୨୦୧୯ ଲୋକସଭା ନିର୍ବାଚନରେ ଘଟିଛି ଏହି ସବୁ ନୂଆ କଥା: ୪ଟି ଭଲ, ଗୋଟିଏ ମନ୍ଦ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ସରିଯାଇଛି। ଏଥର ଲୋକସଭା ନିର୍ବାଚନରେ ଅନେକ ନୂଆ କଥା ଘଟିଛି। ତେବେ, ଚାଲନ୍ତୁ ଜାଣିବା ଏଥର ନିର୍ବାଚନରେ ଏମିତି କ’ଣ ଘଟିଛି ଯାହା ସଭିଙ୍କୁ ଚକିତ କରିଛି।

ମହିଳା ସଶକ୍ତିକରଣ: ଏଥର ଲୋକସଭାକୁ ସର୍ବାଧିକ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି। ଏଥର ନିର୍ବାଚନରେ ପୁରୁଷ ପ୍ରାର୍ଥୀଙ୍କ ଅପେକ୍ଷା ମହିଳା ପ୍ରାର୍ଥୀଙ୍କ ବିଜୟ ହାର ଅଧିକ ରହିଛି। ୨୦୧୯ ଲୋକସଭାକୁ ୭୮ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି। ୨୦୧୪ ନିର୍ବାଚନରେ ୬୨ ଜଣ ମହିଳା ନିର୍ବାଚିତ ହୋଇଥିଲେ।

ନୂଆ ମୁହଁକୁ ପ୍ରାଧାନ୍ୟ: ଏହା ଅତ୍ୟନ୍ତ ଉତ୍ସାହଜନକ କଥା ଯେ ନିର୍ବାଚିତ ହୋଇଥିବା ୫୪୨ ଜଣ ସାଂସଦଙ୍କ ମଧ୍ୟରୁ ମାତ୍ର ୩୯ ପ୍ରତିଶତ ସାଂସଦ ପୂର୍ବରୁ ରାଜନୀତିରେ ସକ୍ରିୟ ଥିଲେ, ବାକି ସବୁ ନୂଆ। ଏଥର ନିର୍ବାଚନରେ ସର୍ବାଧିକ ନୂଆ ନେତାଙ୍କୁ କ୍ଷମତା ଭାର ସମର୍ପିଛନ୍ତି ଜନତା।

ଧର୍ମ ନିରପେକ୍ଷତା: ପୂର୍ବ ନିର୍ବାଚନ ଅପେକ୍ଷା ଏଥର ସଂଖ୍ୟାଲଘୁ ସଂପ୍ରଦାୟର ବିଜୟୀ ପ୍ରାର୍ଥୀଙ୍କ ସଂଖା ଅଧିକ ରହିଛି। ଏଥର ନିର୍ବାଚନରେ ସଂଖ୍ୟାଲଘୁ ସଂପ୍ରଦାୟର ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଖାଲି ସେତିକି ନୁହେଁ, ୧୪ଟି ହିନ୍ଦୁ ପ୍ରବଣ ନିର୍ବାଚନ ମଣ୍ଡଳୀରୁ ଲୋକେ ସଂଖ୍ୟାଲଘୁ ସଂପ୍ରଦାୟର ପ୍ରାର୍ଥୀଙ୍କୁ ତାଙ୍କର ନେତା ବାଛିଛନ୍ତି।

ଯୁବଶକ୍ତିକୁ ପ୍ରାଧାନ୍ୟ: ଓଡ଼ିଶାର କେନ୍ଦୁଝରରୁ ସାଂସଦ ହୋଇଥିବା ଚନ୍ଦ୍ରାଣୀ ମୁର୍ମୁ ହେଉଛନ୍ତି ଦେଶର ସର୍ବ କନିଷ୍ଠା ସାଂସଦ। ପୂର୍ବରୁ ଏତେ କମ୍‌ ବୟସରେ କେହି ସାଂସଦ ହୋଇ ନ ଥିଲେ। ସେହିପରି ତାଙ୍କ ପରେ ଦ୍ୱିତୀୟ କନିଷ୍ଠ ସାଂସଦ ଭାବେ ଏଥର ନିର୍ବାଚିତ ହୋଇଛନ୍ତି ଦକ୍ଷିଣ ବେଙ୍ଗାଲୁରର ତେଜସ୍ୱୀ ସୂର୍ଯ୍ୟ।

ସ୍ୱଳ୍ପ ଶିକ୍ଷିତ: ଏଥର ଲୋକସଭା ନିର୍ବାଚନକୁ ନିର୍ବାଚିତ ହୋଇଥିବା ସାଂସଦ ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ଟିକେ ପଛୁଆ। ୨୦୦୪ ନିର୍ବାଚନରେ ସଂସଦରେ ୭୯ ଗ୍ରାଜୁଏଟ୍‌ ସ୍ଥାନ ପାଇଥିଲେ। ୨୦୦୯ ମସିହାରେ ଏହା ହ୍ରାସ ପାଇ ୭୫ରେ ପହଞ୍ଚିଥିଲା। ଚଳିତଥର ଗ୍ରାଜୁଏଟ୍‌ ସାଂସଦଙ୍କ ସଂଖ୍ୟା ରହିଛି ୭୩ ପ୍ରତିଶତ।

ସମ୍ବନ୍ଧିତ ଖବର