କେବେ ଭାବିଛନ୍ତି କି, ଗଛର ଆକାର ଓ ଓଜନ ବଢ଼ିବା ଲାଗି କେଉଁଠୁ ଉପାଦାନ ପାଏ? ସାଧାରଣ ବୁଦ୍ଧି ଖଟାଇଲେ ଏହାର ଉତ୍ତର ସ୍ବାଭାବିକ ଭାବେ ଆସିବ ଯେ ଗଛ ମାଟିରୁ ଉପାଦାନ ସଂଗ୍ରହ କରି ବଡ଼ ହୁଏ। ସମସ୍ତେ ଜାଣନ୍ତି ଯେ ଗଛ ମାଟିରେ ବଢ଼ିଥାଏ। କିନ୍ତୁ ଗୋଟିଏ ପ୍ରଶ୍ନ ଏହି ଯୁକ୍ତିକୁ ଖଣ୍ଡନ କରିଦେଇଥାଏ, ତାହା ହେଲା- ଗଛ ବଡ଼ ହେବା ସତ୍ତ୍ବେ ତା’ ଚାରିପଟେ ମାଟିରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୁଏ ନାହିଁ କାହିଁକି? ବୈଜ୍ଞାନିକ ଅଧ୍ୟୟନରୁ ଦେଖାଯାଇଛି ଯେ ମାଟିରେ ମଞ୍ଜି ଲଗାଇବା ବେଳେ ଗୋଟିଏ କୁଣ୍ଡରେ ଯେତିକି ମାଟି ଥାଏ ଗଛ ବଡ଼ ହେଲା ପରେ ମଧ୍ୟ ମାଟିର ପରିମାଣରେ କୌଣସି ପରିବର୍ତ୍ତନ ଦେଖାଦିଏ ନାହିଁ। ତା’ ହେଲେ ଗଛ ଗଣ୍ଡିର ଆକାର ଓ ଓଜନ ବଢ଼େ କେମିତି? ଏହାର ପ୍ରକୃତ ଉତ୍ତର ପ୍ରଥମେ ଅବିଶ୍ବସନୀୟ ମନ ହେଲେ ମଧ୍ୟ ସତ- ପବନରୁ। ଆମେ ଜାଣୁ ଯେ ଗଛର ଅଧିକାଂଶ ଓଜନ ହେଉଛି କାର୍ବନ ବା ଅଙ୍ଗାରରୁ ସୃଷ୍ଟି।

Advertisment

ଗଛ ଅଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ପବନରୁ ଯେଉଁ ଅଙ୍ଗାରକାମ୍ଳ ଗ୍ୟାସ୍‌ ଗ୍ରହଣ କରି ବ୍ୟବହାର କରେ ସେଇଥିରୁ ଏହି ଅଙ୍ଗାର ଆହରଣ କରିଥାଏ। ତାହା ଶେଷରେ ଗ୍ଲୁକୋଜ୍ ନାମକ ପୋଷଣୀୟ ଅଣୁରେ ପରିଣତ ହୁଏ। ଗଛଟିଏ ଜୀବିତ ରହିବା ପାଇଁ ତଥା ପ୍ରଜନନ ପାଇଁ ଅଙ୍ଗାର ଅଣୁ ବ୍ୟବହାର କରେ। ତେବେ ବଳକା ଗ୍ଲୁକୋଜ୍‌ରୁ ଗଛର ପତ୍ର, ଡାଳ, ଚେର, ଫଳ, ମଞ୍ଜି ଓ ଗଣ୍ଡି ଆଦି ପ୍ରସ୍ତୁତ ହୋଇଥାଏ। ଏହି ପ୍ରକ୍ରିୟାରେ ପ୍ରତି ବର୍ଷ ଗଛର ଆକାର ଓ ଓଜନ ବୃଦ୍ଧି ପାଏ। ପ୍ରକୃତରେ ଗଛ ବଢ଼ିବାରେ ମାଟିର ଭୂମିକା ହେଲା ଗଛର ଚେରକୁ ଗୋଟିଏ ଜାଗାରେ ଜାବୁଡ଼ି ଧରିବା ଏବଂ ପାଣି ଓ ଗଛ ପାଇଁ ଆବଶ୍ୟକ ଅଳ୍ପ ପରିମାଣର ପୁଷ୍ଟିକର ପଦାର୍ଥ ପ୍ରଦାନ କରିବା। ବାସ୍ତବରେ ଗଛ ମାଟିକୁ ବ୍ୟବହାର କରେ ନାହିଁ।