ଭାରତ କିପରି ମହାମାରୀ ଦ୍ବାରା ସର୍ବାଧିକ ଆକ୍ରାନ୍ତ ଦେଶ ହେଲା

ଭାରତରେ ୫ ଦିନ ହେଲା ଦୈନିକ ୩ ଲକ୍ଷ କୋଭିଡ୍‌ ସଂକ୍ରମଣର ରିପୋର୍ଟ ଆସିଛି। ମହାମାରୀ ପରଠାରୁ ବିଶ୍ବରେ ଅନ୍ୟ କୌଣସି ଦେଶରେ ଏହିଭଳି ସ୍ଥିତି ସୃଷ୍ଟି ହୋଇନଥିଲା। ବିଶେଷଜ୍ଞଙ୍କ ଅନୁସାରେ, ବର୍ତ୍ତମାନ ମଧ୍ୟ କୋଭିଡ୍‌ ସଂକ୍ରମଣ ଶୀର୍ଷକୁ ପହଞ୍ଚି ନାହିଁ। ଶୀର୍ଷକୁ ପହଞ୍ଚିବା ପାଇଁ ଆହୁରି କିଛି ସପ୍ତାହ ବାକି ରହିଛି। ଏବେ ହାରାହାରି ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ଏକମାସ ପୂର୍ବରୁ ଏହାର ସଂଖ୍ୟା ଏକ ଷଷ୍ଠାଂଶ ଥିଲା। ବର୍ତ୍ତମାନ ଯେଉଁଭଳି କୋଭିଡ୍‌ ମାମଲା ବୃଦ୍ଧି ପାଇବାରେ ଲାଗିଛି ଏହା ଭାରତ ପାଇଁ ଏକ ଚେତାବନୀ।

ଏସିଆର ପ୍ରତି ୩ ନୂତନ ରୋଗୀଙ୍କ ମଧ୍ୟରେ ୨ ଜଣ ଭାରତୀୟ
ଭାରତରେ ବର୍ତ୍ତମାନ ପ୍ରତିଦିନ କୋଭିଡର ଯେତେ ନୂତନ ମାମଲା ସୃଷ୍ଟି ହେଉଛି ଏହା ଏସିଆ ବ୍ୟତୀତ ଯେକୌଣସି ମହାଦେଶଠାରୁ ଅଧିକ। ଏସିଆରେ ଚିହ୍ନଟ ନୂତନ ମାମଲା ମଧ୍ୟରେ ୭୦ ପ୍ରତିଶତ ଭାରତର। ଏପ୍ରିଲ ୨୫ ତାରିଖରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୭ ଦିନ ମଧ୍ୟରେ ଏସିଆରେ ହାରାହାରି ୪.୬ ଲକ୍ଷ ନୂତନ କୋଭିଡ୍‌ ମାମଲା ଚିହ୍ନଟ ହୋଇଥିଲା। ଏଥିରୁ ୩.୨ ଲକ୍ଷ ଭାରତର ଥିଲା। ଚଳିତ ବର୍ଷର ଦ୍ବିତୀୟ ଲହରରେ ଯେତିକି ମାମଲା ଚିହ୍ନଟ ହେଉଛି ଗତବର୍ଷ ସର୍ବାଧିକ ସଂକ୍ରମଣ ସମୟ ସେପ୍ଟେମ୍ବରକୁ କେବଳ ଟପି ନାହିଁ ବରଂ ତା’ଠାରୁ ୩ ଗୁଣ ଅଧିକ ସଂଖ୍ୟାରେ ପହଞ୍ଚିସାରିଛି। ଗତବର୍ଷ ଭାରତରେ ସର୍ବାଧିକ ସଂକ୍ରମଣ ସମୟରେ ଦୈନିକ ହାରାହାରି ୧ ଲକ୍ଷ ମାମଲା ଚିହ୍ନଟ ହେଉଥିଲା। ଚଳିତ ବର୍ଷ ଜାନୁଆରିରେ ଆମେରିକାରେ ଦୈନିକ ହାରାହାରି ୨.୫ ଲକ୍ଷ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ସମ୍ପୂର୍ଣ୍ଣ ବିପରୀତ ସ୍ଥିତି ଉତ୍ପନ୍ନ ହୋଇ ସାରିଛି। ଏପ୍ରିଲ ୨୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାଠାରୁ ଭାରତରେ ୫ ଗୁଣ ଅଧିକ କୋଭିଡ୍‌ ମାମଲା ଚିହ୍ନଟ ହେଉଛି।

