ପ୍ରଗତି ସାହୁ
ରାତାରାତି ଭାଇରାଲ୍ ହେବାର ଅଛି? ସୋସିଆଲ୍ ମିଡିଆରେ ଫଲୋୟର୍ସ ବଢ଼ାଇବାର ଅଛି? ତେବେ ଆକର୍ଷକ ରିଲ୍ଟେ ତିଆରି କରନ୍ତୁ ଓ ଏହାକୁ ଅପଲୋଡ୍ କରନ୍ତୁ। ଦେଖିବେ ରାତିକ ଭିତରେ କେତେ ଫଲୋୟର୍ସ ବଢୁଛନ୍ତି ଓ କେତେ ଲାଇକ୍ ଓ କମେଣ୍ଟ୍ ଆସୁଛି! ଆଜିକାଲି ବହୁ ଲୋକଙ୍କୁ ଘାରିଛି ରିଲ୍ସ ନିଶା। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ରିଲ୍କରି ରାତାରାତି ହେଉଛନ୍ତି ଭାଇରାଲ୍। ପୁଣି ଏହା ରୋଜଗାରର ଏକ ମାଧ୍ୟମ ବି ପାଲଟିଛି। କିଛି ରିଲ୍ ଆମକୁ ସକାରାତ୍ମକ ଭାବନା ଦେଉଛି ତ ଆଉ କିଛି ଖରାପ ବାଟକୁ ନେଇଯାଉଛି। ରିଲ୍ କରିବା ଚକ୍କରରେ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି, ପୁଣି କେତେକ ପ୍ରାଣ ବି ହରାଉଛନ୍ତି।
ହର୍ଣ୍ଣ ବଜାଇ ମାଡ଼ିଆସୁଛି ଟ୍ରେନ୍। ଜୀବନ ପ୍ରତି ଭ୍ରୂକ୍ଷେପ ନକରି ରେଳଧାରଣା ଉପରେ ଶୋଇଯାଇଛି ନାବାଳକଟିଏ। ଆଉ ଏ ସମୟର ଦୃଶ୍ୟକୁ ଦୂରରେ ରହି ମୋବାଇଲରେ କଏଦ୍ କରିବାକୁ ତା’ର ସାଙ୍ଗକୁ କହିଛି। ସାଙ୍ଗ ବି ବିନା ଦ୍ବିଧାରେ ରେଳ ଧାରଣା ବାହାରେ ଛିଡ଼ାହୋଇ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଛି। ତଳେ ନାବାଳକ ଶୋଇଛି ଓ ତା’ ଉପରେ ଟ୍ରେନ୍ ଚାଲୁଛି। ଟ୍ରେନ୍ ଅତିକ୍ରମ କରିଯିବା ପରେ ପିଲାଟି ଉଠିପଡ଼ି ହସି ହସି ଅନ୍ୟ ଦୁଇ ସାଙ୍ଗଙ୍କ ସହ ଖୁସିରେ ନାଚୁଛି। ଏହି ଭିଡିଓଟି ରିଲ୍ ଆକାରରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବ୍ୟବହାରକାରୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ନାବାଳକଙ୍କୁ ଅଟକ ରଖିଥିଲା। ଏହି ଘଟଣା ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।
ଧୈର୍ଯ୍ୟହୀନତା ଯୋଗୁଁ ଏପରି ଘଟୁଛି
