ମହାକାଶରୁ ପୃଥିବୀ ଆଡ଼କୁ ତୀବ୍ର ବେଗରେ ଏକ ବିଶାଳ ଗ୍ରହାଣୁ ମାଡ଼ି ଆସୁଛି ଏବଂ ପୃଥିବୀ ସହ ଧକ୍କା ଖାଇବା ଆଶଙ୍କା ରହିଛି! କେବେ କେମିତି ଏଭଳି ଶିରୋନାମା ଆପଣଙ୍କ ଦୃଷ୍ଟିରେ ନିଶ୍ଚୟ ପଡ଼ିଥିବ। ଆଉ ସେ ସଂପର୍କରେ ଜାଣିବା ପାଇଁ ଆପଣ ଆଗ୍ରହୀ ମଧ୍ୟ ହୋଇଥିବେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ୨୦୨୫ ମେ ସୁଦ୍ଧା ମହାକାଶରେ ୨,୪୮୦ଟି ସମ୍ଭାବ୍ୟ ବିପଜ୍ଜନକ ଗ୍ରହାଣୁ ଥିଲା, କିନ୍ତୁ ସେଗୁଡ଼ିକ ମଧ୍ୟରୁ ଅଳ୍ପ କେତୋଟି ବିଷୟରେ ହିଁ ଖବର ପ୍ରକାଶିତ ହୋଇଛି।
୨୦୧୩ ଫେବ୍ରୁଆରି ୧୫ ତାରିଖରେ ରୁଷ୍ର ଚେଲିଆବିଙ୍କସ୍କ ସହରରେ ଏକ କ୍ଷୁଦ୍ର ଗ୍ରହାଣୁ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ଅଗ୍ନିପିଣ୍ଡୁଳା ପାଲଟି ବିସ୍ଫୋରଣ ଘଟାଇଥିଲା। ୫୬ରୁ ୬୬ ଫୁଟ୍ ଗୋଲେଇବିଶିଷ୍ଟ ଏହି ଗ୍ରହାଣୁର ଓଜନ ପ୍ରାୟ ୧୧୦୦୦ ଟନ୍ ହୋଇଥିବା ବେଳେ ଏହା ୫୦୦ କିଲୋଟନ୍ ଶକ୍ତି ବିଚ୍ଛୁରିତ କରିଥିଲା। ଜ୍ୟୋତିର୍ବିଜ୍ଞାନୀମାନଙ୍କ ମତାନୁସାରେ ନିକଟ ଅତୀତରେ ଆଉ କୌଣସି ବଡ଼ ଗ୍ରହାଣୁ ପୃଥିବୀପୃଷ୍ଠରେ ଖସିନାହିଁ। ତେବେ ନିଜ କକ୍ଷପଥରେ ଘୂରି ବୁଲୁଥିବା କେତେକ ଗ୍ରହାଣୁ ଆଗାମୀ ଦିନରେ ପୃଥିବୀର ନିକଟତର ହେବେ ବୋଲି ଜଣାପଡ଼ିଛି। ପୃଥିବୀଠାରୁ ପ୍ରାୟ ୧୯,୨୧,୯୯୫ କିଲୋମିଟର ଦୂର ଦେଇ ଅତିକ୍ରମ କରିବାକୁ ଥିବା ଏ ସବୁ ଗ୍ରହାଣୁ ପୃଥିବୀ ସହ ଧକ୍କା ଖାଇବାର କୌଣସି ଆଶଙ୍କା ନାହିଁ। ତଥାପି ଗ୍ରହାଣୁଗୁଡ଼ିକ ଉପରେ ବୈଜ୍ଞାନିକମାନେ ଦୃଷ୍ଟି ରଖିଛନ୍ତି।
୨୦୨୯ ଏପ୍ରିଲ୍ ୧୩ : ଆପୋଫିସ୍
