ଭାରତରେ ମୌସୁମୀ ବର୍ଷାକୁ ପ୍ରଭାବିତ କରୁଛି କ୍ରମବର୍ଦ୍ଧିଷ୍ଣୁ ବାୟୁ ପ୍ରଦୂଷଣ, କେଉଁଠି ଅଦିନିଆ ବନ୍ୟା ତ କେଉଁଠି ଅନାବୃଷ୍ଟି

ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ବନ୍ୟା ଏବଂ ଓଡ଼ିଶା ଓ ପଶ୍ଚିମ ରାଜସ୍ଥାନରେ ଉପୁଜି ଥିବା ମରୁଡ଼ି ବାୟୁ ପ୍ରଦୂଷଣ ବୃଦ୍ଧିର ପରିଣତି ହୋଇଥାଇ ପାରେ ବୋଲି ପାଣିପାଗ ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ବୈଜ୍ଞାନିକମାନ‌ଙ୍କ କହିବା ଅନୁସାରେ, ବାୟୁମଣ୍ଡଳରେ ପ୍ରଦୂଷଣକାରୀ ପଦାର୍ଥର ପ୍ରାବଲ୍ୟ ବନ୍ୟା କରାଇବା ଭଳି ଅତି ପ୍ରବଳ ବୃଷ୍ଟିପାତ ଓ ମରୁଡ଼ି ପକାଇବା ଭଳି ସ୍ବଳ୍ପ ବୃଷ୍ଟିପାତର କାରଣ ହୋଇପାରେ।

ନୂଆଦିଲ୍ଲୀସ୍ଥିତ ଷ୍ଟ୍ରା‌ଟେଜିକ୍‌ କମ୍ୟୁନିକେସନ୍‌ ଗ୍ରୁପ୍‌ ‘କ୍ଲାଇମେଟ୍‌ ଟ୍ରେଣ୍ଡ୍‌’ ସଙ୍କଳିତ କରିଥିବା ଆଲେଖ୍ୟରେ ଏ ଦିଗରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ, ବାୟୁ ପ୍ରଦୂଷଣ  ବୃଦ୍ଧି ମୌସୁମୀ ବର୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଏ। ବାୟୁରେ ଜମା ହେଉଥିବା ପ୍ରଦୂଷିତ କଣିକା ଯୋଗୁଁ ଆକାଶରେ ଜଳକଣିକା ବହଳ ହୋଇ ଯିବାରୁ ବାୟୁମଣ୍ଡଳ ଉଷ୍ମ ହେବା ସଙ୍ଗେ ସଙ୍ଗେ ଭୂପୃଷ୍ଠକୁ ଶୀତଳ ହୋଇଯାଏ। ଏହା ବହୁଳ ବୃଷ୍ଟି କିମ୍ବା ଅନାବୃଷ୍ଟିର କାରଣ ହୋଇଥାଏ।

ଏଥିରେ ସେମାନେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସ୍ଥଳଭାଗ ଓ ସମୁଦ୍ରର ତାପମାନରେ ଯେକୌଣସି ପ୍ରକାରର ପରିବର୍ତ୍ତନ ବାୟୁ ପ୍ରବାହ ଧାରାକୁ ପ୍ରଭାବିତ କରିଥାଏ। ବାୟୁମଣ୍ଡଳର ଉଷ୍ମତା‌ରେ ଏହି ପରିବର୍ତ୍ତନ ମୌସୁମୀ ଚକ୍ରକୁ ପ୍ରଭାବିତ କରି ଶେଷକୁ ବୃଷ୍ଟିପାତ ଏବଂ ତା’ର କାର୍ଯ୍ୟକାରିତା ଉପରେ ପ୍ରଭାବ ପକାଇଥାଏ।

ବାୟୁ ପ୍ରଦୂଷଣ କିଭଳି ମୌସୁମୀକୁ ପ୍ରଭାବ ପକାଏ?

ବାୟୁକୁ ପ୍ରଦୂଷିତ କରୁଥିବା କଣିକା ସୂଯ୍ୟରଶ୍ମିକୁ ଅବରୋଧ କରି ଭୂପୃଷ୍ଠ ଉଷ୍ମତାରେ ଅନ୍ତରାୟ ହୁଏ। ଏହି କଣିକାଗୁଡ଼ିକ ମଧ୍ୟ ତାପଶକ୍ତିର କିଛି ଅଂଶ ବିଶୋଷଣ କରି ଭୂମି ପାଉଥିବା ଉତ୍ତାପକୁ ହ୍ରାସ କରି ଦିଅନ୍ତି।

Image Courtesy of Gaonconnection

 