ବଡ଼ ଭିଡିଓ ଦେଖିବା ପାଇଁ ଏବେ କାହା ପାଖରେ ଧୈର୍ଯ୍ୟ ନାହିଁ। ତେଣୁ େମାବାଇଲ୍ରେ ରିଲ୍ ଦେଖିବା ନିଶା ହୋଇସାରିଲାଣି। କିଛି ଲୋକ ରିଲ୍ ବନାଇବାକୁ ବି ନିଶା କରିଦେଲେଣି। ସେମାନଙ୍କର ବି ଧୈର୍ଯ୍ୟ ନାହିଁ। ଜଣଙ୍କୁ ଯଦି ସଙ୍ଗେ ସଙ୍ଗେ ଖୁସି ଦରକାର ପଡ଼ୁଛି ଏବଂ ତତ୍କାଳ ଯଦି ଏହା ନମିଳୁଛି, ତେବେ ମନରେ ଅବସାଦ ଓ କ୍ରୋଧ ଆସୁଛି। ଜଣଙ୍କ ରିଲ୍ ବନାଇବା ନିଶାରେ ଅନ୍ୟଜଣେ ହଇରାଣ ହେଉଛି। ଏଥିପାଇଁ ପରିବାର ଭିତରେ ବି ଫାଟ ଦେଖାଯାଉଛି। ଜଣେ ଅନ୍ୟଜଣଙ୍କର ହତ୍ୟା କରିବାକୁ ମଧ୍ୟ ପଛାଉନାହିଁ। ରିଲ୍ସ ଯୋଗୁଁ ପିଲାଙ୍କ ଭିତରେ ଅସ୍ଥିରତା ବଢ଼ିବା ସହ ମାନସିକ ବିକାଶ ହେଉନାହିଁ ଏବଂ ମନଯୋଗରେ ତ୍ରୁଟି ଦେଖାଯାଉଛି। ନିଜର ସମୟ ଓ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଅଳ୍ପ ସମୟରେ ଲୋକପ୍ରିୟ ନ ହେବାର ପ୍ରୟାସ ପ୍ରତି ଯତ୍ନବାନ୍ ହେବା ଦରକାର।
ଦେବଦତ୍ତା ମହାପାତ୍ର, ମନସ୍ତତ୍ତ୍ବ ବିଶେଷଜ୍ଞ,ଏମ୍ସ୍ ହସ୍ପିଟାଲ୍, ଭୁବନେଶ୍ବର
ବେଙ୍ଗାଲୁରୁରେ ରହୁଥିବା ୧୯ ବର୍ଷୀୟ ଶାଦାବ ନିଜ ମାମୁଙ୍କ ବାହାଘରରେ ଯୋଗ ଦେବା ପାଇଁ ପୈତୃକ ଗାଁ ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାର ନାଗୌରକୁ ଆସିଥିଲେ। ହଠାତ୍ ପରିବାର ଲୋକେ ଶାଦାବଙ୍କୁ ଖୋଜି ପାଇଲେ ନାହିଁ। ଜୁନ୍ ୨୧ରେ ପୁଲିସରେ ସେ ନିଖୋଜ ହୋଇଥିବା ମାମଲା ରୁଜୁକଲେ। ସେହିଦିନ ତାଙ୍କ ମୃତଦେହ ଗାଁ ବାହାରେ ଏକ ଗୁଆବଗିଚାରେ ଠାବ କରାଗଲା। ଶାଦବଙ୍କ ଗଳାକୁ ଛୁରୀରେ କାଟି ତାଙ୍କ ମୁଣ୍ଡକୁ ପଥରରେ ଛେଚି ଦିଆଯାଇଥିଲା। ପଚରାଉଚରା ବେଳେ ଦୁଇ ନାବାଳକ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଥିଲା। ସେମାନେ ଦୋଷ ସ୍ୱୀକାରକରି କହିଛନ୍ତି ଯେ ଉନ୍ନତମାନର ରିଲ୍ ତିଆରି କରିବା ପାଇଁ ଦାମୀ ମୋବାଇଲ୍ ଫୋନ୍ ଦରକାର ଥିଲା। ତେଣୁ ଶାଦାବଙ୍କ ଆଇଫୋନ୍ ନେବା ପାଇଁ ସେମାନେ ଚାରିଦିନ ପୂର୍ବରୁ ହତ୍ୟାକାଣ୍ଡ ଯୋଜନା କରିଥିଲେ।
ଭ୍ୟୁଜ୍ ଓ ଫଲୋୟର୍ସ ପାଇଁ ମୃତ୍ୟୁକୁ ଡାକନ୍ତୁ ନାହିଁ
କମ୍ ସମୟରେ ଲୋକପ୍ରିୟ ହେବା ଓ ନିଜକୁ ଭାଇରାଲ୍ କରିବା ଉଦ୍ଦେଶ୍ୟରେ ଯୁବପିଢ଼ି ରିଲ୍ ତିଆରି କରୁଛନ୍ତି। ବିନା ପରିଶ୍ରମ ଓ ବିନା ଖର୍ଚ୍ଚରେ ରାତାରାତି ଷ୍ଟାର୍ ହେବା ନିଶା ହିଁ ସେମାନଙ୍କୁ ବାଟବଣା କରୁଛି। ଉପଯୁକ୍ତ ବିଷୟବସ୍ତୁ ଆଧାରରେ ଭିଡିଓ କରୁନାହାନ୍ତି। ସେମାନଙ୍କର ଧାରଣା ରହୁଛି ଯେ କିଛି ଗୋଟେ ଆଚମ୍ବିତ କଲାଭଳି ରିଲ୍ କରିଦେଲେ ରାତାରାତି ଫଲୋୟର୍ସ ବଢ଼ିଯିବେ, ଭ୍ୟୁଜ୍ ଆସିବ। କେବଳ ଭ୍ୟୁଜ୍ ଆଶାରେ ହିଁ ଏଭଳି କଣ୍ଟେଣ୍ଟ୍ ତିଆରି କରୁଛନ୍ତି। ଆଉ ଏହା ସେମାନଙ୍କୁ ଏତେ ପାଗଳ କରିଦେଉଛି ଯେ ଜୀବନକୁ ବି ବାଜି ଲଗାଇ ଦେଉଛନ୍ତି। ଯଦି ନାଁ କରିବାର ଅଛି ତ ଭଲ କଣ୍ଟେଣ୍ଟ୍ ତିଆରି କରିବା ଶିଖନ୍ତୁ।
-ମନ୍ମୟ ଦେ, ୟୁଟ୍ୟୁବର୍
ସେହିପରି ଏକ ଘଟଣା ଗତ ଏପ୍ରିଲ୍ ମାସରେ ବିହାରେର ଘଟିଛି। ରୋହତାସ୍ ଜିଲ୍ଲା ବିକ୍ରମଗଞ୍ଜର ଜନୈକ ମହିଳା ପ୍ରତିଦିନ ନୂଆ ନୂଆ ରିଲ୍ ତିଆରି କରି ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରୁଥିଲେ। ମାତ୍ର ଏହା ତାଙ୍କ ସ୍ବାମୀଙ୍କୁ ପସନ୍ଦ ନଥିଲା। ବହୁବାର ଆକଟ କରିବା ସତ୍ତ୍ବେ ସ୍ତ୍ରୀ ସ୍ବାମୀଙ୍କ କଥା କର୍ଣ୍ଣପାତ କରୁ ନଥିଲେ। ଥରେ ରାଗରେ ସ୍ବାମୀ ସ୍ତ୍ରୀଙ୍କୁ ମାରୁ ମାରୁ ତାଙ୍କ ଜୀବନ ଚାଲିଗଲା। ଆଜିକାଲି ରିଲ୍ ପାଇଁ ଏମିତି ଘଟଣା ସବୁ ଘଟୁଛି। ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ରେ ରିଲ୍ସ ଅପ୍ଲୋଡ୍ ଅପ୍ସନ୍ ଆସିବା ପରେ ରିଲ୍ ବନାଇବା ମାୟାରେ ପଡ଼ି ଶିଶୁଠୁ ନେଇ ପୁରୁଷ ମହିଳାଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର, ବିଭିନ୍ନ ବୟସର ଲୋକେ ଉନ୍ମାଦନା ବଶବର୍ତ୍ତୀ ହେଉଛନ୍ତି। ବିଭିନ୍ନ ବିପଦପୂର୍ଣ୍ଣ ଭିଡିଓ ପ୍ରସ୍ତୁତକରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରୁଛନ୍ତି। ବେଳେ ବେଳେ ଏହି ଖେଳ କାଳ ପାଲଟିଯାଉଛି, ଯାହା ଆଦୗ ସ୍ପୃହଣୀୟ ନୁହେଁ।