ନିଶାରୁ ରାଣୀ କେତେ କାହାଣୀ

ଓଡ଼ିଶାରେ ଗଣମନୋରଞ୍ଜନର ଲୋକପ୍ରିୟ ମାଧ୍ୟମ ହେଉଛି ଯାତ୍ରା। ଆଉ ଯାତ୍ରାମଞ୍ଚର ପ୍ରଥମ ପରିବେଷଣ ବା ଆକର୍ଷଣ ହେଉଛି ରେକର୍ଡ ଡ୍ୟାନ୍ସ। ନିଜର ଅଙ୍ଗ ପ୍ରଦର୍ଶନ ସହ ଉତ୍ତେଜକ ନୃତ୍ୟଶୈଳୀ ଜରିଆରେ ଯେଉଁ କେତେଜଣ ଆଇଟମ୍ ଡ୍ୟାନ୍ସର୍‌ ଯାତ୍ରାମଞ୍ଚର ଆକର୍ଷଣ ସାଜିବା ସହ ବିବାଦୀୟ ହୋଇପଡ଼ିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ରାଣୀ ପଣ୍ଡା, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ। ଓଡ଼ିଆ ଯାତ୍ରାମଞ୍ଚର ଏହି ତିନି ଚର୍ଚ୍ଚିତ ଚେହେରାଙ୍କ ଜୀବନ-ଯନ୍ତ୍ରଣା ଓ ସଂଘର୍ଷ-ସଫଳତା କୌଣସି ଚଳଚ୍ଚିତ୍ରର କାହାଣୀଠାରୁ ବି କିଛି କମ୍ ନୁହେଁ…

ପ୍ରଗତି ସାହୁ

ରାଣୀ ପଣ୍ଡା, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀଙ୍କୁ ଆପଣ ଜାଣନ୍ତି କି? ଆପଣ ଯଦି ଓଡ଼ିଆ ଯାତ୍ରାର ନିୟମିତ ଦର୍ଶକ ହୋଇଥିବେ କିଂବା ସୋସିଆଲ୍ ମିଡିଆରେ ସକ୍ରିୟ ଥିବେ, ତେବେ ଏହି ବହୁଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀଙ୍କ ସଂପର୍କରେ କିଛି ନା କିଛି ଜାଣିଥିବେ ନିଶ୍ଚୟ। ମଞ୍ଚରେ ଲୋକପ୍ରିୟ ଗୀତର ତାଳେ ତାଳେ ସେମାନଙ୍କ ଅଙ୍ଗପ୍ରଦର୍ଶକ ପୋଷାକରେ ଉତ୍ତାଳ-ଉତ୍ତେଜକ ନୃତ୍ୟ ହେଉ ଅଥବା ସୋସିଆଲ୍ ମିଡିଆରେ ଅଭାଷାରେ ଗାଲିଗୁଲଜର ଭିଡିଓ, ଏସବୁ ପାଇଁ ଏମାନେ ବିବାଦୀୟ, ଚର୍ଚ୍ଚିତ ଓ ନିନ୍ଦିତ ବି। ଉଭୟ ତାଳି ଓ ଗାଳି ପାଉଥିବା ଏହି ତିନି ଜଣଙ୍କ ଦୁଃଖ, କ୍ଷୋଭ ଓ ଜୀବନ-ଯନ୍ତ୍ରଣାର କଥା, ସେମାନଙ୍କ ମୁହଁରେ…

ଦର୍ଶକ ମୋତେ ତିଆରି କରିଛନ୍ତି
