‘ରଜ’… ଆସେ ପୋଡ଼ପିଠାର ମହମହ ମିଠା ବାସ୍ନାରେ। ମନମତାଣିଆ ଦୋଳି ଗୀତରେ, ଆଉ କୁଆଁରୀ ମଥାର ଟିପି ଟିପି ଚନ୍ଦନ ଟିପାରେ। ଗାଁ ଓ ସହର ଜୀବନକୁ ସ୍ନେହ, ପ୍ରୀତି, ସାମାଜିକ ଐକ୍ୟର ମଧୁର ବାର୍ତ୍ତା ନେଇ ଆସେ କୃଷିଭିତ୍ତିକ ପର୍ବ ରଜ। କର୍ମକ୍ଳାନ୍ତ ମଣିଷ ଜୀବନରେ ଟିକେ ହସଖୁସି ଭରିଦେବା ଉଦ୍ଦେଶ୍ୟରେ, ପ୍ରକୃତି ସହ ମଣିଷକୁ ନିବିଡ଼ ଭାବେ ଯୋଡ଼ିଦେବାର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅବସର ସୃଷ୍ଟି କରେ ରଜ…।
ପ୍ରଗତି ସାହୁ
ଖାଣ୍ଟି ଓଡ଼ିଆ ପର୍ବ ହୋଇଥିଲେ ବି ‘ରଜ’ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ସହ ପାଳନ ହୁଏ। କେଉଁଠି କଣ୍ଢେଇ ବାହାଘର ତ କେଉଁଠି ଘୋଡ଼ାନାଚ। କେଉଁଠି ମିଛ କନିଆ ବାହାଘର ତ କେଉଁଠି ନାଟ୍ୟାଭିନୟ। ରଜରେ ଆଞ୍ଚଳିକ ଭିନ୍ନତା ଓଡ଼ିଆଙ୍କ ଏହି ପର୍ବକୁ ଆହୁରି ସ୍ବତନ୍ତ୍ର ଓ ନିଆରା କରିଦିଏ। ରଜପାନ, ପିଠା, ଦୋଳି, ସଜବାଜ ଓ ନୂଆ ପୋଷାକ ମଧ୍ୟରେ ଏହି ତିନିଦିନିଆ ପର୍ବ ଓଡ଼ିଶାବାସୀଙ୍କୁ ବର୍ଷ ସାରାର ସ୍ମୃତି ଓ ଅନୁଭୂତି ଉପହାର ଦେଇଯାଏ। କିନ୍ତୁ ଏବେକା ରଜ ଓ କେଇ ଦଶନ୍ଧି ତଳର ରଜ ଭିତରେ ଫରକ ଅନେକ। ପୂର୍ବେ ରଜ ସମୟରେ ଝିଅମାନେ ଏକାଠିହୋଇ ସଜବାଜ ହେବା ସହ ରଜଗୀତ ଗାଇ ଦୋଳି ଖେଳୁଥିଲେ। ଅନ୍ୟପଟେ ଯୁବକମାନେ ତାସ୍ ଓ କବାଡ଼ି ଖେଳି ରଜର ଉଲ୍ଲାସ ମନାଉଥିଲେ। କିନ୍ତୁ ଏବେ ସମୟ ବଦଳିବା ସହ ବଦଳିଯାଇଛି ରଜରେ ଆନନ୍ଦ ମନାଇବାର ମାଧ୍ୟମ। ଉଭୟ ଗାଁ ଓ ସହରରେ ରଜରେ ଖେଳିବାବୁଲିବା ବଦଳରେ ଘରେ ବସି ମୋବାଇଲ ଗେମ୍ରେ ମାତୁଛନ୍ତି ଯୁବପିଢ଼ି। କେତେକ ସାଙ୍ଗସାଥୀ ହୋଇ ଫିଲ୍ମ ବି ଦେଖୁଛନ୍ତି। ଆଗରୁ ରଜ ଅବସରରେ ପାରିବାରିକ ମିଳନ ହେଉଥିଲା। କିନ୍ତୁ ଏବେ କିଛି ଅନୁଷ୍ଠାନ ପକ୍ଷରୁ ରଜ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୋସିଆଲ୍ ମିଡିଆରେ ଶୁଭେଚ୍ଛା ଜଣାଇବା ସହ ଅନ୍ଲାଇନ୍ ଉପହାର ଦିଆନିଆ ବି ହେଉଛି।
