କୋଉଠୁ ଆରମ୍ଭ କରିବି? କେମିତି ଆରମ୍ଭ କରିବି? ଆପଣଙ୍କ ସହିତ ଥିବା ଦୀର୍ଘ ତିନି ଦଶନ୍ଧିର ସମ୍ପର୍କ ବିଷୟରେ ଏଇ ସୀମିତ ପରିସରରେ କ’ଣ ଅବା ଲେଖିପାରିବି? ଆଜି ଆପଣଙ୍କର ଏକାଦଶାହ ତିଥି। ୟା’ ଭିତରେ ସାମାଜିକ ଗଣମାଧ୍ୟମରେ ଆପଣଙ୍କ ପ୍ରଶଂସକମାନେ ବହୁତ କଥା ଲେଖି ସାରିଲେଣି। ଆଜି ମଧ୍ୟ ବିଭିନ୍ନ ସମ୍ବାଦପତ୍ରରେ ଶୁଭେଚ୍ଛୁମାନେ ଆପଣଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଲେଖିଥିବେ। ମୁଁ ଅବା ଅଧିକ କ’ଣ ଲେଖିବି!

Advertisment

ଆପଣଙ୍କ ସହିତ ମୋର ପ୍ରଥମ ପରିଚୟ ସାମ୍ବାଦିକ ଭାବରେ। ଧୀରେଧୀରେ ମତେ ଆପଣ ଚିହ୍ନିଲେ ସଂଘମିତ୍ରା ମ୍ୟାଡାମଙ୍କ ଜଣେ ଛାତ୍ର ଭାବରେ। ଅବଶ୍ୟ ମୁଁ ମ୍ୟାଡାମଙ୍କ ଶ୍ରେଣୀକକ୍ଷର ଛାତ୍ର ନଥିଲି। କିନ୍ତୁ ତା’ଠାରୁ ଯଥେଷ୍ଟ ଅଧିକ ଥିଲି ଓ ରହିଛି। ତାଙ୍କଠାରୁ କ’ଣ କମ୍ ଶିକ୍ଷା ପାଇଛି! ଛାଡ଼ନ୍ତୁ ସେକଥା। ଯେବେବି ଯୋଉଠି ଆପଣ ମତେ ଦେଖନ୍ତି, ମ୍ୟାଡାମଙ୍କ ଛାତ୍ର ବୋଲି କୁହନ୍ତି ଅନ୍ୟମାନଙ୍କୁ। ମୋ ଭଳି ବାଣୀବିହାରର ଅନେକ ଛାତ୍ର ଓ କର୍ମଚାରୀ ଆପଣଙ୍କ ପାଖରେ କେତେଥର ଚିକିତ୍ସିତ ହୋଇଛନ୍ତି। ହେଲେ କାହାରିଠୁ କିଛି ନେଇନାହାନ୍ତି। ଭୁବନେଶ୍ୱରକୁ କର୍ପୋରେଟ ସ୍ୱାସ୍ଥ୍ୟସେବା ଆସିବା ପୂର୍ବରୁ ଅଶୀ ଓ ନବେ ଦଶକରେ ହାତଗଣତି ମାତ୍ର ଅଳ୍ପ କେତେଜଣ ଡାକ୍ତରଙ୍କୁ ଲୋକେ ଖୁବ୍ ପସନ୍ଦ କରୁଥିଲେ। ସେମାନଙ୍କ ମଧ୍ୟରେ ଆପଣ ଥିଲେ ଅଗ୍ରଗଣ୍ୟ। ସହିଦନଗରରେ ଆପଣଙ୍କ କ୍ଲିନିକ୍ ‘ଅବିନାଶ କ୍ଲିନିକ୍ ଆଣ୍ଡ ନର୍ସିଂହୋମ୍‌’ରେ ଧନୀ ଦରିଦ୍ର ନିର୍ବିଶେଷରେ ରାଜଧାନୀର ହଜାରହଜାର ରୋଗୀ ଚିକିତ୍ସିତ ହୋଇଥିବେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମାଗଣାରେ କିମ୍ବା ସ୍ୱଳ୍ପ ମୂଲ୍ୟରେ। ଅଶୀ ଦଶକରେ ଆପଣ ଯାହାଙ୍କୁ ଚିକିତ୍ସା କରୁଥିଲେ, ଏକବିଂଶ ଶତାବ୍ଦୀରେ ତାଙ୍କ ନାତିନାତୁଣୀଙ୍କୁ ମଧ୍ୟ ଚିକିତ୍ସା କରିଛନ୍ତି। ରାଜଧାନୀକୁ ଏତେ ସଂଖ୍ୟକ କର୍ପୋରେଟ ହସ୍‌ପିଟାଲ ଆସିବା ସତ୍ତ୍ୱେ ଆପଣଙ୍କ ପୁରୁଣା ରୋଗୀମାନେ ପ୍ରଥମେ ଆପଣଙ୍କ ପାଖକୁ ହିଁ ଯାଉଥିଲେ। ଯେତେଦିନ ପର୍ଯ୍ୟନ୍ତ ଆପଣ ଚଳପ୍ରଚଳକ୍ଷମ ଥିଲେ, ରୋଗୀ ଦେଖୁଥିଲେ। ଏପରିକି ଦେହ ଅସୁସ୍ଥ ବେଳେ ବି ଆପଣ କ୍ଲିନିକରେ ବସୁଥିଲେ, ସମସ୍ତଙ୍କ ବାରଣ ନମାନି।

ଆପଣ ଜଣେ ସାଧାରଣ ଚିକିତ୍ସକ ନଥିଲେ। ଭୁବନେଶ୍ୱରରେ ତ ଅନେକ ଚିକିତ୍ସକ ଅଛନ୍ତି। କିନ୍ତୁ ଚିକିତ୍ସା ସହିତ ସମାଜସେବାକୁ ଯୋଡ଼ି ଆପଣ ଯେଭଳି ସମୟ, ଅସମୟରେ, ରାତି ଅଧରେ ମଧ୍ୟ ଜଣାଅଜଣା ରୋଗୀଙ୍କୁ ଚିକିତ୍ସା କରିବାକୁ ସେମାନଙ୍କ ନିକଟରେ ପହଞ୍ଚି ଯାଉଥିଲେ, ସୁବିଧା ଅସୁବିଧାରେ ଲୋକଙ୍କ ନିକଟରେ ଛିଡ଼ା ହେଉଥିଲେ, ସେମିତି ଡାକ୍ତର କେତେଜଣ ଅବା ଅଛନ୍ତି! ଖାଲି କ’ଣ ସେତିକି! ଅନେକ ସମୟରେ ଆପଣଙ୍କ ନିକଟରେ ଚିକିତ୍ସିତ ହେଉଥିବା ରୋଗୀ ଆପଣଙ୍କୁ ଫି’ ଦେଇନପାରିଲେ ଆପଣ କିଛି କହୁନଥିଲେ, ଓଲଟି ତାଙ୍କୁ ଔଷଧ ଦେଉଥିଲେ। ଥରେ ମୁଁ ଆପଣଙ୍କ ନିକଟରେ ବସିଥାଏ। ଗୋଟିଏ ସାନ ଝିଅକୁ ଧରି ତାଙ୍କ ବାପା, ମାଆ ଆସିଥାନ୍ତି। ସେମାନେ ପୂର୍ବଦିନ ମଧ୍ୟ ଆସିଥିଲେ ଓ ଆପଣ ସେମାନଙ୍କୁ କେତେକ ଟେଷ୍ଟ କରିବାକୁ କହିଥିଲେ। ମୁଁ ବସିଥିବା ସମୟରେ ସେମାନେ ଟେଷ୍ଟ ରିପୋର୍ଟ ଆଣିଥାଆନ୍ତି। ଆପଣ ରିପୋର୍ଟ ଦେଖି ଔଷଧ ଲେଖିଦେଲେ। ସେମାନେ ଉଠିବା ବେଳକୁ ଆପଣ ପଚାରିଲେ, ‘କାଲି ମୋ ଫି’ ଦେଇଥିଲ?’ ଝିଅର ବାପା ମନାକଲେ ଓ ଆଜି ମଧ୍ୟ ତାଙ୍କ ପାଖରେ ଫି’ ଦେବାକୁ ନିଜର ଅକ୍ଷମତା ପ୍ରକାଶ କଲେ। ଆପଣ ହସିଦେଲେ। କିନ୍ତୁ ତା’ପରେ ଯାହାକଲେ ମୁଁ ଚମତ୍କୃତ ହେଲି। ଆପଣ ତାଙ୍କ ହାତରୁ ପ୍ରେସ୍‌କ୍ରିପ୍‌ସନ ନେଇ ଆସି ନିଜର ଜଣେ ନର୍ସଙ୍କୁ ଡାକିଲେ। ନର୍ସ ଆସିବାରୁ ଗୋଟିଏ ଟେବଲ୍ ଡ୍ର ଚାବି ବଢ଼େଇଦେଇ କହିଲେ, ‘ସେ ଡ୍ର’ରେ ଏହି ପ୍ରେସ୍‌କ୍ରିପ୍‌ସନରେ ଲେଖାଥିବା ମେଡିସିନ୍ ଅଛି। ତାଙ୍କୁ ଦେ।’ ଔଷଧତକ ଝିଅଟିର ବାପାଙ୍କୁ ବଢ଼େଇଦେଇ କହିଲେ, ‘ତୁମ ପାଖରେ ତ ମୋତେ ଫି’ ଦେବାକୁ ଟଙ୍କା ନାହିଁ। ଔଷଧ କିଣିବାକୁ ତ ନଥିବ। ଏ ଔଷଧସବୁ ତାକୁ ଖୁଆଇବ। ସେ ଭଲ ହୋଇଯିବ।’ ଝିଅଟିର ବାପାମାଆ କୃତ୍ୟକୃତ୍ୟ ହୋଇଗଲେ। ଏମିତି ଡାକ୍ତର କେତେଜଣ ଅବା ଅଛନ୍ତି?

ମୁଁ ସମ୍ପାଦକ ଥିବା ‘ବିଜ୍ଞାପନ’ ଅନୁଷ୍ଠାନ ପକ୍ଷରୁ ଓଡ଼ିଶାର ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକ ସମ୍ପର୍କରେ ‘ହେଲ୍‌ଥଲାଇନ’ ନାମରେ ଏକ ଡିରେକ୍ଟୋରି ପ୍ରକାଶ ପାଇଥାଏ। ଏହାର ୨୦୧୬ ମସିହା ସଂସ୍କରଣର ଉନ୍ମୋଚନ ସମାରୋହରେ ରାଜ୍ୟର ଜଣେ ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ସମାଜସେବୀଙ୍କୁ ସମ୍ମାନିତ କରିବାକୁ ସ୍ଥିର କରାଯିବାରୁ ଆମ ନିର୍ଦ୍ଦେଶକ ଆପଣଙ୍କ ନାଁ ପ୍ରସ୍ତାବ ଦେଲେ ଓ ତାହା ସର୍ବସମ୍ମତିକ୍ରମେ ଚୂଡ଼ାନ୍ତ ହୋଇଥିଲା। ସେହି ଉତ୍ସବରେ ସମ୍ମାନିତ ହେବାବେଳେ କେବଳ ଆପଣ ଖୁସି ନଥିଲେ, ଉପସ୍ଥିତ ଦର୍ଶକମଣ୍ଡଳୀ ମଧ୍ୟ ଆପଣଙ୍କ ଚୟନକୁ ଯଥାର୍ଥ ବୋଲି ଦର୍ଶାଇ ଆନନ୍ଦ ବ୍ୟକ୍ତ କରିଥିଲେ।