ସଂକ୍ରମଣ ବଢୁଛି, ଏଣେ ଟିକାକରଣରେ ବି ପଛରେ ପଡ଼ିଛି ଭାରତ
ଏପ୍ରିଲ ୨୬ ତାରିଖ ସୁଦ୍ଧା ଭାରତରେ ୧୪୦ ନିୟୁତ (୧୪ କୋଟି) ଟିକା ନେଇ ସାରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ପରେ ଟିକାକରଣରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଆମେରିକାରେ ୨୨୫ ନିୟୁତ (୨୨ କୋଟି ୫୦ ଲକ୍ଷ) ଟିକା ନେଇଛନ୍ତି। ଅନ୍ୟଦିଗରେ ଦେଖିଲେ ଆମେରିକା, ଇଂଲଣ୍ଡରେ ସମୁଦାୟ ଜନସଂଖ୍ୟାର ୫୦ ପ୍ରତିଶତ ଗୋଟିଏ ଡୋଜ୍‌ ଟିକା ନେଇ ସାରିଛନ୍ତି। ଭାରତରେ ସମୁଦାୟ ଜନସଂଖ୍ୟାର ୧୦ ପ୍ରତିଶତ ହିଁ ଟିକା ନେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବୟସର କଟକଣା ମଧ୍ୟରେ ଟିକା ଦିଆଯାଉଥିଲା। ମେ ୧ ତାରିଖରୁ ୧୮ ବର୍ଷରୁ ଊର୍ଧ୍ବ ସମସ୍ତେ ଟିକା ନେଇପାରିବେ। ଏହାପରେ ଭାରତରେ ଏହି ଯୁବବର୍ଗଙ୍କ ପାଇଁ ଆବଶ୍ୟକ ଥିବା ୬ ଶହ ନିୟୁତ (୬୦ କୋଟି) ଟିକାର ଚାହିଦା ପୂରଣ ହେବା ନେଇ ସ୍ଥିତି ଅସ୍ପଷ୍ଟ ରହିଛି।

ମୃତ୍ୟୁ ହାର ବର୍ତ୍ତମାନ ମଧ୍ୟ କମ୍ ରହିଛି, କିନ୍ତୁ…
ଭାରତରେ ରିପୋର୍ଟ ହେଉଥିବା ୧୦୦ଟି କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହେଉଛି, ଯାହାକି ପାଶ୍ଚାତ୍ୟ ଦେଶ ତୁଳନାରେ ଭଲ ସ୍ଥିତିରେ ଥିବା ଦର୍ଶାଏ। କିନ୍ତୁ ପ୍ରତିଦିନ ଡାକ୍ତରଖାନାରେ ଯେତିକି କୋଭିଡ୍‌-ଜନିତ ମୃତ୍ୟୁ ହେଉଛି ଏବଂ ଯେତେ ସଂଖ୍ୟକ କୋଭିଡ୍‌ ମୃତକଙ୍କ ଅନ୍ତିମ ସଂସ୍କାର ହେଉଛି ଏଥିମଧ୍ୟରେ ତାଳମେଳର ଅଭାବ ରହିଛି। ଭାରତରେ କୋଭିଡ୍‌ ମୃତ୍ୟୁର ଅନେକ ମାମଲା ରିପୋର୍ଟିଂ ହେଉ ନ ଥିବା ସ୍ପଷ୍ଟ। ଏହି ସମସ୍ତ ମୃତ୍ୟୁକୁ ସାମିଲ କରାଗଲେ ଏପ୍ରିଲ ୨୫ ତାରିଖରେ ଜାରି ପରିସଂଖ୍ୟାନରେ ଦର୍ଶାଯାଇଥିବା ମୃତ୍ୟୁସଂଖ୍ୟା ୧.୧ ପ୍ରତିଶତରୁ ଅନେକ ଅଧିକ ହେବ। କୋଭିଡ୍‌ ମୃତ୍ୟୁରେ ମଧ୍ୟ ଭାରତ ବ୍ରାଜିଲ ପରେ ଦ୍ବିତୀୟ ସ୍ଥାନକୁ ଆସିଯିବ। ଏପ୍ରିଲ ମଝି ସପ୍ତାହରେ ଭାରତ ମହାମାରୀ ଦ୍ବାରା ସର୍ବାଧିକ ପ୍ରଭାବିତ ଦେଶରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର