ବେଙ୍ଗାଲୁରୁ: ମହାକାଶ ଗବେଷଣା ପାଇଁ ଏକ ସରକାରୀ ‘ଏଜେନ୍ସି’ ରହିବା ଚିନ୍ତାଧାରା ୧୯୬୨ରେ ପ୍ରଥମେ ବିକ୍ରମ ସାରାଭାଈ ପରିକଳ୍ପନା କରିଥିଲେ। କିନ୍ତୁ, ତାଙ୍କର ଏହି ପରିକଳ୍ପନା ୧୯୬୯ରେ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ଭାବେ ରୂପାୟିତ ହେଲା।
ତା’ପରେ ବେଙ୍ଗାଲୁରୁବାସୀଙ୍କଦ୍ବାରା ଉଚ୍ଚ ପ୍ରଶଂସିତ ସତୀଶ ଧାୱନଙ୍କ ସର୍ତ୍ତ ଯୋଗୁଁ ହିଁ ‘ଇସ୍ରୋ’ ବେଙ୍ଗାଲୁରୁକୁ ଆସିଲା।
ଧୱନ୍ ଶ୍ରୀନଗରେ ଜନ୍ମ ହୋଇଥିଲେ ଓ ଲାହୋରରେ ବଡ଼ ହୋଇଥିଲେ। ୧୯୫୧ରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରି ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍’ରେ (ଆଇଆଇଏସ୍ସି) ବରିଷ୍ଠ ବିଜ୍ଞାନ ଅଧିକାରୀ ଭାବେ ଯୋଗ ଦେବାକୁ ବେଙ୍ଗାଲୁରୁ ଯାଇଥିଲେ। ଏହାର ୧୦ ବର୍ଷ ପରେ ସେ ମାତ୍ର ୪୨ ବର୍ଷ ବୟସରେ ‘ଆଇଆଇଏସ୍ସି’ର ନିର୍ଦେଶକ ଦାୟିତ୍ବ ଗ୍ରହଣ କରି ୧୭ ବର୍ଷ ଧରି ଏହି ପଦବୀରେ ରହିଥିଲେ।
‘ଆଇଆଇଏସ୍ସି’ ବିଭିନ୍ନ କ୍ଷେତ୍ରର ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ପ୍ରଫେସର୍ ଧୱନ୍ ଉଦ୍ୟମ ଚଳାଇଥିବା ବେଳେ ୧୯୭୧ ମସିହା ଡିସେମ୍ବର ୩୦ ତାରିଖ ଦିନ ‘ଇସ୍ରୋ’ର ସଂସ୍ଥାପକ-ଅଧ୍ୟକ୍ଷ ୫୨ ବର୍ଷିୟ ବିକ୍ରମ ସାରାଭାଈଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଗଲା।
ତେଣୁ, ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଧୱନ୍ଙ୍କୁ ‘ଇସ୍ରୋ’ର ଅଧ୍ୟକ୍ଷ ପଦରେ ନିଯୁକ୍ତ କରିବାକୁ ଚାହିଁଲେ। କିନ୍ତୁ, ଏଥିପାଇଁ ପ୍ରଫେସର୍ ଧୱନ୍ ୨ଟି ସର୍ତ୍ତ ରଖିବା ସହିତ ପ୍ରଧାନମନ୍ତ୍ରୀଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ଚାହିଁଲେ। ପ୍ରଥମ ସର୍ତ୍ତ ହେଲା ବେଙ୍ଗାଲୁରୁରେ ‘ଇସ୍ରୋ’ର ମୁଖ୍ୟାଳୟ ହେବ। ଦ୍ବିତୀୟ ସର୍ତ୍ତ ହେଲା, ସେ ‘ଇସ୍ରୋ’ର ଅଧ୍ୟକ୍ଷ ହେବା ପରେ ମଧ୍ୟ ପୂର୍ବଭଳି ‘ଆଇଆଇଏସ୍ସି’ର ନିର୍ଦେଶକ ହୋଇ ରହିବେ। ପ୍ରଧାନମନ୍ତ୍ରୀ ଗାନ୍ଧୀ ତାଙ୍କ ସର୍ତ୍ତରେ ରାଜି ହେଲେ ଓ ‘ଇସ୍ରୋ’ ବେଙ୍ଗାଲୁରୁକୁ ଆସିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟ ସ୍ଥାପନା ବେଳେ ‘ଇସ୍ରୋ’ର ନାଁ ଥିଲା ‘ଇନ୍କୋସ୍ପାର୍’ (ଇଣ୍ଡିଆନ୍ ନ୍ୟାସ୍ନାଲ୍ କମିଟି ଫର୍ ସ୍ପେସ୍ ରିସର୍ଚ)।