ମସମେରେ ଅଲିନେଜାଦ୍‌ଙ୍କୁ ଆପଣ ଜାଣନ୍ତି? ଏହି ଇରାନୀ ମହିଳାଙ୍କ ପୁତ୍ରକୁ ହତ୍ୟା କରାଯାଇଥିଲା। ସେ ପୁତ୍ରହନ୍ତା ଉପରେ ପ୍ରତିଶୋଧ ନେବାକୁ ବ୍ୟାକୁଳ ଥିଲେ। ଶେଷରେ ହତ୍ୟାକାରୀର ମୁଣ୍ଡକାଟ ଆଦେଶ ଦେଲେ ବିଚାରପତି। ଆତ୍ମସନ୍ତୋଷ ପାଇଲେ ଅଲିନେଜାଦ୍‌। କିନ୍ତୁ, ହତ୍ୟାକାରୀର ମୁଣ୍ଡକାଟ ହେବାର କିଛିକ୍ଷଣ ପୂର୍ବରୁ ଅଲିନେଜାଦ୍‌ ଦୋଷୀକୁ କ୍ଷମା କରିବାକୁ ସ୍ଥିର କଲେ। ସମସ୍ତେ ବିସ୍ମିତ ହୋଇପଡ଼ିଲେ। କାରଣ ପଚାରିବାରୁ ସେ କହିଲେ ଯେ ସ୍ବପ୍ନରେ ଦେଖାଦେଇ ପୁଅ ତାଙ୍କୁ ହତ୍ୟାକାରୀ ଉପରେ ପ୍ରତିଶୋଧ ନ ନେବାକୁ କହିଲା। ସେଥିପାଇଁ ସେ ଏଭଳି ନିଷ୍ପତ୍ତି ନେଲେ। ହତ୍ୟାକାରୀର ମାଆଙ୍କୁ ଅଲିନେଜାଦ୍‌ ଆଲିଙ୍ଗନ କରୁଥିବା ଫଟୋ ଆନ୍ତର୍ଜାତିକ ଗଣମାଧ୍ୟମରେ ପ୍ରକାଶିତ ହୋଇ ଚର୍ଚ୍ଚିତ ହେଲା। ଏହି ପ୍ରସଙ୍ଗରେ ଓଡ଼ିଆ ଭାଗବତର ଦୁଇଧାଡ଼ି ପ୍ରାସଙ୍ଗିକ ମନେହୁଏ- ‘ଦଣ୍ଡିବା ଶକ୍ତି ଯା’ର ଥାଇ, ସେ ପୁଣି କ୍ଷମା ଆଚରଇ।’ ଘଟଣାଟି ବହୁ ପୁରୁଣା ହୋଇଥିଲେ ବି ଏଭଳି ଅସାଧାରଣ କ୍ଷମାଚରଣ ଅଦ୍ୟାବଧି ବିଶ୍ବବାସୀଙ୍କୁ ଉଦ୍‌ବୁଦ୍ଧ କରୁଛି।

Advertisment

କ୍ଷମାର ଗ୍ରହୀତା କ୍ଷମା ଦାତା ଦୁହେଁ ତ୍ରିଭୁବନେ ଭାଗ୍ୟବନ୍ତ
କ୍ଷମା ଶବ୍ଦ, ମନୁଷ୍ୟ ଧର୍ମର ଦଶ ଲକ୍ଷଣ ଭିତରୁ ଅନ୍ୟତମ। କ୍ଷମା ଶବ୍ଦକୁ ଅନେକ ଲୋକ ବୁଝିଛନ୍ତି ଯେ ଜଣେ ଦୋଷକଲା ଏବଂ ତାଙ୍କୁ ଛାଡ଼ିଦେବା। କିନ୍ତୁ ଏହାର ଅର୍ଥ ତାହା ନୁହେଁ। କ୍ଷମାର ପ୍ରକୃତ ଅର୍ଥ ହେଉଛି, ଯେଉଁମାନଙ୍କର କ୍ଷମା ଦେବାକୁ କ୍ଷମତା ଓ ସାହସ ଅଛି। ଦୁର୍ବଳ ଲୋକ ପ୍ରତିଶୋଧ ନିଏ, କିନ୍ତୁ ସବଳ ଲୋକ କ୍ଷମା ଦିଏ। ଜଣଙ୍କୁ କ୍ଷମା ଦେବାର ମାନେ ହେଉଛି ଜଣଙ୍କୁ କ୍ଷମତାପୂର୍ଣ୍ଣ କରିବା। ଜଣଙ୍କ ଭିତରୁ ଭୁଲ୍‌କୁ କାଢ଼ି ଭଲ ବାଟକୁ ଆସିବା ଲାଗି ପରାମର୍ଶ ଦେବା ହେଉଛି କ୍ଷମା। ପଲ୍ଲୀକବି ନନ୍ଦକିଶୋର ବଳ ଏକ କବିତାରେ କହିଛନ୍ତି, ‘କ୍ଷମା କଲେ ଝିଅ କ୍ଷମା ତ ମିଳଇ, କ୍ଷମାର ତ ନାହିଁ ଅନ୍ତ; କ୍ଷମାର ଗ୍ରହୀତା କ୍ଷମା ଦାତା ଦୁହେଁ ତ୍ରିଭୁବନେ ଭାଗ୍ୟବନ୍ତ।’ ପଂକ୍ତିଟିର ଅର୍ଥ ହେଉଛି ଯିଏ କ୍ଷମା କରେ ତାକୁ ନିଶ୍ଚୟ କ୍ଷମା ମିଳେ। କ୍ଷମାର ଅନ୍ତ ନାହିଁ। ତାହା କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ସରିଯାଏନି। କ୍ଷମା ଅସରନ୍ତି। ଯିଏ କ୍ଷମା ପାଇଯାଆନ୍ତି ଓ ଯିଏ କ୍ଷମା ଦିଅନ୍ତି ସେ ଦୁହେଁ ତିନି ଭୁବନରେ ଭାଗ୍ୟବାନ୍‌ ଅଟନ୍ତି। କିନ୍ତୁ କ୍ରମାଗତ ଭୁଲ୍‌ ଲାଗି ଜଣଙ୍କୁ ବାରମ୍ବାର କ୍ଷମା ଦେବା ଦୁର୍ବଳତାର ପରିଚୟ ବୋଲି କୁହାଯାଏ।
-ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ବୈଦିକ ବିଦ୍ବାନ୍‌

