‘ଘୋଡ଼ାନାଚକୁ ବଞ୍ଚାଇ ରଖିବା ପାଇଁ ଜୀବନସାରା ସଂଘର୍ଷ କରିଛି। ପେଟକାଟି ପିଲାଙ୍କୁ ଘୋଡ଼ାନାଚ ଶିଖେଇଛି। ସ୍ତ୍ରୀକୁ ଭଲ ଲୁଗା ଖଣ୍ଡେ ବି ଦେଇପାରିନି। ନିଜସ୍ବ ଘର ବି କରିପାରିନି। ଏବେ ବି ଭଡ଼ା ଘରେ ଜୀବନ ବିତୁଛି। ତଥାପି ସଂଘର୍ଷର ଅନ୍ତ ଘଟିନି। ହଜି ଯାଉଥିବା ଲୋକକଳା ଘୋଡ଼ାନାଚକୁ ବଞ୍ଚାଇ ରଖିବାକୁ ସରକାରଙ୍କୁ ଦୁଇଗୁଣ୍ଠ ଜମି ମାଗିଥିଲି, ହେଲେ ସରକାର ଶୁଣିବାକୁ ନାରାଜ। ଯଦି ମୁଁ ମରିଯାଏ, ଘୋଡ଼ାନାଚ ବି ମୋ ସହ ହଜିଯିବ। ଓଡ଼ିଶାର ଅନନ୍ୟ ଲୋକସଂସ୍କୃତିରୁ ଘୋଡ଼ାନାଚର ସ୍ମୃତି ବି ନିଶ୍ଚିହ୍ନ ହୋଇଯିବ,’ ଏହିଭଳି ଭାବେ କ୍ଷୋଭ ପ୍ରକାଶ କରିଛନ୍ତି ପଦ୍ମଶ୍ରୀ ଡ. ଉଚ୍ଛବ ଚରଣ ଦାସ।
ଘୋଡ଼ାନାଚ ପାଇଁ ସେ ପଦ୍ମଶ୍ରୀ ପାଇଛନ୍ତି ସତ, କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରିନି ବୋଲି ସେ ମତଦେଇଛନ୍ତି। ଡ. ଦାସଙ୍କ କହିବା କଥା, ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଘୋଡ଼ାନାଚ ଶିଖାଇବାକୁ ଦୁଇଗୁଣ୍ଠ ଜମି ମାଗିଛନ୍ତି। ନଭେମ୍ବରରୁ ଚିଠି ଲେଖିଲେଣି, କିନ୍ତୁ କୌଣସି ପ୍ରତ୍ୟୁତ୍ତର ଆସିନି। କେବଳ ଚିଠି ପାଇଲୁ ବୋଲି ଲେଖି ସମସ୍ତେ ନିରବ ବସିଛନ୍ତି।
ଟାଙ୍ଗି ମଣିଆ ଗାଁରେ ଡ. ଦାସଙ୍କ ଜନ୍ମ। କିନ୍ତୁ ପିଲାଟି ବେଳୁ ସେ କଟକ ଜିଲ୍ଲା ଚୌଦ୍ବାରରେ ମାମୁଁ ଘରେ ରହି ପାଠ ପଢୁଥିଲେ। ଏ ଭିତରେ ସେ କେନ୍ଦ୍ର, ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଥର ଘୋଡ଼ାନାଚ ପାଇଁ ସମ୍ମାନିତ ହୋଇ ସାରିଛନ୍ତି। ବିଭିନ୍ନ ଅନୁଷ୍ଠାନ ବି ତାଙ୍କୁ ସମ୍ମାନିତ କରିଛନ୍ତି। କିନ୍ତୁ ଯେଉଁ କଳା ପାଇଁ ତାଙ୍କୁ ଏତେ ସମ୍ମାନ, ସେହି କଳା ଯେ ଆଜି ହଜିଯିବାକୁ ବସିଛି, ତାହା କେହି ବୁଝିବାକୁ ନାରାଜ। କାହାରି ତରଫରୁ ମିଳୁନି ସେଭଳି ପ୍ରୋତ୍ସାହନ।
