ବିବେକାନନ୍ଦଙ୍କୁ ପ୍ରକୃତ ସନ୍ଥତ୍ୱର ଅର୍ଥ ବୁଝାଇଲେ ଜଣେ ବାରନାରୀ

ସଭିଙ୍କୁ ପ୍ରେମ ଓ ଶାନ୍ତିର ବାର୍ତ୍ତା ଶୁଣାଇଥିବା ଜଣେ ମହାନ୍‌ ସନ୍ନ୍ୟାସୀ ଭାବେ ସ୍ୱାମୀ ବିବେକାନନ୍ଦ ବିଶ୍ୱ ପ୍ରସିଦ୍ଧ। କିନ୍ତୁ, ତାଙ୍କ ପରି ଜଣେ ସନ୍ଥଙ୍କୁ ମୋହ ଓ ପ୍ରେମର ଅର୍ଥ ବୁଝାଇ ଥିଲେ ଜଣେ ବାରନାରୀ।

ଆମେରିକା ଯାଇ ବିଶ୍ୱ-ପ୍ରସିଦ୍ଧ ବ୍ୟକ୍ତିତ୍ୱ ହେବା ପୂର୍ବରୁ ବିକେକାନନ୍ଦ କିଛି ଦିନ ପାଇଁ ଜୟପୁରରେ ଅବସ୍ଥାନ କରିଥିଲେ। ଜୟପୁରର ରାଜା ଥିଲେ ତାଙ୍କର ବଡ଼ ପ୍ରଶଂସକ। ତାଙ୍କର ଭବ୍ୟ ସ୍ୱାଗତ ନିମନ୍ତେ ରାଜକୀୟ ପରମ୍ପରା ଅନୁସାରେ ରାଜା ଅନେକ ନର୍ତ୍ତକୀଙ୍କୁ ଡକାଇଥିଲେ। ସେହି ନର୍ତ୍ତକୀମାନଙ୍କ ମଧ୍ୟରେ ଥିଲେ ଜଣେ ଖ୍ୟାତନାମା ବାରନାରୀ।

ଜଣେ ସନ୍ନ୍ୟାସୀଙ୍କୁ ସ୍ୱାଗତ କରିବାକୁ ବାରାଙ୍ଗନା ଡକାଇ ସେ ଭୁଲ୍‌ କରିଛନ୍ତି ବୋଲି ଟିକିଏ ବିଳମ୍ବରେ ରାଜା ବୁଝିଲେ। କିନ୍ତୁ, ସେତେବେଳେକୁ ଖୁବ୍‌ ବିଳମ୍ବ ହୋଇ ଯାଇଥିଲା। ସବୁ ଆୟୋଜନ ସରିଥିଲା ଏବଂ ସେ ବାରନାରୀଜଣକ ରାଜପ୍ରାସାଦକୁ ଆସି ସାରିଥିଲେ।

ବିବେକାନନ୍ଦ ସେତେବେଳେ ପୂର୍ଣ୍ଣ ସନ୍ନ୍ୟାସୀ ହୋଇ ନ ଥିଲେ। ପୂର୍ଣ୍ଣତ୍ୱପ୍ରାପ୍ତ ସନ୍ନ୍ୟାସୀଙ୍କ ପାଇଁ ବାରନାରୀ ଓ ସାଧାରଣ ନାରୀଙ୍କ ମଧ୍ୟରେ କୌଣସି ପ୍ରଭେଦ ନ ଥାଏ। ଏ କଥା ଶୁଣି ତାଙ୍କୁ ଭାରି ଅଡୁଆ ଲାଗିଲା। ସନ୍ନ୍ୟାସୀ ହେବା ପ୍ରକ୍ରିୟାରେ ସେ ମନରେ ଜାତ ଯୌନାକାଂକ୍ଷାକୁ ଦମନ କରୁଥିବାରୁ କବାଟକିଳି ଘରେ ପଶିଲେ।