ପ୍ରକୃତ କଥା ହେଲା, ଯେସାକୁ ତେସା ନୀତି ଅବଲମ୍ବନ କଲେ ଅଚିରେ ସମଗ୍ର ବିଶ୍ବ ଧ୍ବଂସ ହୋଇଯିବ। ବରଂ ପ୍ରତିହିଂସା ଓ ଆକ୍ରୋଶ ମନୋଭାବ ପରିହାର କରି କ୍ଷମାଶୀଳ ହେବା ମାନବ ସମାଜ ପାଇଁ ଭଲ। ତେବେ ଏଥିପାଇଁ ସାହସ ଓ ହୃଦୟବତ୍ତା ଭଳି ସୁଗୁଣ ରହିବା ଏକାନ୍ତ ଆବଶ୍ୟକ। କ୍ଷମାଶୀଳତାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ଏହା ଆମକୁ ମାନସିକ ଶାନ୍ତି ଓ ଶକ୍ତି ପ୍ରଦାନ କରିଥାଏ। ଏଭଳି ମହାନ୍‌ ଗୁଣକୁ ସ୍ବୀକୃତି ଦେବା ଲାଗି ଏବଂ ସମସ୍ତଙ୍କୁ କ୍ଷମାଶୀଳତା ପ୍ରଦର୍ଶନ କରିବା ଲକ୍ଷ୍ୟରେ ଜୁଲାଇ ୭ରେ ‘ୱାର୍ଲଡ୍‌ ଫର୍‌ଗିଭ୍‌ନେସ୍‌ ଡେ’ ପାଳନ କରାଯାଉଛି। କ୍ଷମାଶୀଳତା ମନୁଷ୍ୟର ଅନ୍ୟତମ ଆଦିମ ତଥା ସହଜାତ ଗୁଣ। ହିନ୍ଦୁଧର୍ମ, ବୌଦ୍ଧଧର୍ମ, ଖ୍ରୀଷ୍ଟଧର୍ମ, ଇସ୍‌ଲାମ୍‌ ଓ ଇହୁଦୀ ଆଦି ପ୍ରତ୍ୟେକ ଧର୍ମ ବିଶ୍ବାସର ମୌଳିକ ମନ୍ତ୍ର ମଧ୍ୟ କ୍ଷମାଶୀଳତା। ସାମଗ୍ରିକ ମଙ୍ଗଳ ଲାଗି ଧର୍ମାଧିଶମାନେ ଅନ୍ୟମାନଙ୍କ ପ୍ରତି କ୍ଷମା ଆଚରିବାକୁ ବ୍ୟକ୍ତିବିଶେଷଙ୍କୁ ନିବେଦନ କରୁଥିଲେ। କିନ୍ତୁ, ବିଂଶ ଶତାବ୍ଦୀ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ମନୋବିଜ୍ଞାନୀ ଓ ସ୍ବାସ୍ଥ୍ୟ ଗବେଷକମାନେ କ୍ଷମାଚରଣ ଓ ତା’ର ଉପକାରିତା ସମ୍ବନ୍ଧରେ ନିଷ୍ଠା ସହକାରେ ଗବେଷଣା କରି ନ ଥିଲେ। ଗବେଷଣା ଦ୍ବାରା କ୍ଷମାଶୀଳତାରେ ଅନ୍ତର୍ହିତ ଥିବା ବିଭିନ୍ନ ଉପକାରିତା ପ୍ରମାଣିତ ହେଲା। ରୋଗମୁକ୍ତି, ଆବେଗିତ ସୁସ୍ଥତା ବୃଦ୍ଧି ଓ ଶାରୀରିକ ସ୍ବାସ୍ଥ୍ୟ ଉପଶମ କ୍ଷେତ୍ରରେ କ୍ଷମା ଆଚରଣ ଅତ୍ୟନ୍ତ ଉପାଦେୟ ବୋଲି ଜଣାପଡ଼ିଲା। ଆକ୍ରୋଶ ଓ ତିକ୍ତତା ଦୂର କରି କ୍ଷମାଶୀଳ ହେବା ଦ୍ବାରା ଲୋକେ ଚାପ ହ୍ରାସ, ଉନ୍ନତ ମାନସିକ ସ୍ବାସ୍ଥ୍ୟ ଓ ସୁସମ୍ପର୍କ ଇତ୍ୟାଦି ହୃଦୟଙ୍ଗମ କରିପାରିବେ।

ଆବେଗିକ ଓ ମନସ୍ତାତ୍ତ୍ବିକ ଉପକାରିତା
l କ୍ଷମାଶୀଳତା କ୍ରୋଧ, ଆକ୍ରୋଶ ଓ ତିକ୍ତତାମୁକ୍ତ କରାଉଥିବାରୁ ମିଜାଜ୍‌ ସକାରାତ୍ମକ ଆବେଗ ଆଡ଼କୁ ଅଗ୍ରସର ହୁଏ ଏବଂ ନକାରାତ୍ମକ ଆବେଗ ହ୍ରାସହୁଏ।