ନିଜର ସଂଘର୍ଷପୂର୍ଣ୍ଣ ଜୀବନ ସଂପର୍କରେ ଡ. ଦାସ କହିଛନ୍ତି, ‘ ଅଷ୍ଟମ ଶ୍ରେଣୀରେ ପଢ଼ିବା ସମୟରେ ଘୋଡ଼ାନାଚ କରିବାକୁ ସଂକଳ୍ପ ନେଇଥିଲି। ସଂକଳ୍ପ ଏଇଆ ଥିଲା, ପାଠ ପଢ଼ିବି, କିନ୍ତୁ ଚାକିରି କରିବିନି। ଜୀବନବ୍ୟାପୀ ଘୋଡ଼ାନାଚକୁ ବଞ୍ଚାଇ ରଖିବାକୁ ସଂଘର୍ଷ କରିବି। ଏ ଅନନ୍ୟ ସଂସ୍କୃତିକୁ ବଞ୍ଚାଇ ରଖିବି।’ ଚୈତ୍ର ପୂର୍ଣ୍ଣିମା ଆସିଲେ ଲୋକେ ଘୋଡ଼ାନାଚକୁ ମନେ ପକାନ୍ତି, ପୁଣି ଭୁଲିଯାଆନ୍ତି। ପରବର୍ଷକୁ ଚୈତ୍ର ପୂର୍ଣ୍ଣିମା ଆସିଲେ ଘୋଡ଼ାନାଚ କଥା ମନେପଡ଼େ। ବର୍ଷସାରା କିଭଳି ଘୋଡ଼ାନାଚ ପ୍ରଦର୍ଶିତ ହୋଇପାରିବ, ଗାଁଠାରୁ ବିଦେଶ, ଯେଭଳି ଘୋଡ଼ାନାଚ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ, ସେ ନେଇ ପିଲାଟି ବେଳକୁ ଅହରହ ଉଦ୍ୟମ ଜାରି ରଖିଛନ୍ତି। ଏଣୁ ମାଟ୍ରିକ୍ ପାସ୍ କରିବା ପରେ ୧୯୬୪ ମସିହାରେ ଘୋଡ଼ାନାଚ ଶିଖାଇବା ପାଇଁ ଏକ ଅନୁଷ୍ଠାନ ଆରମ୍ଭ କରିଥିଲେ। ସେ ସମୟରେ ଘରର ଅର୍ଥାଭାବ ଥିଲା। ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିଲା ପରିବାର। ଏଣୁ ପାଠ ପଢ଼ିବା ସହ ପାନ ଦୋକାନ କରିଥିଲେ । କଲେଜ ସାରି ଫେରିବା ପରେ ଦିନ ୨ଟାରେ ପାନ ଦୋକାନ ଖୋଲୁଥିଲେ। ସେଥିରୁ ଯାହା ମିଳୁଥିଲା, କିଛି ଘୋଡ଼ାନାଚ ଶିଖିବାରେ ଖର୍ଚ୍ଚ କରୁଥିଲେ। ପଢ଼ାପରେ ଚାକିରିର ସୁଯୋଗ ଆସିଥିଲେ ବି ଘୋଡ଼ାନାଚ ପାଇଁ ଏହାକୁ ପାଦରେ ଆଡ଼େଇ ଦେଇଥିଲେ। ଘୋଡ଼ାନାଚ ଶିଖାଇବା ସହ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରେ, ଯେଉଁଠି ବି ଘୋଡ଼ାନାଚ ପ୍ରଦର୍ଶନ କରିବାର ସୁଯୋଗ ମିଳୁଥିଲା, ସେଠିକୁ ଚାଲିଯାଉଥିଲେ।ସ୍ବାସ୍ଥ୍ୟ ସଚେତନତା ହେଉ କି ଅନ୍ୟାନ୍ୟ ଉପାଦେୟ କଥାବସ୍ତୁ, ସବୁବେଳେ ଘୋଡ଼ାନାଚ ଜରିଆରେ ଜନସଚେତନତା ସୃଷ୍ଟି କରିବାର ସଦିଚ୍ଛା ରଖୁଥିଲେ ବୋଲି କହିଛନ୍ତି ସେ।
