ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରରୁ ଶାଗୁଆନ କାଠ, ଉତ୍ତର ପ୍ରଦେଶର ମିର୍ଜାପୁରରୁ ଗାଲିଚା (କାର୍ପେଟ୍‌), ତ୍ରିପୁରାର ବାଉଁଶ ଚଟାଣ ଏବଂ ରାଜସ୍ଥାନର ପଥର ଖୋଦେଇ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ସାମଗ୍ରୀ ଲାଗିଛି ନୂଆ ସଂସଦ ଭବନ ତିଆରିରେ।

Advertisment

ସଂଗୃହୀତ ତଥ୍ୟ ଅନୁସାରେ, ସଂସଦ ଭବନରେ ବ୍ୟବହାର ଲାଗି ରାଜସ୍ଥାନର ସରମଥୁରାରୁ ଖରିଦ କରାଯାଇଛି ଲାଲ୍‌ ଓ ଧଳା ବାଲୁକାପଥର। ଲାଲ୍‌ କିଲ୍ଲା ଏବଂ ହୁମାୟୁନଙ୍କ କବର ନିର୍ମାଣ ପାଇଁ ମଧ୍ୟ ଏହି ସ୍ଥାନରୁ ଲାଲ୍‌ ପଥର ଯାଇଥିଲା ବୋଲି କୁହାଯାଏ।

ସେହିପରି, ଉଦୟପୁରରୁ ଅଣାଯାଇଛି କେଶରିୟା ସବୁଜ ପଥର, ଆଜ୍‌ମେର୍‌ ନିକଟ ଲାଖାରୁ ଅଣାଯାଇଛି ଲାଲ୍‌ ମୁଗୁନି ପଥର, ଅମ୍ବାଜୀରୁ ଅଣାଯାଇଛି ଧଳା ମାର୍ବଲ ପଥର।

ସେହିପରି, ସଂସଦ ଅଟ୍ଟାଳିକାରେ ବ୍ୟବହୃତ ଶାଗୁଆନ କାଠ କିଣାଯାଇଛି ମହାରାଷ୍ଟ୍ରର ନାଗପୁରରୁ। ଭିତରେ ଥିବା ଆସବାବ୍‌ପତ୍ର ସବୁ ତିଆରି ହୋଇଛି ମୁମ୍ବାଇରେ।

publive-image Image Courtesy of India Today

ଲୋକସଭା ଓ ରାଜ୍ୟସଭା ପ୍ରକୋଷ୍ଠର ଷ୍ଟିଲ୍‌ ଢାଞ୍ଚା ଏବଂ ‘ଫଲ୍‌ସ୍‌ ସିଲିଙ୍ଗ୍‌’ ଅଣାଯାଇଛି କେନ୍ଦ୍ରଶାସିତ ଅଞ୍ଚଳ ଦାମନ ଓ ଡିୟୁରୁ।

ଏହାଛଡ଼ା, ସଂସଦ ଭବନରେ ଲାଗିଥିବା ପଥର ‘ଝାଲେରି’ (ଜାଲି) ଆସିଛି ରାଜସ୍ଥାନର ରାଜନଗର ଓ ଉତ୍ତର ପ୍ରଦେଶର ନଏଡ଼ାରୁ।

ଅଶୋକ ସଙ୍କେତ ପାଇଁ ସାମଗ୍ରୀ ଆସିଛି ମହାରାଷ୍ଟ୍ରର ଔରଙ୍ଗାବାଦ ଓ ରାଜସ୍ଥାନର ଜୟପୁରରୁ। ଲୋକସଭା ଓ ରାଜ୍ୟସଭା ପ୍ରକୋଷ୍ଠ ବିରାଟ କାନ୍ଥରେ ଲଗାଯାଇଥିବା ଅଶୋକ ଚକ୍ର ଆସିଛି ମଧ୍ୟପ୍ରଦେଶର ଇ‌ନ୍ଦୋରରୁ।

ସଂସଦ ଭବନର କଂକ୍ରିଟ୍‌ କାମରେ ବ୍ୟବହାର ହୋଇଥିବା ବାଲି ଆସିଛି ହରିୟାଣାର ଚର୍‌ଖି ଦାଦ୍ରିରୁ। ଏଥିରେ ଲାଗିଥିବା ‘ଫ୍ଲାଏ ଆସ୍‌’ ଇଟା ଆସିଛି ହରିୟାଣା ଓ ଉତ୍ତର ପ୍ରଦେଶରୁ। ଗୁଜରାଟର ଅହମଦାବାଦରୁ ଆସିଛି ପିତ୍ତଳ ନିର୍ମିତ ସାମଗ୍ରୀ।