ସାରା ପୃଥିବୀରେ ମହିଳାମାନେ ମୁଦି ପିନ୍ଧିବାକୁ ଭଲ ପାଆନ୍ତି। ସୁନା, ରୁପା, ପ୍ଲାଟିନମ୍ ତିଆରି ମୁଦିର ଚାହିଦା ସବୁଠୁ ବେଶି। ତେବେ ବିଭିନ୍ନ ପ୍ରକାର ଧାତୁ, ଫୁଲ, ଟେରାକୋଟା, ଇତ୍ୟାଦି ମୁଦିର ଫ୍ୟାଶନ୍ କିଛି କମ୍ ନୁହେଁ। ତେବେ ମୁଦିର ସୌନ୍ଦର୍ଯ୍ୟ ଓ ଦାମ୍ ବଢ଼ିଥାଏ ସେଥିରେ ଲାଗିଥିବା ବିଭିନ୍ନ ପ୍ରକାର ରତ୍ନ ପଥର, ପ୍ରବାଳ, ମଣି, ମୁକ୍ତା, ବୈଦୁର୍ଯ୍ୟ ପାଇଁ। ବିବାହ ପୂର୍ବରୁ ନିର୍ବନ୍ଧ ବା ମୁଦି ପିନ୍ଧେଇବାର ପରମ୍ପରାଟିଏ ଓଡ଼ିଆ ଘରେ ରହିଛି। ଏଥିପାଇଁ କନ୍ୟାକୁ ‘ବାକ୍ଦତ୍ତା’ ବୋଲି କୁହାଯାଏ। ସେମିତି ପାଶ୍ଚାତ୍ୟରେ ମଧ୍ୟ ବିବାହ ପାଇଁ ପ୍ରପୋଜ୍ କଲାବେଳେ ମୁଦିଟିଏ ଦେବାର ପରମ୍ପରା ରହିଛି। ସାରା ବିଶ୍ବରେ ଚର୍ଚ୍ଚିତ କେତୋଟି ମୂଲ୍ୟବାନ ମୁଦି ବିଷୟରେ କିଛି ତଥ୍ୟ...
ୱିଟଲ୍ସବାଚ୍ ଗ୍ରାଫ୍ ଡାଇମଣ୍ଡ୍ ରିଂ:ଏହି ମୁଦିଟିରେ ୩୧.୦୬ କ୍ୟାରେଟ୍ ବିଶିଷ୍ଟ ଏକ ଗାଢ଼ ନୀଳ ରଙ୍ଗର ଡାଇମଣ୍ଡ୍ ବା ହୀରା ଲାଗିଛି। ଏହି ହୀରାଟିକୁ ପ୍ରଥମେ ଅଷ୍ଟ୍ରିଆ ଓ ବୋବାରିୟନ୍ କ୍ରାଉନ୍ ଜୁଏଲେରି ମାର୍କେଟ୍ରେ ଦେଖିବାକୁ ମିଳିଥିଲା। ପରେ ଏହାକୁ ଲଣ୍ଡନର ଜଣେ ଜୁଏଲେରି ମାଲିକ କିଣି ନେଇ ତାକୁ ପଲିସ୍ କରି ସେଥିରେ ଏକ ସୁନ୍ଦର ମୁଦି ତିଆରି କରିଥିଲେ। ଏହାକୁ ପ୍ରାୟ ୮୦ ମିଲିୟନ୍ ଡଲାର୍ ମୂଲ୍ୟରେ ନିଲାମ କରାଯାଇଥିଲା।
