଗକାମ କରିଥାଆନ୍ତି। ଏଥିପାଇଁ ‘ଚିତ୍ରକାର’ ସେବାର ବ୍ୟବସ୍ଥା ଅଛି। ‘ଚିତ୍ରକାର’ ବାହାର ବନକ ସେବା କରୁଥିବା ବେଳେ ‘ଦତ୍ତ ମହାପାତ୍ର’ ଭିତର ବନକ ସେବା କରିଥାଆନ୍ତି।
ଭିତର ବନକ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ। ଏହା ମୁଖ୍ୟତଃ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖର ବର୍ଣ୍ଣାୟନ ବା ଶୃଙ୍ଗାର। ଏଣୁ ଏହି ସେବକଙ୍କୁ ‘ଶ୍ରୀମୁଖ ସିଂହାରୀ’ ବା ‘ଶ୍ରୀମୁଖ ଶିଙ୍ଗାରୀ’ କୁହାଯାଏ। ଏମାନେ ଲଳିତା-ବିଦ୍ୟାପତି ବଂଶର ଏବଂ ପ୍ରଭୁଙ୍କର ଶ୍ରୀଅଙ୍ଗ ସେବା ଦୃଷ୍ଟିରୁ ଏମାନଙ୍କୁ ‘ପରମେଶ୍ୱରଙ୍କ ଅଙ୍ଗିଲା ସେବକ’ ମଧ୍ୟ କୁହାଯାଇଥାଏ। ଶ୍ରୀମନ୍ଦିର ପରମ୍ପରା ଅନୁସାରେ, ନିର୍ଦ୍ଦିଷ୍ଟ ବିଧାନରେ ଠାକୁରମାନଙ୍କର ଶ୍ରୀମୁଖ ଶୃଙ୍ଗାର କରାଯାଏ। ଏଥିରେ ଲାଲ୍ ରଙ୍ଗ ପାଇଁ ହିଙ୍ଗୁଳ, ହଳଦିଆ ରଙ୍ଗ ପାଇଁ ହରିତାଳ, ଧଳା ରଙ୍ଗ ପାଇଁ ଶଙ୍ଖ ଏବଂ କଳା ରଙ୍ଗ ପାଇଁ ଦୀପକଳା ବ୍ୟବହୃତ ହୁଏ। ପାରଦବହୁଳ ଗାଢ଼ ଲୋହିତ ବର୍ଣ୍ଣର ଖଣିଜ ପଦାର୍ଥ ହେଉଛି ହିଙ୍ଗୁଳ। ଗନ୍ଧକ ମିଶ୍ରିତ ପୀତବର୍ଣ୍ଣର ଧାତୁ ହେଉଛି ହରିତାଳ। ଏଥିରୁ ଯଥାକ୍ରମେ ଲାଲ୍ ଓ ହଳଦିଆ ରଙ୍ଗ ପ୍ରସ୍ତୁତ ହେଉଥିବା ବେଳେ, ଛୋଟ ଛୋଟ ଶଙ୍ଖରୁ ସ୍ୱତନ୍ତ୍ର ପଦ୍ଧତିରେ ଧଳା ରଙ୍ଗ ଏବଂ ରାଶି ତେଲର ଦୀପକଳାରୁ କଳାରଙ୍ଗ ପ୍ରସ୍ତୁତ ହୋଇଥାଏ। ଏହାର ତୂଳୀ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥାଏ। ବରିଷ୍ଠ ଦତ୍ତ ମହାପାତ୍ର ସେବକଙ୍କ ସୂତ୍ରର ସୂଚନା ଅନୁସାରେ, ବନକ ଲାଗି ପାଇଁ ଯେଉଁ ତୂଳୀ ବ୍ୟବହାର କରାଯାଏ, ତାହା ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଥାଏ। ମଇଁଷି କାନ୍ଧ ଉପରର କେଶକୁ ବାଉଁଶ କାଠିରେ ଲାଖ ଓ ଜଉ ଦ୍ୱାରା ବନ୍ଧାଯାଇ ଏହି ତୂଳୀ ତିଆରି ହୁଏ। ବନକଲାଗିରେ ବିଭିନ୍ନ ଆକାର ପ୍ରକାରର ପ୍ରାୟ ୧୫ଟି ତୂଳୀ ଲାଗିଥାଏ।