ସ୍ୱୟଂ ମହାରାଜା ଆସି ବିବେକାନନ୍ଦଙ୍କୁ କ୍ଷମାଯାଚନା କରି କହିଲେ- ସେ ପୂର୍ବରୁ କୌଣସି ସନ୍ନ୍ୟାସୀଙ୍କୁ ଆପ୍ୟାୟିତ କରି ନ ଥିବାରୁ ଏ ଭଳି ତ୍ରୁଟି ହେଲା। ଦେଶର ଜଣେ ପ୍ରଖ୍ୟାତ ବାରନାରୀ ହୋଇଥିବାରୁ ଏବେ ତାଙ୍କୁ ଫେରିଯିବାକୁ କହିବା ତାଙ୍କ ପ୍ରତି ଅପମାନ ହେବ। ତେଣୁ ଆପଣ କବାଟ ଖୋଲି କୋଠରିରୁ ପଦାକୁ ଆସନ୍ତୁ। ଏଥିରେ ଅପମାନ ବୋଧ କରିବାର କୌଣସି କାରଣ ନାହିଁ।

କିନ୍ତୁ, ଜଣେ ବାରନାରୀଙ୍କ ସାମ୍ନାକୁ ଆସିବାକୁ ବିବେକାନନ୍ଦ ଭୟ କଲେ। ସେ ଖୁବ୍‌ ରାଗିଯାଇ କହିଲେ- ନା।

ତାଙ୍କ କଥା ଶୁଣି ବାରନାରୀ ଜଣକ ଗୀତଟିଏ ଗାଇଲେ: ମୁଁ ଜାଣେ ମୁଁ ଆପଣଙ୍କ ଭାଜନ ନୁହେଁ. କିନ୍ତୁ ଆପଣ ଆଉ ଟିକେ ଉଦାରଚେତା ହୁଅନ୍ତୁ। ମୁଁ ରାସ୍ତାର ଅଳିଆ ବୋଲି ମୁଁ ଜାଣେ।

କିନ୍ତୁ, ଆପଣ ମୋ ପ୍ରତି ନିଷ୍ଠୁର ହୁଅନ୍ତୁ ନାହିଁ। ମୁଁ କେହି ନୁହେଁ- ଅଧମ, ପାପିନୀ। କିନ୍ତୁ, ଆପଣ ଜଣେ ସନ୍ଥ- ମତେ ଡରୁଛନ୍ତି କାହିଁକି?

ଏସବୁ ଶୁଣି ବିବେକାନନ୍ଦ ନିଜ ଭୁଲ୍‌ ବୁଝି ପାରିଲେ- ସେ ଜଣେ ବାରନାରୀଙ୍କୁ ଏତେ ଡରୁଛନ୍ତି କାହିଁକି? ଭୁଲ୍‌ ରହିଲା କେଉଁଠି? ସେ କ’ଣ ତଥାପି ଅପରିପକ୍ୱ ହୋଇ ରହିଛନ୍ତି?

ତା’ପରେ ସେ ଅନୁଭବ କଲେ ତାଙ୍କ ମନରେ ଭୟ ମଧ୍ୟ ରହିଛି। ବାରନାରୀ ପ୍ରତି ତାଙ୍କ ମନରେ ଥିବା ଆକର୍ଷଣକୁ ତେଜି ପାରିଲେ ଯାଇ ସେ ଶାନ୍ତି ଲଭିବେ। ସେ କବାଟ ଖୋଲି ବାରନାରୀଙ୍କୁ ସ୍ୱାଗତ କଲେ। ସେ କହିଲେ, ଅଦୃଷ୍ଟ ମତେ ନୂଆ ତତ୍ତ୍ୱଟିଏ ଦେଇଛନ୍ତି। ମୁଁ ଭୟ କରୁଥିଲି… ମୋ ଭିତରେ କିଛି କାମନା ଥିଲା। ସେଇଥି ପାଇଁ ମୁଁ ଭୟ କରୁଥିଲି।

ସେ ଆହୁରି କହିଲେ: ଏଇ ନାରୀ ମତେ ସମ୍ପୂର୍ଣ୍ଣ ପରାସ୍ତ କରିଦେଲେ। ଏ ଭଳି ପବିତ୍ର ଆତ୍ମା ମୁଁ କେବେ ଦେଖି ନାହିଁ। ଏବେ ମୁଁ ସେ ନାରୀଙ୍କୁ ଶଯ୍ୟାସଙ୍ଗିନୀ କଲେ ବି ଡରିବି ନାହିଁ।

ସମ୍ବନ୍ଧିତ ଖବର