ତାଙ୍କ ନାଁକୁ ନେଇ ସବୁବେଳେ ଚର୍ଚ୍ଚା। କେତେବେଳେ ବିବାଦୀୟ ବାକ୍ୟବାଣ ପାଇଁ ତ ପୁଣି କେତେବେଳେ ଭଲ ଉଦାହରଣ ସୃଷ୍ଟି କରି ଆଲୋଚନା-ସମାଲୋଚନାର ପ୍ରସଙ୍ଗ ପାଲଟିଥାଆନ୍ତି ରାଣୀ ପଣ୍ଡା। ତାଙ୍କୁ ପସନ୍ଦ କରୁଥିବା ଆଉ ପସନ୍ଦ କରୁନଥିବା; ଉଭୟ ବର୍ଗର ଆକର୍ଷଣର କେନ୍ଦ୍ରରେ ଥାଆନ୍ତି ସେ। କିନ୍ତୁ ସେଥିପ୍ରତି ତାଙ୍କର ଖାତିର ନଥାଏ। ଯାତ୍ରା ଦୁନିଆର ଆଗଧାଡ଼ିର ଅଭିନେତ୍ରୀ ଓ ଆଇଟମ୍‌ ଡ୍ୟାନ୍ସର୍‌ ରାଣୀ ପଣ୍ଡା। ଗାଳି ହେଉ କି ତାଳି, ଉଭୟକୁ ଖାତିର ନଥାଏ ତାଙ୍କର। ଯେମିତି ସ୍ପଷ୍ଟବାଦୀ, ସେମିତି ସ୍ନେହୀ ଓ ଦରଦୀ। ଯାତ୍ରାମଞ୍ଚରେ ‌େଯୗନୋଦ୍ଦୀପକ ନୃତ୍ୟ ଓ ଅଶାଳୀନ ଶବ୍ଦର ଖୋଲା ପ୍ରୟୋଗ ରାଣୀଙ୍କୁ ରାତାରାତି ପରିଚିତି ଦେଇଛି। ଏଥିପାଇଁ ସେ କିଛି ପ୍ରଶଂସକଙ୍କ ହୃଦୟ ଜିଣିଛନ୍ତି, ପୁଣି କଠୋର ଶବ୍ଦରେ ନିନ୍ଦାର ବି ସାମ୍ନା କରିଛନ୍ତି। କାହା କଥାକୁ ଭ୍ରୂକ୍ଷେପ ନ କରି ନିଜ ରାସ୍ତା‌େର ସେ ଆଗେଇ ଚାଲିଛନ୍ତି। ସାଧାରଣ ପରିବାର‌େର ଝିଅଟିଏ ଭାବେ ଜନ୍ମ ନେବା ପରଠାରୁ ଯାତ୍ରା କଳାକାର ଭାବେ ପରିଚୟ ସୃଷ୍ଟି କରିବା ପର୍ଯ୍ୟନ୍ତ ଯାତ୍ରା ରାଣୀଙ୍କ ପାଇଁ କିଛି କମ୍ ସଂଘର୍ଷପୂର୍ଣ୍ଣ ନଥିଲା। ପ୍ରତିକୂଳ ପରିସ୍ଥିତି ସହ ଲଢ଼ି ସେ ନିଜକୁ ସଫଳ କରି ଦେଖାଇଛନ୍ତି। ଗୌରୀ ଗଣନାଟ୍ୟଦ୍ବାରା ପ୍ରସ୍ତୁତ ରାଣୀ ପଣ୍ଡାଙ୍କ ଜୀବନର ବାସ୍ତବ ଘଟଣାକୁ ନେଇ ପ୍ରସ୍ତୁତ ‘ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକରେ ବହୁ ଅଘଟଣର ଶିକାର ହୋଇଥିବା ରାଣୀଙ୍କ କାହାଣୀକୁ ବେଶ୍‌ ସୁନ୍ଦର ଭାବେ ଦର୍ଶକଙ୍କ ପାଖରେ ଉପସ୍ଥାପନ କରାଯାଇଥିଲା।

ରାଣୀ ବାରମ୍ବାର ବିବାଦ ଘେରରେ ରହି ଆସିଛନ୍ତି। ସାଧାରଣ ଭାବେ ଜଣେ ନାରୀଠାରୁ ଆଶା କରାଯାଉ ନଥିବା ଅପଶବ୍ଦର ପ୍ରୟୋଗ ତଥା ରୋକ୍‌ଠୋକ୍‌ କଥା ତାଙ୍କୁ ବିବାଦୀୟ କରିଥିଲା। ଅନେକ ସମୟରେ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେବାବେଳେ ଖୁଲମ୍‌ଖୁଲା ଗାଳିଫଜିତ୍ କରିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହା ପଛରେ ରହିଛି ତାଙ୍କର ଜୀବନଯନ୍ତ୍ରଣାର କଥା। ସଂପ୍ରତି ‘କନକ ନ୍ୟୁଜ୍‌’ ସହ ଏକ ସାକ୍ଷାତ୍‌କାର ଅବସରରେ ସେ ନିଜର ସଂଘ‌ର୍ଷର କାହାଣୀ ବଖାଣିଥିଲେ,‘‘ରାଣୀର ହୃଦୟ ବହୁତ ବଡ଼। ଲୋକମାନେ କେବଳ ତା’ର ଖରାପକୁ ଲକ୍ଷ୍ୟ କରି ସୋସିଆଲ୍‌ ମିଡିଆରେ ହାଇଲାଇଟ୍‌ କରିଛନ୍ତି। ସେ କେବେ କାହାକୁ ଅଯଥାରେ ଖରାପ ବ୍ୟବହାର କରେ ନାହିଁ। ଯିଏ ତାର ଆତ୍ମସମ୍ମାନକୁ ଇଙ୍ଗିତ କରି ଅପଶବ୍ଦ ପ୍ରୟୋଗ କରି କଥା କହେ ସେ ତାକୁ ତା’ର ଉତ୍ତର ଫେରାଇବା ବେଳେ ଭାଷା-ଅଭାଷା ପ୍ରୟୋଗ କରିଥାଏ।’’ ସେ ଆହୁରି ମଧ୍ୟ କହିଥିଲେ,‘‘ଜଣେ ନାରୀକୁ ବିନା କାରଣରେ ଯଦି କିଏ ଅାକ୍ଷେପ କରେ କିମ୍ବା ସମ୍ମାନରେ ଆଞ୍ଚ ଆଣିଥାଏ ‌ସେଠାରେ ରାଣୀ କେବେ ଚୁପ୍‌ ରହେନି।’’ ଏକ ଯାତ୍ରା ନାଟକରେ ନୃତ୍ୟ ସମୟରେ ଜଣେ ଦର୍ଶକଙ୍କ ‘କାନ କାମୁଡ଼ିବା’ ଘଟଣାର କାରଣ ସମ୍ପର୍କରେ ସେ କହିଥିଲେ ଯେ, ତାହା ଏକ ପରିହାସ ଥିଲା। ସେ ଥଟ୍ଟାରେ ଏଭଳି କରିଥିଲେ। କାହାରିକୁ କଷ୍ଟ ଦେବା ତାଙ୍କ ସ୍ବଭାବ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ।

ନିଜ ଜୀବନ ଯନ୍ତ୍ରଣାର କାହାଣୀ ବଖାଣି ସେ କହିଥିଲେ, ଜଣେ କେବେ ଖରାପ ରାସ୍ତାକୁ ଯାଏ ନାହିଁ। ପରିସ୍ଥିତି ଓ ସମୟ କେବେ କେଉଁ ବାଟରେ ନେଇ କେଉଁଠି ପହଞ୍ଚାଇଦିଏ ସେ ନିଜେ ମଧ୍ୟ ଜାଣିପାରେ ନାହିଁ। ଛୋଟବେଳେ ସେ ବହୁ ସଂଘର୍ଷର ସମ୍ମୁଖୀନ ହୋଇଛନ୍ତି। ପାଠ ପଢ଼ିବାକୁ ଯେତେବେଳେ ଖାତା କି କଲମଟିଏ ନଥିଲା ସେ ବାଡ଼ିରୁ ପରିବା ବିକି ପଢ଼ିଛନ୍ତି। ବାସିପଖାଳ ଖାଇ ଦିନ ଦିନ କାଟିଛନ୍ତି ଏବଂ ରାତି ରାତି ଅନିଦ୍ରା ହୋଇ ନିଜ ଜୀବନକୁ ସଜାଡ଼ିବାକୁ କସରତ କରିଛନ୍ତି। ଏପରିକି ଭୁବନେଶ୍ବରରେ ଗଣଦୁଷ୍କର୍ମର ଶିକାର ମଧ୍ୟ ହୋଇଛନ୍ତି। ଜୀବନର ଏତେ ଉଠାଣିଗଡ଼ାଣିି ଦେଇ ଆଜି ରାଣୀ ପଣ୍ଡା ଏହି ଜାଗାରେ ଠିଆ ହୋଇଛନ୍ତି। ଦର୍ଶକ ହିଁ ତାଙ୍କୁ ତିଆରି କରିଛନ୍ତି ଏବଂ ସେ ସେମାନଙ୍କ ପାଇଁ ସବୁବେଳେ କାମ କରିବେ ବୋଲି କହିଛନ୍ତି। ରାଣୀଙ୍କ ଜୀବନର ଆଉକିଛି ଦିଗକୁ ନେଇ ମଧ୍ୟ ଚର୍ଚ୍ଚା ହୁଏ। ଯେମିତିକି, ରୋଜଗାରରୁ ନିଜ ଖର୍ଚ୍ଚ ପାଇଁ କିଛି ରଖି ବାକି ଅର୍ଥକୁ ଅନ୍ୟର ସେବା ପାଇଁ ସେ ଲଗାଇଥାନ୍ତି। ବାହାନଗା ରେଳ ଦୁର୍ଘଟଣା ସମୟରେ ଆହତଙ୍କ ଚିକିତ୍ସା ନିମନ୍ତେ ସେ ସରକାରଙ୍କ ପାଣ୍ଠିକୁ ୨ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଅସହାୟଙ୍କୁ ସାହାଯ୍ୟ କରିବା ସହିତ ବୃଦ୍ଧାଶ୍ରମଗୁଡ଼ିକରେ ଅନ୍ତେବାସୀଙ୍କୁ ଭେଟି ସେ ଆର୍ଥିକ ସାହାଯ୍ୟ କରିଥାନ୍ତି। ଯଦିଓ ଅନେ‌େକ ରାଣୀ ପଣ୍ଡାଙ୍କୁ ଆକ୍ଷେପ କରନ୍ତି କି ସେ ଅବାଟରେ ଯାଇଛନ୍ତି ଓ ଖରାପ ଉଦାହରଣ ସୃଷ୍ଟି କରିଛନ୍ତି, ତଥାପି ଏତେସବୁ ଦୁଃସ୍ଥିତି ଓ ଦୁର୍ଦ୍ଦଶାର ସାମ୍ନା କରିବା ପରେ ବି ମୁଣ୍ଡଟେକି ସାହସର ସହ ଠିଆହୋଇପାରିଛନ୍ତି।

ନିଜକୁ ପରିବର୍ତ୍ତନ କରିବାକୁ ଚା‌େହଁ, କିନ୍ତୁ ସୁଯୋଗ ମିଳୁନାହିଁ
ଯାତ୍ରାଜଗତରେ ନିଶା ମହାରଣା ଅନ୍ୟ ଏକ ଚର୍ଚ୍ଚିତ ନାମ। ଓଡ଼ିଆ ଯାତ୍ରାଦୁନିଆର ଜଣେ ବହୁଚର୍ଚ୍ଚିତ ଆଇଟମ୍‌ ଗାର୍ଲ। ନୃତ୍ୟାଭିନୟ ସମୟରେ ଉତ୍ତେଜକ ଅଙ୍ଗଭଙ୍ଗୀ ତାଙ୍କୁ ବିବାଦୀୟ କରିଛି। ସେ ଅଶ୍ଳୀଳତାର ପ୍ରସାର କରୁଛନ୍ତି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଉଠିଛି। ଏହାବାଦ୍ ସୋସିଆଲ୍‌ ମିଡ଼ିଆରେ ସେ ଅପଶବ୍ଦ ପ୍ରୟୋଗ କରୁଥିବା ବି ବାରମ୍ବାର ଦେଖିବାକୁ ମିଳିଛି। ତାଙ୍କର ଏପରି ଭାଷା ସମାଜ ଉପରେ କୁପ୍ରଭାବ ପକାଉଛି ବୋଲି ସୋସିଆଲ୍‌ ମିଡିଆ ‌କମେଣ୍ଟ୍‌ରୁ ଦେଖିବାକୁ ମିଳିଥାଏ।