‘ଆଇଆଇଟି-ଦିଲ୍ଲୀ’ର ‘ସେଣ୍ଟର୍‌ ଫର୍‌ ଆଟ୍‌ମୋସ୍ଫିୟରିକ୍‌ ସାଇନ୍‌ସେସ୍‌’ର ସହକାରୀ ପ୍ରଧ୍ୟାପକ ଦିଲୀପ ଗାଙ୍ଗୁଲି ଏହି ରିପୋର୍ଟରେ କହିଛନ୍ତି, ବାୟୁ ପ୍ରଦୂଷଣ ଭୂପୃଷ୍ଠକୁ ଆବଶ୍ୟକମତେ ଉତ୍ତପ୍ତ କରାଇ ଦିଏନାହିଁ। ପ୍ରଦୂଷଣ କଣିକାର ଉପସ୍ଥିତି ହେତୁ, ଉତ୍ତପ୍ତ ବେଗ ମନ୍ଥର ହୁଏ। ଉଦାହରଣସ୍ବରୂପ, ଭୂପୃଷ୍ଠ ୪୦ ଡିଗ୍ରି ସେଣ୍ଟିଗ୍ରେଡ୍‌ ତାପମାତ୍ରା ଆବଶ୍ୟକ ଥିବା ବେଳେ ବାୟୁ ପ୍ରଦୂଷଣ ତାପମାତ୍ରାକୁ ୩୮ ଡିଗ୍ରିରୁ ୩୯ ଡିଗ୍ରି ମଧ୍ୟରେ ସୀମିତ ରଖିଥାଏ। ଏଣୁ ଉତ୍ତପ୍ତ ବାୟୁ ପ୍ରବାହ ଶିଥିଳ ହେବା ଯୋଗୁ ବର୍ଷା ମଧ୍ୟ କମ ହୋଇଥାଏ।

‘ଆଇଆଇଟି-ଭୁବନେଶ୍ବର’ର ‘ସ୍କୁଲ୍‌ ଅଫ୍‌ ଆର୍ଥ ଓସେନ୍ ଆଣ୍ଡ୍‌ କ୍ଲାଇମେଟ୍‌ ସାଇନ୍‌ସେସ୍‌’ର ସହକାରୀ ପ୍ରାଧ୍ୟାପକ ଭି. ବିନୋଜି ‘କ୍ଲାଇମେଟ୍‌ ଟ୍ରେଣ୍ଡ୍‌ସ୍’କୁ ସୂଚନା ଦେଇଛନ୍ତି ଯେ, ବିକିରଣ ଏବଂ ବାଦଲ ସହ ସମ୍ପୃକ୍ତି ତାରତମ୍ୟକୁ ଆଧାର କରି ବାୟୁ ପ୍ରଦୂଷଣ ବୃଷ୍ଟିପାତ ବଢ଼ାଇ ପାରେ, କମାଇ ପାରେ କିଂବା ପୁନର୍ବଣ୍ଟନ କରିପାରେ।

ଦୃଷ୍ଟାନ୍ତସ୍ବରୂପ, ମାନବ କାର୍ଯ୍ୟକଳାପରୁ ଜାତ ପ୍ରଦୂଷଣ କଣିକା ବାୟୁମଣ୍ଡଳର ସୁପରିବାହୀ ପରିବେଶୀୟ ପରିସ୍ଥିତିରେ ବିପୁଳ ପରିମାଣରେ ପୁଞ୍ଜିଭୂତ ହେଲେ ବାଦଲ ବ୍ୟାପକ ବଜ୍ରପାତ ଘଟାଇ ଆଞ୍ଚଳିକସ୍ତରରେ ମାତ୍ରାଧିକ ବୃଷ୍ଟିପାତ କରାଇପାରେ।

ବାୟୁ ପ୍ରଦୂଷଣ ମାତ୍ରାଧିକ ଖରାପ ପାଗ ପାଇଁ ଇନ୍ଧନ ଯୋଗାଉଛି:

ଏହି ପା‌ରିବେଶିକ ସଂକଟ ନେଇ ପ୍ରସ୍ତୁତ ସଙ୍କଳନରେ ଉଲ୍ଲେଖ ଅଛି ଯେ, ବର୍ଦ୍ଧିଷ୍ଣୁ ବାୟୁ ପ୍ରଦୂଷଣ ଆଗାମୀ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ଭାବେ ମୌସୁମୀ ବର୍ଷା ହ୍ରାସ କରାଇବ ବୋଲି ସମଗ୍ର ବୈଜ୍ଞାନିକ ସମ୍ପ୍ରଦାୟ ଏକମତ। ଏଥିଯୋଗୁଁ ମୌସୁମୀ ଧାରା ଅସ୍ଥିର ହୋଇପାରେ ଏବଂ ପାଗ ଅତ୍ୟନ୍ତ ପ୍ରତିକୂଳ ହୋଇପାରେ।

ବିଶେଷଭାବେ ଅଧିକ ପ୍ରଦୂଷିତ ଅଞ୍ଚଳରେ ଭୀଷଣ କରକାପାତ, ମୁଷଳଧାରାରେ ବୃଷ୍ଟିପାତ ସହ ବହୁସଂଖ୍ୟାରେ ବର୍ଷାରହିତ ଦିନ ଭଳି ଖରାପ ପାଗ ଅନୁଭୂତ ହେବ। ସେହିକାଣରୁ, ଜଳକଣିକା ସ୍ବଳ୍ପ ସମୟ ଅବଧି ମଧ୍ୟରେ ବୃଷ୍ଟିପାତ ବୃଦ୍ଧି କରାଉଛନ୍ତି। ସମ୍ପ୍ରତି ସାଧାରଣରେ ଏହାକୁ ‘ଖରାପ ପାଗଜନିତ ଘଟଣା’ ବୋଲି କୁହାଯାଉଛି।

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)

ସମ୍ବନ୍ଧିତ ଖବର