l କ୍ଷମାଶୀଳତା ଯୋଗୁଁ ଅତୀତ ବ୍ୟାଥା ଦୂରୀଭୂତ ହେଉଥିବାରୁ ଶାନ୍ତି ଓ ପ୍ରୀତି ମନୋବୃତ୍ତି ବଢ଼େ। ତା’ ସଙ୍ଗେ ସଙ୍ଗେ ମନରେ ଆନନ୍ଦ ବୃଦ୍ଧିପାଏ।
l କ୍ଷମାଶୀଳତା ସମ୍ପର୍କ ସୁଧାରିବା ସହିତ ତାହାକୁ ଆହୁରି ନିବିଡ଼ କରେ।
l କ୍ଷମାଶୀଳତା ଉତ୍କଣ୍ଠା ଓ ଅବସାଦ ହ୍ରାସ କରୁଥିବା କଥା ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି।
l ଆପଣାକୁ ଓ ପରକୁ କ୍ଷମା କଲେ ଆତ୍ମସମ୍ମାନ ଓ ମର୍ଯ୍ୟାଦା ବୃଦ୍ଧି ଘଟିଥାଏ।

ଶାରୀରିକ ଉପକାରିତା
l କ୍ଷମାଶୀଳତା ରକ୍ତଚାପ ଓ ହୃଦ୍‌ସ୍ପନ୍ଦନ ହାର ହ୍ରାସ ସହିତ ଜଡ଼ିତ ଥିବାରୁ ହୃଦ୍‌ରୋଗ ସମସ୍ୟା ହ୍ରାସକରେ।
l ଗବେଷଣାରୁ ଜଣାପଡ଼ିଛି ଯେ କ୍ଷମାଶୀଳତା ରୋଗ ପ୍ରତିରୋଧକ ବ୍ୟବସ୍ଥା ଉପରେ ସକାରାତ୍ମକ ପ୍ରଭାବ ପକାଇ ବ୍ୟକ୍ତିବିଶେଷଙ୍କୁ ଅସୁସ୍ଥତା ପ୍ରତିହତ କ୍ଷେତ୍ରରେ ସବଳ କରେ।
l କେତେକ ଅଧ୍ୟୟନରୁ ଆଭାସ ମିଳିଛି ଯେ କ୍ଷମାଶୀଳତା ବ୍ୟଥା ଲାଘବ କରିବାରେ ସହାୟକ ହୋଇପାରେ।
l ଚାପ ହ୍ରାସ ଓ ଆବେଗିକ ସୁସ୍ଥତା ଉନ୍ନତ କରି କ୍ଷମାଶୀଳତା ସୁଖ ନିଦ୍ରା ଆଣେ।

କିପରି କ୍ଷମାଶୀଳ ହେବେ?
l ମନର ବ୍ୟଥା ଓ କ୍ରୋଧ ନିୟନ୍ତ୍ରଣ କରନ୍ତୁ। କୌଣସି ଚରମ ପଦକ୍ଷେପ ନେବା ପୂର୍ବରୁ ତା’ର ଫଳାଫଳ ନେଇ ବାରମ୍ବାର ଚିନ୍ତା କରନ୍ତୁ।
l ଡାଏରିରେ ଲେଖି, ଭାବିଚିନ୍ତି ଅଥବା ବିଶ୍ବସ୍ତ ବ୍ୟକ୍ତିଙ୍କ ସହିତ କଥା କହି ଆବେଗ ପରିପ୍ରକାଶ କରନ୍ତୁ, ଚାପି ରଖନ୍ତୁ ନାହିଁ।
l ସମସ୍ତେ ଭୁଲ୍‌ କରନ୍ତି ବୋଲି ବୁଝି ଓ ସ୍ବୀକାର କରି ନିଜେ ଦୟାବନ୍ତ ଓ ବିବେକବନ୍ତ ହୁଅନ୍ତୁ।
l ପ୍ରୟୋଜନସ୍ଥଳେ ବିଶେଷଜ୍ଞଙ୍କ ସହାୟତା ନିଅନ୍ତୁ। କ୍ଷମାଶୀଳ ଆଚରଣ କ୍ଷେତ୍ରରେ ମନସ୍ତତ୍ତ୍ବବିତ୍‌ମାନେ ମାର୍ଗଦର୍ଶନ ଓ ସହାୟତା ଦେଇପାରିବେ।