ନିଜକୁ ବଲିଉଡ୍‌ ଗ୍ଲାମର୍‌ ଗାର୍ଲ ସନ୍ନି ଲିଓନିଙ୍କ ସହ ତୁଳନା କରିଥିବା ନିଶା ଏ ପ୍ରସଙ୍ଗରେ କହନ୍ତି, ‘‘ଝିଅଟିଏ କେତେବେଳେ ଖରାପ ହେବାକୁ ଚାହେଁ ନାହିଁ। ତା’ ପରିସ୍ଥିତି ଓ ପରିବେଶ ଏଭଳି ରାସ୍ତା ବାଛିବା ପାଇଁ ତାକୁ ବାଧ୍ୟ କରିଥାଏ। ଖରାପ ଟୀକାଟିପ୍ପଣୀ ଓ ଲୋକଙ୍କ ଭାଷାଅଭାଷା ଶୁଣି ଶୁଣି ମଁୁ ବାଧ୍ୟ ହୋଇଛି ସେହି ଭାଷା‌େର ଉତ୍ତର ରଖିବା ପାଇଁ। ମଁୁ ସମସ୍ତଙ୍କୁ ଅପଶବ୍ଦ ବ୍ୟବହାର କରି କଥା କହେନି। ଯିଏ ମତେ ଯେଉଁ ପ୍ରକାର ବ୍ୟବହାର ଦେଖାଏ ମଁୁ ତାକୁ ସେହି ପ୍ରକାର ଜବାବ ଦିଏ।’’ କେବଳ ଅଭିନୟ ନୁହେଁ, ସମାଜସେବୀ ହିସାବରେ ସେ ବହୁ କାର୍ଯ୍ୟ କରିଛନ୍ତି ବୋଲି ଦାବି କରନ୍ତି ନିଶା। ସେ ନିଜ ଜୀବନ ସଂଘର୍ଷକୁ ନେଇ କହନ୍ତି, ‘‘ମଁୁ ଗୋଟେ ଗରିବ ପରିବାରର ଝିଅ। ଓ‌ଳିଏ ଖାଇଲେ ଆର ଓଳି ଉପାସରେ ରହୁଥିଲୁ। ଏମିତି ଦିନ ବି ଦେଖିଛି, ବାପା ମତେ ନିଜ ରକ୍ତ ବିକ୍ରି କରି ଚଳାଇଛନ୍ତି। ବାଲେଶ୍ବରରେ ପଢୁଥିବା ବେଳେ ସପ୍ତମ ଶ୍ରେଣୀରେ ଦିନେ ଲୁଚି ଲୁଚି ଯାତ୍ରା‌ ଦେଖିଥିଲି। ସେଥିପାଇଁ ବାପାମା’ଙ୍କଠାରୁ ବହୁ ଗାଳିମାଡ଼ ମଧ୍ୟ ଖାଇଛି। ଦିନେ ଭୁବନେଶ୍ବରଟା କ’ଣ ଦେଖିବା ପାଇଁ ଅର୍ଦ୍ଧରାତ୍ରରେ ଘରୁ ଲୁଚି ପଳେଇ ଆସିଥିଲି। ମନ ଭିତରେ ସେତେବେଳେ ହଜାରେ ପ୍ରଶ୍ନ ଓ ସ୍ବପ୍ନର ପାହାଡ଼ ଥିଲା। ବଡ଼ କଳାକାରଟେ ହେବାକୁ ଲକ୍ଷ୍ୟ ରଖିଥିଲି। ସେହି ଆଶାରେ ଭୁବନେଶ୍ବର ଆସିଲି ସତ କିନ୍ତୁ ମୋ ଲଜ୍ଜା ଯେ ଦିନେ ଦାଣ୍ଡରେ ବିକ୍ରି ହୋଇଯିବ ଜାଣି ନଥିଲି। କାମ କରିବି ବୋଲି ଯେତେବେଳେ ରାସ୍ତାରେ ଖାଲି ପାଦରେ ବୁଲୁଥିଲି, ସେତେବେଳେ ରାସ୍ତା ମଝିରେ ମୋର ସମ୍ମାନ ଉପରେ ଆକ୍ରମଣ ହୋଇଥିଲା। ମଣିଷର ଏହି ଅମାନୁଷିକ ଆଚରଣକୁ ଦେଖିଲେ ନିଜକୁ ଭାରି କଷ୍ଟ ହୁଏ। ମୋ ଜୀବନର ଏହି ସବୁ ଅନୁଭୂତି ମୁଁ ଭୁଲି ପାରିବିନି। ତିନିଜଣଙ୍କ ଦ୍ବାରା ମଁୁ ଦୁଷ୍କର୍ମର ଶିକାର ହୋଇଛି। ଏଥିପାଇଁ ମଁୁ ଆତ୍ମହତ୍ୟା କରିବାର ନିଷ୍ପତ୍ତି ମଧ୍ୟ ନେଇଥିଲି। ସେତେବେଳେ ମୁଣ୍ଡ ଗୁଞ୍ଜିବାକୁ ନା ଥିଲା ଛାତ ନା ଖାଇବାକୁ ଦୁଇମୁଠା ଚାଉଳ।’’

ପୁଣି ନିଶା କହନ୍ତି,‘‘ଥରେ ଜଣେ ଝିଅ ଦୁଷ୍କର୍ମର ଶିକାର ହେବା ପରେ ତା’ର ଲାଜ ବା ଆଉ କ’ଣ ରହିବ? ସେଥିପାଇଁ ଏହାକୁ ମଁୁ ନଜର ନ ଦେଇ ଆଗକୁ ବଢ଼ିବାର ରାସ୍ତା ଖୋଜିଲି। ନିଜକୁ ଦୃଢ଼ କଲି। ପରେ ପରେ ମାୟାନଗରୀ ମୁମ୍ବାଇ ଗଲି। ସେଠାକାର ପରିବେଶ, ଚାଲିଚଳଣ ଓ ପିନ୍ଧିବାଶୈଳୀକୁ ଅନୁସରଣ କରିଥିଲି। ଏହାପରେ ଓଡ଼ିଶା ଆସି ଆଲବମ୍‌ ଭିଡିଓ କଲି, ଧାରାବାହିକରେ କାମ କଲି ଓ ଶେଷରେ ଯାତ୍ରା ଦୁନିଆରେ ପାଦ ଥାପିଲି। ନାଚ ଗୀତ ମୋର ଭାରି ପସନ୍ଦ ଥିଲା। ସେଥିପାଇଁ ଆଇଟମ୍‌ ଗାର୍ଲ ହେବାକୁ ଇଚ୍ଛା କରିଥିଲି। ସନ୍ନି ଲିଓନିଙ୍କୁ ଅନୁସରଣ କରିଥିଲି। ଯାତ୍ରାରେ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ନାଚିଲି। ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଓ ‌େସମାନଙ୍କ ମନୋରଞ୍ଜନ କଲି। ମା ବାଣେଶ୍ବରୀ, ଧଉଳୀ, ବିଶ୍ବଦରବାର, କଳିଙ୍ଗ କନ୍ୟା ଅପେରାରେ ନୃତ୍ୟ କରିଛି । ତେବେ ଏ ସବୁ ଯେ ଦିନେ ଏତେ ବିବାଦୀୟ ହୋଇଯିବ କେବେ ଭାବି ନଥିଲି। ‌େଲାକଙ୍କ ଗାଳିଗୁଲଜ ମତେ କଷ୍ଟ ଦେଇଥିଲା। ଆଜି ମଁୁ ଯାହା ହୋଇଛି ଦର୍ଶକମାନେ ମତେ ତିଆରି କରିଛନ୍ତି। ‌ଯଦି ଦର୍ଶକଙ୍କୁ ମୋ ନାଚ, ପୋଷାକ ଭଲ ଲାଗୁଥିଲା ତେବେ ଆଜି ମତେ ଦାଣ୍ଡରେ ଖରାପ ଚରିତ୍ରର ଆଖ୍ୟା ଦେଇପାରିଲେ କେମିତି? ମଁୁ ମଧ୍ୟ ନିଜକୁ ପରିବର୍ତ୍ତନ କରିବାକୁ ଚା‌େହଁ କିନ୍ତୁ ମତେ କେହି ପରିବର୍ତ୍ତନ ହେବା ପାଇଁ ସୁଯୋଗ ଦେଉନାହାନ୍ତି।’’

