ରତନ ଟାଟା କିଭଳି ଫୋନ୍ କରି ଚାକିରି ସୁଯୋଗ ଦେଇଥିଲେ ତାହା ଫେସ୍ବୁକ୍ରେ ବଖାଣିଲେ ୨୭ ବର୍ଷୀୟ ଯୁବକ
ନୂଆଦିଲ୍ଲୀ: ଦେଶର ଜଣାଶୁଣା ଉଦ୍ୟୋଗପତି ଓ ଟାଟା ଗ୍ରୁପ୍ର ପୂର୍ବତନ ଅଧକ୍ଷ ରତନ ଟାଟାଙ୍କ ସହ କାମ କରିବା ଲାଗି ଅନେକ ସ୍ୱପ୍ନ ଦେଖି ଥାଆନ୍ତି। କିନ୍ତୁ ରତନ ଟାଟାଙ୍କ ସହ କାମ କରିବାର ସୁଯୋଗ ଅଳ୍ପ ଲୋକଙ୍କୁ ମିଳିଥାଏ। ଏମିତି ଲୋକଙ୍କ ତାଲିକାରେ ଶାନ୍ତନୁ ନାଇଡୁ ସାମିଲ ଅଛନ୍ତି।
୨୭ ବର୍ଷୀୟ ଶାନ୍ତନୁ ନାଇଡୁ ରତନ ଟାଟାଙ୍କ ସହ କାମ କରୁଛନ୍ତି। ସେ ନିକଟରେ ରତନ ଟାଟାଙ୍କ ସହିତ ଏକ ଫଟୋ ସୋସିଆଲ ସାଇଟ୍ରେ ସେୟାର କରିଛନ୍ତି। ଏହି ଫଟୋ ସେୟାର କରିବା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ସାଇଟ୍ ସହିତ ଶାନ୍ତନୁ ଫେସବୁକ୍ ‘ହ୍ୟୁମାନ୍ ଅଫ୍ ବମ୍ବେ’ରେ ବି ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ କେମିତି ରତନ ଟାଟାଙ୍କ ସହ ଚାକିରି କରିବାର ସୁଯୋଗ ପାଇଛନ୍ତି ତାହା କହିଛନ୍ତି।
ନିଜ ସଫଳତାର କାହାଣୀ ବଖାଣିବାକୁ ଯାଇ ଶାନ୍ତନୁ କହିଛନ୍ତି, ପାଞ୍ଚବର୍ଷ ପୂର୍ବେ ରାସ୍ତାରେ ବୁଲାକୁକୁରଙ୍କୁ ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ଦେଖି ଅତ୍ୟନ୍ତ ଦୁଃଖିତ ହୋଇ ଯାଉଥିଲି। ଏଥିପାଇଁ ମୁଁ ବୁଲା କୁକୁରଙ୍କ ବେକରେ ଏକ ରିଫ୍ଲେକ୍ଟର ଲଗାଇ ଥିଲି। ଏହାଦ୍ୱାରା ଦ୍ରୁତ ଗତିରେ ଆସୁଥିବା ଗାଡି ଡ୍ରାଇଭଙ୍କୁ ରାସ୍ତାରେ କୁକୁର ଥିବା ଦୂରରୁ ଜଣାପଡିବ। ମୋର ଏଭଳି କାମକୁ ଟାଟା ଗ୍ରୁପ୍ ଅଫ୍ କମ୍ପାନି ‘ନ୍ୟୁଜଲେଟର’ରେ ବେଶ୍ ପ୍ରଶଂସା କରାଯାଇଥିଲା। ଏହାପରେ ମୁଁ ରତନ ଟାଟାଙ୍କୁ ଏକ ଚିଠି ଲେଖିଥିଲି । ଦୁଇ ମାସ ପରେ ରତନ ଟାଟା ମୋତେ ଭେଟିବାକୁ ଚାହୁଁଛନ୍ତି ବୋଲି ଉତ୍ତରରେ ଲେଖିଥିଲେ।
ଶାନ୍ତନୁ ମାଷ୍ଟର ଡିଗ୍ରି ପୂରା କରିବା ପାଇଁ ବିଦେଶ ପଳାଇଥିଲେ। ଭାରତ ଫେରିବା ପରେ ଦିନେ ରତନ ଟାଟା ହଠାତ ତାଙ୍କୁ ଫୋନ୍ କରି କହିଥିଲେ, ମୋତେ ଅଫିସରେ ବହୁତ କିଛି କାମ କରିବାର ଅଛି, ତୁମେ ମୋ ଆସିଷ୍ଟାଣ୍ଟ ହେବ କି? ବାସ୍ ଏତିକି ଶୁଣି ଶାନ୍ତନୁ ତୁରନ୍ତ ହଁ ମାରିଦେଇଥିଲେ। ଗତ ୧୮ ମାସ ହେବ ସେ ଟାଟା କମ୍ପାନିରେ କାମ କରୁଛନ୍ତି।