କେତେ ପ୍ରଭାବଶାଳୀ ଟିକାକରଣ ଅଭିଯାନ?

ଦୈନିକ ହାରାହାରି ୪.୫ ନିୟୁତ ଲୋକଙ୍କୁ ଦିଆଯାଉଛି ଟିକା
ଟିକାକରଣରେ କେବଳ ଚୀନ୍ ଭାରତଠାରୁ ଆଗରେ

ଜୁଲାଇ ୨୧ ତାରିଖ ଦିନ ଭାରତରେ ୨.୨ ନିୟୁତରୁ ଅଧିକ କୋଭିଡ୍‌-୧୯ ଡୋଜ୍‌ ଦିଆଯାଇଛି। କିନ୍ତୁ ତାହା ଜୁନ୍‌ ୨୧ରେ ଦିଆଯାଇଥିବା ପ୍ରାୟ ୯ ନିୟୁତ ଡୋଜ୍ ଟିକା ଠାରୁ ବହୁତ କମ୍‌। କିନ୍ତୁ ବର୍ତ୍ତମାନ ସମୟରେ ଦେଶରେ ଦୈନିକ ହାରାହାରି ୪.୫ ନିୟୁତ ଟିକାକରଣ କରାଯାଉଛି। ସରକାରଙ୍କ ମତରେ ଭାରତରେ ‌ଦୈନିକ ୭୦ ନିୟୁତ ଲୋକଙ୍କୁ ଟିକା ଦିଆଯାଉଛି ଯାହା ଇଂଲଣ୍ଡର ଜନସଂଖ୍ୟାଠାରୁ ବି ଅଧିକ। ଏଭଳି ସ୍ଥିତିରେ ବି ଅନେକ ଲୋକଙ୍କ ପାଖରେ ଟିକା ଅପହଞ୍ଚ ହୋଇ ରହିଛି।

ଭାରତରେ ଟିକାକରଣ ଯୋଜନାକୁ ନେଇ ଦୁଇ ପରସ୍ପର ବିରୋଧୀ ମତ ରହିଛି। ଏହି ଅଭିଯାନ ବିଶ୍ବର ଅନ୍ୟତମ ବୃହତ ଅଭିଯାନ। ଜାନୁଆରିଠାରୁ ଆରମ୍ଭ ହୋଇଥିବା ଟିକାକରଣ ଯୋଜନାରେ ପ୍ରାୟ ୪୧୫ ନିୟୁତ ଟିକା ଦିଆଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଡିସେମ୍ବରରେ ଟିକାକରଣ ଆରମ୍ଭ କରିଥିଲେ ମଧ୍ୟ କେବଳ ୩୩୮ ନିୟୁତ ଡୋଜ୍‌ ଦେଇପାରିଛି। କେବଳ ଚୀନ୍‌ ଏହି ସଂଖ୍ୟାରେ ଭାରତଠାରୁ ଆଗରେ। ଚୀନରେ ପ୍ରାୟ ୧୪୮ କୋଟି ଡୋଜ୍‌ ଦିଆସରିଛି।

ଦୈନିକ ଟିକାକରଣକୁ ବିଚାରକୁ ନେଲେ ଭାରତର ରେକର୍ଡ ପ୍ରଶଂସନୀୟ। ଦୈନିକ ପ୍ରାୟ ୧୧ ନିୟୁତ ଡୋଜ୍‌ ସହ କେବଳ ଚୀନ୍‌ ଏହି କ୍ଷେତ୍ରରେ ଭାରତଠାରୁ ଆଗୁଆ। ତେବେ ଭାରତର ୨୩.୯ ପ୍ରତିଶତ ଲୋକଙ୍କୁ କେବଳ ପ୍ରଥମ ଡୋଜ୍ ଦିଆଯାଇଥିଲା ବେଳେ ମାତ୍ର ୬.୩ ପ୍ରତିଶତ ଲୋକଙ୍କୁ ଉଭୟ ଡୋଜ୍‌ ଦିଆଯାଇଛି। ତୁଳନାତ୍ମକ ଭାବେ ଇଂଲଣ୍ଡର ଦୁଇ ତୃତୀୟାଂଶ ଲୋକ ପ୍ରଥମ ଡୋଜ୍‌ ନେଇ ସାରିଥିବା ବେଳେ ଅର୍ଦ୍ଧାଧିକ ଲୋକ ଉଭୟ ଡୋଜ୍‌ ନେଇ ସାରିଛନ୍ତି। ସେହିପରି ଯୁକ୍ତରାଷ୍ଟ୍ର ଆମେରିକାର ୫୬ ପ୍ରତିଶତ ଲୋକେ ପ୍ରଥମ ଡୋଜ୍ ଓ ୪୮ ପ୍ରତିଶତ ଲୋକେ ଉଭୟ ଡୋଜ୍‌ ନେଇସାରିଛନ୍ତି।