ବ୍ୟକ୍ତିଗତ ଜୀବନ ସଂପର୍କରେ ଡ. ଦାସ କହିଛନ୍ତି, ‘ ଘୋଡ଼ାନାଚ ନିଶା ଏତେ ଘାରି ଦେଇଥିଲା ଯେ ମୁଁ ପରିବାରର ଭଲମନ୍ଦ କଥା ବୁଝିବାକୁ ଭୁଲି ଯାଉଥିଲି। ନିଜ ସ୍ତ୍ରୀ ପାଇଁ ଭଲ ଲୁଗା ଖଣ୍ଡେ ବି କିଣିନି। ଥରେ ମୁଁ ଘରେ ନ ଥାଏ, ସ୍ତ୍ରୀ କୌଣସି ବନ୍ଧୁଙ୍କ ଘରକୁ ଯିବାର ଥିଲା। କିନ୍ତୁ ଭଲ ଲୁଗା ନ ଥିବାରୁ ସେ ଘୋଡ଼ାନାଚ ପାଇଁ ବ୍ୟବହାର କରୁଥିବା ଲୁଗା ପିନ୍ଧି ପଳାଇଥିଲା। ଘୋଡ଼ାନାଚ ନିଶା ଏତେ ଥିଲା ଯେ ବନ୍ଧୁଙ୍କ ଘରକୁ ଯାଇ ସ୍ତ୍ରୀ ପିନ୍ଧି ଯାଇଥିବା ଲୁଗାକୁ ମାଗି ଆଣି ଘୋଡ଼ାନାଚ କରିଥିଲି। ସେତେବେଳେ ଲୁଗା ପାଇଁ ସ୍ତ୍ରୀ ଯେଉଁକଥା କହିଥିଲେ, ତାହା ଆଜି ବି କାନରେ ଗୁଞ୍ଜରିତ ହେଉଛି। ’ ଏକଥା କହିଲା ବେଳକୁ ଆଖିକୁ ବି ଲୁହ ଆସିଯାଉଛି ବୋଲି ଡ. ଦାସ ଦୁଃଖର ସହ କହିଛନ୍ତି। ଘୋଡ଼ାନାଚ ହେଉଛି, ତାଙ୍କ ଜୀବନ। ଏଣୁ ଘର ଛାଡ଼ି ଆସି ଚୌଦ୍ବାର ବଜାରରେ ଘୋଡ଼ାନାଚ ଶିଖାଇବାକୁ ଏକ ନୃତ୍ୟ ଅନୁଷ୍ଠାନ ଖୋଲିଛନ୍ତି। ଏହା ବି ଭଡ଼ା ଘରେ ଚାଲିଛି। ଦରିଆ ସେପାରିରେ ଘୋଡ଼ାନାଚକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ଡ. ଦାସ ଆହୁରି ବି କହିଛନ୍ତି, ‘ ଘୋଡ଼ାନାଚ ଶିଖାଇବାକୁ ଚୌଦ୍ବାର ବଜାରରେ ରାଜ୍ୟ ସରକାରଙ୍କୁ ଦୁଇଗୁଣ୍ଠ ଜମି ମାଗିଥିଲି। କିନ୍ତୁ ସେ ନିବେଦନ ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନି। ବହୁ ଚିଠି ଓ ନିବେଦନ ପରେ ଜିଲ୍ଲା ପ୍ରଶାସନ ଏକ ଜାଗା ଦେବାକୁ ରାଜିହେଲା, କିନ୍ତୁ କେଉଁ ନିପଟ ଗାଁ ଭିତରେ।’ ‘ ମୁଁ ଚୌଦ୍ବାର ବଜାରରେ ଘୋଡ଼ାନାଚ ଶିଖାଇ ଆସୁଛି। ଏଣୁ ଯଦି ପୁଣି ନୂଆ ସ୍ଥାନକୁ ଯାଏ, ଘୋଡ଼ାନାଚକୁ ବଞ୍ଚାଇ ରଖିବା କଷ୍ଟକର ହେବ। ଚୌଦ୍ବାର ବଜାର ଉପରେ ବହୁ ଖାଲି ଜାଗା ପଡ଼ିଛି। ଅନେକଙ୍କୁ ଲିଜ୍ ସୂତ୍ରରେ ଜାଗା ଦିଆଯାଉଛି। କିନ୍ତୁ ମୋତେ ମାତ୍ର ଦୁଇଗୁଣ୍ଠ ଜମି ଦରକାର, ତା’ ବି ହେଉନି,’ ବୋଲି କ୍ଷୋଭର ସହ କହିଛନ୍ତି ଡ.ଦାସ। ଯେଉଁ ଘୋଡ଼ାନାଚ ପାଇଁ ପଦ୍ମଶ୍ରୀ ମିଳିଛି, ସେହି ଘୋଡ଼ାନାଚକୁ ସରକାର କେତେ ଯେ ଆଦର କରୁଛନ୍ତି, ତାହା ଏଥିରୁ ଜଣାପଡୁଛି ବୋଲି ଡ. ଦାସ ଶେଷରେ କହିଛନ୍ତି।
- ପୁରୀରୁ ସୁମନ୍ତ ପରିଡ଼ା