ରାଜଭବନ ନିକଟ ଆଇଓସିଏଲ୍ ପେଟ୍ରୋଲ ପମ୍ପରେ ବିସ୍ଫୋରଣ : ରାଜଧାନୀର ଅନ୍ୟ ପେଟ୍ରୋଲ ପମ୍ପ କେତେ ସୁରକ୍ଷିତ?

ଭୁବନେଶ୍ୱର : ରାଜଭବନ ନିକଟ ଆଇଓସିଏଲ୍ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ରାଜଧାନୀର ଅନ୍ୟ ପେଟ୍ରୋଲ ପମ୍ପ କେତେ ସୁରକ୍ଷିତ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଯେମିତି ରାଜଭବନ ନିକଟରେ ଏହି ପେଟ୍ରୋଲ ପମ୍ପ ରହିଛି ସେମିତି ସମ୍ବେଦନଶୀଳ ଅଞ୍ଚଳ ଭାବେ ସଚିବାଳୟ ପଛ ପାଖ, ୟୁନିଟ୍ ୧ ଓ ୟୁନିଟ୍ ୨, କଳ୍ପନା, ଚିନ୍ତାମଣିଶ୍ବର, କଳିଙ୍ଗ ଷ୍ଟାଡିୟମ ଛକ, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରେ ରହିଛି ପେଟ୍ରୋଲ ପମ୍ପ। ଏହି ସବୁ ଅଞ୍ଚଳରେ ଅଗ୍ନି ନିର୍ବାପକ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା କେମିତି ରହିଛି, ନିୟମିତ ଯାଞ୍ଚ କରାଯାଉଛି କି ନାହିଁ ବୋଲି ପ୍ରଶ୍ନ ଉଠିଛି। ୟୁନିଟ୍-୬, ୟୁନିଟ୍-୭, ସୂର୍ଯ୍ୟନଗର ଅଞ୍ଚଳରେ ଆସୁଥିବା ଏହି ପେଟ୍ରୋଲ ପମ୍ପ ବିସ୍ଫୋରଣରେ ପୂରା ଅଞ୍ଚଳ ଦୋହଲି ଯାଇଥିଲା। ବିସ୍ଫୋରଣରେ ଯିଏ ଆହତ ହୋଇଛି ସେ ଜୀବନ ସାରା ଏହି ଦୁର୍ଘଟଣାକୁ ଭୁଲି ପାରିବ ନାହିଁ। ଯଦି ଅନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ଘଟଣା ଘଟେ ତାହାଲେ ପରିସ୍ଥିତି ସାଂଘାତିକ ହେବ। ତେଣୁ ଅନ୍ୟ ପେଟ୍ରୋଲ ପମ୍ପକୁ ଯାଞ୍ଚ କରିବା ଲାଗି ଦାବି ହୋଇଛି।

ନିଆଁ ଲିଭାଇଲେ ୧୦ ଦମକଳ
ପେଟ୍ରୋଲ ପମ୍ପରେ ବଡ଼ଧରଣର ଅଗ୍ନିକାଣ୍ଡ ଓ ବିସ୍ଫୋରଣ ଅଗ୍ନିଶମ ବାହିନୀ ପାଇଁ ଚାଲେଞ୍ଜିଂ ଥିଲା। ଘଟଣାସ୍ଥଳରେ ତୁରନ୍ତ ପ୍ରଥମେ ୩ଟି ନିଆଁ ଲିଭା ଗାଡ଼ି ପହଞ୍ଚିଥିଲା। କଳ୍ପନା, ସଚିବାଳୟ, ଚନ୍ଦ୍ରଶେଖରପୁର, ଜଟଣୀ, ଖୋର୍ଦ୍ଧା, ବାରଙ୍ଗ ଅଗ୍ନିଶମ କେନ୍ଦ୍ରର ୧୦ଟି ଗାଡ଼ି ପହଞ୍ଚିଥିଲେ। ସେଥିରୁ ୫ଟି ନିଆଁଲାଭି ଗାଡ଼ି ଅପରେସନରେ ନିୟୋଜିତ ଥିଲା। ପେଟ୍ରୋକେମିକାଲ ପଦାର୍ଥରେ ନିଆଁ ଲାଗିଲେ ଆୟତ୍ତ କରିବା ପାଇଁ ପାଣି କାମ କରେ ନାହିଁ। ଏଥିପାଇଁ ଫୋମ୍(ଫେଣ)ର ଆବଶ୍ୟକତା ପଡ଼େ। ନିଆଁର ପ୍ରକୋପ ସାଂଘାତିକ ଥିବାରୁ ପ୍ରଥମେ ପ୍ରାୟ ୩୦ ମିଟର ଦୂରରୁ ଫୋମ୍ ମିଶା ପାଣି ସ୍ପ୍ରେ କରା ଯାଇଥିଲା। ନିଆଁର ପ୍ରକୋପ ସାମାନ୍ୟ କମିବା ପରେ ନିଆଁ ଲିଭା ଗାଡ଼ି ଆଉ ୧୦ ମିଟର ଆଗକୁ ଯାଇଥିଲା। ପ୍ରାୟ ୫ ମିନିଟ୍ ଧରି ସ୍ପ୍ରେ କରାଯିବା ପରେ ଆଉ ୧୦ ମିଟର ଆଗକୁ ଯାଇଥିଲା ଅଗ୍ନିଶମ ଟିମ୍। ୧୫ରୁ ୨୦ ମିନିଟ ଧରି ଲଗାତାର ସ୍ପ୍ରେ କରିବା ପରେ ନିଆଁ ଆୟତ୍ତ ହୋଇଥିଲା। କିନ୍ତୁ ପାଖରେ ଥିବା ଏଲପିଜି ଟ୍ୟାଙ୍କରକୁ ଥଣ୍ଡା କରି ସୁରକ୍ଷିତ ରଖିବା ସହ କେମିତି ପେଟ୍ରୋଲ ପମ୍ପକୁ ନ ବ୍ୟାପିବ ସେଥିଲାଗି ଅଗ୍ନିଶମ ଟିମକୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା। ବାଲେଶ୍ବରରୁ ଟ୍ୟାଙ୍କର ପହଞ୍ଚିବା ପରେ ପ୍ରଥମେ ପେଟ୍ରୋଲ ପମ୍ପରେ ଥିବା ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ କଢ଼ାଯାଉଛି। କାଲି ସକାଳ ଭିତରେ ଏହି କାମ ସରିଯିବ ବୋଲି ଜଣାପଡ଼ିଛି। ସାହସିକତାର ସହ ନିଆଁ ଲିଭାଇ ଥିବାରୁ ପୂରା ଟିମକୁ ପ୍ରଂଶସା କରିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି। ଏନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ସଚିବଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଧର୍ମେନ୍ଦ୍ର
ଭୁବନେଶ୍ୱର : ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଇଣ୍ଡିଆନ୍ ଅଏଲର ଅଧିକାରୀମାନଙ୍କ ସହ ଆଲୋଚନା କରି ତୁରନ୍ତ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ସେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ପ୍ରଧାନ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଶୀଘ୍ର ଆରୋଗ୍ୟ ହୋଇ ଫେରିବେ ବୋଲି ଟ୍ବିଟ୍‌ କରି କହିଛନ୍ତି।

ସମ୍ବନ୍ଧିତ ଖବର