କୋଲକାତା: ଆପଣ ପଉଲୋ କୋଏଲଙ୍କ ପ୍ରସିଦ୍ଧ ଉକ୍ତିଟି ପଢ଼ିଥିବେ ନିଶ୍ଚୟ ‘ଯେତେବେଳେ ଆମେ କିଛି ପୂରା ମନରେ ଚାହାନ୍ତି ସେତେବେଳେ ପୂରା ବିଶ୍ୱ ସାହାଯ୍ୟ କରିବାକୁ ଧାଇଁ ଆସେ।’ ସେହିପରି ପ୍ରସିଦ୍ଧ ଦାର୍ଶନିକ ରୁଜଭେଲ୍ଟ କହିଛନ୍ତି, ‘ଯିଏ ନିଜ ସ୍ୱପ୍ନର ସୌନ୍ଦର୍ଯ୍ୟରେ ବିଶ୍ୱାସ ରଖେ ଭବିଷ୍ୟତ ତା’ରି ହିଁ ଉଜ୍ଜ୍ୱଳ ହୁଏ।’
ଏହି ସବୁ ଆମ ପାଇଁ ଗୋଟିଏ ଗୋଟିଏ ଉକ୍ତି। ମାତ୍ର ଶ୍ୱେତା ଅଗ୍ରଓ୍ଵାଲଙ୍କ ପାଇଁ ଏହି ଶବ୍ଦଗୁଡ଼ିକ ଏକ ପ୍ରେରଣାଦାୟୀ ଗୀତ ପରି ଥିଲା। ଏମିତି ଏକ ଗୀତ, ଯାହାକୁ କେବଳ ସେ ଗାଇ ନାହାନ୍ତି ବରଂ ବାସ୍ତବାୟିତ କରିଛନ୍ତି।
ସେଦିନ ଘରେ ଖୁସିର ଲହରୀ ଖେଳି ଯାଇଥିଲା, ଯେଉଁଦିନ ଖବରକାଗଜର ପ୍ରଥମ ପୃଷ୍ଠାରେ ଶ୍ୱେତାଙ୍କ ବିଷୟରେ ବାହାରିଥାଏ। ପଶ୍ଚିମବଙ୍ଗର ଭଦ୍ରେଶ୍ୱରର ଜଣେ ତେଜରାତି ଦୋକାନୀଙ୍କ ଝିଅ ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ସର୍ବଭାରତୀୟ ସ୍ତରରେ ୧୯ତମ ସ୍ଥାନ ହାସଲ କରିଥିବା କଥା ସମସ୍ତଙ୍କୁ ଚକିତ କରିଥିଲା। ଶ୍ୱେତା ତୃତୀୟ ଥରରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଗରିବ ପରିବାରର ଝିଅ ଏବେ ଜଣେ ଆଇଏଏସ୍ ଅଫିସର୍ !
ଶ୍ୱେତା ଭଦ୍ରେଶ୍ୱରର ୨୮ ଜଣ ସଦସ୍ୟ ବିଶିଷ୍ଟ ଏକ ବଡ଼ ମାରଓ୍ଵାଡ଼ି ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରିବାର ଲୋକେ ପୁଅ ଚାହୁଁଥିବା ବେଳେ ଶ୍ୱେତାଙ୍କ ଜନ୍ମ ପରିବାର ଲୋକଙ୍କ ମନରେ ଦୁଃଖ ଆଣିଥିଲା। ନାତିର ଆଶା ରଖିଥିବା ଜେଜେବାପା ଜେଜେମାଆ ଘରକୁ ଏକ ପୋଷ୍ୟ ପୁତ୍ର ଆଣିବା ପାଇଁ ମଧ୍ୟ ଚିନ୍ତା କରିଥିଲେ।
ଶ୍ୱେତାଙ୍କ ଘର ଲୋକଙ୍କ ମନରେ ବି ସେହି ପୁରୁଣା କଥା ଥାଏ କି ପୁଅ ହିଁ ବଂଶ ଆଗକୁ ବଢ଼ାଇବ, ବାପାର ବ୍ୟବସାୟ ବୁଝିବ, ବୟସ ଗଲେ ଦେଖାଶୁଣା କରିବ। ଏପରି ଚିନ୍ତାଧାରରେ ଝିଅଟିଏ ନିଜର ଭବିଷ୍ୟତ ଗଢ଼ିବା କଥା ଭାବିବା ଖୁବ୍ କଷ୍ଟ ହୋଇଥିଲା ଶ୍ୱେତାଙ୍କ ପକ୍ଷେ। ଏପରିକି ତାଙ୍କ ଘରର ଅନ୍ୟ ଝିଅମାନେ ବୟସ ହେବା ମାତ୍ରେ ବିବାହ କରି ପକାଇଥିଲେ। ଶ୍ୱେତା ହେଉଛନ୍ତି ତାଙ୍କ ପରିବାରର ଏକମାତ୍ର ଝିଅ ଯିଏକି ସ୍ନାତକ ପର୍ଯ୍ୟନ୍ତ ପଢ଼ିଛନ୍ତି।
ଶ୍ୱେତାଙ୍କ ପଢ଼ା ପାଇଁ ତାଙ୍କ ବାପାଙ୍କ ପାଖରେ ପ୍ରଯ୍ୟାପ୍ତ ପରିମାଣ ଟଙ୍କା ମଧ୍ୟ ନଥାଏ। ସେ ଥରେ ତାଙ୍କ ମାଆଙ୍କୁ କହିଥିଲେ କି ମୁଁ ଦିନକୁ ୧୦ ଟଙ୍କା ବି ସଞ୍ଚୟ କଲେ ଶ୍ୱେତାର ପଢ଼ା ଖର୍ଚ୍ଚ ଉଠାଇ ପାରିବି ନାହିଁ। ସଂପର୍କୀୟମାନେ ଘରକୁ ଆସିଲେ ଯେଉଁ ଟଙ୍କା ଦେଇ ଯାଆନ୍ତି ଶ୍ୱେତା ଅନ୍ୟ ପିଲାଙ୍କ ପରି ସେଥିରେ ମିଠା କିମ୍ବା ଚକୋଲେଟ କିଣନ୍ତି ନାହିଁ, ନିଜ ପଢ଼ା ଖର୍ଚ୍ଚ ଉଠାନ୍ତି।
ଏପରି ଏକ ସଂଘର୍ଷମୟ ଜୀବନ ବିତାଇ ନିଜ ସ୍ୱପ୍ନକୁ ବାସ୍ତବ କରିଛନ୍ତି ଶ୍ୱେତା। ପ୍ରତିକୂଳ ପରିବେଶ ଦ୍ୱାରା ପ୍ରଭାବିତ ନ ହୋଇ ନିଜ ଲକ୍ଷ୍ୟକୁ ହାସଲ କରିଛନ୍ତି। ପାଲଟିଛନ୍ତି ଏକ ଉଦାହରଣ ଓ ଅନେକଙ୍କ ଲାଗି ପ୍ରେରଣା।