ଆପୋଫିସ୍ ହେଉଛି ପୃଥିବୀ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବୃହଦ୍କାୟ ଗ୍ରହାଣୁ। ଏହାର ହାରାହାରି ଗୋଲେଇ ୧୨୧୩ ଫୁଟ୍। ଏହା ୩୨୪ ଦିନରେ ଥରେ ସୂର୍ଯ୍ୟ ପରିକ୍ରମା କରୁଛି। ୨୦୨୯, ୨୦୩୬ ଓ ୨୦୬୮ ମସିହାରେ ଏହି ଗ୍ରହାଣୁ ପୃଥିବୀର ନିକଟତର ହେବ। ପ୍ରାଥମିକ ଆକଳନରୁ ସୂଚନା ମିଳିଥିଲା କି ୨୦୨୯ରେ ଏହା ପୃଥିବୀ ସହ ଧକ୍କା ଖାଇପାରେ। କିନ୍ତୁ, ପରବର୍ତ୍ତୀ ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି ଯେ, ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଏ ଗ୍ରହାଣୁ ପୃଥିବୀ ସହିତ ଧକ୍କା ଖାଇବନାହିଁ। ୨୦୨୯ ମସିହା ଏପ୍ରିଲ୍ ୧୩ ତାରିଖରେ ଏହା ପୃଥିବୀର ସର୍ବାଧିକ ନିକଟତର ହେବ।
୨୦୩୬ ମେ ୨୩: ୨୦୦୩ ଏମ୍ଏଚ୍୪
୨୦୦୩ ଜୁନ୍ ୨୬ ତାରିଖରେ ଆବିଷ୍କୃତ ୨୦୦୩ ଏମ୍ଏଚ୍୪ ହେଉଛି ପୃଥିବୀ ପାଖରେ ଥିବା ଆଉ ଏକ ବୃହଦ୍କାୟ ଗ୍ରହାଣୁ। ଏହାର ଆନୁମାନିକ ଗୋଲେଇ ପ୍ରାୟ ୧୧୦୨ ଫୁଟ୍। ପ୍ରତି ୨ ବର୍ଷ ୭ ମାସରେ ଥରେ ଏହା ସୂର୍ଯ୍ୟ ପରିକ୍ରମା କରୁଛି। ଏହା ପୃଥିବୀ ପାର୍ଶ୍ବ ଦେଇ ଅତିକ୍ରମ କରିବାକୁ ଥିବାରୁ ସମ୍ପ୍ରତି ଗଣମାଧ୍ୟମରେ ଏହା ଆଲୋଚ୍ୟ ବିଷୟ ହୋଇଛି। ୨୦୩୬ ମେ ୨୩ ତାରିଖରେ ‘୨୦୦୩ ଏମ୍ଏଚ୍୪’ ପ୍ରାୟ ୬,୬୭୬,୫୮୦ କିଲୋମିଟର ଦୂରରେ ରହି ନିରାପଦରେ ପୃଥିବୀ ଅତିକ୍ରମ କରିଯିବ। ସାଧାରଣ ହିସାବରେ ଏହା ଅପେକ୍ଷାକୃତ ଦୂର ଜଣାପଡୁଥିଲେ ବି ମହାକାଶ ମାପ ଅନୁସାରେ ଏହା ପୃଥିବୀର ଖୁବ୍ ନିକଟରେ ଅବସ୍ଥାନ କରୁଛି। ପୃଥିବୀପୃଷ୍ଠ ସହ ଧକ୍କାଖାଇବାର ଆଶଙ୍କା ନ ଥିବାରୁ ସମ୍ପ୍ରତି ଏହା ‘ନାସା’ର ସମ୍ଭାବ୍ୟ ବିପଦ ତାଲିକାରେ ନାହିଁ।
ତୁଙ୍ଗୁସ୍କା ଅଘଟଣ ସ୍ମୃତିରେ ପାଳନ ହୁଏ ଗ୍ରହାଣୁ ଦିବସ