ଅଳିଆ ସଫା କରିବାକୁ ଗଲେ ହାତରେ ଅଳିଆ ଲାଗେ
ଜୀବନର ନୌକା କେବେ କୁଆଡ଼େ ଭାସି ଚାଲେ କାହାକୁ ଜଣା ନଥାଏ। ପିଲାଟିଏ ଜନ୍ମ ହେଲା ପରେ ସେ କ’ଣ ଜାଣିଥାଏ ତା’ ଭବିଷ୍ୟତ କଥା? ତା’ ପରିସ୍ଥିତି ଓ ତା’ର ସମୟ ହିଁ ଭବିଷ୍ୟତ ତିଆରି କରିଥାଏ ବୋଲି କହିଛନ୍ତି ଯାତ୍ରା ଅଭିନେତ୍ରୀ ତଥା ଆଇଟମ୍ ଡ୍ୟାନ୍ସର ରାଣୀ ପ୍ରିୟଦର୍ଶିନୀ। ଯାତ୍ରାମଞ୍ଚରେ ଯୌନୋଦ୍ଦୀପକ ନୃତ୍ୟ ସହ ଅଙ୍ଗପ୍ରଦର୍ଶକ ପୋଷାକ ପିନ୍ଧି ଦର୍ଶକଙ୍କ ମନୋରଞ୍ଜନ ସହ ଅନେକ କ୍ଷେତ୍ରରେ ଭାଷାଅଭାଷା ଲଗାଇ କଥାବାର୍ତ୍ତାକୁ ନେଇ ବିବାଦୀୟ ହୋଇଛନ୍ତି ରାଣୀ ପ୍ରିୟଦର୍ଶିନୀ। ଏଭଳି କଥା ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଟ୍ରୋଲିଂର ଶିକାର ବି ହୋଇଛନ୍ତି। ନିଜ ଭିତରେ ଥିବା କ୍ରୋଧ ଓ ଯନ୍ତ୍ରଣାକୁ ପରିପ୍ରକାଶ କରିବା ପାଇଁ ଅପଶବ୍ଦର ବ୍ୟବହାର କରନ୍ତି ବୋଲି ସେ କହିଛନ୍ତି। ନିଜ ସଂଘର୍ଷ ସଂପର୍କରେ ସେ କହନ୍ତି, ‘‘ମୋର ଛୋଟବେଳୁ ସ୍ବପ୍ନ ଥିଲା ଆଲ୍‌ବମ୍‌ କୁଇନ୍‌ ହେବି। ବାପାମା’ଙ୍କ ଇଚ୍ଛାକୁ ପ୍ରତ୍ୟାଖ୍ୟାନ କରି ମଁୁ କଳାଜଗତରେ ପାଦ ଥାପିଥିଲି। କିନ୍ତୁ ଏ ରାସ୍ତା ମୋ ପାଇଁ କଣ୍ଟା ସାଜିଥିଲା। ଲକ୍ଷ୍ୟ ହାସଲ ପାଇଁ ରାସ୍ତାରେ ବୁଲିଛି, ଷ୍ଟେସନ୍‌ରେ ପେପର୍‌ ପାରି ଶୋଇବାକୁ ବାଧ୍ୟ ହୋଇଛି। ଦିନେ ଖାଇଲେ ଦି’ଦିନ ଓପାସ। ସେଇ ଅନ୍ଧାରୀ ଦିନଗୁଡ଼ିକୁ ମନେ ପକାଇଲେ ଆଜି ବି ଲୋମ ଟାଙ୍କୁରି ଉଠେ। କଳାକାରଟିଏ ହେବି ବୋଲି ପ୍ରଯୋଜକ, ନିର୍ଦ୍ଦେଶକଙ୍କୁ ବାରମ୍ବାର ଭେଟିବାକୁ ଯାଏ। କିନ୍ତୁ ସେମାନେ ଅଜବ ସର୍ତ୍ତ ରଖନ୍ତି। ମୁଁ ସହଜରେ ଗ୍ରହଣ କରିପାରେ ନାହିଁ। ତେଣେ ସର୍ତ୍ତରେ ରାଜି ନ ହେଲେ ତଡ଼ା ଖାଇବାକୁ ବାଧ୍ୟ। ନିଜର ଆଶା ପୂରଣ କରିବା ପାଇଁ ଏମିତି ବହୁ କଣ୍ଟକିତ ରାସ୍ତା ମୋତେ ପାର ହେବାକୁ ପଡ଼ିଛି।’’