ବିଜ୍‌ନେସ ଷ୍ଟାଣ୍ଡାର୍ଡ ତଥ୍ୟ ଅନୁଯାୟୀ ଭାରତରେ ଜୁଲାଇ ମାସରେ ପ୍ରତି କେନ୍ଦ୍ରରେ ହାରା‌ହାରି ଟିକାକରଣ ହେଉଛି ୧୦୯। ଜୁଲାଇ ୩ ତାରିଖ ଦିନ ପ୍ରତି କେନ୍ଦ୍ରରେ ହାରାହାରି ଟିକାକରଣ ସର୍ବାଧିକ ୧୩୫ ଥିଲା। ଦେଶର ୪୮,୭୭୮ କେନ୍ଦ୍ରରେ ପ୍ରାୟ ୬୬ ଲକ୍ଷ ଡୋଜ୍‌ ଟିକା ଦିଆଯାଇଥିଲା। ଇଂଲଣ୍ଡରେ ହାରାହାରି କେନ୍ଦ୍ର ପ୍ରତି ଟିକାକରଣ ଜୁଲାଇରେ ୧୨୬ ଥିବା ବେଳେ ସର୍ବାଧିକ ୨୦୦ରୁ ଅଧିକ ରହିଥିଲା।

ଟିକାକରଣ ମୁଖ୍ୟତଃ ଉତ୍ପାଦନ ଉପରେ ନିର୍ଭର କଲେ ବି ଟିକାର ଉପଲବ୍‌ଧତା ତଥା ପରିଚାଳନା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଯୁକ୍ତରାଷ୍ଟ୍ର ଆମେରିକା ଓ ଇଂଲଣ୍ଡ, ଭାରତର ବହୁ ପୂର୍ବରୁ ଟିକା ଉତ୍ପାଦନ କମ୍ପାନି ସହ ଚୁକ୍ତି କରିଥିଲେ। ପ୍ରତି କେନ୍ଦ୍ରରେ ଟିକାଦାନର ତୁଳନା କଲେ ଜଣାପଡ଼େ ଯେ ଭାରତ ଓ ଇଂଲଣ୍ଡ ଉଭୟ ଦେଶର ପରିଚାଳନାରେ ବିଶେଷ ଫରକ ନାହିଁ। ଇଂଲଣ୍ଡରେ ପ୍ରତି ଏକ ଲକ୍ଷ ଲୋକଙ୍କ ପାଇଁ ୨.୮ କେନ୍ଦ୍ର ଉପଲବ୍ଧ ଥିଲା ବେଳେ ଭାରତରେ ସମାନ ସଂଖ୍ୟକ ଲୋକଙ୍କ ପାଇଁ ପ୍ରାୟ ୨.୬ କେନ୍ଦ୍ର ଉପଲବ୍ଧ। ଭାରତୀୟ ସ୍ବାସ୍ଥ୍ୟ କର୍ମୀମାନଙ୍କ କାର୍ଯ୍ୟ ଦକ୍ଷତା ଅନେକ ଦେଶ ତୁଳନାରେ ଖୁବ୍ ଉନ୍ନତ। ଓଇସିଡି ଦେଶମାନଙ୍କରେ ପ୍ରତି ହଜାରେ ଲୋକଙ୍କ ପାଇଁ ତିନି ଜଣ ଡାକ୍ତର ଉପଲବ୍ଧ। ତେବେ ଭାରତର ଗ୍ରାମୀଣ ଅଞ୍ଚଳରେ ପାଖାପାଖି ୧୦ ହଜାର ଲୋକଙ୍କ ପାଇଁ କେବଳ ଜଣେ ଡାକ୍ତର ଉପଲବ୍ଧ। ସେହିପରି ଓଇସିଡି ଦେଶମାନଙ୍କରେ ପ୍ରତି ହଜାରେ ରୋଗୀଙ୍କ ପାଇଁ ୯ ଜଣ ନର୍ସ ଥିବା ବେଳେ ଭାରତରେ ସମାନସଂଖ୍ୟକ ରୋଗୀଙ୍କ ପାଇଁ କେବଳ ୨.୭୪ ନର୍ସ ଅଛନ୍ତି। ନର୍ସଙ୍କ ତୁଳନାରେ ଭେଣ୍ଟିଲେଟର ଓ ଆଇସିୟୁ ବେଡ୍‌ର ଅନୁପାତ ମଧ୍ୟ ଯଥାକ୍ରମେ ୧.୨ ଓ ୧.୩। ସାଧାରଣ ମାନଦଣ୍ଡ ଅନୁସାରେ ଭେଣ୍ଟିଲେଟର ପାଇଁ ୧.୧ ଓ ଆଇସିୟୁ ବେଡ୍ ପାଇଁ ୧.୨ ଅନୁପାତ ରହିବା ଆବଶ୍ୟକ।

ସମ୍ବନ୍ଧିତ ଖବର