ପ୍ରାଗ୍-ଐତିହାସିକ ସମୟରେ ଅନେକ ଗ୍ରହାଣୁ ପୃଥିବୀ ସହିତ ଧକ୍କା ଖାଇଛି। ତେବେ ନିକଟ ଅତୀତର ସବୁଠାରୁ ଭୟଙ୍କର ଗ୍ରହାଣୁଜନିତ ବିତ୍ପାତ ୧୯୦୮ ଜୁନ୍ ୩୦ ତାରିଖରେ ଘଟିଥିଲା। ପୃଥିବୀର ବାୟୁମଣ୍ଡଳକୁ ଗୋଟାଏ ଗ୍ରହାଣୁ ପ୍ରବେଶକରି ତତ୍କାଳୀନ ରୁଷ୍ର ସାଇବେରିଆରେ ଭୂସ୍ପର୍ଶ କରି ଧ୍ବଂସଲୀଳା ରଚିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ସକାଳୁ ସକାଳୁ ହଠାତ୍ ପ୍ରଚଣ୍ଡ ଶବ୍ଦ ସହ ଆକାଶ ଅଗ୍ନିମୟ ହୋଇଯାଇଥିଲା। ଭୂମିକମ୍ପ ହେବା ଭଳି ଭୂଇଁ ଥରି ଉଠିଥିଲା। ପ୍ରାୟ ୨୧୫୦ ବର୍ଗକିଲୋମିଟର ଅଞ୍ଚଳରେ ବନାଗ୍ନି ବ୍ୟାପିଯାଇଥିଲା ଏବଂ ୮୦ ନିୟୁତ ଗଛ ପୋଡ଼ିଯିବା ସହ ଅସଂଖ୍ୟ ଜୀବଜନ୍ତୁ ପ୍ରାଣ ହରାଇଥିଲେ। ସ୍ବଳ୍ପ ଲୋକ ବସବାସ କରୁଥିବା ଅଞ୍ଚଳ ହୋଇଥିବାରୁ ଗ୍ରହାଣୁ ଧକ୍କାଜନିତ ବିସ୍ଫୋରଣରେ ଖୁବ୍ କମ୍ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ସାଇବେରିଆର ପୋଦ୍କାମେନ୍ନାୟା ତୁଙ୍ଗସ୍କା ନଦୀ ନିକଟରେ ଏହି ଘଟଣା ଘଟିଥିବାରୁ ଏହାକୁ ‘ତୁଙ୍ଗୁସ୍କା ଅଘଟଣ’ ବୋଲି ନାମିତ କରାଯାଇଛି। ସାମ୍ପ୍ରତିକ ସମୟରେ ଏହାକୁ ପୃଥିବୀ ପୃଷ୍ଠରେ ସବୁଠାରୁ ଭୟାନକ ଗ୍ରହାଣୁ ବିତ୍ପାତ ବୋଲି ବିବେଚନା କରାଯାଏ। ଆନ୍ତର୍ଜାତିକ ସ୍ତରରେ ତୁଙ୍ଗୁସ୍କା ଅଘଟଣ ବାର୍ଷିକୀ ପାଳନ ଏବଂ ଗ୍ରହାଣୁ ପ୍ରଭାବଜନିତ ବିତ୍ପାତ ସମ୍ବନ୍ଧରେ ଜନସଚେତନତା ଜାଗରୁକ କରିବା ନିମନ୍ତେ ୨୦୧୬ ଡିସେମ୍ବରରେ ଜାତିସଂଘ ଜୁନ୍ ୩୦ ତାରିଖ ଦିନକୁ ‘ଆନ୍ତର୍ଜାତିକ ଗ୍ରହାଣୁ ଦିବସ’ ବୋଲି ଘୋଷଣା କରିଛି। ସେବେଠାରୁ ବିଭିନ୍ନ ରାଷ୍ଟ୍ରରେ ଏହି ଦିବସ ପାଳନ ହେଉଛି।
୨୦୪୬ ଫେବ୍ରୁଆରି ୧୪: ୨୦୨୩ ଡିଡବ୍ଲୁ