ପିଙ୍କ୍ ଷ୍ଟାର୍ ଡାଇମଣ୍ଡ୍ ରିଂ:ଗୋଲାପୀ ରଙ୍ଗର ଏହି ହୀରାଟି ଆଫ୍ରିକାର ଏକ ଖଣି ଖନନ ସମୟରେ ମିଳିଥିଲା। ସେତେବେଳେ ପାଖାପାଖି ଦୁଇ ବର୍ଷ ଲାଗିଥିଲା ଏହାକୁ କାଟି ପଲିସ୍ କରି ଠିକ୍ ଆକାର ଦେବା ପାଇଁ। ପଲିସ୍ ହେବାପରେ ଏହା ୫୯.୬୦ କ୍ୟାରେଟ୍ ବିଶିଷ୍ଟ ଏକ ସୁନ୍ଦର ହୀରାରେ ପରିଣତ ହୋଇଥିଲା। ଆଉ ଯେତେବେଳେ ଏହି ହୀରାରୁ ଏକ ମୁଦି ତିଆରି କରି ବିକିବା ପାଇଁ ନିଲାମ ଡକାଗଲା, ସେତେବେଳେ ଇଶାକ୍ ଉଲ୍ଫ ନାମକ ଜଣେ ବ୍ୟକ୍ତି ୭୨ ମିଲିୟନ୍ ଡଲାର୍ରେ ଏହାକୁ କିଣି ନେଇଥିଲେ। ଦ ଗ୍ରାଫ୍ ପିଙ୍କ୍ ଡାଇମଣ୍ଡ୍ ରିଂ: ଆଜକୁ ପ୍ରାୟ ୬୦ ବର୍ଷ ତଳେ ହଂକଂରେ ହେଉଥିବା ଏକ ନିଲାମରେ ଏହି ମୁଦିଟି ଲୋକଲୋଚନକୁ ଆସିଥିଲା। ୨୪.୭୮ କ୍ୟାରେଟ୍ ବିଶିଷ୍ଟ ଗୋଲାପୀ ରଙ୍ଗର ହୀରା ଲାଗିଥିବା ମୁଦିଟି ସେ ସମୟରେ ପ୍ରାୟ ୪୬.୨ ମିଲିୟନ୍ ଡଲାରରେ ବିକ୍ରି ହୋଇଥିଲା। ହାରି ୱିନ୍ଷ୍ଟନ୍ ନାମକ ଜଣେ ଲୋକପ୍ରିୟ ଗହଣା ବ୍ୟବସାୟୀ ଏହାକୁ କିଣିଥିଲେ ବୋଲି ସୂଚନା ରହିଛି।
ଦ ୱିନ୍ଷ୍ଟନ୍ ବ୍ଲୁ ଡାଇମଣ୍ଡ୍ ରିଂ:ଆଲ୍ମଣ୍ଡ୍ ଆକାରର ଏହି ହୀରା ଦେଖିବାକୁ ଯେମିତି ଆକର୍ଷଣୀୟ, ଏହାର ଦାମ୍ ବି ସେମିତି ଆକାଶଛୁଆଁ। ୧୩.୨୨ କ୍ୟାରେଟ୍ ବିଶିଷ୍ଟ ଏହି ହୀରାଟି ଦକ୍ଷିଣ ଆଫ୍ରିକାରୁ ମିଳିଥିଲା। ଏହାକୁ ଅନେକ ବିତ୍ତଶାଳୀ ଲୋକ କିଣାବିକା କରିବା ପରେ ଶେଷରେ ୨୦୧୪ ମସିହାରେ ଆମେରିକାର ଜେମୋଲୋଜିକାଲ୍ ଇନ୍ଷ୍ଟିଚ୍ୟୁଟ୍ ହାତକୁ ଆସିଥିଲା। ସେଠାରେ ଏହାକୁ ୱିନ୍ଷ୍ଟନ୍ ବ୍ଲୁ ଡାଇମଣ୍ଡ୍ ଭାବେ ସାର୍ଟିଫାଏଡ୍ କରାଗଲା। ପରେ ଏହାକୁ ଦକ୍ଷିଣ ଆଫ୍ରିକାର ଜଣେ ଜୁଏଲେରି ମାଲିକ ପ୍ରାୟ ୨୩.୮ ମିଲିୟନ୍ ଡଲାର୍ ଦେଇ କିଣି ନେଇଥିଲେ।