‘‘ପରେ ଋଣ ନେଇ ନିଜର ପ୍ରଡକ୍ସନ୍‌ ହାଉସ୍‌ ଖୋଲିଥିଲି, ଯାହାର ନାଁ ଥିଲା ରୂପା ରାଣୀ କ୍ରିଏସନ୍‌। ସେଥିରେ କାମ କରିବା ପରେ ଧୀରେ ଧୀ‌େର ପରିଚୟ ସୃଷ୍ଟି କଲି। ଏହା ପରେ ମତେ ଯାତ୍ରାରେ ଅଫର୍‌ ମିଳିଲା। ତେବେ ଯେଉଁଠାରେ ନିଜକୁ ବିକ୍ରି କରିବାକୁ ପଡ଼ିଥାଏ ମୁଁ ସେଠାରେ କାମ କରିବାକୁ ପସନ୍ଦ କରେ ନାହିଁ। କାରଣ, ମଁୁ ପରିଶ୍ରମରେ ବିଶ୍ବାସ କରେ। ଯଦି ମୋ ଭିତରେ କଳା ଅଛି, ଜ୍ଞାନ ଅଛି ତେବେ ମଁୁ ଭଲ କଳାକାରଟିଏ ହୋଇପାରିବି ବୋଲି ଭାବେ। ୨୦୧୭ ମସିହାରେ ମଁୁ ଯାତ୍ରା ଦୁନିଆ‌େର ପ୍ରବେଶ କରିଥିଲି। ରଙ୍ଗମହଲ, ଶିବାନୀ, ତୁଳସୀ, ବିଶ୍ବଦରବାର, ସ୍ବପ୍ନମହଲ ଭଳି ଗଣନାଟ୍ୟ ମଞ୍ଚରେ ଅତିଥି କଳାକାର ଭାବେ ଯୋଗ ଦିଏ। କିନ୍ତୁ ମୋର ସିଧାସିଧା କାମ କରିବା ଦର୍ଶକଙ୍କ ପସନ୍ଦ ଆସୁ ନଥିଲା। ଦର୍ଶକଙ୍କ ଚାହିଦା ପୂରଣ କରିବାକୁ ଯାଇ ଆଇଟମ୍‌ ଡ୍ୟାନ୍ସ୍ କଲି। କିନ୍ତୁ ସେଥିପାଇଁ ମଁୁ ସମାଲୋଚନାର ଶିକାର ହେଉଛି।’’ ସେ କହନ୍ତି, ‘‘ଆଜି କିନ୍ତୁ ଏ ସବୁ ପାଇଁ ମତେ ବହୁତ ହଇରାଣ ହେବାକୁ ପଡୁଛି। ଯଦି ବାରମ୍ବାର ଗୋଟିଏ କଥାକୁ ନେଇ ସମାଲୋଚନା କରାଯାଏ କିମ୍ବା ଆକ୍ଷେପ କରାଯାଏ, ମଁୁ ସେ ସବୁକୁ ସହିପାରେନି। ଯେଉଁମାନେ କହୁଛନ୍ତିି ‌େସମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ପ୍ରତ୍ୟୁତ୍ତର ରଖିଥାଏ। ଅଶ୍ଳୀଳ ଭାଷା କହିଦିଏ। ଖରାପ ଭାଷାର ପ୍ରୟୋଗ ଫଳରେ ସମାଜରେ କୁପ୍ରଭାବ ପଡୁଛି ଏବଂ ଏହା ମୋର ଭୁଲ୍‌ ବୋଲି ମାନୁଛି। ମତେ ଲାଗେ ଅଳିଆ ସଫା କରିବାକୁ ଗଲେ ହାତରେ ଅଳିଆ ଲାଗିଥାଏ। ଅଭାଷା ଲଗାଇ କଥା ହେବା ଠିକ୍‌ ନୁହେଁ, କିନ୍ତୁ ଏହା ରାଗରେ ପାଟିରୁ ବାହାରିଯାଏ।’’

ସମ୍ବନ୍ଧିତ ଖବର