୨୦୦୩ ଫେବ୍ରୁଆରି ୨୬ରେ ଆବିଷ୍କୃତ ଗ୍ରହାଣୁ ୨୦୨୩ ଡିଡବ୍ଲୁର ଗୋଲେଇ ପ୍ରାୟ ୧୬୦ ଫୁଟ୍। ଘଣ୍ଟାପ୍ରତି ୨୫ କିଲୋମିଟର୍ ବେଗରେ ବୁଲି ଏହା ୨୭୧ ଦିନରେ ଥରେ ସୂର୍ଯ୍ୟ ପରିକ୍ରମା କରୁଛି। ଏ ଗ୍ରହାଣୁ ୨୦୪୬ ଫେବ୍ରୁଆରି ୧୪ ତାରିଖ ଦିନ ପୃଥିବୀ ପୃଷ୍ଠରେ ଧକ୍କା ଖାଇବାର ଆଶଙ୍କା ଅଛି ବୋଲି ୨୦୨୩ ଫେବ୍ରୁଆରିରେ ପୂର୍ବାନୁମାନ କରାଯାଇଥିଲା। ଏହାକୁ ‘ଏସା’ ତାଲିକାଭୁକ୍ତ ବି କରାଯାଇଥିଲା। କିନ୍ତୁ ୨୦୨୩ ମାର୍ଚ୍ଚ ମଧ୍ୟଭାଗଅାଡ଼କୁ ‘ନାସା’ ସୂଚନା ଆଧାରରେ ଏହାକୁ ବିପଜ୍ଜନକ ତାଲିକାରୁ ବାଦ୍ ଦିଆଯାଇଛି।
୨୦୪୭ ଡିସେମ୍ବର ୨୨: ୨୦୨୪ ୱାଇଆର୍୪
୨୦୨୪ ଡିସେମ୍ବର ୨୭ରେ ଆଟ୍ଲାସ୍ ଟେଲିସ୍କୋପ୍ ଦ୍ବାରା ୨୦୨୪ ୱାଇଆର୍୪ ଗ୍ରହାଣୁ ଆବିଷ୍କୃତ ହୋଇଥିଲା। ପ୍ରାୟ ୪୪ରୁ ୧୦୦ ମିଟର୍ ଗୋଲେଇବିଶିଷ୍ଟ ଏହି ଗ୍ରହାଣୁ ହାରାହାରି ୪ ବର୍ଷରେ ଥରେ ସୂର୍ଯ୍ୟ ଚାରିପଟେ ବୁଲିଆସୁଛି। ଏହା ଆବିଷ୍କୃତ ହେବା ପରେ ପରେ ଜ୍ୟୋତିର୍ବିଜ୍ଞାନୀମାନଙ୍କର ହୃଦ୍ବୋଧ ହେଲା ଯେ, ଏହା ୨୦୨୪ ଡିସେମ୍ବର ୨୫ ତାରିଖ ଦିନ ୮୩୦,୦୦୦ କିଲୋମିଟର ଦୂରରେ ଥାଇ ପୃଥିବୀ ପାଖଦେଇ ଅତିକ୍ରମ କରିଯାଇଛି। ପ୍ରାରମ୍ଭରେ ଆକଳନ କରାଯାଉଥିଲା କି, ୨୦୩୨ ଡିସେମ୍ବର ୨୨ ତାରିଖ ଦିନ ଗ୍ରହାଣୁ ୨୦୨୪ ୱାଇଆର୍୪ ପୃଥିବୀପୃଷ୍ଠରେ ଧକ୍କା ଖାଇବାର ଆଶଙ୍କା ରହିଛି। ଏହା ଉପରେ ଅଧିକ ପର୍ଯ୍ୟବେକ୍ଷଣ କରି ‘ନାସା’ ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ ଏହା ପୃଥିବୀ ପ୍ରତି ବିପଜ୍ଜନକ ନୁହେଁ। କିନ୍ତୁ, ୨୦୪୭ ଡିସେମ୍ବର ୨୨ରେ ଏହା ପୃଥିବୀ ସହ ଧକ୍କା ଖାଇବାର ଆଶଙ୍କା ଥିବାରୁ ଏହାର ଗତିବିଧି ଉପରେ ନଜର ରଖାଯାଇଛି।