ରଜ ଶବ୍ଦ ସଂସ୍କୃତ ଶବ୍ଦ ‘ରଜସ୍’ରୁ ଆସିଛି; ଯାହାର ଅର୍ଥ ମାସିକ ଧର୍ମ। ବିଶ୍ବାସ ରହିଛି, ଏହି ସମୟରେ ବସୁମାତା ରଜସ୍ବଳା ହୁଅନ୍ତି। ଏଣୁ ବସୁମାତାଙ୍କୁ ବିଶ୍ରାମ ଦେବା ପାଇଁ ଏହି ସମୟରେ କୃଷିକାର୍ଯ୍ୟ କରାଯାଏ ନାହିଁ। ବିଲରେ ଲଙ୍ଗଳ ଚାଲେନାହିଁ। ରଜ ତିନି ଦିନରେ ପ୍ରଥମ ଦିନକୁ ପହିଲି ରଜ, ଦ୍ବିତୀୟ ଦିନକୁ ରଜସଂକ୍ରାନ୍ତି ଓ ତୃତୀୟ ଦିନଟିକୁ ଭୂମିଦହନ କୁହାଯାଏ। ବସୁମତୀ ମା’ଙ୍କର ଏହି ତିନିଦିନ ବିଶ୍ରାମ ଦିନ ବୋଲି ବିଶ୍ବାସ ରହିଛି। ଚତୁର୍ଥ ଦିନକୁ ବସୁମତୀ ସ୍ନାନ ବା ଠାକୁରାଣୀ ବୁଡ଼ କୁହାଯାଏ। ଲୋକମାନେ ଠାକୁରାଣୀଙ୍କୁ ସ୍ନାନ କରାଇ ନୈବେଦ୍ୟ ଅର୍ପଣ କରନ୍ତି। ଘର ଅଗଣାରେ ହଳ, ଲଙ୍ଗଳ, ଶିଳପୁଆ ଇତ୍ୟାଦିକୁ ହଳଦୀରେ ସ୍ନାନ କରାଇ ପୂଜାର୍ଚ୍ଚନା କରାଯାଏ। ଏହି ତିନିଦିନ ରଜରେ ମହିଳାମାନଙ୍କୁ କାମରୁ ବିଶ୍ରାମ ଦିଆଯାଏ। ଏହି ପର୍ବରେ କୁମାରୀମାନେ ଖାଲି ପାଦରେ ଭୂମିରେ ନ ଚାଲିବା ହେଉଛି ପାରମ୍ପରିକ ବିଧି। ଏଥିପାଇଁ ଆଗକାଳରେ ଗୁଆଖୋଳପା, କଦଳୀପଟୁକା ପିନ୍ଧୁଥିଲେ, ଯାହାଦ୍ବାରା ଭୂମିକୁ କଷ୍ଟ ହେବନାହିଁ। ଏବେ ରଜରେ ଘରେ ଚପଲ ପିନ୍ଧି ଝିଅବୋହୂ ସେହି ପରମ୍ପରାକୁ ମାନୁଛନ୍ତି।
ଦୋଳିଖେଳ ଓ ପୁଚିର ସ୍ଥାନ ନେଇଛି ଡିଜେ ଓ ଡ୍ୟାନ୍ସ୍
ଭୂମି ରଜସ୍ବଳା ହେବାର ଉତ୍ସବ ହେଉଛି ରଜ। କୁମାରୀମାନଙ୍କ ପର୍ବ ହେଉଛି ରଜ। ପୂର୍ବକାଳରେ ଝିଅମାନଙ୍କୁ ଆଗାମୀ ମାତୃତ୍ବ ଓ ନାରୀତ୍ବ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ପର୍ବଟି ପାଳନ କରାଯାଏ। ନାରୀମାନଙ୍କୁ ଯେପରି ବିଶ୍ରାମ ଦିଆଯାଏ, ସେହିପରି ଭୂମିକୁ ମଧ୍ୟ ଏହି ଦିନରେ ବିଶ୍ରାମ ଦିଆଯାଉଥିଲା। ଭୂମିକୁ ଛୁଇଁବା ନିଷିଦ୍ଧ ଥିଲା। ଏଥିପାଇଁ ଝିଅମାନଙ୍କୁ କଦଳୀପଟୁଆ ଓ ଗୁଆଖୋଳପା ପିନ୍ଧାଯାଉଥିଲା। କଟାବଟା ପରି କାମ ପୁଅମାନେ କରୁଥିଲେ। ଏହାଦ୍ବାରା କର୍ମର ଶ୍ରେଣୀ ବିଭାଗରେ ପୁଅମାନଙ୍କ ଭୂମିକା ରହିଛି ବୋଲି ପୁରୁଷମାନଙ୍କୁ ବୁଝାଯାଉଥିଲା। ଝିଅଙ୍କ ଶରୀର ଅସୁବିଧା ସମୟରେ ସେମାନଙ୍କୁ ବିଶ୍ରାମ ଦିଆଯାଇ ପୁଅମାନଙ୍କ ଦ୍ବାରା କାର୍ଯ୍ୟ କରାଯାଉଥିଲା। ଚାଉଳ ଜନ୍ତୁଣିରେ ତିଆରି ପିଠା ପେଟ ଥଣ୍ଡା କରୁଥିବା ବେଳେ ସୁପାଚ୍ୟ ଥିଲା। ପାନଖିଆ ପରମ୍ପରା ଖାଦ୍ୟ ହଜମ ସହ ଓଠକୁ ନାଲି କରୁଥିଲା। ଆଗରୁ ଦୋଳିଖେଳ ଓ ପୁଚିଖେଳ ହେଉଥିଲା। କିନ୍ତୁ ଏବେ ଡିଜେ ଓ ଡ୍ୟାନ୍ସ୍ ଉପରେ ଗୁରୁତ୍ବ ଦିଆଯାଉଛି। ଏବେ ଝିଅମାନେ ପାଦରେ ଅଳତା ନାଇବା, କୁଙ୍କୁମ ଲଗାଇବାକୁ ଭଲ ପାଉନାହାନ୍ତି। ତେବେ ଓଡ଼ିଆ ଘରର ପରମ୍ପରାକୁ ଭୁଲି ନଯାଇ ଆମେ ତାହାକୁ ବଜାୟ ରଖିବା ଉଚିତ।
-ପ୍ରଜ୍ଞାଶ୍ରୀ ରଥ, ଗୃହିଣୀ, ଭୁବନେଶ୍ବର