କେବଳ ଚିକିତ୍ସା ସେବାରେ ଆପଣ ସୀମିତ ନଥିଲେ। ଜନସେବା, ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ, ସହିଦ ନଗରରେ ଦୁର୍ଗାପୂଜା, ଫୁଲନଖରା ଲକ୍ଷେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା, ମୂର୍ତ୍ତି ସ୍ଥାପନ, ରାଜନୀତି- ଏମିତି କେତେ କ’ଣ କାର୍ଯ୍ୟରେ ଆପଣ ସକ୍ରିୟ ଥିଲେ। ଅବଶ୍ୟ ରାଜନୀତି ଆପଣଙ୍କୁ ଆରେଇ ନଥିଲା। ତଥାପି ଯେତେବେଳେ ବି ସୁଯୋଗ ମିଳୁଥିଲା, ସେଥିପ୍ରତି ମନ ବଳୁଥିଲା। କରୋନା ସମୟରେ ଆପଣ ଅସୁସ୍ଥ ହେଲେ। ଏକାଧିକବାର ଡାକ୍ତରଖାନାରେ ଭର୍ତ୍ତି ହେଲେ। କିନ୍ତୁ ସାମାନ୍ୟ ସୁସ୍ଥ ହେବା ପରେ ପରିବାର, ଶୁଭେଚ୍ଛୁ ଓ ଡାକ୍ତରଙ୍କ ବାରଣ ନମାନି ଯିଏ ଯେଉଁଠି ଅସୁବିଧାରେ ପଡ଼ିଲା, ତାଙ୍କ ପାଖକୁ ଦୌଡ଼ିଲେ। ଏଇ ଯିବାଆସିବା ହିଁ ଆପଣଙ୍କୁ ଅଧିକ ଅସୁସ୍ଥ କରିଦେଲା। ଶେଷ କିଛିମାସ ଆପଣ ଶଯ୍ୟାଶାୟୀ ଥିବାବେଳେ ବହୁବାର ଯାଇଛି। ବେଳେବେଳେ ମନେହୋଇଛି, ଏକଦା ଦୁର୍ଦ୍ଧର୍ଷ ଥିବା ମଣିଷଟି କେମିତି ଏତେ ନିରବରେ ଶେଯରେ ପଡ଼ି ରହିଛନ୍ତି। ସେଇ ପଡ଼ିରହିବା ଅବସ୍ଥାରେ ହିଁ ଆପଣ ସେପୁରକୁ ଚାଲିଗଲେ। ଭୁବନେଶ୍ୱର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଥିବାବେଳେ ସତ୍ୟନଗର ଶ୍ମଶାନକୁ ଆପଣ ନୂଆ ରୂପ ଦେଇଥିଲେ। ସେଥିପାଇଁ ସବୁବେଳେ କଥାକଥାକେ କହୁଥିଲେ, ମତେ ସେଇଠିକୁ କାନ୍ଧେଇକି ନେବ। ଗହଳି କରିବା ଦରକାର ନାହିଁ। ବାରମ୍ବାର ଏକଥା ଶୁଣିଶୁଣି ମୁଁ ବି କହିଦେଉଥିଲି, କାନ୍ଧେଇକି ସତ୍ୟନଗରକୁ ନେଇଯିବେ ସମସ୍ତେ। କିନ୍ତୁ ଗହଳିକୁ କେମିତି ରୋକିହେବ! ସେଦିନ ଶେଷକୃତ୍ୟ ସଂପନ୍ନ ବେଳେ ଆପଣଙ୍କ ଇଚ୍ଛା ପୂରଣ ହେଲା। କେବଳ ପ୍ରଶଂସକମାନଙ୍କୁ ରୋକିବା ସମ୍ଭବ ନଥିଲା। କିଏ କାହାକୁ ରୋକିଥାନ୍ତା! ସମସ୍ତେ ତ ଥିଲେ ଆପଣଙ୍କ ଆପଣାର। ଆପଣ ସିନା ଚାଲିଗଲେ, ହେଲେ ଏବେ ବି ବିଦାୟ କହିବାକୁ ମନ ରାଜି ହେଉନାହିଁ।

ସମ୍ପର୍କ: ୯୮୬୧୫୫୦୭୬୧