ଚୋପାର୍ଡ ବ୍ଲୁ ଡାଇମଣ୍ଡ୍ ରିଂ: ଓଭାଲ୍ ଆକାରର ଏହି ନୀଳ ଡାଇମଣ୍ଡ୍ ମୁଦିରେ ଯେଉଁ ବ୍ୟାଣ୍ଡ୍ ଲାଗିଛି, ତାହା ବି ୧୮ କ୍ୟାରେଟ୍ ବିଶିଷ୍ଟ ହ୍ବାଇଟ୍ ଗୋଲ୍ଡରେ ତିଆରି ହୋଇଛି। ଏଥିସହିତ ସେହି ବ୍ୟାଣ୍ଡ୍ର ଉଭୟ ପଟେ ଦୁଇଟି ଛୋଟ ଛୋଟ ଧଳା ରଙ୍ଗର ହୀରା ମଧ୍ୟ ଖଚିତ ହୋଇ ଆକର୍ଷଣୀୟ ରୂପ ଦେଉଛି। ସେଥିପାଇଁ ଏହାର ମୂଲ୍ୟ ୧୬.୨୬ ମିଲିୟନ୍ ଡଲାର୍ ରଖାଯାଇଛି। ସୁଇସ୍ କମ୍ପାନି ଅଧିକୃତ ଚୋପାର୍ଡ ଜୁଏଲେରି ଦ୍ୱାରା ତିଆରି ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି।
ଦ ବୁଲ୍ଗାରୀ ବ୍ଲୁ ରିଂ:ଏହି ମୁଦିରେ ଦୁଇ ପ୍ରକାର ରଙ୍ଗର ହୀରା ଲାଗିଛି। ଗୋଟିଏ ହେଉଛି ୯.୮୭ କ୍ୟାରେଟ୍ ବିଶିଷ୍ଟ ଧଳା ରଙ୍ଗର ହୀରା ଏବଂ ଅନ୍ୟଟି ହେଉଛି ୧୦.୯୫ କ୍ୟାରେଟ୍ ବିଶିଷ୍ଟ ନୀଳ ରଙ୍ଗର ହୀରା। ତା’ସାଙ୍ଗକୁ ଏକାଧିକ ଛୋଟ ଛୋଟ ଧଳା ରଙ୍ଗର ହୀରା ବି ଏହି ମୁଦିରେ ଖଚିତ ହୋଇଛି। ତେବେ ୧୯୭୦ ମସିହାରେ ଏହି ମୁଦିଟିର ଆନୁମାନିକ ମୂଲ୍ୟ ୫ ମିଲିୟନ୍ ଡଲାର୍ ହେବା କଥା, କିନ୍ତୁ ସେତେବେଳେ ହୋଇଥିବା ଏକ ନିଲାମରେ ଏହା ୧୫.୭ ମିଲିୟନ୍ ଡଲାରରେ ବିକ୍ରି ହୋଇଥିଲା।
ଦ ଭିଭିଡ୍ ପିଙ୍କ୍ ରିଂ:୫ କ୍ୟାରେଟ୍ ବିଶିଷ୍ଟ ହାଲୁକା ଗୋଲାପୀ ରଙ୍ଗର ହୀରା ଲାଗିଥିବା ଏହି ମୁଦିଟି ହଂକଂରେ ହୋଇଥିବା ଏକ ନିଲାମିରେ ପ୍ରାୟ ୧୧.୮ ମିଲିୟନ୍ ଡଲାର୍ରେ ବିକ୍ରି ହୋଇଥିଲା। ଆଉ ଏହି ହୀରାଟି ଦକ୍ଷିଣ ଆଫ୍ରିକାର ଏକ ଖଣିରୁ ମିଳିଥିଲା ବୋଲି ସୂଚନା ରହିଛି।